ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"- ୨

ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"- ୨

ଭାଗ-୨

ମୋବାଇଲ‌ ବାଜିଲା।

ବରେଣ୍ୟ ବୋଧେ ! ହଁ, ସେ ହିଁ ହୋଇଥିବ। ଦିନସାରା ଧାଁ ଦଉଡ଼ କରି, ଅଠର ଲୋକକୁ ଭେଟି, ରିପୋର୍ଟଟିଏ ତିଆରି କରି ତାକୁ ବୁଲେଟିନରେ ଏୟାର କରିବାକୁ ଦେବାପରେ, ସେ ପ୍ରୀତି ମହାନ୍ତିକୁ ହିଁ ଖୋଜେ। କାହିଁକି? ସେ କିଏ ତା'ର? ଆଶ୍ଚର୍ଯ୍ୟ, ପ୍ରୀତି ମହାନ୍ତି ବି ତାକୁ ବେଶ୍ ରେସପଣ୍ଡ କରେ। ବାଃ ରେ ସଂପର୍କ ! କିଛି ଲେଖା ନାହିଁ ଯୋଖା ନାହିଁ, କେମିତି ବୁଢ଼ିଆଣୀ ସୂତା ପରି ଛନ୍ଦି ହୋଇଯାଏ ଏ ଜିନିଷଟା ! ଆଉ ସେ ବିଷୟରେ ସଚେତନ ହେଲା ବେଳକୁ ଜାଲଟା ଜମାଟ ବାନ୍ଧି ସାରିଥାଏ। ସେମିତି ଜାଲରେ ପଡ଼ିଯାଇଛନ୍ତି ବରେଣ୍ୟ ଓ ପ୍ରୀତି ମହାନ୍ତି।

ପ୍ରୀତି ମହାନ୍ତି ଯେତେବେଳେ ନୂଆ ନୂଆ ଏ ଚ୍ୟାନେଲକୁ ଆସିଲା, ସେତେବେଳେ ଏଇ ବରେଣ୍ୟ ଦାସ ହିଁ ତାକୁ ବେଶ୍ ସାହାଯ୍ୟ କରିଥିଲା ସବୁ କ୍ଷେତ୍ରରେ। ସଂସାର ଆରମ୍ଭରୁ ଏପରି ଏକ ଭୀଷଣ ଦୁର୍ଘଟଣା ପରେ ପ୍ରୀତିକୁ ଲାଗିଥିଲା, ସେ ଯେମିତି ଆଉ ସହଜରେ ଛିଡ଼ାହେବା ଅସମ୍ଭବ। ସେ ଯେମିତି ପାଲଟି ଯାଇଛି ବ୍ୟାଟେରୀ ବିହୀନ ଏକ ଅର୍ଖନୂଆ ରେଡ଼ିଓ। ଯାହା ହୁଏତ ଆଉ କେବେ ବାଜିପାରିବ ନାହିଁ। ତାଆରି ଭିତରେ ସେ କେତେବେଳେ ଖାଏ, କେତେବେଳେ ଶୁଏ, କେତେବେଳେ ହସେ ଆଉ କେତେବେଳେ କାନ୍ଦେ ସେ ନିଜେ ମଧ୍ୟ ମନେରଖେ ନାହିଁ। ଏ ଘଟଣା ତା ପାଇଁ ଯେତିକି ମର୍ମନ୍ତୁଦ ଥିଲା, ସମ ପରିମାଣରେ ଥିଲା ଶାଶୂ ଶ୍ୱଶୁରଙ୍କ ପାଇଁ। ନିଜ ଆଖି ଆଗରେ କିଏ ବା ଦେଖି ପାରିବ ନିଜ ସଂସାରୀ ପୁଅର ହୁତହୁତ‌ ଜଳୁଥିବା ଜୁଇ? କିନ୍ତୁ ଏଇଆ ଥିଲା ଦୁଇଯୋଡ଼ା ବୟସ୍କ ଆଖିଙ୍କ ଭାଗ୍ୟରେ। ବେଳେବେଳେ ପ୍ରୀତି ମହାନ୍ତି ନିଜକୁ ବୁଝାଏ, ଯଦି ପରିଣତ ବୟସରେ ଶାଶୁ ଶ୍ୱଶୁରଙ୍କ ପାଇଁ ଏ ଦାରୁଣ ଦୁଃଖ ଆସିପାରିଲା, ତେବେ ସେ ଏତେ ବିବ୍ରତ ହେବ କାହିଁକି? ସେ ଏକା ଠିଆ ହେବ ସଳଖ ହୋଇ। ଏଇ ଜ୍ୱଳନ ଓ ଶାନ୍ତ୍ୱନା ଭିତରେ ପ୍ରୀତି ମହାନ୍ତିର ପେଟ ଭିତରେ ଧୀରେ ଧୀରେ ଜମାଟ ବାନ୍ଧୁଥିଲା ପ୍ରତ୍ୟୁଷ। ଧୀରେ ଧୀରେ ମାଂସ ପେଣ୍ଡୁଳାରେ କଅଁଳୁଥିଲା ହାତ, ଗୋଡ଼, କାନ, ପାଟି ଓ ...

ସଂସାରକୁ ପ୍ରତ୍ୟୁଷ ଆସିବା ପରେ ଯେମିତି ସତେଜ ମଣିଷଟିଏ ପରି ଖାଡା ହୋଇଯାଇଥିଲା ପ୍ରୀତି ମହାନ୍ତି। ସେ ଚେଷ୍ଟା କରୁଥିଲା ତା'ରି ଭିତରେ ଦେଖିବାକୁ ପରେଶଙ୍କୁ। କିନ୍ତୁ ସେ କେବେବି ମିଶେଇ ପାରେନି ଏ ବାପ ପୁଅଙ୍କୁ। କେମିତି ଲୋକେ କହି ପକାନ୍ତି, ମାଆଟିଏ ପୁଅ ଭିତରେ ଦେଖିଥାଏ ତା ସ୍ୱାମୀର ରୂପ! ସେ ତାଆରି ଭିତରେ ବାପର ଗୁଣ ଖୋଜି ପାଇଲେ ବେଶ୍ ଆତ୍ମତୃପ୍ତି ଲାଭକରେ। କିନ୍ତୁ ପ୍ରୀତି ମହାନ୍ତି ସେମିତି ନୁହେଁ। ପ୍ରତ୍ୟୁଷ ଆସିବା ପରେ ତା'ର ସମସ୍ତ ଦାୟିତ୍ୱ ନେଇଥିଲେ ଶାଶୁ ଶ୍ୱଶୁର। ସେମାନେ ମଧ୍ୟ ବେଶ୍ ଭଲ ପାଉଥିଲେ ପ୍ରୀତି ମହାନ୍ତିକୁ, ନିଜ ଝିଅ ପରି। ଚାହୁଁଥିଲେ ଝିଅଟି ବୋହୂ ପରି ନୁହେଁ, ଝିଅ ପରି ରହିଲେ କାଳେ ଭୁଲିଯିବ ସେ ଭୟଙ୍କର ଦୁର୍ଘଟଣାକୁ... କାରଣ ବାକି ବାଟ ତ ଏକୁଟିଆ ହିଁ ଚାଲିବାକୁ ପଡିବ ପ୍ରୀତି ମହାନ୍ତିକୁ।

ପୁଣି ବରେଣ୍ୟର ଫୋନ‌।

ସେ ଏଇମିତି। ପ୍ରଥମେ ମିସ୍ କଲ୍ ଦେବ। ଯଦି ପ୍ରୀତି ଫ୍ରି ଅଛି ତେବେ ତା'ର ଉତ୍ତର ମିସ୍ କଲ୍‌ରେ ହିଁ ଫେରେଇବ। ଆଉ ଯଦି ବ୍ୟସ୍ତ ଅଛି ତେବେ ସେ ଆଉ ରେସ୍‌ପଣ୍ଡ ହିଁ କରେନା। ଆଉ ଏଇ ରେସପଣ୍ଡ ନ କରିବାଟାକୁ ହିଁ ବରେଣ୍ୟ ବିରକ୍ତ ହୁଏ। ସେ ତ ନିଜେ ବିରକ୍ତ ହୁଏ, ପ୍ରୀତି ମହାନ୍ତିକୁ ବି ଶାନ୍ତିରେ ରଖେଇ ଦିଏନାହିଁ। କିଏ କୋଉ ଷ୍ଟେଟ୍ ଅଫ୍ ମାଇଣ୍ଡରେ ଅଛି ସେ କଥା କେତେବେଳେ ଏ ପୁରୁଷମାନେ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ। ଅଗତ୍ୟା ପ୍ରୀତି ମହାନ୍ତି ମିସ୍ କଲ୍‌ ବଦଳରେ କଲ୍ କଲା। ସେ କହିବାକୁ ଚାହିଁଲା, ଆଜି ଆଉ ବରେଣ୍ୟ ସାଙ୍ଗରେ କୁଆଡେ ଯିବାକୁ ତା'ର ଆଗ୍ରହ ନାହିଁ। ସେ ଭୀଷଣ ମାନସିକ ବ୍ୟସ୍ତତାରେ ଅଛି। କାହିଁକି କେଜାଣି ଆଜି ବାରମ୍ୱାର ପରେଶଙ୍କ କଥା ମନେପଡୁଛି। ସେ ବେଶ୍ ଭୁଲିଯାଇ ପାରେ ସବୁକଥା। ଏକଦମ୍ ଭୁଲିଯାଏ।

ଆରପଟୁ ବରେଣ୍ୟର ରୋମାଣ୍ଟିକ୍ ସ୍ୱର- ‘ଡାର୍ଲିଂ କୋଉଠି? ତଳକୁ ଆସ କଫି ଟିକେ ପିଇବା।’

କଥା କହିଲା ବେଳେ ବରେଣ୍ୟର ଥାନ ଜ୍ଞାନ ନଥାଏ । କେତେବେଳେ କ'ଣ କହିବାକୁ ହୁଏ ତାହା ବରେଣ୍ୟକୁ ବେଶ୍ ଜଣା। କିନ୍ତୁ ବେଳେବେଳେ ତା ଭିତରେ ସରାଉଣ୍ଡିଂ ସେନ୍ସର ଅଭାବ ପଡିଯାଏ। ଆଖପାଖ ନଦେଖି ହଠାତ୍ ଗୋଟେ ଆପତ୍ତିଜନକ ମନ୍ତବ୍ୟ ଦେଇଦେବ। ଆଉ ପରେ ପସ୍ତେଇବ। କାରଣ ଏ ଅଫିସରେ ପିମ୍ପୁଡିକୁ ହାତୀ କରି ଦେଖିବା ଓ ଦେଖେଇବା ଲୋକଙ୍କ ଅଭାବ ନାହିଁ। ଲାଗେ ଯେମିତି ଦୁନିଆଁ ଯାକର ଖବର ରଖି ମଧ୍ୟ ସେମାନଙ୍କର ଆନନ୍ଦ ନଥାଏ। କିନ୍ତୁ ଏଇ ଅଫିସ ଭିତରର କୁତୁରୁପିଆ ଘଟଣା ଟିକିଏ ହେଲେ ବି ଭାତ ହଜମ। ଏଥିପାଇଁ ପ୍ରୀତି ମହାନ୍ତି ବରେଣ୍ୟକୁ କେତେଥର ମନା କରିଛି ‘ଡାର୍ଲିଂ ନ କହିବାକୁ... ଅନ୍ତତଃପକ୍ଷେ ପବ୍ଲିକ୍‌ରେ। କିନ୍ତୁ ...

ପ୍ରୀତି ମହାନ୍ତିକୁ ବି ଲାଗୁଥିଲା, ସେ ଟିକେ ରିଲାକ୍ସ ହେବା ଦରକାର। କାହା ସହିତ କଥା ନ କହିଲେବି ଚୁପଚାପ୍ କଫି ପିଆଯାଇ ପାରେ। ଅତଏବ ସେ ବରେଣ୍ୟର ପ୍ରସ୍ତାବକୁ ଏଡେଇବାକୁ ଚାହିଁଲା ନାହିଁ।

ପାଞ୍ଚତାଲାରୁ ଗୋଟିଏ ପରେ ଗୋଟିଏ ପାହାଚ ଓହ୍ଲେଇ ତଳେ ପହଞ୍ଚିଲା ପରେ ବରେଣ୍ୟ କହିଲା- "ଏଠି କୋଉଠି କଫି ପିଇବା ନାହିଁ, ଯିବା ଜାଭିୟର ପାଖ କଫି ହାଉସକୁ। ସେଠି କୋଲ୍ଡ କଫି ଟିକେ ପିଇବା।'

ପ୍ରୀତି ମହାନ୍ତି ଯୁକ୍ତି କରିବାକୁ ଚାହୁଁନଥିଲା। ବୁଲେଟିନ୍ ତ ସରିଯାଇଛି। କିଛି ଅପଡେଟ୍ ଆସିଲେ ଫୋନ୍ କରିବାକୁ ସେ ଡେସ୍କରେ କହି ଆସିଛି।

ବରେଣ୍ୟ ଗାଡି ଷ୍ଟାର୍ଟ କଲା। ପ୍ରଥମେ ପ୍ରଥମେ ବରେଣ୍ୟ ଗାଡିରେ ବସି ବାହାରକୁ ଯିବାଟା ପ୍ରୀତି ମହାନ୍ତିକୁ ବେଶ୍ ଅଡୁଆ ଲାଗୁଥିଲା। ସେ ବାଇକ୍‌ରେ ଖୁବ୍ କମ୍ ବସିଛି। ପରେଶଙ୍କର ଥିଲା ହଳଦିଆ ରଙ୍ଗର କାର୍‌ଟିଏ। ତାଙ୍କ ପରେ ଦିଅର ସେଇଟାକୁ ଚଲାଉଛନ୍ତି। ବେଳେବେଳେ ସେଇଥିରେ ସେ ଅଫିସ‌ ଆସେ। କିନ୍ତୁ ସେ ନିଜେ ଡ୍ରାଇଭିଂ କରେନା, କିମ୍ୱା ଡ୍ରାଇଭର ବି ରଖିବାକୁ ଚାହେଁନା। ଅଗତ୍ୟା ସେ କାର୍ ଚଢା ଛାଡିଦେଲା। ଅଧିକାଂଶ ବେଳେ ଶ୍ୱଶୁର ହିଁ ତାଙ୍କୁ ଅଫିସ ଛାଡିବାକୁ ଆସନ୍ତି। ଦିଅରଙ୍କର ନାନା ଆପଏଣ୍ଟମେଣ୍ଟ। ଅଫିସିଆଲ ନୁହେଁ, ସବୁ ଝିଅମାନଙ୍କ ସହ। କିନ୍ତୁ ଘରେ କହୁଥିବେ ଜମିବାଡି ବିକାକିଣା ବଢିଯାଇଛି। ପାର୍ଟିକୁ ହୋଟେଲ‌ ଡାକିଛି। ଏ ସବୁ ପ୍ରୀତି ମହାନ୍ତି କିନ୍ତୁ ବୁଝିପାରେ। କିନ୍ତୁ ସେ କାହିଁକି ଏଥିରେ ବାଧା ଦେବ? ଏମିତି ଦେଖିଲେ, ‘ଦେବ’ଖରାପ ପିଲା ନୁହେଁ। ଏଇ ବୟସରେ ଜଣେ ପଢୁଆ ପଇସା ପତ୍ର ଥିବା ପିଲା ଏଞ୍ଜୟ କରିବ ନାହିଁ ତ ଆଉ କରିବ କ’ଣ?

ଗାଡି ଚଲେଇଲା ବେଳେ ବରେଣ୍ୟ ଗୁଣୁ ଗୁଣୁ ହୋଇ ଗୀତ ଗାଏ । ଏ ଗୋଟେ ବଡ ଅଦ୍ଭୁତ ଚରିତ୍ରର ପିଲା। ନାନା ଟେନସନ ଭିତରେ ବି ସେ କେବେ ଉତ୍ତେଜିତ ହେବାର ପ୍ରୀତି ଦେଖିନାହିଁ। ସବୁ ଘଟଣା, ଦୁର୍ଘଟଣା ଓ ପରିବେଶକୁ ସେ ସାଧାରଣ ଭାବେ ଗ୍ରହଣ କରିବା ପରି ଲାଗୁଥିବ। ନିର୍ବିକାର। କିନ୍ତୁ ଭିତରେ ସବୁକିଛି ସେ ଲେଖି ଚାଲିଥିବ ମନର ନୋଟ୍ ଖାତାରେ। ପଢୁଥିବ ପୃଷ୍ଠା ପୃଷ୍ଠା। ଏଇ ଗୁଣଟିରେ ହିଁ ପ୍ରୀତି ମହାନ୍ତି ପାଗଳ ହୋଇଯାଏ। ଆଃ ! କେମିତି ଏତେ ଲୋକଙ୍କୁ ଧରି ରଖିପାରେ ବରେଣ୍ୟ !

କଫି ହାଉସ‌ ଆଗରେ ଗାଡି ଅଟକିଲା ବେଳକୁ ସେଠି ମ୍ୟାନେଜମେଣ୍ଟ କଲେଜ ଟୋକାଟୋକିଙ୍କ ଭିଡ। ଏଇ ସମୟରେ ଏ ପିଲାମାନେ ବେଶ୍ ଜମେଇକି ଏଞ୍ଜୟ କରନ୍ତି। ବେଳେବେଳେ ଏମାନଙ୍କୁ ଦେଖିଲେ ପ୍ରୀତି କିଛି ବୁଝିପାରେନି। ପ୍ରକୃତରେ ଝିଅଟିଏ ପୁଅଠାରୁ ଓ ପୁଅଟିଏ ଝିଅଠାରୁ କ'ଣ ପାଇବାକୁ, ନେବାକୁ ଚାହୁଁଛି! ପ୍ରୀତି ସେମାନଙ୍କ କଥାକୁ କାନେଇକି ଶୁଣେ। କିନ୍ତୁ ସେ ସବୁ କଥାରୁ କାଣିଚାଏ ବି ସେ ବୁଝିପାରେନି। ଅଧା ଓଡିଆ, ହିନ୍ଦି ଆଉ ଚେନାଏ ଇଂଲିଶ। ସେଥିରେ ପୁଣି କଥାରେ କିଛି ଧାଡିନଡି ନଥିବ। କୋଉ ଫିଲ୍ମରେ କିଏ କେମିତି ଆଚରଣ କଲା, କିଏ ହେବ ଏଥରର ଇଣ୍ଡିଆନ‌ ଆଇଡଲ‌, କାହାର ପର‌ଫରମାନ୍ସ ଭଲ ଅଛି, କୋଉ ମଲ୍‌କୁ ଏଥର ଭଲ ବ୍ରାଣ୍ଡର ଡ୍ରେସ‌ ମ୍ୟାଟେରିଆଲ୍ ଆସିଛି, ଆଉ କ୍ଲାସ୍‌ରେ କେଉଁ ପ୍ରଫେସର୍ କୋଉ ଝିଅକୁ ଆଖି ମାରିଲା... ଏଇ ହେଇଛି ଏ ପିଲା ମାନଙ୍କର ମୁଖ୍ୟ ଆଲୋଚନାର ବିଷୟବସ୍ତୁ।

ବରେଣ୍ୟକୁ ପାଇବାକୁ ପ୍ରୀତି ମହାନ୍ତିର ମନ ବେଳେବେଳେ ଉଚ୍ଚାଟ ହୁଏ । ତା ସାନିଧ୍ୟ ପାଇବାକୁ ଉଦ‌୍‍ବେଳନ ଆରମ୍ଭ ହୁଏ। ବରେଣ୍ୟ ମଧ୍ୟ ପ୍ରୀତି ମହାନ୍ତିକୁ କେମିତି ଗୋଟେ ସରଳ ଭାବେ ଗ୍ରହଣ କରି ନେଇଛି। ବେଳେବେଳେ ସେ କହେ- "ପ୍ରେମର ସଂଜ୍ଞା କିଛି ନଥାଏ ଡାର୍ଲିଂ। ମନ ଓ ପ୍ରେମ ଭିତରେ ଗୋଟେ ମୁହୂର୍ତ୍ତରେ ହଠାତ୍ ସନ୍ଧି ହୋଇଯାଏ। ମନ କହେ- ମୁଁ ଅମୁକକୁ ଭଲ ପାଇବାକୁ ଚାହୁଁଛି... ଆଉ ଅମୁକ ସହ ସେକ୍ସ କରିବାକୁ ଚାହୁଁଛି... ରାଜି ତ? ପ୍ରେମ କେବଳ ଏତିକି କହେ, ବାସ୍‌ ଠିକ୍‌ ଅଛି... ଲଗେ ରହୋ ଇଣ୍ଡିଆ...'

ଏତକ କହି ବରେଣ୍ୟ ଠୋ ଠୋ ହୋଇ ବେହିଆଙ୍କ ପରି ହସେ । ସେତେବେଳେ ପ୍ରୀତି ମହାନ୍ତିକୁ ବରେଣ୍ୟ ଦିଶେ, ଗୋଟେ ବେହିଆ କରଦ ରାଜାର, ପ୍ରେମ ନିବେଦନ ପରର ଲଜ୍ଜାହୀନ ମୁଁହ ପରି। ପ୍ରୀତି ମହାନ୍ତି ଏଥିରେ ବେଶ୍ ଉତ୍ତେଜିତ ହୁଏ, ତଥାପି କେମିତି ସେ ଭାବେ, ଏସବୁ କଥା ଯେମିତି ବାହାରେ କୁହାଯିବା କଥା ନୁହେଁ। ଦୁନିଆରେ ଏମିତି କିଛି କଥା ଅଛି, ଯାହା କେବଳ ଅନୁଭବ କରାଯିବାର କଥା। ତାକୁ ବାହାରେ ପ୍ରକାଶ କରିଦେଲେ କଥା ସରିଲା।

ପ୍ରୀତି ମହାନ୍ତି କହେ- "ସବୁ ମଣିଷର ସେ ଗୋଟେ ଗୋଟେ ପୋଟ୍ରେଟ୍ ତିଆରି କରି ତା ମନର କାନ୍ଥରେ ଝୁଲେଇଛି। ସେଥିରୁ ଯଦି କିଏ ଟିକିଏ ହଟିଯାଏ, ତାକୁ ସେ ସହଜରେ ଗ୍ରହଣ କରିପାରେ ନାହିଁ। ବରେଣ୍ୟକୁ ସେ ଧରି ନେଇଛି  ଗୋଟେ ଖୁବ୍ ଧୀର ସ୍ଥିର ଇଣ୍ଟେଲିଜେଣ୍ଟ ପିଲା। ତା ସହ ସବୁ ସେୟାର କରିଛି... ଗପିଛି... ଖାଇଛି... ତାକୁ ପାଇବାକୁ ଚେଷ୍ଟା କରିଛି...

କଫି ପିଇବା ଭିତରେ ବରେଣ୍ୟ ଗୋଟେ କେମିତି ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଚାହୁଁଛି ପ୍ରୀତି ମହାନ୍ତିକୁ। ସେ କ’ଣ କହିବାକୁ ଚାହୁଁଛି? ବରେଣ୍ୟ ଯାହା କହେ ଖୁବ୍ ସିଧା କହିଦିଏ । ତ ହଠାତ‌ ସେ କହି ବସିଲା- ମୁଁ ତୁମକୁ କେମିତି ଲାଗୁଛ ପ୍ରୀତି?

- ମାନେ?

ପ୍ରୀତି ମହାନ୍ତି ଆଶ୍ଚର୍ଯ୍ୟ ହୋଇଗଲା। ଏହା କ'ଣ ଗୋଟେ ପ୍ରଶ୍ନ? ଏତେଦିନ ପରସ୍ପର ସହ ମିଶିଲା ପରେ ଏ ପ୍ରଶ୍ନରୁ କ'ଣ ପୁଣି ଆରମ୍ଭ କରିହୁଏ କଥା?

- ମାନେ ଅତି ସିମ୍ପଲ... ମୁଁ ତୁମକୁ କେମିତି ଲାଗେ?

ବରେଣ୍ୟ ପୁଣି ସେଇ ପ୍ରଶ୍ନ ରିପିଟ୍ କଲା।

- ଖରାପ ଲାଗ ବୋଲି ତ କେବେ କହିନାହିଁ...

ପ୍ରୀତି ମହାନ୍ତି ମୁହଁ ସ୍ଥିର କରି ବରେଣ୍ୟ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରୁଥିଲା। ସେମାନେ ଦୁଇଜଣଙ୍କ ଭିତରେ ଏବେ ଆଉ ଏ ପ୍ରଶ୍ନ ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ବରେଣ୍ୟ ତାକୁ ଗୁରୁତ୍ୱପୂର୍ଣ୍ଣ ଢଙ୍ଗରେ ଉପସ୍ଥାପନ କରୁଛି। ଫଳରେ ପ୍ରୀତି ସିରିୟସ‌ ହେବାକୁ ବାଧ୍ୟ ହେଉଛି।

- କିନ୍ତୁ ଭଲ ବୋଲି ତ କେବେ କହିନାହଁ... ବରେଣ୍ୟ ତା ବୁଦ୍ଧି ଖଟେଇଲା।

ପ୍ରୀତି ଜାଣେ ସେ କଥାରେ ବରେଣ୍ୟକୁ ପାରିବ ନାହିଁ। ତଥାପି ସେ ଚେଷ୍ଟା କରୁଥିଲା ଧୀରେ ଧୀରେ ହ୍ୟୁମରସ୍ ହେବାକୁ। ସତରେ ବରେଣ୍ୟ ଏ ପ୍ରଶ୍ନଟି ପଚାରି ଦେଇ ପରିବେଶଟାକୁ ବେଶ୍ ରୋମାଣ୍ଟିକ୍ କରିଦେଲା।

- ଭଲ ମଣିଷକୁ ଭଲ ବୋଲି ବୁଲି ବୁଲି କହିବା କ'ଣ ନିହାତି ଜରୁରୀ? ତା ପରେ ତମେ ଭଲ କି ମନ୍ଦ, ସେ ସାର୍ଟିଫିକେଟ୍ କ'ଣ ମୁଁ ଦେଇଦେଲେ ସବୁ ଠିକ୍ ହୋଇଯିବ?

- ଏବେ ଯଦି ମୁଁ କହେ, ମୋର କେବଳ ତମ ସାର୍ଟିଫିକେଟ ହିଁ ଆବଶ୍ୟକ...

ଅଡୁଆରେ ପଡ଼ିଗଲା ପ୍ରୀତି ମହାନ୍ତି।

- ମୁଁ ତ କହିଛି, ମୁଁ ସବୁ ମଣିଷକୁ ଗୋଟିଏ ଦୃଷ୍ଟିକୋଣରୁ ଦେଖିଛି ଏବଂ ଗୋଟେ ଲେଖାଁ ଛବି ତିଆରି କରିଛି ମୋ ମନରେ... ତେବେ ବେଶ୍ ଭଲ ସ୍ଥାନରେ ମନୋରମ ଛବିଟିଏ ହୋଇପାରିଛ ତମେ...

- ମୁଁ କିନ୍ତୁ ଇତିମଧ୍ୟରେ ତମକୁ ଭଲ ପାଇ ବସିଛି...

ଆରେଃ ! ଇଏ କ'ଣ କହୁଛି ବରେଣ୍ୟ ! କଥାଟି ଶୁଣିଲା ପରେ ପ୍ରଥମେ ପ୍ରୀତି ମହାନ୍ତିର ଛାତିଟା ଧଡ଼ କଲା। ସେ ମୁହଁ ବୁଲେଇ ଦେଖିନେଲା, କଫି ହାଉସ୍‌ରେ ତାକୁ ଆଉ କିଏ ଅନେଇଲା କି ? ଯାହା ହେଉ ପାଖାପାଖି କେହି ଓଡ଼ିଆ ବୁଝୁଥିବା ପିଲା ନଥିଲେ। ସମସ୍ତେ ମଜ୍ଜି ରହିଥିଲେ ତାଙ୍କ ନିଜ ଦୁନିଆରେ।

ଅନେକ ଦିନ ପରେ ତାକୁ କିଏ ଜଣେ ପ୍ରେମ ନିବେଦନ କଲା। ପ୍ରତି ଝିଅ ତା’ର କୌଣସି ନା କୌଣସି ବୟସରେ କାହାର ନା କାହାର ପ୍ରେମ ନିବେଦନର ସମ୍ମୁଖୀନ ହୋଇଥାଏ। ବିଶେଷ କରି ଝିଅଙ୍କ ଜୀବନରେ ଏସବୁ ନିଶ୍ଚିତ ଘଟେ। କିନ୍ତୁ ତିଆରି ସରିଥିବା ଗୋଟେ ତିନି ମହଲା କୋଠାକୁ ପୁଣି ଥରେ ଡିଜାଇନ‌୍‍ କରିବା ପରି କଥାଟେ କହୁଛି ବରେଣ୍ୟ। ହେଉ ପଛେ ସେ ଘରଟି ପୁରୁଣା, ତିଆରି ତ ସରିଛି ନା !! ତାକୁ ନେଇ ପୁଣିଥରେ ନୂଆ ସ୍ୱପ୍ନ ଦେଖିବା ଅସଙ୍ଗତ। ପ୍ରୀତି ମହାନ୍ତିକୁ ଏମିତି ହିଁ ଅନୁଭବ ହେଉଛି।

ସେଥିପାଇଁ ବରେଣ୍ୟ କଥାର କିଛି ଜବାବ ଦେବା ଆଗରୁ କଥାଟାକୁ ସେ ହାଲୁକାରେ ଗ୍ରହଣ କରିନେଇଛି ବୋଲି ବେଶ୍ ଆବଭାବ କଲା। କିନ୍ତୁ ବରେଣ୍ୟର ସେଇ ଗୋଟିଏ ପ୍ରଶ୍ନ- ତମେ ଯଦି ପ୍ରସ୍ତୁତ ଆଇ ୱାଣ୍ଟ ଟୁ ଲିଭ୍ ୱିଥ୍ ୟୁ...

ପ୍ରୀତି ମହାନ୍ତିର ମନ ପୁଣି ଧଡକି ଗଲା। ଆରେଃ ! ଏ ପିଲାଟା ପାଟିରେ କ'ଣ ବାଡବତା ନାହିଁ? କଫି ଶେଷ ହାଇ ଆସିଲାଣି । ପ୍ରାୟ ଦୁଇଢ଼ୋକ କଫି ପିଇବା ପରେ ପରେ ଏଇ କଥା ଆରମ୍ଭ ହୋଇଥିଲା। ତେଣୁ ବାକି କଫି ଯାକ ପ୍ରାୟ  ଅନ୍ୟମନସ୍କତା ଭିତରେ ବୁଡ଼ିରହି ପିଇଥିଲା ପ୍ରୀତି ମହାନ୍ତି। ବରେଣ୍ୟ ବୁଝେଇବାରେ ଲାଗିଥିଲା, ସେ ତଥାକଥିତ ସମାଜ ବ୍ୟବସ୍ଥାରେ ଏତେଟା ପ୍ରଭାବିତ ନୁହେଁ। କିଛି କାମ ସେ ସମସ୍ତଙ୍କଠାରୁ ସ୍ୱତନ୍ତ୍ର ଭାବେ କରିବାକୁ ଚାହୁଁଛି। ସେ ଚାହୁଁଛି ପ୍ରୀତି ମହାନ୍ତି ସହ ଏକ ନୂଆ ଜୀବନ।

ପ୍ରୀତି ଗୋଟେ ନୂଆ ଚିନ୍ତାରେ ପଡ଼ିଗଲା। ଧୀରେ ଧୀରେ ଗୋଟେ ଅନ୍ୟମନସ୍କତା ତାକୁ ଢାଙ୍କି ପକାଉଥିଲା। ସେ ଚାହୁଁଥିଲା, ବରେଣ୍ୟ ଅନ୍ତତଃପକ୍ଷେ ଏ ସଂପର୍କରେ ତାକୁ ଆଉ କିଛି ନକହୁ। ସେ ଜାଣିଛି ଏ ସଂପର୍କରେ ଯୁକ୍ତି ଆରମ୍ଭ ହେଲେ ନିସ୍ତାର ନାହିଁ। ବରେଣ୍ୟ ନିଜ ଯୁକ୍ତି ଉପସ୍ଥାପନ କରି ତାକୁ ବୁଝେଇବାକୁ ଚାହିଁବ। କହିବ, ସମାଜ ଯାହା ତିଆରି କରିଛି, ସେ ସବୁ ତା ନିଜ ପାଇଁ। ସେ ଦେଖିବାକୁ ଚାହେଁନାହିଁ, ସେଠି ରହୁଥିବା ଲୋକମାନଙ୍କର ନାନା ସମସ୍ୟା। ସମ୍ୱିଧାନର ନୂଆ ନୂଆ ବାଟ ବାହାରିବା ଦରକାର। ଆଉ ମୁଁ ଗୋଟିଏ ବାଟ ଖୋଜିପାଇଛି।

ପ୍ରୀତି ମହାନ୍ତି ଯୁକ୍ତିରେ ହାରିଯିବ। ସେ ଯୁକ୍ତି କରିପାରେ ନାହିଁ। ନିଜ ଭିତରେ କେବଳ ସବୁ ଘଟଣା ଓ ଦୁର୍ଘଟଣାକୁ ବିଶ୍ଳେଷଣ କରେ। ତା ଭିତରୁ ଚେଷ୍ଟାକରି ନିର୍ଯ୍ୟାସ ବାହାର କରେ। ସେଥିପାଇଁ ସେ ଚୁପ୍ ରହିଲା।

ଘରକୁ ଫେରିଲା ବେଳକୁ ରାତି ଦଶ ପାଖାପାଖି। ସଂଧ୍ୟାରେ କଫି ହାଉସ‌୍‍ରୁ ଫେରି ତାକୁ ନାଇନ୍ ପିଏମ୍ ବୁଲେଟିନ୍ ପଢ଼ିବାକୁ ପଡ଼ିଲା। ସେ ଭାବିଥିଲା ଫୋନ‌ କରି କହିଦେବ ବିଭୂତିକୁ। ସେ ହିଁ ଏଇ ବୁଲେଟିନଟା ପଢ଼ିଦେଉ। ଆଉ କ୍ୟାମେରା ଆଗରେ ବସିବାର ତା’ର ଯୁ’ ନାହିଁ। ଗୋଟେ ଚିନ୍ତାଗ୍ରସ୍ତ ମନ ନେଇ ସେ ପ୍ଲାଷ୍ଟିକ୍ ହସ ଦେଇ ଦର୍ଶକଙ୍କୁ ମୁହଁ ଦେଖେଇ ପାରିବ ନାହିଁ। କିନ୍ତୁ ହେଲାନାହିଁ। ପ୍ରଡ୍ୟୁସର କହିଲେ, ପ୍ରୀତି ମହାନ୍ତି ହିଁ ପଢ଼ିବ ନାଇନ୍ ପିଏମ୍। ଆଜି ଗୋଟେ ଯୌତୁକ ନିର୍ଯାତନା ଅଭିଯୋଗ ଆସିଛି ରାଜ୍ୟର ଜଣେ ବରିଷ୍ଠ ଆଇ.ଏ.ଏସ୍. ଅଫିସରଙ୍କ ବିରୋଧରେ। ବୋହୂଟି ମହିଳା କମିଶନଙ୍କ ପାଖରେ ଫେରାଦ ହୋଇଛି। ଯେ ହେତୁ ଅଭିଯୋଗ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ, ସେଥିପାଇଁ ଖବର ପ୍ରସାରଣରେ ଯଥେଷ୍ଟ ସାବଧାନତା ଅବଲମ୍ୱନ କରାଯାଉଛି। ଘଟଣାଟି ଅପରାହÙରୁ ଦାନା ବାନ୍ଧିଲାଣି। କିନ୍ତୁ ତା ପାଇଁ ମହିଳା କମିଶନଙ୍କୁ ଯୋଗାଯୋଗ କରାଯିବା ପରେ ଏବେ ନାଇନ୍ ପିଏମ୍‌ରେ ହିଁ ଖବରଟାକୁ ବ୍ରେକ୍ କରାଯିବ। ବୁଲେଟିନ‌ ଭିତରେ ହିଁ ମହିଳା କମିଶନଙ୍କୁ ଷ୍ଟୁଡ଼ିଓରେ ବସାଯାଇ ଲାଇଭ୍ ଇଣ୍ଟରଭ୍ୟୁ କରାଯିବ। ପ୍ରତିକ୍ରିୟା ଦେବାକୁ ନାରାଜ ସଂପୃକ୍ତ ଆଇ.ଏ.ଏସ‌. ଅଫିସରଙ୍କର ଫୋନୋ ମଧ୍ୟ ନିଆଯିବ ଲାଇଭ୍। ପ୍ରଡ୍ୟୁସରଙ୍କ କହିବା କଥା ହେଲା, ଜଣେ ଲେଡି ଆଙ୍କର ହିଁ ଏଭଳି ଘଟଣାକୁ ହ୍ୟାଣ୍ଡଲ କଲେ ଟିକେ ବେଶୀ ଭଲ ଲାଗିବ। ତ ଏତେ ଦାୟିତ୍ୱ ଭିତରେ ପ୍ରୀତି ମହାନ୍ତି କେମିତି ହଡ଼ବଡେ଼ଇ ଯାଉଥିଲା। ଷ୍ଟୁଡିଓରେ ବସି ସେ ଯଥାସମ୍ଭବ ଚେଷ୍ଟା କରିଥିଲା ସବୁକିଛି ଠିକ‌୍‍ଠାକ‌୍‍ ଭାବେ ଉପସ୍ଥାପନ କରିବାକୁ। ଯାହାହେଉ ନିଦ୍ଦେର୍ଶ ମତେ ସବୁକିଛି ଆପାତତଃ ଠିକଠାକ୍ ସରିଥିଲା।

ଘରକୁ ଫେରିଲା ବେଳକୁ ତାକୁ ଅପେକ୍ଷା କରି କରି ପ୍ରତ୍ୟୁଷ ଶୋଇ ପଡ଼ିଥିଲା। ଶାଶୂ ଶ୍ୱଶୁର ଖାଇ ନେଇଥିଲେ। ଅଗତ୍ୟା ନିଜ ପାଇଁ ହିଁ ଖାଇବା ବାଢ଼ିବାକୁ ଗଲା ପ୍ରୀତି ମହାନ୍ତି। କିନ୍ତୁ ଇଚ୍ଛା ହେଲାନାହିଁ। ପଟେ ରୁଟିକୁ ଡାଲିରେ ବୁଡେ଼ଇ ଉଦରସ୍ଥ କଲାପରେ ପେଟେ ପାଣି ପିଇଲା ଅନ୍ୟମନସ୍କରେ। ଶାଶୂ ପଚାରିଲେ, ଏତେ କମ୍ ଖାଇଲୁ ମା? ପ୍ରୀତି ମହାନ୍ତି ଉତ୍ତରରେ କେବଳ ଏତିକି କହିଲା- ସଂଧ୍ୟାରେ ଜଳଖିଆ ଟିକେ ଅଧିକ ଖାଇଦେଇଥିଲି। ଭୋକ କମ୍ ଥିଲା।

ବେଡ଼ରୁମ୍‌କୁ ଯାଇ ମଶାରୀ ପକାଇଲା। ତା ଅପେକ୍ଷାରେ ଟିଭି ଦେଖୁ ଦେଖୁ ସୋଫା ଉପରେ ଶୋଇଯାଇଥିବା ପୁଅ ପ୍ରତ୍ୟୁଷକୁ ଆଣି ଖଟରେ ଶୋଇଦେଲା। ଟିଭିଟା ସେମିତି ଚାଲିଛି। ଏବେ "ଖାସ୍ ଦୃଷ୍ଟି' କାର୍ଯ୍ୟକ୍ରମ ଚାଲିଛି। ବରେଣ୍ୟ ସେଇ ଯୌତୁକ ନିର୍ଯାତନା ମାମଲାରେ ବିଶେଷଜ୍ଞଙ୍କୁ ଡାକି ଆଲୋଚନା କରୁଛି। ବରେଣ୍ୟ ଗେଷ୍ଟଙ୍କୁ ସେଟ୍ ଉପରେ ପ୍ରଶ୍ନ ପଚାରିଲା ବେଳେ କେମିତି ଆତ୍ମସ୍ଥ ହୋଇଯାଏ। ଏଣ୍ଡୁଅ ପରି ଟେବୁଲ୍ ଉପରେ ଝୁଙ୍କିପଡ଼ି ପ୍ରଶ୍ନ ପଚାରେ। ପ୍ରୀତି ମହାନ୍ତିର ଆଉ ଟିଭି ଦେଖିବାକୁ ଆଗ୍ରହ ନଥିଲା। ଏବେ "ଷ୍ଟାର‌ପ୍ଲସ‌'ରେ ସିରିୟାଲ ଚାଲିଥିବ। ଏଇ ସମୟରେ ଘରକୁ ଫେରିଲେ ସେ ମନଦେଇ ଏଇ ସରିୟାଲ ସବୁ ଦେଖେ। ଦେଖେ କେମିତି ବଡ଼ ବଡ଼ ଘରେ ଛୋଟଛୋଟ ସଂପର୍କକୁ ନେଇ ବଡ଼ ବଡ଼ ମତାନ୍ତର ସୃଷ୍ଟି ହେଉଛି। କେମିତି ଭାଙ୍ଗିରୁଜି ଯାଉଛି ଗୋଟେ ଗୋଟେ ହସଖୁସିର ସଂସାର। ଆଜି କିନ୍ତୁ ତାକୁ ସମଗ୍ର ଭାବେ ଘାରି ରଖିଥିଲା ବରେଣ୍ୟ।

ସେ ଲାଇଟ୍ ଲିଭାଇଲା।

(କ୍ରମଶଃ)

(୩ୟ ଅଧ୍ୟାୟର ଆକର୍ଷଣ: ପ୍ରେମ ସବୁବେଳେ ପ୍ରେମ। ଏହା ପ୍ରୀତି ମହାନ୍ତି ପରି, ଗୋଟିଏ ପିଲାର ମାଆକୁ ବି ପ୍ଲସ‌୍‍-ଟୁ ଝିଅ କରିଦେଇ ପାରେ। ଆଉ ଅଷ୍ଟମ ଶ୍ରେଣୀର ଛାତ୍ରଟିଏକୁ ବି "କୁଛ‌୍‍କୁଛ‌୍‍ ହୋତା ହୈ' ଫିଲ୍ମର ଶାହରୁଖ ଖାଁ କରିଦେଇ ପାରେ। ବାଃ ପ୍ରେମ... ବାଃ... ଜିନ୍ଦାବାଦ।)

 

ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"- ୧