ମୋ' ସହରରୁ ତୋ' ସହରକୁ
ମନ
ଦି' ଅସରା ବର୍ଷା ମଝିରେ
ଓସ୍ତଗଛ ଅଗଡାଳରେ
ପବନରେ ଫଡ଼ଫଡ଼ ହଉଥିବା
ରଙ୍ଗୀନ ଗୁଡ଼ି
ତୁ
ଅନ୍ୟ କୁଆଡ଼େ ଗଲାବେଳେ
ବାଟ ଭୁଲି ଏ ସହରକୁ
ଚାଲିଆସିଥିବା
ମୌସୁମୀ
ମୁଁ
ଛିଣ୍ଡା ନଟେଇର ସୂତା
ସାଉଁଟେଇ ଆଣୁଆଣୁ
ଆକାଶ ଆଡ଼େ ଅନେଇ
କୁନିପିଲାର ଦୀର୍ଘଶ୍ଵାସ
ଆମେ ଦିହେଁ ପୁଣି
ଭେଟ ହବା
ଥୟ
ଯେମିତି ଥୟ
ଯେ ଆସନ୍ତାକାଲି
ସବୁ ଖବକାଗଜର ପ୍ରଥମ ପୃଷ୍ଠାର
ଖବର, ହଜିଯାଇଥିବା
ସୁଡ଼ଙ୍ଗଟେ ମିଳିଚି
ମୋ' ସହରର ମଲା ପୋଖରୀର
ଛାତିତଳୁ ତୋ' ସହରକୁ
ସୁଡ଼ଙ୍ଗରେ ଭୁସ୍ ଭୁସ୍ ପାଣି,
ଅତଳତଳ,
ଟିସ୍ୟୁ ପେପରରେ ତୁ ଲେଖି
ରଖିଯାଇଥିବା ଗୋଟେ ଚିଠିରେ
ତିଆରି କାଗଜଡଙ୍ଗା
ଭାସୁଚି ସେ ପାଣି ଉପରେ
ଡଙ୍ଗା ଉପରେ ମୁଁ
ମୋ' ସହରରୁ ତୋ' ସହରକୁ