ଚୈତ୍ର
କିଛି ଦୁଃଖ ପୋତି ଦେଇ ଧୂଳିରେ , ଧର୍ତ୍ତିନୀକୁ କହିଲେ ନେ
କିଛି ଦୁଃଖ ବୁଡେଇ ଦେଇ ଜଳରେ , ସମୁଦ୍ରକୁ କହିଲେ ନେ
କିଛି ଦୁଃଖ ପୁଡେଇ ଦେଇ ନିଆଁରେ , ଆକାଶକୁ କହିଲେ ନେ
ବାକିତକ ଦୁଃଖକୁ ବୁଣି ଦେଇ ବଣରେ ମାଗିଲେ ଦେ
ଚୈତ୍ର ଋତୁଟିଏ ଦେ .....
ଚୈତ୍ରର ମୁଠାଏ ଅମ୍ଲାନ ଖରା ନେସି ଦେଇ ଦେହରେ
ଦଳେଦୁଃଖି , ଠାକୁର ବେଶ ହେଲେ
ଗାଇଲେ ସାନ୍ତ୍ବନାର ଗୀତ
ଅଇଲୁ ଇଶ୍ବର , ତିନି ବ୍ରହ୍ମାଣ୍ତ ଠାକୁର
ମନସନ୍ତୋଷେ ମାଗବର , ଯାଚି ଆମ୍ଭେ ଦେବୁ ବର
ପାଦେ ଯୁହାର କର
ଫୁଲ ଦେବୁ ଫଳ ଦେବୁ, ଜମି ଦେବୁ ଜଳ ଦେବୁ ,
ନଈ ଦେବୁ ଗାଈ ଦେବୁ, ପୁଅ ଦେବୁ ଝୁଅ ଦେବୁ ,
ଧନ ଦେବୁ ମାନ ଦେବୁ ଯାହା ଇଚ୍ଛିବ ତାହା ଦେବୁ
ମୟୂରପୁଚ୍ଛ ପରି ରଙ୍ଗୀନ ଆଲୁଅରେ ଗଢ଼ା ହେଲା ମଞ୍ଚ
ପେଜପିଆ ଶାଗଖିଆ ଦୁଃଖମାନେ
ରାତିଯାକ ସପନ ଉଜେଇ ନାଚିଲେ ନାନା କିସମର ନାଚ ,
ପାହିଯିବ ରାତି
ଉତୁରି ଯିବେ ଦିହଦେଉଳୁ ଠାକୁର
କ୍ରମଶଃ ଧଳା ହଂସଟିଏ ପରି ପହଁରି ଆସିବ ସକାଳ ତ
ଦଳେ ଛାଇ ଜଳି ପୋଡି ପାଉଁଶ ହୋଇବେ
ସୂର୍ଯ୍ୟାଲୋକେ ବାଟହୁଡି ମାୟାମଞ୍ଚରୁ
ଦେଖିବେ ,
କୋଳରେ ମହଣେ ଅପବାଦର ଫୁଲବଣ ଧରି
ଝାଟିମାଟିର ଘର ଉଦାସ ଉଦାସ ,
ଜହ୍ନରାତିର ଧଳା ରକତରେ ମୁହଁ ପଖାଳି ଦେଲା ପରେ
ସେମାନେ ଯାଚିଦେବେ ଆପଣା ଲୋକଙ୍କୁ
ଯାବତୀୟ ଦୁର୍ଭାଗ୍ୟରେ ଗଢା ଟୋପେ ଅନ୍ତରଙ୍ଗତା
ଯାହା ତାଳୁରୁ ତଳିପା ଯାଏ
କ୍ରମଶଃ ଚରିଚରି ଯିବ ହାଣ୍ତିକୁ ଲୁଣ ଚରିଗଲା ପରି...
ଚୈତ୍ର , ଶୋଷିନେଇ ଯେତକ କାମନା
ଦଳେ ଦୁଃଖଙ୍କୁ ଦିଅଁ କରି ଫେରିଯିବ ,
ଚୈତ୍ର , ନିପାରିଲାପଣର ସନ୍ତାପରେ
ମିଛ ଅହମିକାର କଠୋର କରୁଣାରେ ଭାଜିଯିବ ,....