ଗୀତା ପ୍ରେସ୍ ଓ ଗାନ୍ଧୀ ଶାନ୍ତି ପୁରସ୍କାର

ଗୀତା ପ୍ରେସ୍ ଓ ଗାନ୍ଧୀ ଶାନ୍ତି ପୁରସ୍କାର

ଆଜିକାଲି ଭାରତରେ ଘଟଣା ଓ ତାକୁ ନେଇ ରୋଚକ ଖବରର କିଛି ଅଭାବ ନାହିଁ । ଗୋଟେ ଖବର ପଛକୁ ପଛ ଆଉ ଏକ ଘଟଣା ଓ ଖବର ସଜେଇ ହେଇ ଆସିଯାଉଛି । ଆଉ ସବୁ ବିଷୟରେ ଆଜିକାଲି ସମସ୍ତେ ସବୁକିଛି ଜାଣନ୍ତି । ହ୍ୱାଟସ୍ ଅପ୍ ୟୁନିଭରସିଟିର ଦୟାରୁ ସବଜାନତାଙ୍କ ସଂଖ୍ୟାରେ ଆଶାତୀତ ବୃଦ୍ଧି ମଧ୍ୟ ଘଟିସାରିଛି ।

ମଣିପୁର ପୋଡାଜଳା ଓ ଆଦିପୁରୁଷ ସିନେମାକୁ ନେଇ ଚର୍ଚ୍ଚା ଥମିନଥିବା ବେଳକୁ ଆଉ ଏକ ଘଟଣା ବିଷୟରେ ଚର୍ଚ୍ଚା ଓ କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ ହେଇଗଲାଣି । ଘଟଣାଟି ହେଲା ୧୯୨୬ ମସିହାରେ କଲିକତାରୁ ଆରମ୍ଭ ହେଇଥିବା ଗୀତା ପ୍ରେସ୍ କୁ ମହାତ୍ମା ଗାନ୍ଧୀଙ୍କ ନାମରେ ଦିଆଯାଉଥିବା ଏକ କୋଟି ଟଙ୍କାର ଗାନ୍ଧୀ ଶାନ୍ତି ପୁରସ୍କାର ୨୦୨୧ ପ୍ରଦାନ ପାଇଁ ଘୋଷଣା । ଜୁନ୍ ୧୮ରେ ଗାନ୍ଧୀ ଶାନ୍ତି ପୁରସ୍କାର ଘୋଷଣା ପରେ ବିବାଦ ଆରମ୍ଭ ହେଇଯାଇଛି । କଂଗ୍ରେସ ଦଳ ଏହାକୁ ତୀବ୍ର ବିରୋଧ କରିବା ଆରମ୍ଭ କରିଦେଇଛି । କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଟ୍ୱିଟ୍ କରି କହିଛନ୍ତି ଯେ ଗାନ୍ଧୀଙ୍କୁ ବିରୋଧ କରୁଥିବା ସଂସ୍ଥାକୁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ ଏକ ଉପହାସ । ଗୀତା ପ୍ରେସ୍ କୁ ଗାନ୍ଧୀ ପୁରସ୍କାର ପ୍ରଦାନ କରିବା ନାଥୁରାମ ଗଡେସ୍ ଅବା ସାବରକରଙ୍କୁ ଗାନ୍ଧୀ ଶାନ୍ତି ପୁରସ୍କାର ଦେବା ପରି କଥା ।

ମହାତ୍ମା ଗାନ୍ଧୀଙ୍କ ନାମରେ ତାଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ୧୯୯୫ ମସିହାରୁ ଏହି ପୁରସ୍କାର ପ୍ରଦାନ କରାହେଇ ଆସୁଛି । ଅତୀତରେ ଏହି ପୁରସ୍କାର ନେଲସନ୍ ମାଣ୍ଡେଲା, ଡେସମଣ୍ଡ ଟୁଟୁ, ଶେଖ୍ ମୁଜିବୁର ରେହେମାନ, ବାବା ଆମତେଙ୍କ ପରି ଅନେକ ପ୍ରସିଦ୍ଧ ବ୍ୟକ୍ତି ବିଶେଷ ଓ ରାମକୃଷ୍ଣ ମିଶନ୍, ଭାରତୀୟ ବିଦ୍ୟା ଭବନ, ବିବେକାନନ୍ଦ କେନ୍ଦ୍ର, ଅକ୍ଷୟ ପାତ୍ର ଫାଉଣ୍ଡେସନ୍, ସୁଲଭ ଇଣ୍ଟରନ୍ୟାସନାଲ୍ ଓ ଇସ୍ରୋ ପରି ବିଭିନ୍ନ ସଂସ୍ଥା ଓ ଅନୁଷ୍ଠାନକୁ ପ୍ରଦାନ କରାଯାଇଛି ।  ପୁରସ୍କାର ଘୋଷଣା ପରେ ଗୀତା ପ୍ରେସ୍ ତରଫରୁ ମୁଖପାତ୍ର ଆଶୁତୋଷ ଉପାଧ୍ୟାୟ ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସାଧୁବାଦ ଜଣାଇବା ସହ ରାଜନୈତିକ ହଠଚମକ ନେଇ କିଛିବି ମତ ଦେବାକୁ ମନା କରିଦେଇଛନ୍ତି ।

ଗୀତା ପ୍ରେସ୍ କଲିକତା ଠାରେ ୧୯୨୩ ମସିହାରେ ଜୟ ଦୟାଲ୍ ଗୋଏଙ୍କା ଏବଂ ଘନଶ୍ୟାମ ଦାସ ଜଲାନଙ୍କ ମିଳିତ ଉଦ୍ୟମରେ ହିନ୍ଦୁ ଧର୍ମର ପ୍ରଚାର ପ୍ରସାର ପାଇଁ ପ୍ରତିଷ୍ଠା କରାଯାଇଥିଲା । ହନୁମାନ ପ୍ରସାଦ ପୋଦ୍ଦାର ଆର୍ଥିକ ସହାୟତା ଯୋଗାଇବା ସହ ପ୍ରେସ୍ ରୁ ୧୯୨୭ରୁ ପ୍ରକାଶିତ କଲ୍ୟାଣ ନାମକ ପତ୍ରିକାକୁ ଆଜୀବନ ସମ୍ପାଦନା କରୁଥିଲେ । ଗୀତା ପ୍ରେସ୍ ରିହାତି ଦରରେ ଏଯାବତ୍ ଲକ୍ଷାଧିକ ସଂଖ୍ୟାରେ ଭଗବତ ଗୀତା ଓ ରାମଚରିତ ମାନସ ବିକ୍ରୀ କରିଛି । ୪ ମଇ ୨୦୨୨ରେ ଗୀତା ପ୍ରେସ୍ ତା'ର ଶତବାର୍ଷିକୀ ପାଳନ କରିଛି । ଗୀତା ପ୍ରେସ୍ ଦ୍ୱାରା ପ୍ରକାଶିତ କଲ୍ୟାଣ ପତ୍ରିକା ସହ ଉଣା ଅଧିକେ ପ୍ରାୟ ଭାରତୀୟ ହିନ୍ଦୁ ଜଡିତ । ବିଭିନ୍ନ ରେଳ ଷ୍ଟେସନ୍ ରେ ଗୀତା ପ୍ରେସ୍ ର ଷ୍ଟଲ ରହିଛି । ସେଉଠୁ ଲୋକେ ପ୍ରେସ୍ ଦ୍ୱାରା ପ୍ରକାଶିତ ବିଭିନ୍ନ ବହି ଓ ପତ୍ରିକା ସୁଲଭ ମୁଲ୍ୟରେ ପାଇଥା'ନ୍ତି ।

୨୦୧୫ ମସିହାରେ ଗୀତା ପ୍ରେସ୍ ବିଷୟରେ ଅକ୍ଷୟ ମୁକୁଲ୍ ଏକ ବହି ଲେଖିଛନ୍ତି । ବହିର ନାମ ହେଲା ‘ଗୀତା ପ୍ରେସ୍ ଆଣ୍ଡ ଦି ମେକିଂ ଅଫ୍ ହିନ୍ଦୁ ଇଣ୍ଡିଆ’ । ସେହି ବହିରେ ଗୀତା ପ୍ରେସ୍ ର ଇତିହାସ ଏବଂ ମହାତ୍ମା ଗାନ୍ଧୀ ଓ ଗୀତା ପ୍ରେସ୍ ଭିତରେ ଥିବା ତିକ୍ତ ସମ୍ପର୍କ ବିଷୟରେ ଉଲ୍ଲେଖ ରହିଛି । ଅକ୍ଷୟ ମୁକୁଲଙ୍କ ବହି ‘ଗୀତା ପ୍ରେସ୍ ଆଣ୍ଡ ଦି ମେକିଂ ଅଫ୍ ହିନ୍ଦୁ ଇଣ୍ଡିଆ’ରେ ବିଷଦ ଭାବରେ ସ୍ୱାଧୀନତା ପୂର୍ବରୁ ଓ ପରେ ହିନ୍ଦୁ ରାଜନୀତି ଏବଂ ହିନ୍ଦୁତ୍ୱ ଭାବଧାରାକୁ ପ୍ରଚାର ପ୍ରସାର କରିବାରେ କିପରି ପ୍ରମୁଖ ଭୂମିକା ନିର୍ବାହ କରିଛି ସେ ନେଇ ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା ରହିଛି । ବେଶ୍ ପରିଶ୍ରମ କରି ଗବେଷଣା କରି ଅକ୍ଷୟ ମୁକୁଲ୍ ତାଙ୍କ ବହିରେ ଅନେକ ତଥ୍ୟ ଦେଇଛନ୍ତି ଯେଉଁଥିରୁ ବୁଝାପଡୁଛି କେତେ ସୁଚିନ୍ତିତ ଭାବରେ ଯୋଜନାବଦ୍ଧ ଭାବରେ ଗୀତା ପ୍ରେସ୍ ମାଧ୍ୟମରେ ଧର୍ମକୁ ନେଇ ଧୃବୀକରଣର ସମୀକରଣ କେମିତି କରାଯାଇଛି । ଭାରତରେ ଧର୍ମୀୟ ଧୃବୀକରଣରେ ଗୀତା ପ୍ରେସ୍ ର ଅବଦାନ ବିଷୟରେ ଜାଣିବାକୁ ହେଲେ ଅକ୍ଷୟ ମୁକୁଲଙ୍କ ବହି ନିଶ୍ଚୟ ପଢିବାକୁ ପଡିବ ।

ଅକ୍ଷୟ ମୁକୁଲଙ୍କ ତଥ୍ୟ ଅନୁସାରେ ହନୁମାନ ପ୍ରସାଦ ପୋଦ୍ଦାର ଓ ମହାତ୍ମା ଗାନ୍ଧୀଙ୍କର ପ୍ରଥମରୁ ସମ୍ପର୍କ ଭଲଥିଲା । ୧୯୨୯ରେ ଜମୁନାଲାଲ ବାଜାଜଙ୍କ ସହ ମିଶି କଲ୍ୟାଣ ପତ୍ରିକା ପ୍ରକାଶ ପୂର୍ବରୁ ହନୁମାନ ପ୍ରସାଦ ଆର୍ଶୀବାଦ ପାଇଁ ଗାନ୍ଧୀଙ୍କୁ ଦେଖା କରିବାକୁ ଯାଇଥିଲେ । ସେଦିନ ଗାନ୍ଧୀ ତାଙ୍କୁ ଦୁଇଟି କଥା କହିଥିଲେ । ଗୋଟେ ହେଲା ପତ୍ରିକାରେ ବିଜ୍ଞାପନ ଛାପିବନି ଓ ପୁସ୍ତକ ସମୀକ୍ଷା ପ୍ରକାଶ କରିବନି । ହନୁମାନ ପ୍ରସାଦ ଗାନ୍ଧୀଙ୍କ ଆଦେଶ ମାନିଥିଲେ ଓ ଆଜିଯାଏଁ କଲ୍ୟାଣରେ ବିଜ୍ଞାପନ ଓ ପୁସ୍ତକ ସମୀକ୍ଷା ପ୍ରକାଶ ପାଇନି । ପରେ କିନ୍ତୁ ଦୁହିଁଙ୍କ ଭିତରେ ସମ୍ପର୍କ ଠିକ୍ ରହିନଥିଲା । ମନ୍ଦିରରେ ହରିଜନମାନଙ୍କ ପ୍ରବେଶ, ବିଧବା ବିବାହ, ଜାତି ଓ ଧର୍ମକୁ ନେଇ ବିବାଦ ଆଦି ଅନେକ କଥା ନେଇ ସେ ଗାନ୍ଧୀଙ୍କୁ ବିରୋଧ ଏବଂ ସମାଲୋଚନା କରିଥିଲେ । ଗାନ୍ଧୀଙ୍କର କିନ୍ତୁ କଲ୍ୟାଣରେ ସମୁଦାୟ ୫୪ଟି ଲେଖା ପ୍ରକାଶ ପାଇଛି । ସେଥିରୁ କିଛି ଲେଖା ହରିଜନ ଓ ନବଜୀବନ ପତ୍ରିକାରେ ପ୍ରକାଶିତ ଲେଖାର ପୁର୍ନମୁଦ୍ରଣ । ଆଜିବି କଲ୍ୟାଣ ଏକ ଲକ୍ଷରୁ ଅଧିକ ସଂଖ୍ୟାରେ ଛାପା ଯାଏ ।

୩୦ ଜାନୁଆରୀ ୧୯୪୮ରେ ଦିଲ୍ଲୀ ବିରଳା ହାଉସ୍ ଠାରେ ସେଇ ଧର୍ମକୁ ଆଧାର କରି ନାଥୁରାମ ଗଡସେଙ୍କ ଦ୍ୱାରା ମାହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଗଲା । ହତ୍ୟା କାଣ୍ଡରେ ସହାୟତା ଯୋଗାଇଥିବା ସନ୍ଦେହରେ ଦେଶ ବ୍ୟାପି ହିନ୍ଦୁ ମହାସଭା ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଆଦିର ପଚିଶ ହଜାର ଲୋକଙ୍କୁ ଗିରଫ୍ କରାଗଲା । ସେତିକିବେଳେ ଗୀତା ପ୍ରେସ୍ ର ହନୁମାନ ପ୍ରସାଦ ପୋଦ୍ଦାର ଓ ଜୟ ଦୟାଲ୍ ଗୋଏଙ୍କା ମଧ୍ୟ ଗିରଫ୍ ହେଇଥିଲେ । ଗୀତା ପ୍ରେସ୍ ର ଅଭିଲେଖଗାରରେ କିମ୍ବା କୌଣସି ବି ପ୍ରକାଶନରେ ଗାନ୍ଧୀ ହତ୍ୟାକାଣ୍ଡ ବିଷୟରେ କିଛିବି ଉଲ୍ଲେଖ ନାହିଁ । ଏପରିକି କଲ୍ୟାଣର ମାର୍ଚ୍ଚ ୧୯୪୮ ସଂଖ୍ୟା ମଧ୍ୟ ଏ ନେଇ ନୀରବ । ଅନେକଙ୍କ କହିବା କଥା ହେଲା ଗାନ୍ଧୀ ହତ୍ୟାକାଣ୍ଡରେ ଏକଦା ଯେଉଁ ସଂସ୍ଥାର ଦୁଇଜଣ ଗିରଫ ହୋଇଥିଲେ ଓ ଯେଉଁ ସଂସ୍ଥାର ବହୁଳ ପ୍ରସାରିତ ଓ ପ୍ରଚାରିତ ପତ୍ରିକାରେ ଗାନ୍ଧୀ ଓ ତାଙ୍କ ବିଚାରଧାରାକୁ ବାର ବାର ବିରୋଧ ଏବଂ ସମାଲୋଚନା  କରାଯାଉଥିଲା ସେଇ ସଂସ୍ଥାକୁ କେମିତି ଗାନ୍ଧୀଙ୍କ ନାମରେ ପ୍ରଚଳିତ ଶାନ୍ତି ପୁରସ୍କାର ଦିଆଯିବ? ଏମିତିକି ଗାନ୍ଧୀଙ୍କ ହତ୍ୟା ସମ୍ପର୍କରେ ନୀରବତା ଅବଲମ୍ବନ କରିଥିବା ପ୍ରେସ୍ କୁ ଗାନ୍ଧୀ ଶାନ୍ତି ପୁରସ୍କାର ଦିଆହେବା ଘଟଣାକୁ ବିଡମ୍ବନା ବୋଲି କୁହାଯାଇପାରିବ ନା ନାହିଁ?

ପ୍ରକୃତରେ ୧୯୪୦ ବେଳକୁ ଗୀତା ପ୍ରେସ୍ ରାଜନୈତିକ ଘଟଣାକ୍ରମକୁ ସାମ୍ପ୍ରଦାୟିକ ଦୃଷ୍ଟିକୋଣରୁ ଦେଖାଇବା ଆରମ୍ଭ କରିଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ହିନ୍ଦୁ ମହାସଭା ସହ ସ୍ପଷ୍ଟ ସମ୍ପର୍କ ଯୋଡିଛି । ହିନ୍ଦୁମାନେ କେମିତି ବିପଦରେ ପଡିସାରିଲେଣି ସେ ନେଇ ଲେଖା ଓ ତଥ୍ୟ ଦେବା ଆରମ୍ଭ ହେଇଛି । ଆଜି ଯେଉଁ ହିନ୍ଦୁ ବିପଦରେ ନ୍ୟାରେସନ୍ ଚାଲିଛି ତାହା ପ୍ରକୃତରେ ସ୍ୱାଧିନତାର ଯଥେଷ୍ଟ ଆଗରୁ ଆରମ୍ଭ ହେଇସାରିଲାଣି । ପରବର୍ତ୍ତୀ ସମୟରେ କଲ୍ୟାଣ ହିନ୍ଦୁତ୍ୱର ପ୍ରମୁଖ ମୁଖପତ୍ର ପରି ବ୍ୟବହାର ହେଇଛି । ୧୯୨୩ରୁ କଲ୍ୟାଣ ପତ୍ରିକା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ହିନ୍ଦୁ ମହାସଭା, ଜନ ସଂଘ ଓ ଭାରତୀୟ ଜନତା ଦଳ ସହ ସହଯୋଗ ରକ୍ଷାକରି ବାଟ ଚାଲିଛି ।

ଗୀତା ପ୍ରେସ୍ କୁ ଏବର ଗାନ୍ଧୀ ଶାନ୍ତି ପୁରଷ୍କାର ଦେବା ନେଇ ଆଜିର କଂଗ୍ରେସ ଦଳ ବିରୋଧ କରିଥିବା ବେଳେ ୧୯୯୨ରେ ତତ୍କାଳୀନ ନରସିଂହ ରାଓଙ୍କ କଂଗ୍ରେସ ସରକାରରେ କିନ୍ତୁ ହନୁମାନ ପ୍ରସାଦ ପୋଦ୍ଦାରଙ୍କୁ ସମ୍ମାନ ଜଣାଇ ଏକ ଡାକଟିକଟ୍ ପ୍ରଚଳନ କରିଥିଲା । ପୂର୍ବରୁ ସିଧାସଳଖ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଜଡିତ ଥିବା ଏକଲ ଅଭିଯାନ ଟ୍ରଷ୍ଟକୁ ୨୦୧୭ରେ ମଧ୍ୟ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା ।