ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"-୧୨
(ଭାଗ-୧୨)
ଅଫିସ୍ ସାରା ହାଲ୍ଲା। ବରେଣ୍ୟ ଚ୍ୟାନେଲ ଛାଡ଼ି ଦେଉଛି। ନ୍ୟୁଜ୍ ଡେସ୍କଠାରୁ କ୍ୟାଣ୍ଟିନ୍ ପର୍ଯ୍ୟନ୍ତ, ରିପୋର୍ଟରଠାରୁ ନ୍ୟୁଜ୍ଚିଫ୍ ପର୍ଯ୍ୟନ୍ତ ସମସ୍ତେ ସେଇ ଗୋଟିଏ ଚର୍ଚ୍ଚାରେ ବ୍ୟସ୍ତ।
ଖବର କୋଉଠୁ ଆରମ୍ଭ ହୋଇଛି ସେ ବିଷୟରେ କାହାକୁ ଜଣାନାହିଁ। କିନ୍ତୁ ଚର୍ଚ୍ଚା ଜୋର୍ ଧରିଛି ସକାଳୁ। ଆଉ ଏଇ ଚର୍ଚ୍ଚା ଭିତରେ ରହିଛି ଚାକିରି ଛାଡ଼ିବାର ଅନେକ କାରଣ। କିଏ କହୁଛି ‘ଦିଲ୍ଲୀରେ ଭଲ ଅଫର୍ ମିଳିଛି। ଏଠି କାହିଁକି ପଡ଼ି ରହିବ ? ଓଡ଼ିଶାରେ ରହିଲେ କିଛି କରିହେବ ନାହିଁ। କିଛି କରିବାକୁ ହେଲେ ଆଗ ଓଡ଼ିଶା ଛାଡ଼। ବରେଣ୍ୟ ଠିକ୍ କରିଛି।’
ପୁଣି କିଏ କହୁଛି- ‘ବରେଣ୍ୟକୁ ଏଠି ଠିକ୍ରେ ଗୁରୁତ୍ୱ ମିଳିଲା ନାହିଁ। ସବୁ ତ ସେ ପଲ୍ଲବିନୀ ମାଡ଼ି ବସିଛି। ଚ୍ୟାନେଲ ମାଲିକଙ୍କ ଭଉଣୀ ହେଲୁ ବୋଲି କ’ଣ ଟ୍ୟାଲେଣ୍ଟେଡ଼ ପିଲାଙ୍କୁ ବାଟ ଓଗାଳି ବସିବ ?’
ପୁଣି କିଏ କହୁଛି- ‘ମ୍ୟାନେଜମେଣ୍ଟ ସହ ତା’ର ପଡ଼ିଲା ନାହିଁ। ସେଥିପାଇଁ ତାକୁ ରିପୋର୍ଟିଂରୁ କାଢ଼ି କରେଣ୍ଟ ଆଫେୟାର୍ସରେ ଭର୍ତ୍ତି କରିବାକୁ ଉଦ୍ୟମ ଚାଲିଛି। ଅଫିସ୍ରେ ଯିଏ ଖଚମିଛ କଥା କହି ଜାଣିଲା ତା’ର ସ୍ଥାନ ଉପରେ।’
ତ ପୁଣି କିଏ କହିଲା- ‘ଏ ସବୁ ଫାଲ୍ତୁ କଥା। ପ୍ରକୃତ କଥାଟା ହେଲା ବିଫଳ ପ୍ରେମ। ପ୍ରୀତି ମହାନ୍ତି ତାକୁ ହତାଶ କଲା। ବିଚରା ବରେଣ୍ୟ ତା ପଛରେ ଗୋଡେ଼ଇ ଗୋଡେ଼ଇ କିଛି ପାଇଲା ନାହିଁ। ଏପଟେ ପ୍ରୀତି ମହାନ୍ତି ମହା ଖେଳୁଆଡ। ପଟେଇ ପାଟେଇ ବରେଣ୍ୟଠାରୁ କାମ ଆଦାୟ କଲା, ଆଉ ଯେତେବେଳେ ନୂଆ ପୋଗ୍ରାମ୍ ଆରମ୍ଭ ହେଲା, ଚେହେରା ଦେଖେଇ ସେ ନୂଆ ଜି.ଏମ୍. ସତ୍ୟାନନ୍ଦ ବାବୁଙ୍କୁ କହି ସେଟା ହାତେଇ ନେଲା। ଏବେ ଦୃଶ୍ୟପଟ୍ଟ ବଦଳି ଗଲାଣି। ଆଉ ପ୍ରୀତି-ବରେଣ୍ୟ ଯୋଡ଼ି ନାହିଁ ପୁଅ !! ଏଣିକି ପ୍ରୀତି-ସତ୍ୟାନନ୍ଦ ନୂଆ ବହି। ଖୁବ୍ ଶୀଘ୍ର ନୂଆ ଫିଲ୍ମ ଆସୁଛି। ଥାର୍ଡ଼ ହିରୋ ଆଉଟ୍ !!’
କାହା କଥା ଶୁଣିବାକୁ ଇଚ୍ଛା ନଥିଲା ପ୍ରୀତି ମହାନ୍ତିର। ସେ ସକାଳୁ ଆସି ଅନ୍ୟମାନଙ୍କଠାରୁ ଖବରଟା ଶୁଣିଲା ପରେ ଅଫ୍ସେଟ୍ ହୋଇଯାଇଛି। କାହିଁ ବରେଣ୍ୟ ତ ତାକୁ ଏମିତି କିଛି ଖବର ଦେଇନାହିଁ ? ଅନ୍ତତଃ ପକ୍ଷେ ଖବରଟି ତା ମୁହଁରୁ ସିଧାସଳଖ ଶୁଣିବାକୁ ସେ ଚାହୁଁଥିଲା। ତା’ପରେ ଓଡ଼ିଶାରେ ଏଠି କ’ଣ ନାହିଁ ଯେ ଦିଲ୍ଲୀ ଯିବାକୁ ପଡ଼ୁଛି ? ପ୍ରୀତି ମହାନ୍ତିର ମନ ପାପ ଛୁଉଁଛି। ହୋଟେଲ୍ରେ ତା ବାର୍ଥଡେ ପାର୍ଟିରେ ତ ସବୁ ଆଲୋଚନା ହେଲା। ତାହେଲେ କ'ଣ ସେଇଠି ବରେଣ୍ୟ ନିଷ୍ପତ୍ତି ନେଇଗଲା ସେ ଦୂରେଇ ଯିବ ପ୍ରୀତି ମହାନ୍ତିଠାରୁ ? ବରେଣ୍ୟ ଚାକିରି ଛାଡିବା କଥାଟା ଶୁଣିବା ପରଠାରୁ ତାକୁ ଆଦୌ ଭଲ ଲାଗୁନାହିଁ। ଆଜି ଠିକ୍ରେ ନିଉଜ୍ ପଢିବା ବି ତା ପକ୍ଷରେ ସମ୍ଭବ ହେଉନାହିଁ।
ପ୍ରକୃତରେ ସବୁ ଦୋଷ ସ୍ୱରୂପାର। ତୋ'ର କ’ଣ ଜରୁରୀ ଥିଲା ଏତେକଥା ଯୁକ୍ତିତର୍କ କରିବାର ? ବରେଣ୍ୟଟା ପାଗଳାଟାଏ। ଜିଦ୍ ଧରି ବସିଛି, ବୁଝାମୁଝା କରି ଦେଇଥିଲେ ଯାଇଥାନ୍ତା। ଏବେ ଦେଖ କ’ଣ ହେଲା ! କିନ୍ତୁ ପ୍ରକୃତ କଥାଟା କ’ଣ ପ୍ରୀତି ମହାନ୍ତି ଜାଣିପାରୁ ନଥିଲା। ସେ ଅପେକ୍ଷା କରି ରହିଛି ବରେଣ୍ୟକୁ।
- "ପ୍ରୀତି ମ୍ୟାଡାମ, ବରେଣ୍ୟ ଦିଲ୍ଲୀରେ ଚାକିରି ପାଇଯାଇଛି, ଆପଣଙ୍କୁ ଟ୍ରିଟ୍ ଦେଲାଣି ନା ନାହିଁ ?' ପ୍ରୀତିକୁ ଛଳେଇ ହୋଇ କମେଣ୍ଟ ମାରୁଥିଲା ଆଦିତି।
ପ୍ରୀତି ମହାନ୍ତି ମନେ ମନେ କହୁଥିଲା, ଏମାନଙ୍କୁ ଏବେ ନୂଆ କାହାଣୀ ମିଳିଗଲା। କିଛିଦିନ ଏବେ ତାକୁ ନେଇ ଚାଲିବ ଚର୍ଚ୍ଚା। "ବିଚରା ପ୍ରୀତି ଏବେ ଏକୁଟିଆ ହୋଇଗଲା... ତାକୁ ପୁଣିଗୋଟେ ସାହାରା ଖୋଜିବାକୁ ପଡ଼ିବ। ଅବଶ୍ୟ ତା ପାଇଁ ନୂଆ ହ୍ୟାଣ୍ଡସମ୍ ଜି.ଏମ୍. ଅଛନ୍ତି।'
ଏ ସବୁ କଥାକୁ ସହଜରେ ହଜମ କରିଦେଇ ପାରେ ପ୍ରୀତି। ଏସବୁକୁ ନେଇ ସେ ଅଭ୍ୟସ୍ତ। କିନ୍ତୁ ତା’ର ଚିନ୍ତା ବରେଣ୍ୟ ପାଇଁ। ହଠାତ୍ କାହିଁକି ସେ ଏମିତି ଗୋଟେ ନିଷ୍ପତ୍ତି ନେଲା ? କାଇଁ ସେଦିନ ତା ଜନ୍ମଦିନ ପାର୍ଟିରେ ତ କିଛି ସୂଚନା ଦେଇନଥିଲା ଏ ବିଷୟରେ !! ଏମିତି ଦେଖିଲେ ବରେଣ୍ୟ ସହ ତା’ର ସଂପର୍କ କ’ଣ ? ବରେଣ୍ୟ କ’ଣ ତାକୁ ପଚାରି ସବୁ ନିଷ୍ପତ୍ତି ନେବାକୁ ବାଧ୍ୟ ? ନା ତା’ର ସବୁ ହିସାବ ତା ପାଖରେ ରହିବା ବାଧ୍ୟତାମୂଳକ ?
ଏଇ ସମୟରେ ଅଫିସ ଆସିଷ୍ଟାଣ୍ଟ ସାହୁବାବୁ ଖବର ଦେଲା- ‘ମ୍ୟାଡମ ଆପଣଙ୍କୁ ଜି.ଏମ୍. ଡାକିଛନ୍ତି।
ପ୍ରୀତି ମହାନ୍ତି ଅନ୍ୟମନସ୍କତାରୁ ଫେରିଆସି ଆଉ ଅପେକ୍ଷା ନକରି ଚାଲିଲା ଉପର ତାଲାକୁ। ସେଠି ସତ୍ୟାନନ୍ଦବାବୁଙ୍କ ଚାମ୍ୱର। ବରେଣ୍ୟ ଅଛି କି ସେଠି ?
ହଁ, ବରେଣ୍ୟ ସେଇଠି ହିଁ ବସିଥିଲା। ହଜିଲା ବଳଦ ଖୋଜିଠେଇଁ !! ତା ନାଁରେ ଏତେ କଥା, ଦେଖିଲା ବେଳକୁ ସୁନାପିଲାଟି ପରି ସେ ଏଇଠି ଲୁଚିଛି !
- ‘େୱଲ୍କମ୍ ପ୍ରୀତି... ଏ ବ୍ୟାଡ଼୍ ନ୍ୟୁଜ୍ ଫର୍ ୟୁ... ଆଣ୍ଡ ଦି ସ୍ପୋନ୍ସରର୍ ଇଜ୍ ୟୋର୍ ବେଷ୍ଟଫ୍ରେଣ୍ଡ ବରେଣ୍ୟ... ହି ଇଜ୍ ଲିଭିଂ ଦି କମ୍ପାନୀ...’
ଜି.ଏମ୍.ଙ୍କ ରୁମ୍ରେ ପଶୁପଶୁ ସେ ଇଂରାଜୀରେ ଏତିକି କହିଲେ। ତାହେଲେ ବରେଣ୍ୟ ଦିଲ୍ଲୀ ଯିବା ଖବରଟା ମିଛ ନୁହେଁ। ବରେଣ୍ୟକୁ ଅନେଇ ପ୍ରୀତି ପଚାରିଲା- ‘ହଠାତ୍ ଏମିତି ଗୋଟେ ନିଷ୍ପତ୍ତି ? କାହାକୁ କିଛି ନକହି ଲୁଚିଲୁଚି ପଳେଇବ ବୋଲି ଭାବିଥିଲ ନା କ’ଣ ?’
ବରେଣ୍ୟ କାହାକୁ ସିଧାସଳଖ ଚାହିଁ ପାରୁନଥିଲା। ସେ କାହିଁକି ହଠାତ୍ ଦିଲ୍ଲୀ ପଳେଇବାକୁ ଚାହୁଁଛି ସେ ନିଜେ ବି ସେଥିନେଇ ସ୍ପଷ୍ଟ ନୁହେଁ। ପ୍ରକୃତରେ ସେ ବୋଧେ ଚାହୁଁଛି ଏକ ଚେଞ୍ଜ୍। ବେଳେବେଳେ ଗୋଟିଏ ଜାଗାରେ ସେଇସେଇ ପୁରୁଣା ଚରିତ୍ରଙ୍କ ସହ ଆଉଟୁ ପାଉଟୁ ହେବା ମଣିଷ ପାଇଁ କଷ୍ଟକର ହୋଇପଡେ଼। ସେ ଚାହେଁ ଗୋଟେ ପରିବର୍ତ୍ତନ। ବେଳେବେଳେ ବରେଣ୍ୟର ଇଚ୍ଛା ହୁଏ ଚାକିରି ବାକିରି ଛାଡ଼ି ଏମିତି ଏକ ସହରକୁ ପଳାନ୍ତା ଯୋଉଠି ତାକୁ କେହି ଚିହ୍ନି ନଥିବେ। ସେଠି ସେ ରିକ୍ସା ଚଲେଇ ପେଟ ପୋଷନ୍ତା, ଲେଖାପଢ଼ା କରନ୍ତା। ପାଦରେ ଚାଲି ଚାଲି ବୁଲନ୍ତା। କିନ୍ତୁ ସେମିତି ହୋଇପାରେନି। ସଂସାରର ମୋହମାୟାରୁ ବାହାରିବା ସତରେ ବଡ କଷ୍ଟକର।
- ‘ସେମିତି କିଛି ନାହିଁ... ମୋର ଗୋଟେ ପରିବର୍ତ୍ତନ ଦରକାର ଥିଲା। ବାସ୍ ! ଗୋଟେ ଭଲ ଅଫର୍ ଆସି ପହଞ୍ଚିଲା। ତେଣୁ ନିଷ୍ପତ୍ତି ନେଇଗଲି। ତା’ପରେ ରିଜିଓନାଲ ଚ୍ୟାନେଲରେ ଆଉ କେତେଦିନ କାମ କରିବା ? ଦିନେ ନା ଦିନେ ତ ଆଗକୁ ବଢ଼ିବାକୁ ହେବ।’
ସତ୍ୟାନନ୍ଦ ବାବୁ ପ୍ରୀତିକୁ ଅନେଇ କହିଲେ- ‘ଏବେ ତ ତମେ ଏକା ପଡ଼ିଗଲ ପ୍ରୀତି। ତମ ପ୍ରୋଗ୍ରାମ ପାଇଁ ବରେଣ୍ୟ ଥିଲା ଡାଇରେକ୍ଟର। କିନ୍ତୁ ସେ ତ ତମକୁ ଅଧାନଈରେ ଛାଡ଼ିଦେଇ ଯାଉଛି।’
- ‘କୌଣସି କାମ କାହାପାଇଁ ତ ଅଟକି ରହିବନି। ତା'ପରେ ଜାଗା ବଦଳେଇ ଦେଲେ କ’ଣ ସଂପର୍କ ବନ୍ଦ ହୋଇଯାଏ ? ଆଇ ୱିଲ୍ ବି ଇନ୍ ଟଚ୍ ୱିଥ୍ ଏଭ୍ରିବଡ଼ି।’... ବରେଣ୍ୟ ଚେଷ୍ଟା କରୁଥିଲା କଥା ଆଡ୍ଜଷ୍ଟ କରିବାକୁ।
ପ୍ରୀତି ଭାବିଲା, ବରେଣ୍ୟ କହୁଥିବା କଥା ମିଛ ନୁହେଁ। କାହାପାଇଁ କିଛି ଅଟକି ଯିବନି। କୌଣସି ନା କୌଣସି ବାଟରେ ସଂସାର ଆଗେଇ ଚାଲିବ। ଆଜି ସେ ଅଛି, କିଛିଦିନ ପରେ ହୁଏତ ତା ଜାଗାରେ ପୁଣି ଆଉକିଏ ଆସିପାରେ। ବରେଣ୍ୟ ପଳେଇଲେ ସେ ଜାଗା ନେବାକୁ ଆହୁରି ଅନେକ ପାଦ ଆଗେଇ ଆସିବ।
ଜି.ଏମ୍. ବରେଣ୍ୟକୁ ‘ବେଷ୍ଟ ଅଫ୍ ଲକ୍’ ଜଣାଇଲେ। ପ୍ରୀତି ମଧ୍ୟ ଜଣାଇଲା। ଦୁହେଁ ଜି.ଏମ୍.ଙ୍କ ଚାମ୍ୱର ଭିତରୁ ବାହାରି ଆସି ତଳ ମହଲାକୁ ଫେରିଲେ। ପାହାଚ ଓହ୍ଲେଇଲା ବେଳେ ଦୁଇଜଣ ଯାକ ଥିଲେ ଚୁପ୍। କେହି କାହାକୁ କିଛି କହିବାକୁ ଉଚିତ୍ ମଣୁନଥିଲେ। ଲାଗୁଥିଲା ଦୁହିଁଙ୍କ ପାଖରେ କଥା ସରିଯାଇଛି। କିମ୍ୱା କୁହାଯିବାକୁ ଥିବା କଥା ସବୁ ପୁରୁଣା ହୋଇଯାଇଛି। ସେ ସବୁ ସ୍ଥାନ କାଳ ପାତ୍ର ବିଶେଷରେ ଆଉ ଖାପିବ ନାହିଁ। ତେଣୁ ଦୁହେଁ ଚୁପ୍ ରହିବା ଶ୍ରେୟସ୍କର।
- "କ୍ୟାଣ୍ଟିନ୍ ଯାଇ ଟିକିଏ ଚା ପିଇବା ?' ବରେଣ୍ୟ ପ୍ରସ୍ତାବ ଦେଲା। "କମ୍ପାନୀ ଛାଡ଼ିବା ପାଇଁ ଅନେକ କାଗଜପତ୍ର କରିବାକୁ ପଡ଼ିବ। କାଲି ଖରାବେଳେ ଦିଲ୍ଲୀ ଫ୍ଲାଇଟ୍।'
- ‘ଏତେ ତରବର କାହିଁକି ହେଲ ? ଟିକିଏ ସମୟ ନେଇଥାନ୍ତ।’
- ‘ନା ଆଉ ସମୟ ନଥିଲା। କାଲି ହିଁ ଜଏନ୍ କରିବାକୁ ଲେଟର ଆସିଛି।’
- ‘କୋଉ ଚାନେଲ ?’
- ‘ନା, ଗୋଟେ ଏଜେନ୍ସୀ। ତମେ ଭାବୁଥିବ ଚ୍ୟାନେଲ ତୁଳନାରେ ଏଜେନ୍ସୀ ଆଦୌ ଭଲ ନୁହେଁ। କିନ୍ତୁ ରିଜିଓନାଲ ଚାନେଲରୁ ସିଧାସଳଖ କୌଣସି ନ୍ୟାସନାଲ୍ ଚ୍ୟାନେଲକୁ ଯିବା ସହଜ ନୁହେଁ। ଏ ପ୍ରକ୍ରିୟାରେ କାମ କରିବା କଷ୍ଟକର। ତେଣୁ ଭାବିଛି ଏଜେନ୍ସୀରେ କାମ କଲେ ମତେ ନ୍ୟାସନାଲ୍ ଏକ୍ସପୋଜର ସହଜରେ ମିଳିଯିବ।’
- ‘ଏ ସଂପର୍କରେ ମତେ ଟିକିଏ ଆଗରୁ ଜଣେଇ ପାରିଥାନ୍ତ। ନା ଉଚିତ୍ ମନେକଲ ନାହିଁ ? ପ୍ରାସେସ୍ ତ ଏବେକାର ହୋଇନଥିବ ?’
- ‘ଗତ ପନ୍ଦର ଦିନ ଧରି ଚେଷ୍ଟା ଚାଲିଥିଲା। ପ୍ରକୃତରେ ସେଠି ଜଏନ୍ କରିବାକୁ ମୋର ଆଗ୍ରହ ନଥିଲା। ଖାଲି ଗୋଟେ ଏମିତି ଆପ୍ଲାଏ କରି ଦେଇଥିଲି ଏମିତି। କିନ୍ତୁ ହଠାତ୍ ଗୋଟେ ଷ୍ଟେଟ୍ ଅଫ୍ ମାଇଣ୍ଡରେ ମତେ ଲାଗିଲା, ମୋର ଗୋଟେ ପରିବର୍ତ୍ତନ ଦରକାର। ଏଠି ମୋ ପରିବେଶ ଓ ଚାରିପାଖର ଚରିତ୍ରମାନେ ଆଉ ଇଣ୍ଟରେଷ୍ଟିଂ ଲାଗୁନାହାନ୍ତି। ତମେ ଜାଣ ମୋ ଜୀବନରେ ମୁଁ ନେଇଥିବା ଅଧିକାଂଶ ନିଷ୍ପତ୍ତି ଏହିପରି। ଆଉ, କୋଉଠି ହେଲେ ମୁଁ ହାରିନାହିଁ। କେବଳ ତମ ପାଖରେ ହିଁ ହାରିଯାଇଛି। କେବଳ ତମ ପାଖରେ।’
ଶେଷ ଆଡକୁ ବରେଣ୍ୟର କଣ୍ଠ ରୁଦ୍ଧ ହୋଇଆସୁଥିବା ପରି ଲାଗୁଥିଲା। ପ୍ରୀତି ବି ଭାବପ୍ରବଣ ହୋଇଆସୁଥିଲା। ତା’ହେଲେ କଥାଟା ଜୋର୍ରେ ବାଧିଛି ବରେଣ୍ୟକୁ। ପ୍ରୀତି ମହାନ୍ତି ନିଜକୁ ଦୋଷୀ ଦୋଷୀ ମନେ କରୁଥିଲା। କୋଉ ଗୋଟେ ନିରୋଳା ସ୍ଥାନ ହୋଇଥିଲେ, ବରେଣ୍ୟର ମୁଣ୍ଡକୁ ତା କୋଳ ଉପରେ ରଖି ସେ ପ୍ରବୋଧନା ଦେଇଥାନ୍ତା ଅବାଧ୍ୟ ନହେବାକୁ। କିନ୍ତୁ କ୍ୟାଣ୍ଟିନ୍ ଭିତରେ କେବଳ ଚୁପ୍ ହୋଇ ବସି ରହିବା ଛଡ଼ା ତା ପାଖରେ ଆଉ କିଛି ଉପାୟ ନଥିଲା। ବାହାର ଝର୍କା ଦେଇ ପ୍ରତୀ ମହାନ୍ତି ନୀଳ ଆକାଶକୁ ଉପଭୋଗ କରୁଥିଲା।
ଅନ୍ୟମନସ୍କତାରେ ସେ କହିଲା- "ପ୍ରକୃତରେ ତମେ ହାରିଯାଇନ ବରେଣ୍ୟ। ହାରିଯାଇଛି ମୁଁ। ହାରିଯାଇଛି ଏ ସମାଜ। ଦୋଷୀ ତମେ ନୁହେଁ, ମୁଁ।’
ରୁମାଲରେ ଲୁଚେଇ ଲୁଚେଇ ଲୁହ ପୋଛୁଥିଲା ପ୍ରୀତି ମହାନ୍ତି।
ଚୁପ୍ ହୋଇ ବସି ରହିଥିଲା ବରେଣ୍ୟ। ତା ସାରା ମୁହଁ ଥମ୍ ଥମ୍।
(ସମାପ୍ତ)