ଏମିତି କେବେ କେବେ ନିଜକୁ ଖୋଜୁଥାଏ ମୁଁ
ମୁଁ ଜାଣେ ତୁମେ ମୋତେ ଆଉ ପ୍ରେମ କରୁନ ।
ତୁମେ ହଠାତ ଦିନେ ମୋତେ ଭୁଲିଗଲ
ତାର କାରଣ କଣ ହେଇପାରେ ?
ଦିନେ ମୁଁ ଆଇନା ଦେଖୁଥିଲି
ନିଜକୁ ଖୋଜୁଥିଲି ନିଜ ଦେହ ଭିତରେ,
ଆଉ ନିଜେ ହଜି ଯାଉଥିଲି ନିଜ ଭିତରୁ !
ଏଇ ଯେଉଁ ପାଇବା ଆଉ
ହଜି ଯିବା ଭିତରେ କୋଉଠି
ଗୋଟିଏ ଛୋଟ " ମୁଁ " ଟେ ଅବଶିଷ୍ଟ ଥିଲା ।
ସେଇ ଅବଶିଷ୍ଟାଂଶ କୁ ଖୋଜୁଥିଲି,
ଆଉ ସେ ଖୋଜି ହେବାର ଏ
ଇ ପ୍ରକ୍ରିୟାରେ ତୁମେ ମୋତେ ଘୃଣା କରି ଚାଲୁଥିଲ !
ମୁଁ ନିଜକୁ ଖୋଜିବାକୁ ଆରମ୍ଭ କଲି
ଆଗ କିଛି ସଂଗୀତରେ ,
ପରେ ପରେ ଅଣ୍ଡାଳିଲି କିଛି ଗଳ୍ପ , ଉପନ୍ୟାସ !
ସେ ସମସ୍ତ ଏକପରି ବୋଧ ହେଲେ !
ଏଥର ମୁଁ ଆଉଟିକେ ପଛକୁ ଗଲି ,
ଇତିହାସରେ ନିଜକୁ ଖୋଜି ବୁଲିଲି,
ଜୁଲିଏଟ୍ , ମୀରାବାଇ, ଲୈଲା , ଲକ୍ଷ୍ମୀବାଇ,
ଆନିବେସାନ୍ତ , ଭଗିନୀ ନିବେଦିତା,
କସ୍ତୁରବା ଗାନ୍ଧୀ, ମନୁବେନ୍,
ଇନ୍ଦିରା ପ୍ରିୟ ଦର୍ଶିନୀ, ସରଳା ଦେବୀ ଚୌଧୁରାଣୀ, ମଦର ଟେରେସା !
ବିଶ୍ବାସ କରିବ ମୁଁ ନିଜକୁ
ପ୍ରାଚୀନ ମମ୍ମି ମାନଙ୍କ ଭିତରେ ବି ଅଣ୍ଡାଳିଛି ,
ନେଫିତ୍ରୀ, କ୍ଳିଓପାଟ୍ରାଙ୍କ ଚେହେରା ତଳେ ଖୋଜିଛି !
ପାଇନି ସମ୍ପୁର୍ଣ୍ଣ ।
ଏଥର ମୁଁ ପୁରାଣ ରେ ନିଜକୁ ଅଣ୍ଡାଳିଲି,
ନା ସେମାନେ କେହି ବି ମୋ ପରି ନୁହଁନ୍ତି
ସୀତା , ସାବିତ୍ରୀ କି ଚିତ୍ରଲେଖା !
ଦୌପଦୀ , କୁନ୍ତି , ମନ୍ଦୋଦରୀ, ତାରା ,
ଅହଲ୍ୟା କି ଲିଲିଥ୍,
ଏମାନଙ୍କୁ ତନ୍ନ ତନ୍ନ କରି ପରୀକ୍ଷା କଲି ,
ପାଇଲି ନାହିଁ ।
ସମସ୍ତଙ୍କ ଭିତରେ କିନ୍ତୁ ଏତେ ଟିକେ ,
ଅତି ଅଳ୍ପ ମୁଁ' ,
ମୋର କିନ୍ତୁ ଖୋଜିବାର ଥିଲା ସମ୍ପର୍ଣ୍ଣ ମୋତେ,
କେବଳ ମୋତେ !
ଏଥର ମୁଁ ଫେରିଲି ଏଇ ଦେହ ପାଖକୁ
ଖୁବ ଅଧିରତାରେ ନିଜକୁ ନିଜ ସାମ୍ନାରେ ବସାଇଲି
କହିଲି " ଦେଖ ଝିଅ ପ୍ରତିଟି ସ୍ତ୍ରୀଲୋକ ସ୍ବତନ୍ତ୍ର !
ତୁ ନିଜକୁ ଅନ୍ୟ ଭିତରେ ଖୋଜୁଛୁ ମୁର୍ଖଝିଅ !!
ଏଥର ମୁଁ ସ୍ନାନ ସାରି ଫେରିଲି,
ନିଜକୁ ସମ୍ପର୍ଣ୍ଣ ଦେଖିଲି ଆଇନାରେ,
ଗୋଟେ ଅସହଜ ମନ ତଥାପି ନିର୍ମଳ,
ଗୋଟେ ଆଘାତ ପ୍ରାପ୍ତ ହୃଦୟ ,
ତଥାପି ନୂଆକରି ପ୍ରେମରେ ପଡିବାକୁ ତତ୍ପର,
ଦୁଇଟି ସନ୍ତାନର ଜନନୀ ,
ତଥାପି ବାକିଅଛି ସୌନ୍ଦର୍ଯ୍ୟ,
ଜ୍ଞାନ ପିପାସୁ ତଥାପି ମୁର୍ଖ ,
ଈଶ୍ବରଙ୍କୁ ଅବିଶ୍ବାସ କରି,
ପ୍ରକୃତିର ସୌନ୍ଦର୍ଯ୍ୟରେ ମୁଗ୍ଧ,
ସମଗ୍ର ସଂସାରକୁ ପ୍ରେମ କରିବାକୁ ଇଚ୍ଛୁକ,
ସାଧାରଣ ଗୃହିଣୀ ଟେ, ଅନଭିଜ୍ଞ ।
ସମଗ୍ର ଅସମ୍ପୁର୍ଣ୍ଣତାରେ ଭରପୁର
କେବଳ ଏଇ ମୁଁ ଟେ ଯେ
ଆଉ କାହାକୁ ଖୁସି କରିବାକୁ
ନିଜକୁ କୁଟି ଦେଉନି ଢିଙ୍କିରେ ,
ବାଟି ଦେଉନି ଶିଳରେ, ପେଶି ଦେଉନି ଚକିରେ ,
ସୁସ୍ବାଦୁ ତିଅଣ କରି ପରଶି ଦେଉନି ଥାଳିରେ !
ମୁଁ ନିଜକୁ ପାଇ ଆତ୍ମହରା ହେଲି ,
ଆଉ ତୁମେ ସେଇ ମୁହୂର୍ତ୍ତରୁ ମୋତେ
ଘୃଣା କରିବାକୁ ଆରମ୍ଭ କଲ !!