ରଙ୍ଗମଞ୍ଚ
ତାପରେ ପରଦା ଖୋଲିଲା
ପରଦା ଖୋଲିଥିବା ଲୋକ ଜଣକ ଥିଲା ଉହ୍ୟରେ
ଆଲୁଅ ଜଳିଲା, ଧୀମାରୁ କ୍ରମଶଃ ଫର୍ଚା।
ଲୋକମାନେ ଦେଖିଲେ ପୃଥିବୀକୁ
ଯେମିତି ଦେଖିନାହାନ୍ତି ସେମାନେ
କଅଁଳ ପତ୍ର।
ଘାସ ରାଗର ଏକ ମୂର୍ଛନା
ବାଜି ଉଠିଲା ପ୍ରଚ୍ଛଦରୁ।
ଆଁ ଫାଡ଼ି ଅବାକ୍ ଅନେଇଥିବା ଲୋକମାନେ
ଯେମିତି ଶୁଣି ନଥିଲେ ଏ ସ୍ବର
କେତେ କାଳରୁ
ତାଙ୍କ ଜନ୍ମ ହୋଇ ନଥିବା
ବା ମଲା ପରର।
ଲୋକମାନେ ବାହାରେ ଥିଲେ
ଓ ଧୀରେ ଧୀରେ ଭାବିବା ଆରମ୍ଭ କଲେ ଯେ
ଦୃଶ୍ୟ ଓ ଧ୍ବନି ଉକୁଟୁଛି ତାଙ୍କ ଅଭ୍ୟନ୍ତରରୁ,
ବାହାରେ ଥିବା କଥା ସେମାନେ ଭୁଲିଗଲେ।
ବାହାରେ ଥିଲେ ଯାଇ ଥମିଯାଏ ଲୁହ
ଓ ହସିବା ଯେମିତି ଯଂତ୍ରଣାଦାୟକ
ଭାବିହୁଏ।
ପ୍ରୋସେନିଅମରେ ଦିଶେ ଏକ ଜଙ୍ଗଲି ରାସ୍ତା
ଗେରୁମାଟିର ଅଧୂଳିଆ ରାସ୍ତା,
ବାଘର ଯୋଡ଼ାଏ ନିରୀହ ଆଖି
ଭିତରେ ଭିତରେ ନିଆଁର ଶୀତଳତା
ବାହାରେ ଆଉ ଲୋକ ନାହାନ୍ତି।
କୋଇଲା ଘୋରା ରଙ୍ଗ ମାଖିଥିବା
ଲୋକ ଜଣକ ନାୟକ
ଚୂନ ରଙ୍ଗ ପିନ୍ଧିଥିବା ଲୋକ ଜଣକ ନଙ୍ଗଳା ହୁଏ,
ପୃଥିବୀ ଆଖି ବୁଜିଦିଏ
ଶାଗୁଣାଟିଏ ଶୁଣେ ପୃଥିବୀର କାନ୍ଦ ଆକାଶରୁ।
ଅନ୍ଧାରର ଦୀର୍ଘଶ୍ୱାସରେ ବଦଳିଯାଏ ଦୃଶ୍ୟ
ସମୁଦ୍ର ଗର୍ଜେ,
ଡେଇଁ ଆସି ପଡ଼େ ସୁନା ରଙ୍ଗର ମାଛଟି
ଭିତରେ ବଞ୍ଚୁଥିବା ଦର୍ଶକର ଶାଢ଼ୀ କାନିରେ।
କିଏ ଯେମିତି ଧର୍ଷଣ କରୁଛି ବସୁଧାକୁ
ଓ ବସୁଧା ପାଖରେ ପ୍ରମାଣ ନାହିଁ
ଯାବତୀୟ ଆଇନ୍ ଶୃଙ୍ଖଳାରେ ସତୀ ଦେଖେଇ ହେବାକୁ।
ଖଚ ଖଚ ମୂଲ୍ୟବାନ ଧାତୁରେ ନିର୍ମିତ
ସବୁଠୁ ବଡ଼ ମୁକୁଟ ପିନ୍ଧିଥିବା ଲୋକ ଜଣକ
ହୋଇପାରେ ମୁଁ
ଭାବୁଥାଏ, ବାହାରେ ବିସିଥିବା ଲୋକ ଜଣକ।
ବାହାରେ ବସିଥିବା ଲୋକର ଭିତରେ
ସବୁ ଘଟୁଥାଏ, ନାୟକତ୍ବ ଗଜରୁଥାଏ।
କଳଗାନା ବାଜୁଥାଏ।
ଆଲୁଅ ଲିଭୁଥାଏ ଫଜେରାର
ଫର୍ଚ୍ଛାରୁ ଧୀମା
ଧୀମାରୁ ତମିସ୍ରା ଉତୁରି ଆସୁଥାଏ ସତ୍ୟ
ଅପ୍ରମାଣ।
ବାହାରେ ବସିଥିବା ଲୋକର
ଭିତରେ ଘଟୁଥାଏ ସପ୍ନ
କଳଗାନା ବାଜୁଥାଏ ଭିତରେ ଭିତରେ
ଆଲୁଅ ଲିଭୁଥାଏ ଧୀରେ ଧୀରେ
ଫର୍ଚ୍ଛାରୁ ଅନ୍ଧାର।।
ବାହାରେ ବସିଥିବା ଆତତାୟୀର କୋଳରେ
ଈଶ୍ଵର ଶୋଇଥାନ୍ତି ନିର୍ବିଘ୍ନରେ
ଲୋକମାନେ ପୋଷାକ ଉତାରି
ରଙ୍ଗ ପୋଛି ଫେରି ଗଲେଣି ନିଜ ନିଜ ଘରକୁ
ନିର୍ବିଘ୍ନରେ, ପ୍ରମାଣ ଶୁନ୍ୟ ଚାଲବାଜିରେ
ହତ୍ୟା କରି ନିଜକୁ।
ପୃଥିବୀର ପୁରୁଣା ଚେହେରା ପରି
ଈଶ୍ଵରଙ୍କ ମୃତ୍ୟୁର ମହୋତ୍ସବ ବଡ଼ଖୁଲିରେ।