ବେଆଇନ, ହେଲେ ସବୁ ଠିକ ଅଛି !!

ବେଆଇନ, ହେଲେ ସବୁ ଠିକ ଅଛି !!

ଏ ଲେଖାଟିର ଶୀର୍ଷକ ପଢି ଆପଣମାନେ ଭାବୁଥିବେ, ଏହାର ଅର୍ଥ କଣ । ବେଆଇନ ତ ବେଆଇନ, ସେଇଟା ପୁଣି ଠିକ ହେଲା କେମିତି ? ଏହାର ଉତ୍ତର ଖୋଜିବାକୁ ହେଲେ, ଆପଣ ଗତକାଲି ଭାରତର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ଦେଇଥିବା ଏକ ରାୟ ପଢିବାକୁ ପଡିବ । କେନ୍ଦ୍ର ସରକାରଙ୍କର ସବୁଠୁ ପ୍ରଭାବଶାଳୀ ବିଭାଗ ପ୍ରବର୍ତ୍ତନ ମନ୍ତ୍ରଣାଳୟ ବା ଇଡି ର ନିର୍ଦ୍ଦେଶକ ଭାବରେ ସଞ୍ଜୟ କୁମାର ମିଶ୍ରଙ୍କ କାର୍ୟ ଅବଧିକୁ ଅବସର ଗ୍ରହଣ ପରେ ତିନିଥର ବଢା ଯାଇଥିଲା । ଅବସର ପରେ ତାଙ୍କ ଚାକିରୀରେ ରହିବା ବେଆଇନ ବୋଲି ମାନ୍ୟବର ସୁପ୍ରିମକୋର୍ଟ ଅତି ସ୍ପଷ୍ଟ ବାହାବାରେ ଗତକାଲି କହିଛନ୍ତି । ମାନ୍ୟବର ବିଚାରପତି ଜଷ୍ଟିସ ବିଆର ଗଭାଇ, ଜଷ୍ଟିସ ସଞ୍ଜୟ କାରୋଲ ଏବଂ ଜଷ୍ଟିସ ବିକ୍ରମ ନାଥଙ୍କ ଖଣ୍ଡପୀଠ ତାଙ୍କର ରାୟରେ ଯାହା କହିଛନ୍ତି, ତାହା ସାଧାରଣ ନାଗରିକର ମସ୍ତିସ୍କରେ ଆଦୌ ପଶିବ ନାହିଁ

ଏହି ରାୟର ଚୂଡାନ୍ତ ନିର୍ଯାସରେ ଖଣ୍ଡପୀଠ କହିଛନ୍ତି – the impugned orders dated 17th November 2021 and 17th November 2022 granting extensions to the tenure of Sanjay Kumar Mishra for a period of one year each are held to be illegal. ଅର୍ଥାତ କେନ୍ଦ୍ର ସରକାର ସଞ୍ଜୟ କୁମାର ମିଶ୍ରଙ୍କୁ ଯେଉଁ ସମୟାଧିକ ନିଯୁକ୍ତି ଦେଇଥିଲେ ତାହା ବେଆଇନ । ଅତି ସ୍ପଷ୍ଟ ଭାବରେ ତାଙ୍କ ନିଯୁକ୍ତିକୁ ବେଆଇନ କହିବା ପରେ ତାଙ୍କୁ ଆସନ୍ତା ୩୧, ଜୁଲାଇ ପର୍ଯନ୍ତ କାମ କରିବାର ସୁଯୋଗ ମଧ୍ୟ କ୍ଷଣଦପୀଠ ଦେଇଛନ୍ତି।  

ସମସ୍ୟା ହେଉଛି ଗତ ଦୁଇ ବର୍ଷ ଧରି ବେଆଇନ ଭାବରେ ନିଜ ପଦରେ ରହି ସଞ୍ଜୟ କୁମାର ମିଶ୍ର ଯେଉଁ ସବୁ ନିଷ୍ପତ୍ତି ନେଇଛନ୍ତି ତାହା ବେଆଇନ କି ନୁହେଁ ?

ମୋଦୀ ସରକାର ପ୍ରବର୍ତ୍ତନ ବିଭାଗ ବା ଇଡିକୁ ନିଜ ବିରୋଧୀଙ୍କୁ ଦମନ କରିବାର ଏକ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି । ୨୦୧୪ ପୂର୍ବରୁ ଇଡି ସାଧାରଣତଃ ବିଦେଶୀ ଧନର ଦୁରୁପଯୋଗ, ସନ୍ତ୍ରାସବାଦ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ସମ୍ପତ୍ତି ପ୍ରସଙ୍ଗରେ ବ୍ୟାପକ ତଦନ୍ତ କରୁଥିଲେ । ମୋଦୀ ସରକାର ଏହାକୁ ନିଜର ରାଜନୈତିକ ବିରୋଧୀଙ୍କୁ ଜବତ କରିବା ଲାଗି ଏକ ମାଧ୍ୟମ ବ୍ୟବହାର କଲେ, ଯାହାକୁ ପରିଚାଳନା କରୁଥିଲେ  ବର୍ତ୍ତମାନର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର ।

ଜଣେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ପଦବୀରେ ରଖିବା ପାଇଁ ମୋଦୀ ସରକାର ଆଇନ ଏବଂ ସୁପ୍ରିମ କୋର୍ଟ ନିର୍ଦ୍ଦେଶକୁ ଅବମାନନା କରିବା ପଛରେ କେଉଁ ଉଦ୍ଦେଶ୍ୟ ଯେ ରହିଥିଲା, ତାହା ସମସ୍ତେ ବୁଝିଛନ୍ତି । ତେବେ ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ବଡ ଜଟିଳ । ଏକ ବେଆଇନ ନିଯୁକ୍ତିର ବୈଧତାକୁ ସୁପ୍ରିମକୋର୍ଟ ଗ୍ରହଣ କଲେ କାହିଁକି ? ଏ ପ୍ରକାର ବେଆଇନ ନିଯୁକ୍ତିଦାତାଙ୍କ ବିରୋଧରେ ଅଦାଲତ ନୀରବ ରହିବାର କାରଣ କଣ ?  

ସଞ୍ଜୟ କୁମାର ମିଶ୍ରଙ୍କ ନିଯୁକ୍ତିକୁ ବେଆଇନ କହି ତାଙ୍କ ପଦବୀ ଓ ସେହି ପଦବୀର ନିଷ୍ପତ୍ତିକୁ ବେଆଇନ ନ କହିବା, ବିଚାର ପ୍ରକ୍ରିୟାକୁ ଅଧିକ ଅସ୍ପଷ୍ଟ କରୁଛି । ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ଗଠନ ମାମଲାରେ ମଧ୍ୟ ସୁପ୍ରିମକୋର୍ଟ ଏହି ସମାନ ଆଭିମୁଖ୍ୟ ଗ୍ରହଣ କରିଥିଲେ । ମହାରାଷ୍ଟ୍ର ରାଜ୍ୟପାଳ ଏକ ବେଆଇନ ନିର୍ଦ୍ଦେଶ ଜରିଆରେ ଉଦ୍ଧବ ସରକାରର ପାଟଣା ଘଟାଇଥିଲେ ମଧ୍ୟ ରାଜ୍ୟପାଳଙ୍କ ବିରୋଧରେ କିଛି କହିବାକୁ ସୁପ୍ରିମକୋର୍ଟ ଉଚିତ ମଣିନଥିଲେ । ବେଆଇନ ପ୍ରକ୍ରିୟାରେ ଗଠିତ ମହାରାଷ୍ଟ୍ରର ସିନ୍ଧେ ମନ୍ତ୍ରୀମଣ୍ଡଳ ବର୍ତ୍ତମାନ ଏକାଧିକ ବେଆଇନ କାମ କରିବାର ସୁଯୋଗ ପାଇଛି ।

ନ୍ୟାୟ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ “ସାପ ମରିବ ନାଇଁ କି ବାଡି ଭାଙ୍ଗିବ ନାଇଁ” ନୀତି ଦେଶର ଗଣତନ୍ତ୍ରକୁ ଅଧିକ ଅସ୍ଥିରତା ଆଡକୁ ଟାଣି ନେବ  ।               .