ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"-୧୦

(ଭାଗ-୧୦)
ଅପରାଜିତା ଚୌଧୁରୀଙ୍କ ଘର ଅପେକ୍ଷା ବେଶୀ ମନୋରମ ଲାଗୁଥିଲା ତାଙ୍କ ଘର ସାମ୍ନାର ଲନ୍। କ୍ୟାମେରାମ୍ୟାନ ସୁନୀଲକୁ ପ୍ରୀତି ପ୍ରସ୍ତାବ ଦେଇଥିଲା- ଏଇଠି ହିଁ କରିଦେବା ଇଣ୍ଟରଭ୍ୟୁଟା।
ଘର ଭିତରେ ସୁଟିଂ ପାଇଁ ଆଗରୁ ଯୋଜନା କରିଥିବା ସୁନୀଲ ମନକୁ ମଧ୍ୟ ପ୍ରୀତିର ପ୍ରସ୍ତାବଟା ବେଶ୍ ପାଇଥିଲା। ତେଣୁ ସେ ଲୋକେସନ୍ ବୁଲି ମାପଚୁପ ଆରମ୍ଭ କରିଦେଇଥିଲା। କୋଉଠି ରହିବ ଆଙ୍କର ଆଉ କୋଉଠି ରହିବେ ଗେଷ୍ଟ। କୋଉଠି ରହିବ କ୍ୟାମେରା ଆଉ କ'ଣ ରହିବ ବ୍ୟାଗ୍ରାଉଣ୍ଡ। ଚାଲିଚାଲି ଇଣ୍ଟରଭ୍ୟୁ କଲେ ଭଲ ହେବ ନା ଚେୟାରରେ ବସି।
ପ୍ରୀତି ମହାନ୍ତି ମଧ୍ୟ ନିଜକୁ ପ୍ରସ୍ତୁତ କରୁଥିଲା। ସେ ନ୍ୟୁଜ୍ ଆଙ୍କରିଂ କରିଛି। କ୍ୟାମେରା ଆଗରେ ବସି ଅନାୟାସରେ ଟେଲିପ୍ରମ୍ପଟର ପଢିଛି। କିନ୍ତୁ ଏମିତି ସ୍ପେଶାଲ ପ୍ରୋଗ୍ରାମ ପାଇଁ କେବେ ଇଣ୍ଟରଭ୍ୟୁ କରିନାହିଁ। ଏଥିରେ ଖୁବ କ୍ରିଏଟିଭିଟି ଅଛି। ମୁଣ୍ଡ ଖଟେଇବାକୁ ପଡିବ। ତା ପରେ ଅପରାଜିତା ଚୌଧୁରୀ ଜଣେ ଖୁବ ଜଣାଶୁଣା ସମାଜସେବୀ। ତାଙ୍କ ପଛରେ ରହିଛି ଏକ ଶକ୍ତିଶାଳୀ ପାରିବାରିକ ପରଂପରା। ବାପା ଥିଲେ ସେ ସମୟର ଜଣେ ସ୍ୱାଧୀନତା ସଂଗ୍ରାମୀ। ପରବର୍ତ୍ତୀ ସମୟରେ ଯିଏ ହୋଇଥିଲେ ପ୍ରଦେଶର ଗୃହ ଓ ସ୍ୱାସ୍ଥ୍ୟମନ୍ତ୍ରୀ। ସେହି କ୍ରମରେ ଅପରାଜିତା ଥିଲେ ମହିଳା କମିଶନ ଅଧ୍ୟକ୍ଷା। ଏବେ ଏବେ ସେ ରାଜ୍ୟ ସରକାର ଓ ଏକ ଶିଳ୍ପ-ବିରୋଧୀ ପ୍ରଜାମେଳି ମଧ୍ୟରେ ସନ୍ଧି କରାଇ ରହିଛନ୍ତି ଖବରର ଶୀର୍ଷରେ। ତେଣୁ କୋଉଠୁ ଆରମ୍ଭ କରିବ ଇଣ୍ଟରଭ୍ୟୁ ତାହା ଜାଣିପାରୁ ନଥିଲା ପ୍ରୀତି ମହାନ୍ତି।
ସକାଳେ ଅଫିସରେ ପହଞ୍ଚିଲା ପରେ ପ୍ରଥମେ ସିକ୍ୟୁରିଟି ହିଁ ପ୍ରୀତିକୁ କହିଥିଲା, ବରେଣ୍ୟ ଡେରିରେ ଆସିବ। ସେ ସିଧା ସୁଟିଂସେଟ୍ରେ ପହଞ୍ଚିବ। ତେଣୁ ସମୟ ନଷ୍ଟ ନକରି ପ୍ରୀତି କ୍ୟାମେରା ଟିମ୍ ସହ ପଳେଇ ଆସିଥିଲା ଅପରାଜିତା ଚୌଧୁରୀଙ୍କ ଘରକୁ। ପ୍ରକୃତରେ ଅପରାଜିତାଙ୍କ ବିଷୟରେ ଯେତିକି ପ୍ରସ୍ତୁତ ହେବାକଥା ପ୍ରୀତି ମହାନ୍ତିକୁ ଲାଗୁଛି, ସେ ସେତିକି ହୋଇନାହିଁ। ଅନ୍ୟଦିନ ହୋଇଥିଲେ, ବରେଣ୍ୟ ଏଥିପାଇଁ ପ୍ରୀତିର ଏକ ସ୍ୱତନ୍ତ୍ର କ୍ଲାସ୍ ନେଇଥାନ୍ତା। ସବୁ ଡାଟା ସେ ହିଁ କଲେକ୍ସନ କରି ଆଣିଥାନ୍ତା, ଆଉ ପ୍ରଶ୍ନ ବି ସେ ତିଆରି କରିଥାନ୍ତା। କିନ୍ତୁ ଏତେଦିନର ପିଚୁରାସ୍ତାଟା ହଠାତ୍ ଗୋଟାଏ ମାତ୍ର ସଂଧ୍ୟାରେ ଆବୁଡ଼ା ଖାବୁଡ଼ା ହୋଇଗଲା। ଏବେ ସେ ସଂପର୍କ ଫେରିବାକୁ କ’ଣ କରିବାକୁ ପଡ଼ିବ ପ୍ରୀତି ଜାଣିପାରୁ ନଥିଲା। ସେ ଚିନ୍ତାକରି ଆସିଛି, ଆଜି ହିଁ ବରେଣ୍ୟ ସହ ସିଧାସଳଖ କିଛି ଗୋଟେ କଥା ହୋଇଯିବ।
ସୁନୀଲ କହିଲା- ‘ମ୍ୟାଡାମ ମୁଁ ସଂପୂର୍ଣ୍ଣ ରେଡ୍ଡି। ଆପଣ ଚୌଧୁରୀ ମ୍ୟାଡାମଙ୍କ ସହ ଫର୍ମାଲ କଥାବାର୍ତ୍ତା ଆରମ୍ଭ କରନ୍ତୁ। ପ୍ରଥମେ କିଛି କଟ୍ଆୱେଜ୍ ନେଇନେବା। ବରେଣ୍ୟ ବାବୁ ଆସିଲେ ଇଣ୍ଟରଭ୍ୟୁ ଆରମ୍ଭ କରିବା।’
ପ୍ରୀତି ମୁଣ୍ଡ ଟୁଙ୍ଗାରି ଦେଲା। କିନ୍ତୁ ବରେଣ୍ୟକୁ ଅପେକ୍ଷା କରିବାକୁ ସେ ଚାହୁଁନଥିଲା। କାହିଁକି ଯେ? ସେ ଆଉ ବରେଣ୍ୟ ଉପରେ ନିର୍ଭର କରିବ ନାହିଁ। ତା’ର ଏଇ ନିର୍ଭରଶୀଳତା ହିଁ ତାକୁ ଆଜି ଅଡ଼ୁଆରେ ପକାଇଛି। ସେ ପାଲଟିଯାଇଛି ଏକ ମାଧବୀ ଲଟା। ବରେଣ୍ୟ ଦେହରେ ସେ ମାଡ଼ିମାଡ଼ି ଗୁଡେ଼ଇ ତୁଡେ଼ଇ ହୋଇ ଉପରକୁ ଉଠିଛି। ଏ କଥା ସେ ସ୍ୱୀକାର କରିବାକୁ ବାଧ୍ୟ। ତାକୁ ଏ ବିଷୟରେ ବେଳେବେଳେ ଅଫିସରେ ଅନ୍ୟମାନେ ବଙ୍କାତେଢ଼ା କଥାକହି ଚେତେଇ ଦେଇଛନ୍ତି।
ଆଉ ସବୁଠୁ ବଡ଼ କଥା ହେଲା, ଅନ୍ୟମାନଙ୍କ କଥାରୁ ସେ ବେଶ୍ ମଜ୍ଜା ଉଠାଏ। ବରେଣ୍ୟ ସହ ଯୋଡ଼ିଯାଡ଼ି ତାକୁ କେହି କିଛି କହିଲେ ଯେମିତି ସେ ଏହାକୁ ଅଯଥାଟାରେ ବିରୋଧ କରେ। ତା’ର ଏ ସବୁ ଶୁଣିବାକୁ ଯେମିତି ବେଶ୍ ଆଗ୍ରହ ଥାଏ। ଆଜି କିନ୍ତୁ ହଠାତ ସେ ବରେଣ୍ୟକୁ ସହି ପାରୁନାହିଁ। ସେ ଆଉ ମାଧବୀ ଲଟା ନୁହେଁ। ସେ ନିଜେ ଗୋଟେ ମେରୁଦଣ୍ଡ-ଯୁକ୍ତ ଗଛ ହୋଇ ଛିଡ଼ା ହେବାକୁ ଚାହୁଁଛି। କିନ୍ତୁ କାହିଁକି? ବରେଣ୍ୟଠାରୁ କ’ଣ କିଛି ବିପଦ ଅଛି? ବରଂ ସେ ତାକୁ ସାହାରା ଦେବାକୁ ଚାହୁଁଛି। ସେ ତା ପ୍ରତି ସହାନୁଭୂତିଶୀଳ ହୋଇଛି। ଏଥିରେ ଭୁଲ ରହିଲା କେଉଁଠି?
ଭୁଲ ଅଛି। ଆମ ସମାଜରେ କୌଣସି ବିଧବା ମହିଳା ଅନ୍ୟ ପୁରୁଷ କଥା ଚିନ୍ତା କରିବା ପାପ। ସେ ଶୁଭ କାମକୁ ଯାଇପାରିବ ନାହିଁ। ତା ମୁହଁ ଅଶୁଭ। ତା ପାଇଁ ସମାଜ କରିଛି ଏକ ସ୍ୱତନ୍ତ୍ର ଦୁଆର। ସେ ଦୁଆର ଦେଇ ସେ କେବଳ ଅନ୍ୟକୁ ଦେଖିପାରିବ। ତାକୁ କେହି ଦେଖିବା ଅସମ୍ଭବ। ଆଉ ପୁନଃ ବିବାହ କଥା ! ଏହା ଯେମିତି ପାପ ନୁହେଁ ଅପରାଧ। କିନ୍ତୁ ବରେଣ୍ୟ ଏ ସବୁ ବୁଝେନା। ଏମିତିକି ପ୍ରୀତିର ଶାଶୂ ଶ୍ୱଶୁର ବି ଏସବୁ ବୁଝନ୍ତି ନାହିଁ। ବର ଓହଳ ପରି ଚାରିଆଡେ଼ ଲମ୍ୱି ଯାଇଥିବା ବର୍ଷ ବର୍ଷର ଏ ଅଲିଖିତ ନିୟମକୁ ନମାନିଲେ ସମାଜ ଯେ ତାକୁ କ’ଣ କହିବ ସେ କଥା ପ୍ରୀତି ମହାନ୍ତି ଅନୁମାନ କରିପାରୁଥିଲା। ଏପଟେ ଏକାଏକା ଜୀବନ ଏମିତି ବେଶ୍ ଭଲ ଚାଲିଛି। ପୁଣିଥରେ ଜଣଙ୍କର ହାତ ଧରି ବୁଲିବା କେବଳ ଅସମ୍ଭବ ନୁହେଁ ଅଡ଼ୁଆ ମଧ୍ୟ।
କ୍ୟାମେରାମ୍ୟାନ ଖବର ଦେଲା, ଲାଇଟିଂ ରେଡ଼ି। ପ୍ରଥମେ ଘର ଭିତରେ କିଛି ସଟ୍ ନିଆସରିଛି। ଏବେ ପ୍ରୀତି ସହ ଚୌଧୁରୀ ମ୍ୟାଡାମଙ୍କର କିଛି ଟୁ-ସଟ୍ ଦରକାର। ପ୍ରୀତି ଉଠିଲା। ସୁଟିଂ ପାଇଁ ସେ ଅଫିସରୁ ହିଁ ଡ୍ରେସ୍ ବଦଳେଇ ଆସିଛି। କାଲି ଫୋନ କରି ବରେଣ୍ୟ ହିଁ କହିଥିଲା, ଗୋଟେ ଭଲ ଗର୍ଜିୟସ୍ କଲର୍ ଚୁଡ଼ିଦାର ପିନ୍ଧି ଆସିବାକୁ। କାରଣ ଗେଷ୍ଟ ଜଣେ ସମ୍ମାନସ୍ପଦ ମହିଳା, ଯାହାଙ୍କ ସହ କଥାବାର୍ତ୍ତା ବେଳେ ଆଙ୍କର ଟିକିଏ ଗମ୍ଭୀର ଓ ଡିସେଣ୍ଟ ଲାଗିବା ଦରକାର। ତେବେ ଡ୍ରେସ୍ ପାଟର୍ଣ୍ଣ ତ ଚେଞ୍ଜ କରିହେବ ନାହିଁ, ତାକୁ କେବଳ କଲରଫୁଲ କରିବାକୁ ଗର୍ଜିୟସ୍ କରାଯାଇ ପାରିବ।
କ୍ୟାମେରା ଆଗରେ ମିସେସ୍ ଚୌଧୁରୀଙ୍କ ସହ ହସି ହସି କଥା ହେବାକୁ ଚେଷ୍ଟା କଲା ପ୍ରୀତି। କ୍ୟାମେରାମ୍ୟାନ୍ ସୁନିଲ କହିଲା- ‘ମୁହଁରେ ଟିକେ ହସ ଫୁଟାନ୍ତୁ ମ୍ୟାଡାମ।’ କିନ୍ତୁ ପ୍ରୀତି ମହାନ୍ତି ସହଜ ହୋଇପାରୁନଥିଲା। ତା ମୁହଁରେ ବ୍ୟସ୍ତତାର ଛାଇ କ’ଣ ଦେଖାଯାଉଛି ଅନ୍ୟମାନଙ୍କ ଆଖିରେ? ସେ କ’ଣ ଧରାପଡ଼ି ଯାଉଛି? ସେ ଚେଷ୍ଟା କଲା ମିସେସ୍ ଚୌଧୁରୀଙ୍କ ସହ କିଛି ପ୍ରାଇଭେଟ୍ କଥା ହେବାପାଇଁ। ଏଇ ଯେମିତି, ଆପଣ କେଉଁ ମେକପ୍ ନିଅନ୍ତି? କଲେଜ କେଉଁଠି ପଢୁଥିଲେ? ଏ ଶାଢିଟା କେଉଁଠୁ କିଣିଥିଲେ? କେବେଠୁ ସମାଜ ସେବାକୁ ଆସିଲେ ଇତ୍ୟାଦି ଇତ୍ୟାଦି। ପ୍ରକୃତରେ ଟୁ-ସଟ୍ ନେବାବେଳେ କ’ଣ ସବୁ କଥାବାର୍ତ୍ତା କରିବାକୁ ପଡେ଼ ପ୍ରୀତିକୁ ହୁଏତ ଜଣାନଥିଲା। ସେ ନିବୁଜ୍ ଷ୍ଟୁଡିଓରେ ବସି ଖବର ପଢିବା ଲୋକ। ଆଉଟ୍ ଡୋର୍ ସୁଟିଂରେ ତା'ର ଏକ୍ସପେରିଏନ୍ସ ନାହିଁ। ତେଣୁ ସଟ୍ ଦେଲାବେଳେ ତାକୁ କନ୍ସସ୍ ଲାଗୁଥିଲା। ଜଣେ ସମାଜସେବୀଙ୍କ ସହ ପ୍ରାଇଭେଟ୍ କଥା କିଛି ହେଲେ ଚଳନ୍ତା କି? ନାଃ, ଏ ସବୁ ଛୋଟ ସମସ୍ୟା ସଂପର୍କରେ କଥାହେଲେ ହୁଏତ ସେମାନଙ୍କର ସମୟ ହିଁ ନଷ୍ଟ ହେବ। ଦେଶରେ ରହିଛି ଅନେକ ବଡ଼ ବଡ଼ ସମସ୍ୟା, ସେଥିପାଇଁ ଏମାନେ ଖଟେଇବେ ସେମାନଙ୍କ ଚିନ୍ତା ଓ ଚେତନା।
-"ମ୍ୟାଡାମ, ସଟ୍ ଫିନିସ୍, ପ୍ଲିଜ୍ ପ୍ରିପେୟାର୍ ଫର୍ ୟୋର୍ ଇଣ୍ଟରଭ୍ୟୁ। ବରେଣ୍ୟବାବୁ ଆସିଗଲେଣି।' କହିଲା ସୁନିଲ।
ଆସିଗଲାଣି !! ପ୍ରୀତି ନିଜକୁ ପ୍ରସ୍ତୁତ କରୁଥିଲା। ବରେଣ୍ୟ ତାକୁ ବିବାହ ପ୍ରସ୍ତାବ ଦେଲାପରେ ଦୁହେଁ ଆଉ ସାମ୍ନାସାମ୍ନି ହେବାର ସୁଯୋଗ ପାଇନାହାନ୍ତି। ବରେଣ୍ୟ ତା ପରେ କୁଆଡେ ଯାଇଥିଲା, କ'ଣ କରୁଥିଲା ସେ ସଂପର୍କରେ ପ୍ରୀତି ମହାନ୍ତି ପାଖରେ କିଛି ଖବର ନାହିଁ। ତା ବିଷୟରେ ପଚାରିବାକୁ ତାକୁ ସଙ୍କୋଚ ମଧ୍ୟ ଲାଗୁଛି। ଗୁମସୁମ୍ ଓ ଚିନ୍ତନ ପ୍ରକ୍ରିୟା ଭିତରେ କଟିଗଲା କିଛିଦିନ। ତା’ପରେ ବୋଧେ କିଛିଦିନ ଛୁଟିରେ ଗଲା ବରଣ୍ୟ। ଦୁହେଁ ହୁଏତ ଭେଟାଭେଟି ହୋଇଯାଇଥିଲେ କଥା କୁଆଡେ଼ କୁଆଡେ଼ ଆଗେଇ ଯାଇଥାନ୍ତା। ତା ସହିତ ପରସ୍ପର ସହଜ ମଧ୍ୟ ହୋଇଯାଇଥାନ୍ତେ। ମନ ଭିତରେ ଗତ କିଛିଦିନ ଧରି ରାଜୁତି କରୁଥିବା ଅନ୍ୟମନସ୍କତା ବି ତୁଟି ଯାଇଥାନ୍ତା। ଆଉ ବର୍ଷାପାଣି ଚାଲିଆସି ମଇଳା ହୋଇଥିବା ବାଲିଦାଣ୍ଡଟା ବି ବେଶ୍ ସଫା ହୋଇଯାଇଥାନ୍ତା। କିନ୍ତୁ ସେ ସୁଯୋଗ ଏ ପର୍ଯ୍ୟନ୍ତ ଆସିନଥିଲା।
- ‘ପ୍ରୀତି ଆର୍ ୟୁ ରେଡ୍ଡି?’
ପାଖାପାଖି ପନ୍ଦର ଦିନର ବ୍ୟବଧାନ ପରେ ବରେଣ୍ୟକୁ ସିଧାସଳଖ ଭେଟୁଛି ପ୍ରୀତି। ସେ ଅପ୍ରସ୍ତୁତ ହୋଇଯାଉଛି। ଚଉଠି ରାତି ପରଦିନ ସକାଳେ ଲାଜ ଓ ଅନ୍ୟମନସ୍କତାରେ କାହାକୁ ମୁହଁ ଦେଖେଇ ପାରୁନଥିବା ନୂଆ କନିଆଟିଏ ପରି ତା ଅବସ୍ଥା। ଅବିନ୍ୟସ୍ତ ତା ମନ ଅଗଣା। ଯେମିତି ଅନେକ ଦିନ ହେଲା ଧୁଆ ହୋଇପାରିନାହିଁ ତା ପିନ୍ଧା ବସନ। ଖୁବ୍ ଅସଜଡ଼ା। କିନ୍ତୁ ବରେଣ୍ୟ ମୁହଁରେ ଏସବୁ ବ୍ୟସ୍ତତା ନାହିଁ। ସେ ଖୁବ୍ ସହଜରେ ଆସିଲା ଏବଂ ବିନା ଉପକ୍ରମଣିକାରେ ପଚାରିଦେଲା- ଆର୍ ୟୁ ରେଡ୍ଡି ପ୍ରୀତି?
ଏଃ... ଏମିତି କ’ଣ ହେବାର ଥିଲା ଏକ ଅସଜଡ଼ା ଓ ଗୋଳିଆ ସଂପର୍କର ଆରମ୍ଭ? ତା ହେଲେ ପ୍ରୀତି କ’ଣ ଚାହେଁ ବରେଣ୍ୟ ବି ତା ପରି ଅନ୍ୟମନସ୍କ ହେଉ? ସେ ତ ତାକୁ ସ୍ୱୀକାର କରିବାକୁ ରାଜି ନୁହେଁ !! ସେ ତ ଚାହେଁ ବରଣ୍ୟ ସହ ଗଢ଼ିଉଠିଥିବା ତା ସଂପର୍କ ଏଇଠି ଚୁପ୍ ହୋଇଯାଉ। ଅଧାଗଢ଼ା ଇନ୍ଦିରା ଆବାସ ଘର ପରି ସେ ସଂପର୍କ ଉପରେ ମାଡ଼ିଯାଉ ଅନାବନା ଗଛଲଟା। ସେ ଚାହେଁ ବରେଣ୍ୟ ତାଠାରୁ ଦୂରେଇ ଯାଇ। ସେ ଚାହେଁ କି?
- "ଏତେଦିନ ହଠାତ କୁଆଡେ ଗାଏବ ହୋଇଯାଇଥିଲେ ସାର୍?' ବରେଣ୍ୟକୁ ପ୍ରଶ୍ନଟି ପଚାରିଦେଇ ସହଜ ହେବାକୁ ଚେଷ୍ଟା କରୁଥିଲା ପ୍ରୀତି ମହାନ୍ତି।
- "ଟିକିଏ କାମ ଥିଲା... ବାପାଙ୍କ ପାଖକୁ ଯାଇଥିଲି। ଏମିତି ବି ଅନେକ ଦିନହେଲା ତାଙ୍କ ସହ ଦେଖାହୋଇ ନଥିଲା। ଆଉ ଦଉଡି ଦଉଡି ଭୁବନେଶ୍ୱର ଆସିବା ବି ତାଙ୍କ ପକ୍ଷେ କଷ୍ଟ। ତେଣୁ ମୁଁ ନିଜେ ତାଙ୍କ ପାଖକୁ ଚାଲିଯିବାଟା ଉଚିତ ମନେକଲି।'
- ‘ବାପ ପୁଅ ଏକାଠି ହେଲେ ତମେ କ’ଣ ସବୁ କଥା ହୁଅ?’
- ‘କିଛିନାହିଁ, ନମାର୍ଲ। ହଁ ତେବେ ତମକଥା ବି ପଡିଥିଲା ଆମର।’
ପ୍ରୀତି ମହାନ୍ତି ଚମକି ପଡିଲା।
- ‘ମୋ କଥା? ସେ କ’ଣ ମତେ ଜାଣନ୍ତି? କ’ଣ ସବୁ କଥା ହେଲ ମୋ ବିଷୟରେ?'
ପ୍ରୀତି ମହାନ୍ତି ଚମକି ପଡିବା ସ୍ୱଭାବିକ ଥିଲା। ଏବେ ଏବେ ବରେଣ୍ୟ ସହ ତା'ର ଯେଉଁ ଏପିସୋଡ୍ ଆରମ୍ଭ ହୋଇଛି ତାକୁ ନେଇ ଚର୍ଚ୍ଚା କଲା କି? କ’ଣ କହିଥିବେ ବରେଣ୍ୟର ବାପା? କେଉଁ ବାପା ବା ଭଲା ଚାହୁଁଥିବ ତା ପୁଅ ଗୋଟେ ବିଧବାକୁ ବାହାହେଉ ବୋଲି? ଭଲ ହେଲା, କଥାଟା ପଡିଗଲା। ବରେଣ୍ୟକୁ କେବେବି ସ୍ୱୀକୃତି ଦେଇ ନଥିବେ ତା ବାପା ଏ ବିବାହ ପାଇଁ। ବାହାଘର କ’ଣ ପିଲାଖେଳ? କାହା ଭାବପ୍ରବଣତାକୁ ଏହା ଅପେକ୍ଷା କରେନାହଁ।
- "ତମକୁ କିଏ ନ ଜାଣେ? ଟିଭିରେ ବାହାରୁଥିବା ମଣିଷମାନଙ୍କ ବିଷୟରେ ଜାଣିବାକୁ ସବୁ ଲୋକଙ୍କ ଭିତରେ ଥାଏ ପ୍ରବଳ ଆଗ୍ରହ। ଆଉ ତମ ପରି ସୁନ୍ଦରୀ ହୋଇଥିଲେ କଥା ସରିଲା। ସେ କୋଡିଏ ବର୍ଷର ଟୋକା ହେଉ କି ମୋ ବାପାଙ୍କ ବୟସର ଲୋକ। ସମସ୍ତେ ପାଗଳ ହେବା ନିଶ୍ଚିତ।’
- ‘ହେଃ... ବାଜେ କଥା ବନ୍ଦ କର। ତମ ପାଖରେ ସ୍ଥାନ କାଳ ପାତ୍ର ସେନ୍ସ’ର ଘୋର ଅଭାବ।’
ବରେଣ୍ୟର କଥାରେ ପ୍ରୀତି ମହାନ୍ତି ଲାଜେଇ ଗଲା। ବରେଣ୍ୟ ହଠାତ ଏମିତି ଅଲାଜୁକ ପରି କଥା କହିବ, ତା ପୁଣି ସୁଟିଂ ସେଟ୍ରେ ସେ ଅନୁମାନ କରିପାରୁ ନଥିଲା। ଚଟୁଳ କଥା କହିବାରେ ବରେଣ୍ୟ ବେଶ୍ ପାରଙ୍ଗମ। ଆଉ ତା'ର ସେଇ ଚଟୁଳ କଥା ଶୁଣିବାକୁ ପ୍ରୀତି ମହାନ୍ତି ଭିତରେ ଯେ ମନ ଆଗଭର ହୋଇ ରହିଛି ତାହା ନିଶ୍ଚିତ। କେବଳ ପ୍ରୀତି ମହାନ୍ତି କାହିଁକି ସବୁ ଝିଅ ଚାହେଁ ତାକୁ କିଏ ନା କିଏ ପ୍ରଶଂସା କରୁ। ତା ଚେହେରାର ଯାଦୁ ସାରା ସଂସାରରେ ମାଡିଯାଉ। ତା ଅନିଚ୍ଛା ସତ୍ୱେ ତା ବିଷୟରେ ସମସ୍ତେ ଚର୍ଚା କରନ୍ତୁ, ସେ ଭଲ ହେଉ କି ଖରାପ।
ଲାଇଟମ୍ୟାନ ଡାକ ଛାଡ଼ିଲା- ‘ମ୍ୟାଡାମ, ସାର୍ ଆସନ୍ତୁ, ଇଣ୍ଟରଭ୍ୟୁ ଆରମ୍ଭ କରିବା।’
ମିସେସ ଚୈାଧୁରୀଙ୍କ ଘରର ଏକ ରୁମ୍ ଭିତରୁ ବାହାରି ଆସିଲେ ବରେଣ୍ୟ ଓ ପ୍ରୀତି। କ୍ୟାମେରା ପ୍ରସ୍ତୁତ ହୋଇସାରିଥିଲା। ଲନ୍ରେ ଦୁଇଟି ଚେୟାର ପଡିଥିଲା। ଆଉ ମିସେସ୍ ଚୈାଧୁରୀ ତାଙ୍କ ଆସନ ଅଳଙ୍କୃତ କରି ସାରିଥିଲେ। ଯେତେ ବଡ ଲୋକ ହେଉ ପଛେ କ୍ୟାମେରା ଆଗକୁ ଆସି ଲୋକଙ୍କୁ ମୁଁହ ଦେଖାଇବାକୁ ଏତେ ବ୍ୟାକୁଳ ହୋଇପଡନ୍ତି ଏମାନେ, ତାହା ବେଳେବେଳେ ଆଶ୍ଚର୍ଯ୍ୟ କରେ ପ୍ରୀତି ମହାନ୍ତିକୁ। ପ୍ରକୃତରେ ପ୍ରୀତି ହିଁ ଆଗ ଆସି ମିସେସ ଚୈାଧୁରୀଙ୍କୁ ଅପେକ୍ଷା କରିବା କଥା। କିନ୍ତୁ ଏଠି ଘଟିଲା ଓଲଟା। ପ୍ରୀତି ମହାନ୍ତି ଟିକିଏ ଅପ୍ରସ୍ତୁତ ହୋଇଗଲା। ଏଇ ବରେଣ୍ୟ ହିଁ ତାକୁ ଅନ୍ୟମନସ୍କ କରିଦେଇଥିଲା। ତା'ର ବିଳମ୍ୱର କାରଣ ସେଇ ଦୁଷ୍ଟ ଟୋକା।
- "ସରି ମ୍ୟାଡାମ... ମୋର ଡେରି ହୋଇଗଲା।' ଓନି ସଜାଡି ଚେୟାରରେ ବସୁ ବସୁ ଦୁଃଖ ପ୍ରକାଶ କଲା ପ୍ରୀତି। ଉତ୍ତରରେ ଅପରାଜିତା ଚୌଧୁରୀ ଛୋଟ ହସଟିଏ ହସି ଦେଲେ।
ସୁନିଲ କ୍ୟାମେରାର କଲର ବାଲାନ୍ସ ଆରମ୍ଭ କରିଦେଇଥିଲା। ଅଡିଓ ଚେକ ସରିବା ପରେ ଫ୍ରେମ ରେଡ୍ଡି କରି, କଥାହେଲା ପ୍ରଡ୍ୟୁସର ଓ ଡିରେକ୍ଟର ବରେଣ୍ୟ ସାଙ୍ଗରେ। ବରେଣ୍ୟ ଦୃଷ୍ଟିରେ ସବୁକିଛି ଠିକଠାକ୍ ଥିଲା। କାଳବିଳମ୍ୱ ନକରି ବରେଣ୍ୟ କମାଣ୍ଡ ଦେଲା- କ୍ୟୁ।
"ନମସ୍କାର, ଆମର ଏ ନୂଆ କାର୍ଯ୍ୟକ୍ରମ "ସାମ୍ନାସାମ୍ନିକୁ' ଆପଣକୁ ସ୍ୱାଗତ କରୁଛି ମୁଁ ପ୍ରୀତି ମହାନ୍ତି। ମଣିଷ ଚାହେଁ ବଡଲୋକ ହେବାକୁ। ଆଉ ଏଥିପାଇଁ ସେ ଆପଣେଇ ନିଏ ନିଜ ରାସ୍ତା। କିନ୍ତୁ ଏମିତି ବହୁଲୋକ ଅଛନ୍ତି ଯେଉଁମାନେ କେବଳ କରିଚାଲନ୍ତି ନିଜ କର୍ମ। ଆଉ ତାଙ୍କ ପଛରେ ଗୋଡାଏ ସମ୍ମାନ ଓ ଖ୍ୟାତି। ଆମେ ଆଜି ଭେଟିବାକୁ ଯାଉଛୁ, ଏମିତି ଜଣେ ମହିଳାଙ୍କୁ, ଯିଏ ତୃଣମୂଳ ସ୍ତରରେ କାମ କରି ପହଞ୍ଚି ପାରିଛନ୍ତି ଖୁବ୍ ଶୀର୍ଷରେ। ସେ ହେଲେ ଆମ ସମୟର ବିଶିଷ୍ଟ ସମାଜସେବୀ ଅପରାଜିତା ଚୌଧୁରୀ। ଅପରାଜିତା ମ୍ୟାଡାମ ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ...
- ‘କଟ୍... କଟ୍...’
ପ୍ରୀତି ମହାନ୍ତିର ଆଙ୍କର ଇଣ୍ଟ୍ରୋ ଭିତରେ ଇଣ୍ଟରଭେନ୍ କଲା ବରେଣ୍ୟ। କହିଲା- ‘ପ୍ରୀତି ତମେ ଠିକ୍ କରିଥିଲ, କିନ୍ତୁ ଚୌଧୁରୀ ମ୍ୟାଡମ ଏବେ କାହିଁକି ଚର୍ଚ୍ଚାରେ ଅଛନ୍ତି ସେ କଥାଟା ତମ ଇଣ୍ଟ୍ରୋରେ ରହିବା ଜରୁରୀ ଥିଲା। ତମକୁ କହିବାକୁ ପଡ଼ିବ ଯେ, ଏବେ ସେ ରାଜ୍ୟ ସରକାର ଓ ଏକ ଶିଳ୍ପ ବିରୋଧୀ ପ୍ରଜାମେଳି ମଧ୍ୟରେ ନେଗୋସିଏସନକରେଇ ଚର୍ଚ୍ଚାରେ ଅଛନ୍ତି। ଆଉ ସୁନିଲ, ପ୍ରୀତି କ୍ଲୋଜ୍ରୁ ଇଣ୍ଟ୍ରୋ ଆରମ୍ଭ କରିବ ଆଉ ଶେଷ ଆଡ଼କୁ ଜୁମ୍ ଆଉଟ୍ କରି ଟୁ-ସଟ୍ କର।’
ପ୍ରୀତି ମହାନ୍ତି ଚିଡ଼ିଗଲା। ସେଇ କଥାଟା ସେ ପରେ କୋଶ୍ଚିନ୍ ଭିତରେ କହିଦେଇଥିଲେ ଚଳିଯାଇ ନଥାନ୍ତା? ବରେଣ୍ୟର ଏଇ ଭଳି ନେଚର। କାମରେ ସେ କମ୍ପ୍ରୋମାଇଜ୍ କରିବ ନାହିଁ। କିନ୍ତୁ ଗେଷ୍ଟଙ୍କ ଆଗରେ ତାଙ୍କ ସମୟ ବରବାଦ କରି ଏମିତି ହାକିମାତି ଦେଖାଇବା କ’ଣ ଜରୁରୀ ଥିଲା ? କିନ୍ତୁ ଆଉ ଉପାୟ ନଥିଲା। ତ ପୁଣିଥରେ ଆରମ୍ଭ ହେଲା ମୂଳରୁ। ତା’ ଭିତରେ ଟିକିଏ ପାଣି ପିଇ ଦେଇ ଆଉ ମୁହଁରେ ଟଚ୍ଅପ୍ ନେଇ ପୁଣି ଆରମ୍ଭ କଲା ପ୍ରୀତି- ‘ନମସ୍କାର... ଆମର ବିଶେଷ କାର୍ଯ୍ୟକ୍ରମ ସାମ୍ନାସାମ୍ନିକୁ ଆପଣମାନଙ୍କୁ ସ୍ୱାଗତ କରୁଛି ମୁଁ ପ୍ରୀତି ମହାନ୍ତି...
ଗୋଟେ ଦିଇଟା କୋଶ୍ଚିନ ପରେ ପଦାକୁ ପଳେଇ ଆସିଲା ବରେଣ୍ୟ। ଦିନାକେତେ ତା ହାତରେ ଦିଇଟା ଖଣ୍ଡେ କରେଣ୍ଟ ଆଫେୟାର୍ସ ପୋଗ୍ରାମ ଥିଲା। ପ୍ରଥମେ ପ୍ରଥମେ ତାକୁ ରିପୋର୍ଟିଂ ମିଳିବା କଷ୍ଟକର ଥିଲା। ସବୁ ମାଡ଼ି ବସିଥିଲେ ଦୁଇଜଣ- ଦୁର୍ଗାଶଙ୍କର ଓ ପଲ୍ଲବିନୀ। ଦୁର୍ଗାଶଙ୍କର ଟ୍ୟାଲେଣ୍ଟେଡ଼ ପିଲା, କିନ୍ତୁ ଅତ୍ୟଧିକ ଈର୍ଷାଳୁ। ଆଉ ପଲ୍ଲବିନୀ ହେଉଛି ଚ୍ୟାନେଲ ମାଲିକଙ୍କ କେଉଁ ଦୂର ସଂପର୍କୀୟ ଭଉଣୀ। ଜଣେ ଧରିଥିଲା ସରକାରୀ ଓ ତା ସହଯୋଗୀ ଦଳ ତ ଅନ୍ୟଜଣେ ଧରିଥିଲା ବିରୋଧୀ ଓ ତା ସହଯୋଗୀ ଦଳ। ଆଉ ପଲିଟିକାଲ ରିପୋର୍ଟିଂରେ କାହାକୁ ପୂରେଇ ଦେବାକୁ ଏମାନେ ଥିଲେ ନାରାଜ। ଥଟ୍ଟାରେ ଏ ଦୁହିଁଙ୍କୁ ଅଫିସରେ ସମସ୍ତେ କହନ୍ତି "ଘଇତା-ମାଇପ ସରକାର'।
ଅର୍ଥାତ୍ ଏ ଦୁହେଁ ପ୍ରଫେସନରେ ସ୍ୱାମୀ-ସ୍ତ୍ରୀ ପରି ଚଳନ୍ତି। ଭିତରେ ଭିତରେ କଥାବାର୍ତ୍ତା କରି ଆବୁଡ଼ା ପଡି କଷ୍ଟ ହେଉ ବରଂ ସବୁ କରିବେ। କିନ୍ତୁ ଆଉ କାହାକୁ କିଛି କରିବାର ସୁଯୋଗ ଦେବେନାହିଁ। ଆଉ ଯେହେତୁ ଦୁଇଜଣ ଯାକ ସବୁ ପଲିଟିକାଲ ପାର୍ଟିର ରିପୋର୍ଟିଂ ପାଇଁ ବାଣ୍ଟିକରି ନେଇଛନ୍ତି, ତେଣୁ ସମସ୍ତେ କହନ୍ତି ୟାଙ୍କ ହାତରେ ପୂରା ସରକାରଟା ରହିଛି। ତେଣୁ ନୂଆ ନୂଆ ଜର୍ଣ୍ଣାଲିଜିମ୍ ପାଠ ପଢ଼ି ଆସିଥିବା ବରେଣ୍ୟ ପାଇଁ ମେନ୍ ଷ୍ଟ୍ରିମ୍କୁ ଆସିବା ଥିଲା କଷ୍ଟକର। ଏ ପର୍ଯ୍ୟନ୍ତ ଆସିବାକୁ ତାକୁ କମ୍ କଷ୍ଟ କରିବାକୁ ପଡ଼ିନାହିଁ।
କରେଣ୍ଟ ଆଫେୟାର୍ସ ପ୍ରୋଗ୍ରାମରେ ବେଶ୍ ମଜ୍ଜା। ହାତରେ ଅନେକ ସମୟ। ପ୍ଲାନ୍ କର ଆଉ ଆରାମରେ କାମ କର। ସେଥିପାଇଁ ତା ପୋଗ୍ରାମରେ କେବେ ହରବର ନଥିଲା କି କନଫ୍ୟୁଜନ ନଥିଲା। ଆଉ ସବୁଠାରୁ ଭଲ ରେଟିଂ ଥିଲା ତାଆରି ପୋଗ୍ରାମ ଗୁଡ଼ିକରେ। କିନ୍ତୁ ହଠାତ ମ୍ୟାଜେମେଣ୍ଟ ନିଷ୍ପତ୍ତି ନେଲା ତାକୁ ରିପୋର୍ଟିଂକୁ ଆଣିବାକୁ। ଆଉ ସେଇ ସୁଯୋଗକୁ ଅପେକ୍ଷା କରି ରହିଥିଲା ବରେଣ୍ୟ। ପ୍ରଥମେ ପ୍ରଥମେ ସେ କରୁଥିଲା ବ୍ୟୁରୋକ୍ରାସି ବିଟ୍। କଷ୍ଟକର ଥିଲା, କିନ୍ତୁ ଦିନ କେଇଟାରେ ସବୁ ସହଜ ହୋଇଗଲା । ଏତେଦିନ ପରେ ପୁଣି ତାକୁ ଗୋଟେ କରେଣ୍ଟ ଆଫେୟାର୍ସ ପୋଗ୍ରାମ୍ର ପ୍ରଡ୍ୟୁସର ହେବାର ସୁଯୋଗ ମିଳିଛି । କିନ୍ତୁ ପୁଣି ସେଇ ପୁରୁଣା ପାଠକୁ ମନେପକେଇବା ତା ପାଇଁ ବିରକ୍ତିକର ହୋଇପଡ଼ୁଛି । ତେବେ ସେ ଏଥିପାଇଁ ମନାକରି ଦେଇ ପାରିଥାନ୍ତା ମ୍ୟାନେଜମେଣ୍ଟକୁ। କିନ୍ତୁ ତା ପାଇଁ ବୋଧେ ଆକର୍ଷଣ ଥିଲା ପ୍ରୀତି ମହାନ୍ତି।
ସିଗାରେଟରେ ଶେଷ ଚୁମକ୍ ହେଉଥିଲା ବେଳେ ଲାଇଟମ୍ୟାନ୍ ରାଘବ ଖବର ଦେଲା, ‘ସାର୍ ସୁଟିଂ ସରିଗଲା। ଆଉ କ’ଣ କରାଯିବ, ପ୍ରୀତି ମ୍ୟାଡମ ଡାକୁଛନ୍ତି।’
ବରେଣ୍ୟ ଉଠିଲା। ମିସେସ୍ ଚୌଧୁରୀଙ୍କ ଘରୁ ଗରମ ଗରମ ଚା' ଆସି ସାରିଥିଲା ସମସ୍ତଙ୍କ ପାଇଁ। ଚା' ପିଉ ପିଉ ବରେଣ୍ୟ ପଚାରିଲା- ‘ଇଣ୍ଟରଭ୍ୟୁ କେମିତି ହେଲା ପ୍ରୀତି? ଏନିଥିଂ କମ୍ପ୍ଲିକେସନ୍?’
ମିସେସ ଚୌଧୁରୀ ଘର ଭିତରକୁ ଉଠି ଯାଇଥିଲେ। ପ୍ରୀତି କହିଲା- "ବୁଢ଼ୀକୁ କେତେଟା ପର୍ସନାଲ କୋଶ୍ଚିନ୍ ପଚାରି ଦେଲାରୁ ରାଗିଗଲା। ନହେଲେ ସବୁ ଠିକ୍ଠାକ୍।'
- "ପର୍ସନାଲ କୋଶ୍ଚିନ୍, ଯେମିତି କି?'
- "ମୁଁ ପଚାରି ଦେଲି, ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆପଣଙ୍କ ବୟସ ହୋଇଥିଲା ପଚିଶି ବର୍ଷ। ପିଲାପିଲି ବି ନଥିଲେ। ତେବେ ଆଉଥରେ ବାହା ହେବାକୁ ମନ କାହିଁକି ବଳେଇଲେ ନାହିଁ?'
- "ଆରେ ଏମିତି ଅଖାଡୁଆ କୋଶ୍ଚିନ୍ ପଚାରିଲେ ତ ନ ରାଗୁଥିବା ଲୋକ ରାଗିବ ! ତମେ ଜାଣିଛ କି ନାହିଁ ତାଙ୍କର ବର୍ତ୍ତମାନର ଅବକାରୀ ମନ୍ତ୍ରୀ ସତ୍ୟବାନ୍ ଶର୍ମାଙ୍କ ସହ ସଂପର୍କ ଅଛି ବୋଲି? ଇଏ ତାଙ୍କ ରକ୍ଷିତା ବୋଲି ବି କୁହାଯାଏ। ସତ୍ୟବାନ ବାବୁଙ୍କ ସହ ତାଙ୍କର ଆଫେୟାର୍ସ ବାଣୀବିହାରରୁ ମାନେ ଛାତ୍ର ରାଜନୀତି ବେଳୁ। ଆଉ ସେତେବେଳେ ମିସେସ ଚୌଧୁରୀଙ୍କ ସ୍ୱାମୀଙ୍କର ଦେହାନ୍ତ ଆକ୍ସିଡେଣ୍ଟରେ ହୋଇଥିଲା ବୋଲି କୁହାଗଲା, କିନ୍ତୁ ପ୍ରକୃତରେ ତାହା ଥିଲା ସଂପୂର୍ଣ୍ଣ ଭାବରେ ମର୍ଡର। ଏମିତି କି ତାଙ୍କ ଡେଡ୍ ବଡି ବି ଆଉ ମିଳିଲା ନାହିଁ। ଆଉ ଏ ସବୁକୁ ଦବେଇ ଦେଇଥିଲେ ମିସେସ ଚୌଧୁରୀଙ୍କ ବାପା ତଥା ସେତେବେଳର ଗୃହମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ନିଶିକାନ୍ତ ରାୟ।'
- "ହେ ଭଗବାନ... କିନ୍ତୁ ତମେ ତ ମତେ ଏତେକଥା କହିନଥିଲ? କେବଳ କହିଥିଲ ଏଇ ଗୋଟିଏ କୋଶ୍ଚିନ ପଚାରିବାକୁ।'
- "ବୁଢ଼ୀ କି ଉତ୍ତର ଦେଲା?'
- "ସେ ବି ଅତି ଟାକ୍ଟଫୁଲି ଆନସାର୍ ଦେଲେ। କହିଲେ ଏହାପରେ ମୁଁ ସମାଜସେବାକୁ ଏତେ ମାତ୍ରାରେ ଭଲ ପାଇଗଲି ଯେ ଆଉଥରେ ବାହାହେବାକୁ ଭୁଲିଗଲି। ଆଉ ହେଁ ହେଁ ହୋଇ ହସି ଉଠିଲେ, ଯେମିତି କିଛି ହିଁ ଘଟିନାହିଁ ତାଙ୍କ ଜୀବନରେ।'
- "ରବିସ୍... ସବୁ ଶଳା ହିପୋକ୍ରାଟ୍... ଛାଡ଼ ସେ କଥା, ଆଉ କ’ଣ ଭାବିଲ ମୋ ବିଷୟରେ? ଏନିଥିଙ୍ଗ ଡିସାଇଡେଡ଼?
ବରେଣ୍ୟ ଏତେଶୀଘ୍ର କଥା ବଦଳେଇ ଦେବ ଏକଥା ହଠାତ ବିଶ୍ୱାସ କରିପାରୁ ନଥିଲା ପ୍ରୀତି। ବରେଣ୍ୟ ତାହେଲେ କଥାଟାକୁ ହାଲୁକାରେ କହିନଥିଲା ! ମନଭିତରେ ନେଇଛି କିଛି ଦୃଢ଼ ନିଷ୍ପତ୍ତି। ଚା’ ସରି ଆସୁଥିଲା। କପ୍ଟା ଟି'ପୟ ଉପରେ ଥୋଉ ଥୋଉ ତଳକୁ ମୁହଁ ପୋତି ପ୍ରୀତି ଉତ୍ତର ଦେଲା- ‘ଗୋଟେ ଉଚ୍ଛିଷ୍ଟ ଶରୀରକୁ ପାଇବାକୁ ଏତେ ବ୍ୟାକୁଳ କାହିଁକି?’
ବଡ଼ ପାଟିରେ ବରେଣ୍ୟ କହିଲା- ‘ପ୍ୟାକପ୍...’
(କ୍ରମଶଃ)
(ଭାଗ-୧୧ର ଆକର୍ଷଣ: ପ୍ରୀତି ମହାନ୍ତି ଗୋଟେ ଅଇଁଠା ଖାଦ୍ୟ। ତାକୁ ପାଇବାକୁ କାହିଁକି ଏତେ ବ୍ୟାକୁଳ ବରେଣ୍ୟ। ତା ଦେହରେ ସେ ଏମିତି କ’ଣ ପାଇଛି। ପ୍ରୀତି ମହାନ୍ତି କଣ ବରେଣ୍ୟ କଥାରେ ରାଜି ହୋଇଯିବ। ସେମାନେ କଣ ବିବାହ କରିବେ ନା ଆଜୀବନ କେବଳ ପରସ୍ପରର ଦେହର ଭୋକକୁ ମେଣ୍ଟେଇବାକୁ ଗୋଟେ ଗୁପ୍ତ ନିଷ୍ପତ୍ତି ନେବେ। କାରଣ ପ୍ରୀତିର ବି ଭୋକ ଅଛି ବରେଣ୍ୟର ବି ଭୋକ ଅଛି।)