ଅଭୟ କୁମାର ପାଢୀଙ୍କ କବିତାକୁ ନେଇ ଏକ ଅସମ୍ପୂର୍ଣ୍ଣ ଚର୍ଚ୍ଚା- ୧

ଅଭୟ କୁମାର ପାଢୀଙ୍କ କବିତାକୁ ନେଇ ଏକ ଅସମ୍ପୂର୍ଣ୍ଣ ଚର୍ଚ୍ଚା- ୧

ଅଭୟ କୁମାର ପାଢୀ ଏକ ବହୁମୁଖୀ ପ୍ରତିଭା । ଏକକାଳୀନ ଅନେକ ଭାଷାରେ ମହାରଥ ହାସଲ କରିଥିବା ବ୍ୟକ୍ତିତ୍ୱ । ଓଡ଼ିଆ, ସମ୍ବଲପୁରୀ, ଇଂରାଜୀରେ ଲେଖାଲେଖି କରୁଥିବା ଏକ ସାହିତ୍ୟିକ । ଜଣେ ସୁବକ୍ତା । ଏପରିକି ସେ ଅନୁବାଦ କାମରେବି ହାତ ଦେଇଛନ୍ତି ଓ ଅନ୍ୟକୁ ଅନୁବାଦ ଲାଗି ପ୍ରେରିତ କରିଛନ୍ତି । ଆମ ହାତରେ ତାଙ୍କର ଦୁଇଟି କବିତା ସଙ୍କଳନ ଅଛି । ଗୋଟିଏ ହେଲା ‘ଜନ୍ମାନ୍ଧର ଇନ୍ଦ୍ରଧନୁ ବର୍ଣନା’ ଓ ‘ଋତୁପ୍ରତି’ । ପ୍ରଥମ ସଙ୍କଳନର ନାମକରଣରୁ ହିଁ ଜଣାପଡ଼ିଯାଏ ଯେ କବି କିଛି ଗୁଢ କଥା କହିବାକୁ ଚାହାଁନ୍ତି । ସେଥିରେ ଦର୍ଶନ ଅଛି, ସେଥିରେ ରହସ୍ୟ ଅଛି । ସେଥିରେ ମଣିଷ ଖୋଜୁଥିବା ଅନେକ ଗଭୀର ପ୍ରଶ୍ନର ଅନ୍ୱେଷା ଅଛି । ଆମେ ସଭିଏଁ ଜାଣୁ ଜନ୍ମାନ୍ଧ ଦେଖିପାରେ ନାହିଁ । କିନ୍ତୁ ଆମେ ଏକଥା ବି ଜାଣୁ ଯେ ଜଣକର କୌଣସି ଇନ୍ଦ୍ରିୟ କାମ କରୁନଥାଏ ତେବେ ତାର ବାକି ଇନ୍ଦ୍ରିୟଗୁଡ଼ିକ ଅଧିକ ସକ୍ରିୟ ହେଇଥାନ୍ତି । ସେମିତିରେ ମନ ବୋଲି ହୃଦୟ ବୋଲି କିଛି ଥିବା ଲାଗି ଆଖି ରହିବା ବାଧ୍ୟ ନୁହଁ । ମନର ଆଖି, ହୃଦୟର ଆଖି ତ ଅଛି ତା ସହ ବାକି ମଣିଷ ସହ ସମ୍ପର୍କରୁ ଓ ପ୍ରକୃତି ସହ ସ୍ୱର୍ଶାନୁଭୁତି କାରଣରୁ ହେଉଥିବା ଅନୁଭବରୁ ମଣିଷ ବିନା ଆଖିରେ ଦେଖିପାରେ । ଆଉ ଏକ ପ୍ରଶ୍ନ ତାଙ୍କ କବିତାରୁ ବାରି ହେବ ସେ ହେଲା ଯାର ଆଖି ଅଛି ସତରେ କଣ ସେ ସବୁ ଦେଖିପାରେ? ଦେଖିବା ଏଠି ବୁଝିବା ଅର୍ଥରେ । ଯାହା ଦେଖେ ତାହା ତାକୁ ଠିକ୍ ଅର୍ଥରେ ଧରିପାରେ? ଅସଲରେ ଆଖି ପଛରେ ଏକ ମୁଣ୍ଡ ବା ମସ୍ତିଷ୍କ ଅଛି । ସେ ମସ୍ତିଷ୍କଟି ଯଦି ପୂର୍ବାଗ୍ରହ ପୀଡ଼ିତ ଥାଏ ତେବେ? ମସ୍ତିଷ୍କଟି ଯଦି ଆଉ କା’ର କବଳରେ ୍‌ଥାଏ? ପଂଜାବର କବି  ହରଭଜନ ସିଂ ନିଜର ଏକ କବିତାରେ କହିଛନ୍ତି ଯାର ସାର ମର୍ମ ହେଲା-ଇଶ୍ୱର ସଭିଙ୍କୁ ନିଜ ନିଜ ଶରୀର ଦେଇଛନ୍ତି ଓ ଆଶା କରିଛନ୍ତିଯେ ସଭିଏଁ ନିଜ ନିଜ ମୁଣ୍ଡ ଲଗେଇବେ । ଗୋଟିଏ ସମୟ ପରେ ସେ ଦେଖିବାକୁ ଆସିଛନ୍ତି ଓ ଦୁଃଖିତ ହେଇଛନ୍ତିଯେ ସେମାନଙ୍କ ମୁଣ୍ଡରେ ସେମାନଙ୍କ ନିଜସ୍ୱ ମୁଣ୍ଡ ନାହିଁ ।  ଜନ୍ମାନ୍ଧର ଇନ୍ଦ୍ରଧନୁ ବର୍ଣ୍ଣନାରେ ମନେ ରଖନ୍ତୁ ଚରିତ୍ରଟି ଜନ୍ମର ଅନ୍ଧ ନ ହେଇବି ଜନ୍ମାନ୍ଧ ହେଇପାରେ । ଆମ ଭିତରୁ କେହିବି ହେଇପାରେ । ଆପଣଙ୍କ ଆପତ୍ତି ଥିଲେ ମୁଁ କହିବି ସେ ଜନ୍ମାନ୍ଧଟି ମୁଁ  ହେଇପାରେ । ମହାଭାରତର ଧୂତରାଷ୍ଟ୍ର କଥା ମନେ ପକାନ୍ତୁ । ମନେ ପକାନ୍ତୁ ଗାନ୍ଧାରୀଙ୍କୁ । ଆପଣ ମାନେ ଭାବୁ ଥିବେ ମୁଁ ଆପଣମାନଙ୍କୁ କୁଆଡ଼େ କୁଆଡ଼େ ନେଇଯାଉଛି । ଅସଲରେ କବି ଅଭୟ ପାଢୀ ତାଙ୍କ କବିତାରେ ମତେ ଏକା ସାଂଗରେ ଅନେକ ଦିଗରେ ବାହି ନେଉଛନ୍ତି । ସେ ଅସ୍ଥିରତାରେ ସ୍ଥିର ଓ ସ୍ଥିରତାରେ ଅସ୍ଥିର । ମୁଁ ବି କବି ସହ ତାଙ୍କ ରଚିତ ଦୃଶ୍ୟରାଜିରେ ଘୁରି ବୁଲୁଛି । ଆଶା କରନ୍ତୁନିଯେ ମୁଁ ଆପଣମାନଙ୍କୁ  ସେସବୁ ଦେଖେଇପାରିବି । ସେସବୁ ଦେଖିବା ବୁଝିବା ସେ ପୁଣି ନିଜ ନିଜ ବାଗରେ ସମ୍ଭବ ଯେବେ ଆପଣ ନିଜେ କବିଙ୍କୁ ପଢିବେ । ହେଇପାରେ କଣ, ମୁଁ ନିଶ୍ଚିତଯେ ଆପଣ ପଢିଲା ବେଳେ ମୋ କଥା ଆପଣମାନଙ୍କୁ ମୋଟେ ମନେ ନପଡ଼ିପାରେ । ନପଡ଼ୁ ଜଣେ କବି ରୂପେ ମୁଁ ଏଇଆ ହିଁ ଚାହେଁ । କବିକୁ ପଢିଲା ବେଳେ ସମୀକ୍ଷକ ବା ଆଲୋଚକର କଥା ମୁଣ୍ଡରୁ ଉଭେଇଯାଉ ।


ଚାଲନ୍ତୁ  କବିଙ୍କ କବିତାରେ ପ୍ରବେଶିବାର ଚେଷ୍ଟା କରିବା ।


କବିତାରୁ ଜାଣିଯିବେ ଯେ ଏ ଇନ୍ଦ୍ରଧନୁ ସେ ଇନ୍ଦ୍ରଧନୁ ନୁହେଁ । ଅଷ୍ଟମ ବର୍ଣ୍ଣ ବି ଅଛି ଏ ଇନ୍ଦ୍ରଧନୁର । କବି ବେଳେବେଳେ ଈଶ୍ଵରୋତ୍ତର ବା ପ୍ରକୃତ୍ଯୋତ୍ତର ହେଇପାରେ । କବିର କବିତା ଦର୍ପଣର ପ୍ରତିଛବି ନୁହଁ । ଏଠି ଅନ୍ଧ ଦେଖେ ଅନ୍ୟ ଏକ ଅନ୍ଧାରର ସୁସଜ୍ଜିତ ଚାରା / ବୋହି ନଥିବା ନଈର ତୃତୀୟ କିନାରା । ଆମେ ନଈର ଦୁଇ କୂଳ କଥା ଜାଣୁ । ଏ ତୃତୀୟଟି କବିଙ୍କ ସୃଷ୍ଟି ।


କବି ନିଜ କଥା କହିବା ଲାଗି ଦନେଇକୁ ଆଣିଛନ୍ତି । ଦନେଇ କାହିଁକି? ଆଉ କିଛି ନାଁ ହେଇପାରିଥାନ୍ତ? ମଇଁଶିର ପାଶ ନ ଯାଅ ଦନେଇ ଧାଡ଼ି ସହ ଏ ଦନେଇର କିଛି ସମ୍ପର୍କ ଅଛିକି?  ଆପଣ  ସଙ୍କଳନର ପରବର୍ତୀ ୪ଟି କବିତାରୁ ଏ ପ୍ରଶ୍ନର ଉତ୍ତର ପାଇପାରିବେ । ହୁଏତ ଦନେଇ ଏଠି ଆମ ପରି କୌଣସି ଏକ ସାଧାରଣ ମଣିଷର ପ୍ରତିନିଧିତ୍ୱ କରୁଛି ।


ଦ୍ୱିତୀୟ କବିତାରେ କବି ନିଜକୁ ବା ଦନେଇକୁ ଅବା ଆମକୁ କହୁଛନ୍ତି-“ତୁ ଖାଲି ପାଦରେ ଚାଲିବା ଶିଖ୍ ଦନେଇ / ପାହୁଣ୍ଡ ପକା / ଛାଡ଼ିଦେ ଅନ୍ୟର ବିଶି ଆଂଗୁଠି ଓ ଆଶାବାଡ଼ି ।” ଏଠି ଲାଗିବ ମଣିଷକୁ ସ୍ୱତନ୍ତ୍ର ଓ ସ୍ୱାଧୀନ ହେବାକୁ କହୁଛନ୍ତି । କିନ୍ତୁ କବି ଏଠି ଅରୁଣାବର୍ତ୍ତର ଲୋକ କଥା କହୁଛନ୍ତି ଯିଏ ଆସିବ ଓ ମୁକ୍ତିର ବାଟ ଫିଟିବ । ଏ ଏକ ବିରୋଧାଭାସ କି? ପାଠକେ ନିଜ ନିଜ ବାଟରେ ବୁଝିବେ । ଦନେଇର ଆକାଶ ଛୁଆଁ କବିତାରେ ଆମେ ମଣିଷ କେମିତି ଗୋଟିଏ ସମୟ ଭିତରେ ବିସ୍ତରି ଯିବାର ଇଛା ସହ ପୁଣି ସୀମା ଭିତରକୁ ଫେରିଆସିବାକୁ ଚାହୁଁଥାଏ ସେ କଥା ଦେଖିପାରିବା । ବେଳେବେଳେ ଆମର ଦେହ ଉଡ଼ାଣରୁ ଫେରିଆସିଥାଏ, ହେଲେ ମନ ଫେରି ପାରୁନଥାଏ । କାୟା ଓ ଛାୟା ଅଲଗା ଅଲଗା ବିଚରଣ କରୁଥାଏ । ଅସମଂଜସ ଏକ ସ୍ଥିତି । ଏକ ଝୁଲନ୍ତ ସ୍ଥିତି । ପାପୁଲିରୁ ପକ୍ଷୀ ଓ ପକ୍ଷୀରୁ ପାପୁଲି ହେବାର ଏ ଯାତ୍ରାର ଚମତ୍କାରୀ ବିଡ଼ମ୍ଭନାକୁ ଆପଣ ଏଠି ଭେଟି ପାରିବେ ।


କବି ଯାବତୀୟ ପ୍ରତିକୂଳତା ଭିତରେ ଏକ କୁଂଠିତ ଆଶାବାଦକୁ ଧରିରଖିଛନ୍ତି । ‘କବନ୍ଧ ଓ ମେଷପାଳକର କଥା’ କବିତାରେ କବି କହୁଛନ୍ତି ଚୁପ୍ କର ଚୁପ୍ କର । “କେବଳ ମେଘମାନଙ୍କ ଲାଗି ସବୁଜ ଘାସର ପଡ଼ିଆ ଅଶା କରୁକରୁ /ରାଜାଙ୍କର ପୋଷ୍ୟ ବାଘ ଡ଼େଇଁ ପଡ଼ିଲା ଯନ୍ତାର ଅନ୍ଧାର ଭିତରୁ/ ଚୁପ୍ କର କେଲାହଳ ଭିତରୁ / କବନ୍ଧ ଓ ମେଷପାଳକର କାନ୍ଦ ଶୁଣାଗଲେ / ବାରମ୍ବାର ଯୁଦ୍ଧ ହେବ ନିଷ୍ପ୍ରଦୀପ ନଗରରେ ପ୍ରତି ମଧ୍ୟାହ୍ନରେ/ ଅତଏବ ଚୁପ୍ କର ଚୁପ୍ କର ।” ଯୁଦ୍ଧ ଚାହାଁନ୍ତିନି କବି କୌଣସି ପରିସ୍ଥିତିରେ । କବିଙ୍କୁ କିଏ କହିବଯେ ଯୁଦ୍ଧ ଅନିବାର୍ଯ୍ୟ । କବନ୍ଧ ଓ ମେଷପାଳକମାନଙ୍କ କାନ୍ଦକୁ ସବୁଦିନ ଲାଗି ଏଡ଼ାଇ ହେବ ନାହିଁ । କିନ୍ତୁ ଭାରତୀୟଙ୍କ ସ୍ମୃତିରେ ମହାଭାରତର କରୁଣ ପରିଣତି ଜୀବନ୍ତ ହେଇ ରହିଛି । ସାରଳାଙ୍କ ମହାଭାରତରେ ଆପଣ ଦେଖିବେ ରକ୍ତ ନଦୀ ସନ୍ତରଣ କଥା । ବ୍ୟାସଙ୍କଠୁ ସାରଳା କେମିତି ଭିନେ ସେ କଥା ଆପଣ ଅନୁଭବ କରିବେ । ସାରଳା ତାଙ୍କ କୃତିରେ ଯୁଦ୍ଧର ମହିମାଗାନ ନ କରି ଯୁଦ୍ଧ କେତେ ବିଭିଷିକାମୟ ଓ ଶେଷରେ କେତେ ଦାରୁଣ ସେକଥା ଦେଖେଇଛନ୍ତି ଆମକୁ । ସେଇଥିଲାଗି କ’ଣ କବି କହୁଛନ୍ତି ଚୁପ୍ କର ଚୁପ୍ କର? ସେଇ କବିତାର ଆଉ ଏକ ଧାଡ଼ି-“  ଏ କେଉଁ ଯୁଦ୍ଧଯେ ଅଶ୍ୱାରୋହୀ ତୂଳନାରେ ଅଶ୍ୱ ବେଶୀ ମୂଲ୍ୟବାନ ଓ ଅଶ୍ୱ ହିନ୍‌ହିନ୍‌ଇ ଉଠୁଛି / ଅଲବ୍ଧ ବିଜୟର ଆଂଶିକ ଦର୍ପରେ ।”


ଯିବା ‘କୃଶ କାଠରେ ଅନ୍ୟ ଜଣେ’ କବିତାକୁ । ଯିଶୁଙ୍କ କଥା ମନେପଡ଼ିଯିବ । କବି ଏଠି କୃଶ କାଠର ନିର୍ମାତାର ଅସହାୟତା କଥା କହୁଛନ୍ତି । କୃଶ କାଠରେ କେବଳ ଯିଶୁ ନୁହେଁ ଅନେକ ସମୟରେ ଅନେକ ଲୋକ ଝୁଲୁଥାନ୍ତି, ଓହ୍ଲଉଥାନ୍ତି । ଅନେକ ଲୋକଙ୍କ ଝୁଲା ହେଉଥାଏ । ଏ କଣ ଏକ ଅଭିଶାପ ମଣିଷ ଲାଗି ସତେ ଯେମିତି ତାର ନିୟତି । ଆପଣମାନେ କେବେ ଅନୁଭବିଛନ୍ତି କୃଶ କାଠରେ ଝୁଲା ହେବାର ଆନନ୍ଦ? କବିତାର ଧାଡ଼ଟିଏ- “ କଂଟା ବର୍ଛାର ଶୋଷ ମେଂଟେଇବା ଲାଗି ମୁଁ ସୃଜି ଦେଇଛି ମୋର ପାଦ ଛାତି ଓ ପାପୁଲିରେ ନୂଆ ନୂଆ କ୍ଷତ / କୃଷ୍ନଚୁଡ଼ାର ବର୍ଣ୍ଣରେ ରଂଗେଇ ଦେଇଛି ସେମାନଙ୍କ ପାଖୁଡ଼ା/ ମୋର ମଥାରେ ତୁମେ ଦେଇଥିବା ଲୌହ ମୁକୁଟ / ଦେଖ କେମିତି ଝଲ୍‌ମଲ୍ କରୁଛି/ ମେଷପାଳକମାନଙ୍କ ବିଶ୍ୱାସର ଆଲୋକରେ ।”


ଏ ସଙ୍କଳନର ଅନେକ କବିତାର ଶୀର୍ଷକ ପଢିଲେ ଲାଗିବ ଆମେ ଏକ ରାଜତନ୍ତ୍ରୀ ସମାଜର ସାମନ୍ତୀ ବ୍ୟବସ୍ଥା ଭିତରେ ଅଛୁ । ଚରିତ୍ର ସବୁ ଲାଗିବ ସମ୍ଭ୍ରାନ୍ତ । ରାଜା, ରାଜପୁତ୍ର, ଅମାତ୍ୟ, ରାଣୀ, ହାରେମ, ଅନ୍ତଃପୁର, ଜେମା, ସ୍ୱୟଂବର, ପାରିଷଦେ, ଚରୁ ଅନ୍ନ, କାଠ ଘୋଡ଼ା, ମାଲୁଣୀ, ଅସୁରୁଣୀ , ଫରମାନ୍‌, ହବେଲୀ, ଜାହଁପନା, ସେନାଛାଉଣୀ ପରି ଶଦ୍ଦ ଦେଇ ଏଇ ବର୍ଗର ମଣିଷଙ୍କ ଜୀବନରେ ଥିବା ବିଡ଼ମ୍ଭନା ଓ ବିସଂଗତିକୁ ଦେଖେଇବାର ଚେଷ୍ଟା କରୁଛନ୍ତି କବି । ଲାଗିବ ରାଜ ବା ଶାସକ ବର୍ଗ ଏବଂ ତାଙ୍କ ସହ ଅନ୍ତରଂଗ ରୂପେ ଜଡ଼ିତ ଲୋକଙ୍କ ଜୀବନ କଥା କହୁଛନ୍ତି । କବି କ’ଣ ଆମ ସମାଜରେ ଥିବା ଅଭିଜାତ ବର୍ଗ ଓ ଉଚ୍ଚ ମଧ୍ୟବିତ୍ତଙ୍କ ଜୀବନକୁ ଏଠି ପରସୁଛନ୍ତି । କବି କ’ଣ ଏମାନଙ୍କ ଭିତରେ ନିଜକୁ ବି ଦେଖୁଛନ୍ତି । ଏସବୁ କବିତା ହୁଏତ ଏକ ସାମନ୍ତି ଜୀବନରେ ଥିବା ବିଡ଼ମ୍ବନାକୁ ଦେଖେଇବା ଲାଗି । ରାଜତନ୍ତ୍ରରେ ରହିଥିବା ଚରିତ୍ର ଦେଇ ସେ ଆମର ଅଭିଜାତ ଧନୀ ଓ ଉଚ୍ଚ ମଧ୍ୟବିତ ଜୀବନକୁ ପରସୁଛନ୍ତିକି? କବିଙ୍କ ଭିତରେ ଏପରି ଚରିତ୍ରଗୁଡ଼ିକୁ ନେଇ କ’ଣ କିଛି ଦୁର୍ବଳତା ରହିଛି । ଆପଣ ପଢନ୍ତୁ  ‘ବନ୍ଧ୍ୟା ସୁଲତାନା’ , ‘ଛଦ୍ମବେଶୀ ରାଜା’ , ‘ଅନଂଗ ରାଜପୁତ୍ର’, ‘ଜେମା ଚିତ୍ରପ୍ରିୟା’ ଓ ‘ନୀଳ ଦ୍ୱୀପାନ୍ତର’ । ଏପରିକି ‘ଦୁଇଟି ଏଲଜି’ କବିତାରେ କାବ୍ୟ ନାୟକ ନିଜର ପ୍ରେମିକା କଥା ଚିନ୍ତା କଲାବେଳେ କହୁଛି- “କେମନ୍ତ ଫେରନ୍ତୁ ରାଣୀ, ପଥ ତ ହୁଡ଼ିଲୁ / ଅନ୍ୟର ଇର୍ଷାରେ ଅବା ନିଜ ଦେହ ଚିକ୍‌ଣ ଛାଇରେ ପାଦ ଖସାଇଲୁ ।” ଆଉ ଏକ ଧାଡ଼ି-“ ତୋର ଗଲା ପରେ/ ମୁଁ ଖୋଜୁଛି ତତେ ହାରେମରେ, ଅନ୍ତଃପୁରେ, ପର୍ବତ ଶିଖରେ---- ।” ଏସବୁ କବିତାରେ ଦନେଇଟିର ଅସ୍ତିତ୍ୱ ହିଁ ଜଣାପଡ଼େନି । ଲାଗିବ ଅଧିକାଂଶ କବିତାରେ ସାଧାରଣ ଲୋକଟି ଅନୁପସ୍ଥିତ । କବିତାର ଚରିତ୍ର ସବୁ ଅଭିଜାତ ।


 ଅଭୟ ପାଢୀଙ୍କ ବ୍ୟକ୍ତି ଜୀବନରେ ଅନେକ ଦିଗ ଭିତରୁ ଗୋଟିଏ ହେଲା ତାଙ୍କ ଭିତରେ ଥିବା ଏକ ରାଜାପଣ ଓ ରାଜଠାଣୀ । ଏ ରାଜାପଣ ଓ ଠାଣି ସହ ଏ କବିତାଗୁଡ଼ିକୁ ଯୋଡ଼ି ଦେଖିବା କ’ଣ ଠିକ୍ ହେବ? ପାଠକେ ଯେଉଁମାନେ ତାଙ୍କ ସହ ବ୍ୟକ୍ତି ଜୀବନରେ ମିଶିବାର ସୁଯୋଗ ପାଇଛନ୍ତି ସେମାନେ ହୁଏତ ଏ କବିତାଗୁଡ଼ିକ ସହ ଏହାର ଏକ ସଂଯୋଗ ଦେଖିପାରନ୍ତି । କିନ୍ତୁ ଅଭୟ ପାଢୀଙ୍କ ଠାଣି ଯାହା ହେଉ ଏକ କବିର କୋମଳ ମନ ତାଙ୍କ ଭିତରେ ଅଦେଖା ନଈ ଭଲି ବହୁଥିଲା । ସେ ନଈକୁ ଦେଖିହେବ ବହୁ କବିତାରେ । ‘ଖରାଛୁଟି’କବିତା ପଢନ୍ତୁ- “ପ୍ରତ୍ର ଝାଡ଼ି ଗଛ ମାନେ ଗଂଠିବାତ ରୋଗୀ ଭଳି / ଠିଆ ହେଲେ ତୁମ ବଗିଚାରେ / ପକ୍ଷୀମାନେ କୁଟା ଆଉ କାଗଜରେ ତିଆରିଲେ ଘର / ମୁଁ ଜାଣେ ଖରାଛୁଟି ଆସିଲା ଏଥର ।” 


କବି ଲେଖିଛନ୍ତି-କଟା ତରଭୁଜ ପରି ଫାଳ ଫାଳ ରକ୍ତ ବର୍ଣ ସତେଜ ସକାଳ ।


 କବି ଲେଖୁଛନ୍ତି-“ ମୋର ଏକାନ୍ତ ଶବ ଜଳିସାରିଥିବ / ଉପରକୁ ଧୂଆଁ ଠେଲିଠେଲି /ଛଅ ଖଣ୍ଡ କାଠ ବିଛଣାରେ / ଖରାଛୁଟି ଶେଷ ହେଲା ପରେ ।”
ଅଭୟ ପାଢୀ ଆଉ ଅନେକ  ସାଧାରଣ ବାପ ପରି ଜଣେ ସ୍ନେହୀ ବାପ ହେଇପାରନ୍ତି ଓ ପୁଅ ଲାଗି କବିତା ଲେଖିପାରନ୍ତି ।  ଅନେକ ବାପା ଏ କବିତା ସହ ଏକାତ୍ମ ହେବାର ଅନୁଭବ ପାଇପାରିବେ ।  ସେ କବିତାର ଶେଷ ଧାଡ଼ି ଆପଣଙ୍କ ସାମ୍ନାରେ- “ ପୁଅ ଯଦି କେବେ କେବେ ନିରାଡ଼ମ୍ବର ସ୍ୱପ୍ନ ଦେଖେ/  ନିଦ ବାଉଳାରେ ହଠାତ୍ ଚମକି ଉଠେ  ଓ ନାନାଦି ଜଟିଳ ପ୍ରଶ୍ନ କରେ ମୁଁ ଉତ୍ତର ଦେବି କାହାଣୀ ଅବା ଆତ୍ମଜୀବନୀ ଛଳରେ । “ ପୁଣି କହୁଛନ୍ତି-“ ମୁଁ ତାକୁ କହିବି ଅନାମ ସମ୍ପର୍କର ସେତୁବନ୍ଧ କଣ?/ ଅମୀମାଂସିତ ଅଂକ ଭଳି କେମିତି ପ୍ରତି ପରିଚୟ ଓ ପ୍ରୀତିର ଉତ୍ତର ନଥାଏ / ତଥାପି ମୁତ୍ୟୁର ସମୀପବର୍ତ୍ତୀ ସୁଡ଼ଂଗ ଭିତରେ / କେମିତି ଅହରହ ଜୀବନର ନଈ ବୋହୁଥାଏ ।” 


‘ମୂଷା ଉପଦ୍ରବ ଓ ବଂଶୀବାଲା’ କବିତା ପଢନ୍ତୁ । ଅଭୟ ପାଢୀ ଥିଲେ ଜଣେ ବହି ପଢାଳୀ ।  ତାଙ୍କ ପ୍ରିୟ ବହି ଗୁଡ଼ିକିର ଜଣେ ଦୀକ୍ଷିତ ପାଠକ । ପଢାପଢି ଓ ସାଧାରଣତଃ ଭାରତୀୟଙ୍କ ଜୀବନରେ ଥିବା ପୁରାଣ, ମିଥ୍ ର ପ୍ରଭାବ ଅଭୟ ପାଢୀଙ୍କ କବିତାରେ ଦେଖିହେବ । ‘ବିଚିତ୍ର ପକ୍ଷୀ’ କବିତାରେ ଶିବି ରାଜାଙ୍କୁ ଆପଣ ଭେଟିପାରିବେ । ପକ୍ଷୀଙ୍କୁ ନେଇ କବିମାନେ କିଛି ନା କିଛି ଲେଖିଛନ୍ତି । ପକ୍ଷୀ ଚିରକାଳ କବିମାନଙ୍କୁ ଆକର୍ଷିଛି । କିନ୍ତୁ ପାଢୀଙ୍କ କବିତାରେ ଥିବା ପକ୍ଷୀର ଶଦ୍ଦରେ ଉଚ୍ଚାରିତ ହୁଏ ଇଶ୍ୱରଙ୍କ ନାମ । ନିଦ୍ରାଗତ ଇଶ୍ୱର କଡ଼ ଲେଉଟାନ୍ତି । ଏଇମିତି ପକ୍ଷୀ ଯିଏ ନିଜ ଶାବକଙ୍କୁ ଭୁଂଜୁଥାଏ । ଆଉ ଏକ ପକ୍ଷୀକୁ ଭେଟିବେ ଯେଉଁଠି ଅନ୍ତରୀକ୍ଷ’ର ପକ୍ଷୀ ଡ଼ାଳ ର ଆଶା ନପାଇ ହତାଶାରେ ବସିପଡ଼େ ବ୍ୟାଧର ବିଶି ଆଂଗୁଠିରେ । ପଢନ୍ତୁ ଦୁଃଖ ନାମକ କବିତା । ବୁଝି ହେବ ସୁଖର ଡ଼ାଳରେ ଦୁଃଖପତ୍ରମାନଙ୍କ ଉପସ୍ଥିତି । କବି କହୁଛନ୍ତି-“ଆଜୀବନ ଦୁଃଖ ଏକ ନୀରବଛିନ୍ନ ପ୍ରକ୍ରିୟା /ଏବଂ ମୃତ୍ୟୁ ସହ ଦୁଃଖ ମରିଯାଏ ନାହିଁ ।”
 ଆଉ ଏକ ଧାଡ଼ି- “ପଳାତକ ପକ୍ଷୀ ଭଳି ଦୁଃଖ ପୁନରାୟ ବାଂଧେ ବସା ଅନ୍ୟର ଡ଼ାଳରେ/ ସେ ଡ଼ାଳ ବି ଦୁଃଖର ଭାରରେ ହଲ୍‌ଚଲ୍ ହୁଏ ନାହିଁ / ଭାଂଗିଯାଏ ନାହିଁ ।”


କବି ସ୍ୱପ୍ନ ଦେଖିବାର ବ୍ୟକୁଳତାକୁ ପ୍ରକାଶ କରିଛନ୍ତି ‘ସ୍ୱପ୍ନ ସମ୍ପର୍କରେ’ ନାମକ କବିତାରେ । କିନ୍ତୁ କହୁଛନ୍ତି ନିରାଡ଼ମ୍ବର ସ୍ପପ୍ନ ଦେଖିବାକୁ ଚାହାଁନ୍ତି । ଏଇ ନିରାଡ଼ମ୍ବର ସ୍ୱପ୍ନ କଥାଟି ‘ପୁଅ ପାଇଁ’ କବିତାରେ ମଧ୍ୟ ଉଲ୍ଲେଖ କରିଛନ୍ତି । କିନ୍ତୁ କବିତାରେ ସେ ନିରାଡ଼ମ୍ବରତା ମିଳୁ ନାହିଁ ।  ହଁ କବିତାଟିରେ କିଛି ଭୌତିକ ଇଛାର କଥା ନାହିଁ । କିଛି ରହସ୍ୟର ଉତ୍ତର/ କିଛି ଦାର୍ଶନିକ ପ୍ରଶ୍ନ ଉତ୍ତର ବା କିଛି ନିରୀହ ପ୍ରଶ୍ନର ଉତ୍ତର ଖୋଜାକୁ ସେ ନିରାଡ଼ମ୍ବରତାର ସହ ଯୋଡ଼ିଛନ୍ତି । ପୁଣି ଶେଷରେ କହୁଛନ୍ତି-ସେ ସ୍ୱପ୍ନ ଟି ହେଇଥିବ ମୋର ପ୍ରାୟଶ୍ଚିତ ଅବା ଅନୁଶୋଚନାର । ଆଉ ଏକ ଧାଡ଼ି- “ ଇଛା ହେଉଛି ସ୍ୱପ୍ନ େରେ ଦେଖିବି ଭୂମିକମ୍ପ ବେଳେ ପ୍ରଜାପତିମାନେ କେଉଁଠି ଲୁଚନ୍ତି ପ୍ରାଣ ବିକଳରେ/  କେମିତି ଦିଶେ ନୀଳ ରକ୍ତ ଟୋପଟୋପା ପଡ଼ିଲେ ନିରନ୍ତର ପୃଥିବୀର ଦଦରା ଛାତିରେ/ ପକ୍ଷୀ କିଆଁ ଛଟପଟ ହୁଏ ଉଡ଼ି ନପାରିଲେ ଅବା ଡ଼େଣା ଭାଂଗିଗଲେ/ କାହିଁକି ଉଲ୍ଲସିତ ରହସ୍ୟ ମାନେ  ସଦାବେଳେ ରହିଥାନ୍ତି ଅନାମାକାର ସୁନାମୁଦି ଅବା ରତ୍ନ ଫରୁଆରେ/... ସେ ସ୍ୱପ୍ନଟି ହେଇଥିବ ମୋର ପ୍ରାୟଶ୍ଚିତ ଅବା ମୋର ଅନୁଶୋଚନାର ।”  


ଏଇ ସଙ୍କଳନର ଆଉ ଏକ ଶକ୍ତିଶାଳୀ କବିତା ହେଲା-‘ସୂର୍ଯ୍ୟର ଅପମୃତ୍ୟୁ’ । ସୂର୍ଯ୍ୟ ଏଠି ସ୍ୱପ୍ନ , ସତ୍ୟ, ସମ୍ଭାବନା ଓ ଆଲୁଅର ପ୍ରତୀକ । ତାର ଅପମୃତ୍ୟୁରେ ଆମ ସଭିଙ୍କର ହାତ ଥିବା କଥା କହି ମ୍ରିୟମାଣ କବି କହୁଛନ୍ତି – “ତୁମର ଯଦି  ସତରେ ହତ୍ୟା କରିବାର ସଉକ ଥିଲା, ତେବେ ଶତ୍ରୁକୁ ମାରିଥାନ୍ତ ବର୍ଛାରେ ବଲମରେ ବନ୍ଧୁକରେ/ ସୂର୍ଯ୍ୟକୁ ନୁହେଁ ।” ଆମେ ସଭିଏଁ ଭିନ୍ନଭିନ୍ନ ବାଗରେ ଏ ଅପମୃତ୍ୟୁ ଲାଗି ଦାୟୀ । ଲାଗୁଛି ଆମ ସମୟ ଲାଗି ଏ ଏକ ବେଶ୍ ପ୍ରାସଂଗିକ କବିତା ।


କବିଙ୍କୁ କୁହାଯାଏ ଦ୍ୱୀତିୟ ଇଶ୍ୱର । ସେ ଯାହେଉ ଏଇମିତି ଖୁବ୍ କମ କବି ଥିବେ ଯେଉଁମାନେ ଇଶ୍ୱରଙ୍କୁ ନେଇ କବିତା ଲେଖିନଥିବେ । ଏପରିକି ନିରୀଶ୍ୱରବାଦୀ କବି ମଧ୍ୟ । ‘ଇଶ୍ୱରଙ୍କ ଅପେକ୍ଷାରେ’, ‘ତଥାପି ଅପେକ୍ଷା’, ‘ଭାବ ଓ ଅନସ୍ଥା’ ଓ ‘ନବ କଳେବର’ ଆଦି କବିତା ପଢନ୍ତୁ । ମୁଁ ଏଠି କେବଳ ‘ନବ କଳେବର’ କବିତାର ଆଲୋଚନା କରିବି । କବି ଏଠି ଇଶ୍ୱରଙ୍କ ମତ ପଚାରି ଇଶ୍ୱରଙ୍କୁ ପୁନଃସଂରଚିତ କରିବାର କଥା କହୁଛନ୍ତି । କବିତା ପଢିଲେ ଜାଣିବେ ଯେ ମଣିଷହିଁ ଇଶ୍ୱରକୁ ଗଢିଥାଏ । ଆଉ ସେ ମଣିଷ ଯଦି କବି ହେଇଥାଏତ ତେବେ ନିଶ୍ଚୟ । ଇଶ୍ୱରଙ୍କୁ କାଳେକାଳେ କବି ହିଁ ଗଢି ଆସିଛି । ବାଲ୍ମିକୀ ଓ ତାଙ୍କ ପରେ ଅନେକ ଭକ୍ତ କବି ବିନା ରାମଙ୍କ କଥା ଚିନ୍ତା କରି ଦେଖନ୍ତୁ । ସୁଫି ସନ୍ଥଙ୍କ ବିନା ଅଲ୍ଲାଙ୍କ । ଇଶ୍ୱର ସମ୍ବନ୍ଧିତ ଅନ୍ୟ କବିତା ଭିତରୁ ଗୋଟିଏ କବିତାରେ କବି ଆସ୍ଥା ଅନାସ୍ଥା ଭିତରେ ଝୁଲୁଛନ୍ତି । ବାକି ଦୁଇଟି କବିତାରେ ଇଶ୍ୱରଙ୍କ ଅପେକ୍ଷାରେ ଥିବା ଜଣେ କବି ମଣିଷର କଥା ଲିଖିତ । 


ସାରାଂଶ କବିତାରେ କବିଙ୍କର ଆଉ ଏକ ରୂପ ଦେଖିପାରିବେ ଯେଉଁଠି ସେ ମଣିଷର ମୂଳ ଅସ୍ତିତ୍ୱର କଥାକୁ ଫେରୁଛନ୍ତି । ପ୍ରଥମ ଥର ପାଇଁ କବି ମଣିଷର ସାରାଂସକୁ ତାର ଜଠରରେ ଦେଖୁଛନ୍ତି ।  “ ଆଜି ଶେଷଥର ଲାଗି ଦେଖିଯାଅ / ମୁଁ ଡ଼ିମ୍ବ ନୁହେଁ, ବୀଜ ନୁହେଁ, କୁକ୍ଷିର ଚନ୍ଦ୍ରାକାର ଭ୍ରୁଣ ନୁହେଁ, ବରଂ ଜଠରର ନିଆଁ /  ମୋର ପ୍ରବାହରେ ସୃଷ୍ଟି ବିଳୟର ଆତଙ୍କ ଓ ପ୍ରଜ୍ଜ୍ୱଳନରେ ସୃଷ୍ଟି ପୁର୍ନଜନ୍ମର ଆଶା/....ପାରିବ ପାରିବ ମୋର ସାରାଂଶକୁ ଲିଭେଇ ।”


‘ନିରୁଦ୍ଦିଷ୍ଟ’ ଶୀର୍ଷକ କବିତାରେ କବି ଜଣକ ହାତରେ ଜଣେ କାହାକୁ ଅବଶ୍ୟ ନିଶ୍ଚେ ଅନ୍ତରଂଗ କେହିଜଣେକୁ ଭେଟିବା , ଖବର ଓ ଚିଠି  ଦେବା କଥା କହୁଛନ୍ତି କିନ୍ତୁ ପ୍ରଥମରେ ଜଂଜାଲ କଥା କହି ରହିଯାଉଛନ୍ତି ଓ ପରେ ସେ ଇପ୍ସିତ ଚରିତ୍ରର ଠିକଣାକୁ ନେଇ ଅନିଶ୍ଚିତତା ଭୋଗୁଛନ୍ତି । ଭାରି ସୁନ୍ଦର କବିତା । “ ଥରେଥରେ ସନ୍ଦେହ ହେଉଛି ସେ ଅଛନ୍ତି ନା ନାହିଁ ପୂର୍ବ ଠିକଣାରେ/ ଅବା ତାଙ୍କ ସ୍ଥାନାନ୍ତର ହେଇଛି ଅନ୍ୟତ୍ର / ଅନ୍ୟ କୋଉ ଉଚ୍ଚ ପଦ ପଦବୀକୁ / ଅବା ସେ ନିଜେ ବି ଦ୍ୱୀପାନ୍ତର ଦଣ୍ଡ ଭୋଗୁଛନ୍ତି ଆମ ଅଗ୍ୟାଁତରେ ।”


 ଏ ସଙ୍କଳନଟି ପଢିଲେ ଲାଗିବ କବି ମୂଳତଃ ନିଜ ମଧ୍ୟବିତ୍ତୀୟ ଜୀବନରେ ଭୋଗୁଥିବା ଦ୍ୱନ୍ଦ୍ୱ, ସଂଘାତ, ପ୍ରଶ୍ନ ଗୁଡ଼ିକ ସହ ଏକ ବୈଚାରିକ/ ଦାର୍ଶନିକ ସଂଳାପ କରୁଛନ୍ତି । ତା ସହ ଅଭିଜାତବାଦୀ ଣ୍ରେଣୀ ସହ ନିଜର ସମ୍ପର୍କ ଓ ବସାଉଠା କାରଣରୁ ନିଜ ଜୀବନରେ ଭେଟିଥିବା ପ୍ରଶ୍ନ ମାନଙ୍କ ଉତ୍ତର ଖୋଜୁଛନ୍ତି । ସେ ଦୃଷ୍ଟିରୁ କବି ବେଶ୍ ନିଷ୍ଠାବାନ ନିଶ୍ଚୟ ।  ମୁଁ ପାଠକ ଭାବରେ ଅନେକ କବିତାର ଧାଡ଼ିରେ ମୁଗ୍ଧ ହେଇଛି । ଅନେକ ଶଦ୍ଦ ମତେ ଚମ୍‌ତକୃତ କରିଛି । ଯେମିତି ‘ବାଦୁଡ଼ିଆ ଅନ୍ଧାର’ । ଅନେକ କିଛି ମୁଁ ଧରିପାରିନାହିଁ । ଜଣେ କବି ଗୋଟିଏ କବିତା ଲେଖିଲା ବେଳେ ଯେଉଁ ଅନୁଭବ ଦେଇ ଯାଉଥାଏ ସେ ଅନୁଭବକୁ ସେଇ ସ୍ତରରେ ଅନୁଭବିବା କାହା ଲାଗି ସହଜ ନୁହେଁ । ସେ ଯାହା ଆମକୁ କହିବାକୁ ଚାହୁଁଥାଏ ସେ ପୁଣି ତାର ନିଜର ଅନୁଭବ ଓ ଭାଷା ତଥା ଶଦ୍ଦ ଶକ୍ତିର ଆଧାରରେ ତାର ନିକଟତର ହେବା ମୋ ମତରେ ମୋ ପରି ସିମୀତ ବୁଝାମଣା ଥିବା ମଣିଷ ଲାଗି ଏକ କାଠିକାର ପାଠ । ଆପଣମାନେ ଅଭୟ ପାଢୀଙ୍କ କବିତା ପଢନ୍ତୁ ଓ ପଢିବା ବେଳେ ମୁଁ କହିଥିବା କଥା ଏକଦମ୍ ଭୁଲିଯଆନ୍ତୁ ।

(କ୍ରମଶଃ)