ଭ୍ରାନ୍ତି
ହେ ମୋର ମଧୁର ଭ୍ରାନ୍ତି,
ଅନୁରାଗ ର ଛାୟାଲୋକ ଅପସରି ଯିବା ଆଗରୁ
ଆସ, ପରସ୍ପର ଦେହରୁ ଝାଡ଼ି ଦେବା
ଲଳିତ ,ଲୀଳା ପରାଗ।
ଚହଲା ପାଣିରେ କିଲି ବିଲି ପହଁରୁଥିବା
ଚନ୍ଦ୍ରବିନ୍ଦୁଙ୍କୁ ସାଉଁଟି ଆଣି
ତମେ ଗଢିଥିଲ ମୋର ଝୀନ ଅବୟବ,
ତମର ସ୍ମିତ ବୋଳା ବହଳ ଫୁଲ ମାଳ
ମଣ୍ଡିଥିଲ ମୋର କେଶ ଗହଳ ରେ।
ଦୁହିଁଙ୍କ ପାପୁଲି ରେଖାରେ ମୁହୂର୍ମୁହୁ
ବଦଳୁଥିଲା ଆମର ଭାଗ୍ୟ।
ଅନ୍ତିମ ଦୃଶ୍ୟ ଟି ଅଭିନୀତ ହେବା ଆଗରୁ
ଆସ, ପରସ୍ପର ର ଓଠରୁ ପୋଛିଦେବା
ଆର୍ଦ୍ର ଜର୍ଜର,ପ୍ରେମ ସ୍ପର୍ଶ।
ଆଖି କଣ ସ୍ବୀକାର କରିବ
ସ୍ବୀକାର କରିବେ କାନ ନାକ
ସଦା ଶିହରିତ ମୋର ଚମ ,ଲୋମ?
ସମୟ ର ସୀମାକୁ ଠକି ଦେଇ ଯାହା ସବୁ
ଦିଶୁଥିଲେ ଶୁଭୁ ଥିଲେ ,ରକ୍ତ ରେ
ମିଶି ପୁଷ୍ଟ କରୁଥିଲେ ଧମନୀ ଙ୍କୁ,
ସେ ସବୁ ପୁରା ମିଛ ବୋଲି ବି
କିଏ ସ୍ବୀକାର କରିବ?
ମାୟା ତ ମିଛ ନୁହେଁ
ମିଛ ନୁହେଁ ବି ଭ୍ରାନ୍ତି
ତେବେ କିମିତି ଚିହ୍ନି ହେବ
କିଏ ଇନ୍ଦ୍ର ,କିଏ ଗୌତମ
କିଏ ମାରିଚ, କିଏ ମାୟା ମୃଗ?
ଗଣ୍ଠି ଗଣ୍ଠି ଛକ ସମ୍ବଳିତ
ଏ ରାସ୍ତାର କେଉଁ ଦିଗରୁ ଆସି
ଏଠି ପହଂଚିଲି ମୁଁ ,ମନେ ନାହିଁ।
ମୁଁ ତମକୁ ଡାକି ଥିଲି କି
ତମେ ହଠ।ତ୍ ଆବିର୍ଭୂତ ହୋଇଥିଲ
ମୋ ନୀଳାଭ ଆଲିଙ୍ଗନରେ?
ତମେ ମୋତେ ଦେଖାଇଥିଲ
ମହାକାଳ ର ଅନୁମତି ପତ୍ର
ମୋ ପାଖରେ ଥିଲା ଏଇ
ନାଟକର ନିର୍ଦେଶକର ଚିତ୍ରପଟ।
କେବେ ,କାହିଁକି ଆମେ ଜାଣିଗଲେ ଯେ
ଅପ୍ରକୃତ ଆମର ଆଲ୍ହାଦ ,ଉଲ୍କାସ
ଆମର କଳହ ,ମିଳନ ,ସଙ୍ଗୀତ-ସ୍ନାନ,
ଅପ୍ରକୃତ ଆମ ଶବ୍ଦ ଅର୍ଥ?
ଆମେ କଣ ତେବେ
ଅଙ୍ଗୀକାରକୁ ଭାବିନେବା ଅସ୍ବୀକାର
ପ୍ରତିଶ୍ରୁତି କୁ ଭାବିଦେବା ଛଦ୍ମବେଶ
ବୁଝିନେବା ଯେ ଯାହା ଯେମିତି ଦେଖୁଚେ
ଜାଣୁଛେ ତାହା ତାହା ହିଁ ନୁହେଁ?
ହେ ମୋର ମଧୁର ଭ୍ରାନ୍ତି,
ଶେଷ ରାତିଟି ପାହିଯିବା ଆଗରୁ
ଆସ ,ଆଜି କଳ୍ପନା କରିନେବା
କାଲି ଭୋର ର ଏକ ଅଚିହ୍ନା ସୂର୍ଯ୍ୟୋଦୟରେ
କେଉଁ ଭାବ ଭଙ୍ଗୀରେ,ଆହା, ମିଳେଇ ଯିବେ
ଦୁଇଜଣ ଅବାସ୍ତବ ଭ୍ରାନ୍ତ ମଣିଷ!