ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"-୧୧

ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"-୧୧

(ଭାଗ-୧୧)

‘ହ୍ୟାଲୋ ଏଭ୍ରିବଡ଼ି... ମାଇଁସେଲ‌୍‍ଫ ବରେଣ୍ୟ, ଆଣ୍ଡ ଦିସ‌୍‍ ଇଜ‌୍‍ ରବି ଫ୍ରମ‌୍‍ ବଡ଼ବିଲ‌୍‍... ଆଣ୍ଡ ରବି ସି' ଇଜ‌୍‍ ପ୍ରୀତି- ଦି ଫେମସ‌୍‍ ଆଙ୍କର, ଆଣ୍ଡ ଦିସ‌୍‍ ଇଜ‌୍‍ ସ୍ୱରୂପା, ଦି ମୋଷ୍ଟ କରେଜିୟସ‌୍‍ ଆଣ୍ଡ ହ୍ୟାପି ଲେଡି ଅଫ‌୍‍ ଭୁବନେଶ୍ୱର।'

‘ଫୁଡ଼ପାର୍କ ରେଷ୍ଟୁରାଣ୍ଟ'ର ଛୋଟିଆ ଟେବୁଲ ପାଖରେ ସମସ୍ତେ ପହଞ୍ଚି ସାରିଥିଲେ। ବରେଣ୍ୟ, ରବି, ପ୍ରୀତି ଓ ସ୍ୱରୂପା। ଆଉ ସମସ୍ତଙ୍କୁ ଇଣ୍ଟ୍ରୋଡ୍ୟୁସ‌୍‍ କରିବା ପାଇଁ ଏତକ ଧୀରେ କରି ଘୋଷଣା କଲା ବରେଣ୍ୟ। ତା'ପରେ ହାତ ମିଳେଇ ସମସ୍ତେ ନିଜ ନିଜ ଭିତରେ କଲେ ହ୍ୟାଲୋ ସମ୍ଭାଷଣ। ରବିର ନଜର ପ୍ରୀତି ଉପରେ ଆଉ ପ୍ରୀତିର ନଜର ବରେଣ୍ୟ ଉପରେ।

ଇଏ ପୁଣି ବରେଣ୍ୟର ଆଉଗୋଟେ କି ଖେଳ ହୋଇପାରେ? ମନେ ମନେ ଭାବୁଥିଲା ପ୍ରୀତି ମହାନ୍ତି। ଏମାନଙ୍କ ଭିତରେ ନୂଆ ହେଲେ ସ୍ୱରୂପା ଓ ରବି। ଆଉ ଏ ସବୁର ସୂତ୍ରଧର ହେଲା ବରେଣ୍ୟ।

ବଡ଼ ପାଟିରେ ପୁଣିଥରେ ବରେଣ୍ୟ କହିଲା- ‘ଏଥିରେ କୌଣସି ନୂଆ ଖେଳ ନାହିଁ। ସିମ୍ପଲି... ଟୁଡେ଼ ଇଜ‌୍‍ ମାଇଁ ବାର୍ଥଡେ... ହାଃ... ହାଃ... ଆଉଏକ ନୂଆକଥା ହେଲା- ମାଇଁ ଫ୍ରେଣ୍ଡ‌୍‍ ଫ୍ରମ‌୍‍ ବର‌୍‍ବିଲ ୱାଣ୍ଟ‌୍‍ସ ଟୁ ମିଟ‌୍‍ ମିସେସ‌୍‍ ପ୍ରୀତି ମହାନ୍ତି ଆଣ୍ଡ ହର‌୍‍ ବେଷ୍ଟଫ୍ରେଣ୍ଡ ସ୍ୱରୂପା।'

 ବାର୍ଥଡେ !!

 ଆରେ ଏ ପିଲା ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ! ତ ସମସ୍ତେ ମିଳିମିଶି ବରେଣ୍ୟକୁ ଜଣାଇଲେ ଜନ୍ମଦିନ ଶୁଭେଚ୍ଛା। ପ୍ରୀତି ଆଶ୍ଚର୍ଯ୍ୟ ! ସାଙ୍ଗ ରବି ମଧ୍ୟ ଆଶ୍ଚର୍ଯ୍ୟ ! ବରେଣ୍ୟ ସବୁବେଳେ ଏମିତି। ପ୍ରୀତି ମନେମନେ ଲଜ୍ଜିତ ହେଲା, ରାଗ ବି କଲା। ଗତ କିଛିବର୍ଷ ହେଲା ବରେଣ୍ୟ ତା ଜନ୍ମଦିନକୁ ସେୟାର କରୁଥିଲା କେବଳ ପ୍ରୀତି ମହାନ୍ତି ସହିତ। ପୂର୍ବରୁ ଦୁହେଁ ଅଫିସରୁ ଛୁଟି ନିଅନ୍ତି। ଦିନସାରା କୁଆଡେ଼ ନା କୁଆଡେ଼ ବୁଲିବାକୁ ଯାଆନ୍ତି। ଆଉ ସଂଧ୍ୟାରେ କୌଣସି ଏକ ରେଷ୍ଟୁରାଣ୍ଟରେ କ୍ୟାଣ୍ଡଲ ଲାଇଟ‌୍‍ ପାର୍ଟି।

 ପ୍ରୀତି କିଛି ନା କିଛି ଗିଫ୍ଟ ଆଣିଥାଏ ବରେଣ୍ୟ ପାଇଁ। ଆଉ ବରେଣ୍ୟ ମଧ୍ୟ ତା ଗିଫ୍ଟର ମୂଲ୍ୟ ଫେରାଇ ଦିଏ ତା କାନରେ ‘ଆଇ ଲଭ‌୍‍ ୟୁ ଡାର୍ଲିଂ' ବୋଲି କହି। ଆଉ ଘରକୁ ଫେରିବା ପୂର୍ବରୁ କୌଣସି ନା କୌଣସି ସ୍ଥାନରେ ବରେଣ୍ୟ ପ୍ରୀତିକୁ ଦିଏ ଏକ ଲିପ‌୍‍କିସ‌୍‍। କିନ୍ତୁ କିଛିବର୍ଷ ଧରି ପ୍ରାଇଭେସିରେ ଚାଲିଥିବା ଜନ୍ମଦିନକୁ ଏଥର ବରେଣ୍ୟ ବାଣ୍ଟିଦେଲା। ଏଥିରେ ପ୍ରୀତି ମହାନ୍ତି ଅଫ‌୍‍ସେଟ‌୍‍ ହୋଇଯିବା ସ୍ୱାଭାବିକ ଥିଲା। କିନ୍ତୁ ଏଠି ସମସ୍ତଙ୍କ ଆଗରେ ଏସବୁ କଥା ପକେଇ ସେ ଧରା ପଡ଼ିବାକୁ ଚାହୁଁନଥିଲା।

 କିନ୍ତୁ ପ୍ରୀତିକୁ ଆଶ୍ଚର୍ଯ୍ୟ କରି ରବି କହିଉଠିଲା- ‘ସରି ପ୍ରୀତି... ଏଥର ବରେଣ୍ୟର ଜନ୍ମଦିନରେ ଆମେ ସ୍ୱରୂପା ଓ ମୁଁ ଭାଗ ବସିଥିବାରୁ ଆମକୁ କ୍ଷମା କରନ୍ତୁ। ସବୁବର୍ଷ ମହାମାନବ ବରେଣ୍ୟ ବାବୁ ଯେ କେବଳ ଆପଣଙ୍କ ସହ ଜନ୍ମଦିନ ପାଳନ କରନ୍ତି ତାହା ସମସ୍ତଙ୍କୁ ଜଣା।’

 ରେଷ୍ଟୁରାଣ୍ଟର ସ୍ତୀମିତ ଆଲୁଅ ଭିତରେ ବି ପ୍ରୀତି ମହାନ୍ତିର ଲାଜୁଆ ମୁହଁ ଦିଶିଯାଉଥିଲା ବରେଣ୍ୟକୁ। ପ୍ରକୃତରେ ସେ ଜାଣିଜାଣି ଏଥର ଏମିତି ଏକ ଆୟୋଜନ କରିଛି। ସେ ଚାହୁଁଥିଲା ପ୍ରୀତି ମହାନ୍ତିକୁ ସେ ଦେଇଥିବା ବିବାହ ପ୍ରସ୍ତାବ ଉପରେ ସମସ୍ତେ ଖୋଲାଖୋଲି ଆଲୋଚନା କରନ୍ତୁ। ଗୋଟେ ପ୍ରେମିକର ଜୋଶ‌୍‍ରେ ସେ କହି ଦେଇଥିବା କଥାଟିର ସୁଦୂରପ୍ରସାରୀ ପରିଣାମ ସଂପର୍କରେ ସେ ଧୀରେ ଧୀରେ ଅବଗତ ହେଉଥିଲା। କିନ୍ତୁ ସେ ଜାଣିଛି ଏଥିରେ ପ୍ରୀତି ଖୁବ‌୍‍ ଅରାଜି ହେବ। ହେଲେ ଏଥିରେ ଅରାଜି ହେବାର କ’ଣ ଅଛି? ପ୍ରେମକୁ ଲୁଚାଇ ରଖାଯାଏ। କିନ୍ତୁ ପ୍ରଣୟକୁ ନୁହେଁ। ଆଉ ପ୍ରେମ ଯେତେବେଳେ ପ୍ରଣୟରେ ପରିଣତ ହେବ ସେତେବେଳେ ତାହା ତ ସମସ୍ତେ ଜାଣିବା ଦରକାର।

 ଖାଇବା ଅର୍ଡ଼ର ନେବାକୁ ରେଷ୍ଟୁରାଣ୍ଟର ବୟ ଆସିଯାଇଥିଲା। ବରେଣ୍ୟ ସମସ୍ତଙ୍କୁ ପଚାରିଲା ସେମାନଙ୍କ ପସନ୍ଦ। କିନ୍ତୁ ସମସ୍ତଙ୍କ ପସନ୍ଦ ଥିଲା ବରେଣ୍ୟର ପସନ୍ଦ। ଅର୍ଥାତ ରାତିର ଖାଇବା ବାର୍ଥଡେ ବୟ ବରେଣ୍ୟ ହିଁ ନିଜ ପସନ୍ଦରେ ଅର୍ଡର ଦେଲା।

 ପ୍ରଥମେ ସ୍ୱରୂପା ଆରମ୍ଭ କଲା- "ବରେଣ୍ୟ କୁହ ପ୍ରେମ ଓ ପରିଣୟର ପରିଭାଷା କ’ଣ ସମାନ?'

 ହଠାତ‌୍‍ ଏମିତି ଏକ ଇଣ୍ଟରଭ୍ୟୁ ଛଳରେ କଥା ଆରମ୍ଭ କରିବାଟା ସମସ୍ତଙ୍କୁ ଅଡ଼ୁଆ ଲାଗିଲା। ପ୍ରଥମେ ବରେଣ୍ୟ ଅନେଇଲା ପ୍ରୀତି ମହାନ୍ତି ମୁହଁକୁ। ଆଉ ରବି ଅନେଇଲା ବରେଣ୍ୟ ମୁହଁକୁ। ଆଉ ସମସ୍ତେ ମିଳିମିଶି ହସିଦେଇ ସ୍ୱରୂପାର କଥାଟାକୁ ଉଡେ଼ଇ ଦେଲେ।

 ସ୍ୱରୂପା କହିଲା- ‘ୟା ଉପରେ ମୁଁ କେବଳ ବରେଣ୍ୟର ନୁହେଁ ରବି ଓ ପ୍ରୀତିର ଭିଉ ନେବାକୁ ବି ଚାହୁଁଛି। ପ୍ରକୃତରେ ଆମ ୟଙ୍ଗ୍ ମାନଙ୍କ ମଧ୍ୟରେ ପ୍ରେମ କରିବାର ପ୍ରବଣତା ଯେତେ ଅଧିକ, ପ୍ରଣୟ ବା ବିବାହକୁ ବୁଝିବାର ଶକ୍ତି ସେଇ ତୁଳନାରେ କମ‌୍‍।’

 ବରେଣ୍ୟ କହିଲା- ‘ସ୍ୱରୂପା ତମ ବୁଝିବାରେ ଯଥେଷ୍ଟ ସତ୍ୟତା ରହିଥାଇ ପାରେ, କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ଏହା ଠିକ‌୍‍ ନୁହେଁ। ପ୍ରେମ ପ୍ରଣୟର ପରିଭାଷା ନିର୍ଭର କରେ ପ୍ରେମିକ ପ୍ରେମିକାଙ୍କ ଉପରେ। ପ୍ରେମ ସମୟରେ ଦୁହିଁଙ୍କ ମଧ୍ୟରେ ଥିବା ବନ୍ଧୁତା ଓ ଭଲ ପାଇବାକୁ ବଳବତ୍ତର ରଖିବାକୁ ଯେଉଁ ଇଚ୍ଛାଶକ୍ତି ଓ କୌଶଳର ଆବଶ୍ୟକତା ଥାଏ ତାହା ହୁଏତ ସମସ୍ତଙ୍କ ପାଖରେ ନଥାଏ।’

 ବରେଣ୍ୟ ପ୍ରୀତି ପାଇଁ ସ୍ପେଶାଲି ମଗାଇଥିବା ମସଲା ପାପଡ଼ ଆସି ସାରିଥିଲା। ଅନ୍ୟ ସମସ୍ତଙ୍କ ପାଇଁ ପ୍ଲେନ‌୍‍ ପାପଡ଼। ବରେଣ୍ୟକୁ ସିଧା ନ ଅନେଇ ପ୍ରୀତି କହିଲା- ‘ମୋ ପାଇଁ ବି ପ୍ଲେନ‌୍‍ ପାପଡ଼ ମଗାଇଥିଲେ ଅସୁବିଧା ହୋଇନଥାନ୍ତା।’

 ବରେଣ୍ୟ ଏ କଥାର ମଜ୍ଜା ନେଲା। ଆଉ କହିଲା- ‘ସ୍ପେଶାଲ‌୍‍ ଲୋକ ପାଇଁ ସ୍ପେଶାଲ‌୍‍ ଆରେଞ୍ଜମେଣ୍ଟ କରାଗଲେ ଅସୁବିଧା କ’ଣ?’

 ପ୍ରୀତି ମହାନ୍ତି ପୁଣି ଲାଜରେ ସଢ଼ିଗଲା। ବରେଣ୍ୟ ଏମିତି ଅନେକ ସମୟରେ ତାକୁ ଅଡ଼ୁଆରେ ପକାଏ। ଲଜ୍ଜିତ କରାଏ। ବରେଣ୍ୟର ନଖରାମି ପ୍ରୀତିକୁ ଭଲ ଲାଗେ। କିନ୍ତୁ ସେ ତାକୁ ଜୀବନସାଥୀ ଭାବେ ଗ୍ରହଣ କରିପାରିବ ନାହିଁ। ଏହାର ଅନେକ କାରଣ ତା’ପାଖରେ ଅଛି।

 ଏହି ସମୟରେ ରବି କହିଲା- ‘କଥାଟା ସ୍ପଷ୍ଟ ହୋଇଯିବା ଦରକାର। ପ୍ରୀତି ଖୋଲିକରି କହିପାରିବେ କି ବରେଣ୍ୟକୁ ବିବାହ କରିବାରେ ଆପଣଙ୍କ ପାଖରେ କି ସମସ୍ୟା ଅଛି?’

 ଏ ପ୍ରଶ୍ନ ଶୁଣି ଖାଇବା ଟେବୁଲ ଛାଡ଼ି ଚାଲିଯିବାକୁ ଉଦ୍ୟତ ହେଉଥିଲା ପ୍ରୀତି ମହାନ୍ତି। ତା ହାତକୁ ଟାଣି ଧରିଲା ସ୍ୱରୂପା। ବାଧ୍ୟ ପିଲାଟେ ପରି ଓନି ସଜାଡ଼ି ତଳକୁ ମୁହଁ କରି ପ୍ରୀତି କେବଳ ବସିରହିଲା ଚେୟାରରେ।

 ଓଃ ! ଏମିତି ଏକ ସିଧାସଳଖ ପ୍ରଶ୍ନର କି ଉତ୍ତର ସେ ଦେଇପାରେ? ପୁଣି ଏମିତି ଏକ ହାଟରେ? ସେ ତ କେବେ ବରେଣ୍ୟର ପ୍ରସ୍ତାବକୁ ଏଡେ଼ଇ ଦେଇନାହିଁ। ହଁ ଏ ପର୍ଯ୍ୟନ୍ତ ସେ କଥାଟାକୁ ସିରିୟସ‌୍‍ଲି ଗ୍ରହଣ କରିନାହିଁ। ଏହାର କାରଣ, ବରେଣ୍ୟର ପ୍ରେମର ଓଜନ ସେ ମାପି ପାରିନାହିଁ। ବାସ‌୍‍ ! ଥରଟିଏ କେବଳ ବରେଣ୍ୟ ତାକୁ କହି ଦେଇଛି ଯେ ‘ମୁଁ ତମକୁ ବାହା ହେବାକୁ ଚାହେଁ ପ୍ରୀତି।'

 ଗୋଟେ ବାହାଘର ମ୍ୟାଟେରିଆଲାଇଜ‌୍‍ ହେବାପାଇଁ କ’ଣ ଏତିକି ହିଁ ଦରକାର? କିନ୍ତୁ ରବିର ପ୍ରଶ୍ନର ଉତ୍ତର ସେ ଦେଇପାରୁ ନଥିଲା ସିଧାସଳଖ ଭାବରେ। ସେ ଯେ ବରେଣ୍ୟକୁ ଅସ୍ୱୀକାର କରୁନାହିଁ ତାହା ମଧ୍ୟ ସେ ଖୋଲାଖୋଲି ଭାବେ କହିବାକୁ ଲାଜ କରୁଥିଲା। ପ୍ରେମରେ ଝିଅଟିଏ କ’ଣ ମୁହଁ ଖୋଲି ସବୁକଥା କହେ? ସବୁବେଳେ ତା’ ଅସ୍ଥିର ଆଖି, ତା’ ଥର ଥର ଓଠ, ତା ଲାଜୁଆ ମୁହଁ, ତା କମ୍ପିତ ଶରୀର ଏ କଥା କହନ୍ତି। ସୂଚେଇ ଦିଅନ୍ତି, ଆମେ ତମ ଆହ୍ୱାନକୁ ସ୍ୱୀକାର କରୁଛୁ। ହଁ ଆମେ ପ୍ରସ୍ତୁତ।

ପ୍ରୀତି ମହାନ୍ତି ପାଇଁ ଓକିଲାତି କଲା ସ୍ୱରୂପା। ସେ କହିଲା- ‘ସମସ୍ୟା ଅନେକ। ଆପଣ କେବଳ ଅଟକି ଯାଇଛନ୍ତି ପ୍ରୀତି ପାଖରେ। କିନ୍ତୁ ଆମ ସମାଜରେ ଝିଅଟିଏ ନିଜର ସ୍ୱତନ୍ତ୍ର ପରିଚୟ ଧରିରଖି ପାରେନା। ସେ କାହାର ଝିଅ, ତ କାହାର ଭଉଣୀ, କାହାର ସ୍ତ୍ରୀ, କାହାର ମାଆ। ତା’ର ସମଗ୍ର ଠିକଣା ଯୋଗାଡ଼ କରା ଯାଇଥାଏ ଅନ୍ୟଜଣକ ମାର୍ଫତରେ। ଏଭଳି ପରିସ୍ଥିତିରେ କେବଳ ପ୍ରୀତିର ରାୟ ନେଲେ ଭୁଲ ହେବ। ସେ ଏବେ ଗୋଟେ ଘରର ବୋହୂ। ଗୋଟିଏ ପିଲାର ମାଆ। ଜଣେ ଯୁବକର ଭାଉଜ। ଆଉ ବିଧବାଟିଏର ସ୍ଥିତି ଆମ ସମାଜରେ ଯାହା ସେଥିରେ ପ୍ରୀତି ନିଜ ପାଇଁ ଏକ ନିଷ୍ପତ୍ତି ନେବା ଅସମ୍ଭବ କେବଳ ନୁହେଁ ଅପରାଧ ମଧ୍ୟ।’

ବରେଣ୍ୟ ମୁହଁ ଖୋଲିଲା- ‘ଆମେ କେବେ ଏ ପରଂପରାକୁ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି?’

 ପ୍ରକୃତରେ ପ୍ରୀତି ମହାନ୍ତିକୁ ପ୍ରଣୟ ନିବେଦନ କଲାବେଳେ ବରେଣ୍ୟ ଏତେ ଫିକର ଫନ୍ଦି ବୁଝିନଥିଲା। ଗୋଟେ ଆଦର୍ଶ, ଗୋଟେ ଆବେଗ, ଗୋଟେ ପ୍ରବଣତାରେ ସେ ସିନା ଆଗେଇ ଯାଇଥିଲା, କିନ୍ତୁ ତା ଭିତରେ ଏତେ କମ୍ପ୍ଲିକେସି ଯେ ଥାଇପାରେ ସେ ଏବେ ବୁଝୁଛି। କିନ୍ତୁ ସେ ବୋଧେ ହାରିବା ପିଲା ନୁହେଁ। ପ୍ରୀତି ମହାନ୍ତିକୁ ସେ ବନ୍ଧୁ ଭାବରେ ଗ୍ରହଣ କରିଛି। ହଁ, ଏ କଥା ସତ ଯେ ଆବେଗରେ କେବେ କେବେ ଦୁହେଁ ଚାହିଁଛନ୍ତି ପରସ୍ପରର ଶରୀର। ଆଉ ଶରୀରର ଏ ଖେଳ ତାକୁ ଆହୁରି ଅଧିକ ତୀବ୍ର ଭାବରେ ବିହ୍ୱଳ କରିଛି ପ୍ରୀତିକୁ ପାଇବାକୁ। ଅନେକଥର ସେ ଭାବିଛି, ପ୍ରୀତି ମହାନ୍ତି ଦେହରେ ଏମିତି କ’ଣ ଅଧିକ ଥାଇପାରେ ? ସେଇ ସମାନ କଥା ଯାହା ଶାଶ୍ୱତୀ, ସସ୍ମିତା ଓ ସ୍ୱପ୍ନା ଦେହରେ ଥିଲା। କିନ୍ତୁ ବୋଧହୁଏ ଯାହା ଏଠି ଅଧିକ ଅଛି ତାହା ହେଉଛି ଦେହର ଉତ୍ତାପ।

 ବରେଣ୍ୟ ପ୍ରଶ୍ନର ଉତ୍ତର ପ୍ରୀତି ଦେବା ଅବସ୍ଥାରେ ନଥିଲା। ତେଣୁ ସ୍ୱରୂପା ହିଁ ହୋଇଛି ତା’ର ଓକିଲ। ସେ କହିଲା- ‘ଅନେକଥର ହୋଇଛି। ଏ ଦୁନିଆଁରେ ଏମିତି ଅନେକ ଉଦାହରଣ ଖୋଜିଲେ ମିଳିବ। କିନ୍ତୁ ସଫଳତାର ଉଦାହରଣ ଖୁବ‌୍‍ କମ‌୍‍। ଆଉ ବାରମ୍ୱାର ପ୍ରୟାସ ପାଖରେ ସମାଜର ରକ୍ଷଣଶୀଳତା ମଧ୍ୟ ହାରିଯାଇ ନାହିଁ। ଆମେ ଯେତେ ଆଗେଇଥିଲେ ବି ପରିସ୍ଥିତି ବଦଳି ନାହିଁ। ଗୋଟେ ସମୟ ଥିଲା ଯେତେବେଳେ ହୁଏତ ପ୍ରୀତି ପାଇଁ ପରିସ୍ଥିତି ଥିଲା ଅତି ସହଜ। କିନ୍ତୁ ଏବେ ସେମାନେ ପ୍ରୀତିକୁ ଆଦରି ଗଲେଣି। ସେ ମଧ୍ୟ ନିର୍ଭରଶୀଳ ହୋଇପଡ଼ିଛି ତା’ ସଂସାର ପାଖରେ। ଆଉ ଜମେଇକି ରହିଥିବା ଏକ ସଂସାରକୁ ନିଜ ସ୍ୱାର୍ଥପାଇଁ ଭାଙ୍ଗିଭୁଙ୍ଗି ଦେଇ ପଳେଇଯିବା କ’ଣ ଠିକ‌୍‍ ହେବ?’

 ଚୁପ‌୍‍ ରହି ଯୁକ୍ତି ସବୁ ଶୁଣୁଥିଲା ପ୍ରୀତି ମହାନ୍ତି। କୌଣସି ୱିମେନ‌୍‍ ଆକ୍ଟିଭିଷ୍ଟଙ୍କ ପରି ଭାଷଣ ଦେଇ ଚାଲିଥିଲା ସ୍ୱରୂପା। ସେ ଘୂରି ବୁଲୁଥିଲା ବାସ୍ତବ ଦୁନିଆ ଭିତରେ। ଆଉ ସେ କହୁଥିବା କଥାଗୁଡ଼ିକ ଅସ୍ୱୀକାର କରିପାରୁ ନଥିଲା ପ୍ରୀତି। କିନ୍ତୁ ଏ ସବୁ ସତ୍ତ୍ୱେ ତା ମନ ବୁଝୁନଥିଲା। ସେ ବରେଣ୍ୟକୁ କେବେ ବି ମିସ‌୍‍ କରିବାକୁ ଚାହୁଁନଥିଲା ବୋଧେ। ସତ କହୁଛି, ଏତେସବୁ କମ୍ପ୍ଲିକେସିରେ ପଶିବା କ’ଣ ଦରକାର ଯେ, ଏମିତି ତ ସଂସାର ବେଶ‌୍‍ ଚାଲିଛି। ସେଥିପାଇଁ ସେ ସ୍ୱରୂପାକୁ ଚିମୁଟି ଚାଲିଥିଲା ଭିତରେ ଭିତରେ।

 ଖାଇବା ଆସି ଯାଇଥିଲା। ନାନ‌୍‍, ଡାଲ‌୍‍ ଫ୍ରାଏ, ମିକ୍ସ ଭେଜ‌୍‍, ଚିକେନ‌୍‍ କସା, ପାପଡ଼ ଓ ସାଲାଡ଼। ବରେଣ୍ୟକୁ ହାପି ବାର୍ଥଡେ଼ ଅଭିନନ୍ଦନ ଜଣେଇ ଖାଇବା ଆରମ୍ଭ କଲେ ସମସ୍ତେ। ପ୍ରୀତିର କିନ୍ତୁ ଖାଇବାକୁ ଆଦୌ ଆଗ୍ରହ ନଥିଲା। ସେ ଚାହୁଁନଥିଲା, ବରେଣ୍ୟ ଓ ତା ଭିତରର ସଂପର୍କକୁ ନେଇ ସମସ୍ତେ ଆଲୋଚନା କରନ୍ତୁ। ଦୁହେଁ ବସି ସମସ୍ୟାର ସମାଧାନ କରିପାରିବେ। ପ୍ରୀତି ଭଲକରି ବରେଣ୍ୟର କାନ ମୋଡ଼ି ରାଜି କରେଇ ଦେଇଥାନ୍ତା ଅନ୍ୟଆଡେ ବାହା ହେବାକୁ। ଆଉ ତା’ପରେ ଦୁହିଁଙ୍କ ମଧ୍ୟରେ ସେମିତି ଅତୁଟ ରହିଥାନ୍ତା ସଂପର୍କର ଡୋରି। କିନ୍ତୁ ବରେଣ୍ୟ ମାନୁନାହିଁ।

 ରବି କହିଲା- ‘ଏ ସଂପର୍କରେ ଆମେ ପ୍ରୀତିର ଶାଶୂ ଶ୍ୱଶୁରଙ୍କ ସହ କଥା ହେଲେ ହୁଅନ୍ତା ନାହିଁ? କାଲି ସେମାନଙ୍କୁ ଦେଖା କରିବାକୁ ଅନ୍ତତଃ ମୁଁ ଚାହୁଁଛି।’

ରବିର କଥା ଶୁଣି ପ୍ରୀତି ମହାନ୍ତିର ଛାତି ଦାଉଁ କଲା। ତରତର ଓ ଡରରେ ତା ପାଟିରୁ ବାହାରି ଆସିଲା- ‘ନା, କେବେ ନୁହେଁ...’

 ସ୍ୱରୂପା କହିଲା- ‘ଆପଣ ପାଗଳ ହୋଇଗଲେ ନା କ’ଣ? ଜାଣିଛନ୍ତି ଏହାର ପରିଣାମ କ’ଣ ହେବ? ସେମାନେ ଆପଣଙ୍କ କଥାକୁ କେମିତି ଗ୍ରହଣ କରିବେ ତାହା କିଏ କହିବ? ନିଜ ସ୍ୱାର୍ଥ ଦେଖିଥିଲେ ପ୍ରୀତି କେବେଠାରୁ ଆଉ କାହାର ପତ୍ନୀ ହୋଇ ନୂଆ ସଂସାର ଆରମ୍ଭ କରିପାରିଥାନ୍ତା। କିନ୍ତୁ ଦୁଇଟି ବୁଢ଼ାବୁଢ଼ୀଙ୍କ ଭରସାକୁ ଭାଙ୍ଗିଦେବାକୁ ତା ପାଖରେ ହୁଏତ ଆଉ ସମୟ ନାହିଁ। ମୁଁ ଭାବୁଛି ପ୍ରୀତି ଏଥିରେ ଶତ ପ୍ରତିଶତ ରାଜି ହେବ।’

ପ୍ରୀତି ପାଖରେ ଅରାଜି ହେବାର ଆଉ ଉପାୟ ହିଁ ନଥିଲା। ସେ ଗୋଟେ ଜାଲରେ ବାନ୍ଧିହୋଇ ଯାଇଛି। ସେ ଜାଲର ଫାଙ୍କ ଦେଇ ଦୁନିଆର ସବୁ ଦିଗ ତ ତାକୁ ଦିଶୁଛି, କିନ୍ତୁ ସେଠୁ ମୁକୁଳି କୋଉ ଗୋଟେ ଦିଗକୁ ଧାଇଁ ଯିବାର ସାହସ ତା'ର ନାହିଁ। ସେଇଠି ତା’ର ସଂସାର। ସେଇଠି ତା’ର ଜୀବନ।

(କ୍ରମଶଃ)

(ଭାଗ-୧୨ର ଆକର୍ଷଣ: ଅଫିସ‌୍‍ ସାରା ହାଲ୍ଲା। ବରେଣ୍ୟ ଚ୍ୟାନେଲ ଛାଡ଼ି ଦେଉଛି। ନ୍ୟୁଜ‌୍‍ ଡେସ୍କଠାରୁ କ୍ୟାଣ୍ଟିନ‌୍‍ ପର୍ଯ୍ୟନ୍ତ, ରିପୋର୍ଟରଠାରୁ ନ୍ୟୁଜ‌୍‍ଚିଫ‌୍‍ ପର୍ଯ୍ୟନ୍ତ ସମସ୍ତେ ସେଇ ଗୋଟିଏ ଚର୍ଚ୍ଚାରେ ବ୍ୟସ୍ତ। ତେବେ କ’ଣ ପ୍ରୀତି ପାଇଁ ସେ ଚ୍ୟାନେଲ୍ ଛାଡିଲା? ପ୍ରୀତି ସହ ତା ସଂପର୍କ କଣ ସେଇଠି ରହିଗଲା ନା ଆଗେଇଲା?)

ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"-୧୦