ଶକୁଂତଳା

ଶକୁଂତଳା

କେବେ କେବେ ମୁଁ ନିଜ ପରି ଦିଶେ
ଯାତ୍ରା ଓ ବିରତିର ସୁଷମତା ଜାଣିନଥିବା
ଶ୍ରମିକଦଳ ସହିତ ମୁଁ ଚାଲେ ଯେତେବେଳେ
ପୁରୁଣା ଆଇନା ମତେ ଫେରେଇ ଦିଏ ନିଜର ମୁହଁ ।
ହଜାର କିଲୋମିଟର ପଦଯାତ୍ରା ପରେ
ଚତୁର୍ଥ ସଂତାନ ପ୍ରସବ କରେ ଯିଏ
ମୋ ଦେଶ ତାକୁ ଖବରର ଅଳଂଧୁରେ ଢଂକା
ପରଦା ହଟାଇ ଦର୍ପଣ ବନାଏ ।
ଶବ୍ଦର ଯେବେ ଦର୍ପଭଂଜନ ହୁଏ
ଅଭିଧାନ କୋଷଗ୍ରଂଥ ଅତୀତକୁ ଚାଲିଯାଂତି
ରାଜଧର୍ମର ପ୍ରକୃଷ୍ଟ ଅର୍ଥ କହିବାର ଲଜ୍ଜାରେ
ସେ ନାରୀ ପୋଛେ ଗର୍ଭ ବେଦନାର ଶ୍ରମଝାଳ
ଗଛଛାଇର ପଣତ ଢାଂକି ନବଜାତକୁ
ଖରାର ପ୍ରଦେଶମାନ ପାରିହୁଏ ।

ଲିପଷ୍ଟିକର ଆଲୋକଛାୟା ବାଛୁବାଛୁ ରଂଗୀନ ହେଉଥିବା

ହେ ମୋ ଦେଶର ଯୋଜନାମାନ
ତୁମର ସଭାଘର ସରସୀରେ
ମୋର ମୁହଁ କେବେ ଦିଶେ ନାହିଁ ନିଜ ପରି
ମୁଁ ଚାଲିଯାଏ ତିନିସଂତାନ ଆଗପଛରେ ପଣତରେ
ଓ ନବଜାତକୁ ଛାତିସଂଧିରେ ଭରି ।

ରାସ୍ତାରେ ଓହ୍ଲାଇ ତ ବୁଝିଲି
ତୁମ ମାୟାର ଚଂଦ୍ରାତପ ବର୍ଷ ବର୍ଷ ମିଛ ବୁଣୁଥାଏ

ମୋର ମାଟି ଓ ଆକାଶରେ ।

ଏବେ ମୁଁ ଫେରିବା ରାସ୍ତା ସାରା ସତ ବୁଣିବୁଣି ଯାଉଛି
ବାଟ ଚିହ୍ନି ଫେରିବା ପାଇଁ ନୁହେଁ
ନିଜକୁ ସ୍ଥାୟୀ ମାଟିର ଦର୍ପଣରେ ଦେଖିବି ବୋଲି ।

( ଶକୁଂତଳା କଳ ତୃତୀୟ ଲକଡାଉନ ବେଳେ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶର ସାତନା ଚାଲିଚାଲି ଯିବା
ବାଟରେ ଚତୁର୍ଥ ସଂତାନକୁ ଜନ୍ମ ଦେଲେ ଓ ଦୁଇ ଘଣ୍ଟା ପରେ ଶହେ ତିରିଶ କିଲୋମିଟର ଚାଲିଥିଲେ ।)