ବେକାର ପୁଅର ବାପାମାନେ
ଝରଣା ଠୁଁ ବି ବେଶି ଚଞ୍ଚଳ
ବେକାର ପୁଅର ବାପାଙ୍କ ଆଖି !
ହେଲେ ଗାଈ ଆଖି ଠୁଁ ବି ବେଶି ନିରୀହ ଲାଗେ ବେଳେବେଳେ
ଯେବେ ବେକାର ପୁଅ ସଫଲ ଖାଇ
ଧୂଳିଗୁଣ୍ଡି ଆଉ ଚୁନ ରଙ୍ଗର ଧୂଆଁ ଫିଙ୍ଗି ଦିଏ ଆକାଶକୁ
ସେବେ ଗର୍ଭିଣୀ ଗାଈର ଆଖି ପରି ଦିଶେ
ବେକାର ପୁଅର ବାପାଙ୍କ ଆଖି
ମୋତିଆବିନ୍ଦୁ ମାଡିବସେ
ବେକାର ପୁଅର ବାପାଙ୍କ ଆଖିକୁ
ଯେବେ ବେକାର ପୁଅ ଖେଳୁଥାଏ
ଗାଁ ଚୋଉପାଢିରେ ତାସ୍ କି ପଶା !
ଦେଢଟଙ୍କାର ରୋଜଗାର ନଥାଇ
ଦେଢ଼ଶହ ଟଙ୍କାର ମଦିରା ପିଇ
ଗାଁ ଦାଣ୍ଡରେ ବେକାର ପୁଅ ନଟରାଜ ବନି ଶୋଧିଲା ବେଳେ
ବେକାର ପୁଅର ବାପାଙ୍କ କାନ
ବୋଇତାଳୁ ଡଙ୍କର ଅଣ୍ଡିରା ଫୁଲ ପାଲଟିଯାଏ ଆପେଆପେ !
ବେକାର ପୁଅର ବାପାଙ୍କ ହାତ
ବଡ଼ଦେଉଳର ପତିତପାବନ ନେତ !
ଯେବେ ଅଠେଇଶ ବର୍ଷର ଅଭିଆଡି ବେକାର ପୁଅ
କୋଡିଏ ଟଙ୍କା ମାଗିନିଏ ପୋଟଳ ବିକା ଟଙ୍କାରୁ,
ସେବେ ଅଟକେନି କି ମନା କରେନି
ବେକାର ପୁଅର ବାପାଙ୍କ ହାତ !
ଯେବେ ବାହା ଲଗ୍ନ ଆସେ
ସେବେ ବେକାର ପୁଅର ବାପାଙ୍କ ଛାତି
ଗୋଟେ ଶ୍ରାବଣ ମାସିଆ ଚାଳଘରି ଛପର !
ରଥଯାତ୍ରା ନସରିବା ଯାଏଁ,ବାହାଲଗ୍ନ ନତୁଟିବା ଯାଏଁ
ଗଣ୍ଡେ ଭୁରୁଭୁରୁ ଓଦା ମାଟି, ବେକାରୀ ପୁଅର ବାପାଙ୍କ ଛାତି !
ନବଜାତ ଶିଶୁ ଠୁଁ ବି ବେଶିଥର ଚମକେ
ବେକାରୀ ପୁଅର ବାପା !
ଯଦି କେହି କେବେ ଅବେଳରେ ପଚାରିଦିଏ
ଏବେ କ'ଣ କରୁଛି ପୁଅ ?
ଏଇତକରେ ବରଡା ପତ୍ର ଠୁଁ ବି ଜୋରରେ ଥରେ
ବେକାରୀ ପୁଅର ବାପାଙ୍କ ଦେହ !।
ବାପା କୁହନ୍ତି -
ଯେବେ ବଢିଲା ଝିଅ ଘର ବାହାରେ
ଆଉ ବଢିଲା ପୁଅ ଘରେ ରୁହନ୍ତି
ବାପା ମାନେ କଂସେଇ ଖାନାର ଛେଳି ପାଲଟିଯାଆନ୍ତି !