ସ୍ତ୍ରୀଲୋକର ଉପପାଦ୍ୟ

ସ୍ତ୍ରୀଲୋକର ଉପପାଦ୍ୟ

ସାହିତ୍ୟର ବିଭାଗ ବଣ୍ଟନରେ 
ଆଉଟି ହେଉଥିବା "କବିତା" 
ନିତି ଖୋଜୁଥାଏ ଲୟ, 

ବିଳମ୍ବିତ ଲୟରେ ଆମନ୍ତ୍ରଣ କରି 
ପାରୁଥିବା ଲୋକକଥାର ନାୟିକା 
ଅଣ୍ଟାରେ ଦରଜ, 

ଦରଜର ଦୋଳିରେ ପ୍ରେମକୁ ବିକଶିତ 
କରୁଥିବା ରାଗ, ଗମ୍ଭାରୀ ଫୁଲର ମହକ, 
ତମାଳ ବାସ୍ନାରେ ମହକି ଉଠୁଥିବା ସକାଳ କଥା 
ପଚାରନା ! 

ଯେଉଁ ପ୍ରେମିକର ପରାକାଷ୍ଠା କଥା
କବି ଲେଖି ଲେଖି ଅଥୟ 
ସେ କେବେ ପଚାରିଛି, 
ଫେରି ନ ଆସିବାର ଅବାଟଟେ 
କେମିତି ତିଆରି କରାଯାଏ? 

କେମିତି ତିଆରି କରାଯାଏ
ସ୍ତ୍ରୀଲୋକୁ ଶାଢୀର ପର୍ବତ ଭିତରେ 
ଅସହାୟ? 

ସମଗ୍ର ବସୁଧା ସାକ୍ଷୀ 
ଶାନ୍ତିର କାମନା କରୁଥିବା ଲୋକ 
ଯୁଦ୍ଧଭୂମି  ପାଇଁ ତିଆର କରେ ଯୋଦ୍ଧା 
ମାଆର ଦୀର୍ଘଜୀବି ହେବାର 
ଆଶୀର୍ବାଦକୁ ଅଟକାଇ ଦିଏ
ପ୍ରପଞ୍ଚରେ, 

ପ୍ରେମର ମଣିଷ, ଯୁଦ୍ଧ କାମନା କରି ପାରେନା। 


"ଯୁଦ୍ଧ ହିଁ ନିୟତି ଧର୍ମର ପ୍ରତିଷ୍ଠା ପାଇଁ "
ଉଦ୍ଘୋଷକ ଜଣକ କେବଳ ରାଜନୀତିଜ୍ଞ 
କୁଟନୀତିରେ ସେ ତିଆରେ 
କୁରୁସଭା , ମୁର୍ଖ ସ୍ତ୍ରୀଲୋକ ! 

ସେଥିପାଇଁ  ଦନ୍ତ ଲେଖନୀରୁ 
ମୁଁ ଉଭାନ ,
ପ୍ରେମର ପ୍ରତିଷ୍ଠାରେ ବି ମୋତେ 
ଆହ୍ଲାଦିନୀ କରି ପୁରୁଷର ହାଡରୁ 
ତିଆରି କରିଛି ସାହିତ୍ୟ, 

ଲଳିତ କବିତାକୁ ବି ତାର ତମାମ 
ପ୍ରଚେଷ୍ଟା ପରେ ଜାଗା ଦେଉନଥିବା 
ବିଭାଗ ମୋତେ ବା ପୁରୁଷର ପ୍ରତିବିମ୍ବ ନକରି 
ଛାଡନ୍ତା କିପରି !, 

ମୁଁ ସେଇଠି ରହି ଯାଇଛି 
ବ୍ରଜେଶ୍ୱରୀ ହୋଇ 
ଭାଗବତର ପୃଷ୍ଠାରେ 
ଅନ୍ୟ ଜଣେ କୃଷ୍ଣର 
ପ୍ରାଣପ୍ରିୟା ହେଇ ,  

ଯେଉଁଠି ତୁମେ ଯୁଦ୍ଧ ବୋଲି ଉଚ୍ଚାରିବ 
ମୁଁ ମିଳେଇ ଯିବି , 
କାରଣ ପ୍ରେମ ଓ ଯୁଦ୍ଧ 
ଗୋଟିଏ ପୃଷ୍ଠାରେ ସ୍ଥାନିତ ହେଇ ପାରନ୍ତି ନାହିଁ !!!