ଏବେ ଅମୃତ କାଳ
ମୁଁ ତୁମ ମୁଣ୍ଡରେ ମୁତିଦେବି
ତୁମେ ଚୁପ୍ ବସିବ ଓ ଲେଖିଦେବଯେ
ଲୋକେ ଯାହା ଦେଖିଲେ ସେ ମିଥ୍ୟା
ଓ କେବଳ ବ୍ରହ୍ମ ହିଁ ସତ୍ୟ ।
ତୁମର ଏଡ଼େ ବହପଯେ ସମ୍ବିଧାନ ଅଛି କହି
ଭଲ ଲୋକର ବନ୍ଧ ଘାଟରେ ଗାଧୋଇବ
ଜାତି ନାଁରେ ତୁମ ଦେହରେ ଲାଗିଥିବା
ଯୁଗଯୁଗର ମଇଲା ଧୋଇବ
ଘୋଡ଼ା ପିଠିରେ ବସେଇ
ମୋ ଗାଁ ର ରାସ୍ତାରେ ବାଜା ବଜେଇ
ପୁଅର ବରାତ ବାହାର କରିବ
ସ୍କୁଲରେ ପଶିଲ ବୋଲି
ମୋ ମାଠିଆର ପାଣି ପିଇ
ମତେ ଅପବିତ୍ର କରିବ?
ପାଠ ପଢିବ ବୋଲି କେବେ ଜିଲ୍ଲାରେ ତ
କେବେ ରାଜ୍ୟରେ ପ୍ରଥମ ସ୍ଥାନ ମାଡ଼ି ବସିବ
ସାଇକିଲ ଚଲାଇ ତୁମର ଝିଅ କଲେଜକୁ ଯିବ
ଧର୍ଷଣର ଶିକାର ତୁମେ ନ ହେବତ କିଏ ହେବ?
ତୁମର ଏତେ ସାହାସଯେ ଗାଁ ମନ୍ଦିରରେ
ବାଜା ବଜେଇବାକୁ ମନା କରିବ
ବର୍ତ୍ତନିଆ ନେବୁ ନାହୌିଁ କହି
ବାଳ କାଟିବାକୁ ମନା କରିଦେବ
କପଡ଼ା କାଚିବାକୁ ମନା କରିଦେବ
ତମେ ଗାଁ ବାସନ୍ଦ ନିଆଁ ପାଣିବାସନ୍ଦ
ନ ହେବତ ଆଉ କିଏ ହେବ?
ତମ ଗଣ୍ଡ କି ଗଣା ସାହିରେ ପହରି କୀର୍ତ୍ତନ
କରିବାର ଅଧିକାର ଦେଲୁ ବୋଲି
ଆମ୍ବେଦକରର ନାଁ ଧରି ଆମ ମନ୍ଦିରରେ ପଶିଯିବ
ବାହାଘରକୁ ନିମନ୍ତ୍ରଣ ଦେଲୁ ବୋଲି
ଆମ ସହ ଗୋଟିଏ ଧାଡ଼ିରେ ଖାଇବାକୁ ବସିଯିବ
ପ୍ରେମର ଜାତି ଧରମ ନାହିଁ ବୋଲି
କିଏ କେବେ କହିଥିଲା ଲେଖିଥଲା ବୋଲି
ଆମ ଝିଅ ଭଉଣୀଙ୍କୁ ପ୍ରେମ କରିବ
ତମ ଘର ସାହୀରେ ନିଆଁ ଲାଗିବ ହିଁ ଲାଗିବ?
ଅଫିସର ନେତା ହେଲ ବୋଲି
ଆମଠୁ ନମସ୍କାର ଆଶା କରିବ
ତୁମ ସାମ୍ନାରେ ହାତ ଗୋଡ଼ ଯୋଡ଼ି
କେବେ କେମିତି ଛିଡ଼ା ହେବାକୁ ବାଧ୍ୟ ହେଉଛୁ ବୋଲି
ସଂସଦରେ, ବିଧାନ ସଭାରେ
ସଚିବାଳୟରେ ଆମ ସହ ବସୁଛ ବୋଲି
ତମ ଜାତିର କେତେଜଣ
ଦେଶର ପ୍ରଥମ ନାଗରିକ ହେଲେ ବୋଲି
ଧର୍ମୀୟ ଶୋଭାଯାତ୍ରାରେ
ତୁମକୁ ସାମିଲ କରୁଛୁ ବୋଲି
ଦଂଗାରେ ଆମର ସନ୍ୟୌ କରୁଛୁ ବୋଲି
ତୁମେ ଗର୍ବ କରି କହିବ
ସବୁ ମଣିଷ ସମାନ,ସଭିଙ୍କ ରକ୍ତ ସମାନ?
ଜୀବନ ଜିବୀକାର କଥା କହି
ନିଜକୁ ଗଛ ଅରଣ୍ୟ ନଈର ଅଂଶ କହି
ଆମର ଲାଭ ଲୋଭ ଭୋଗର ରାସ୍ତାରେ କଂଟା ହେବ
ଆମ ବିକାଶର ମନ୍ଦିରରେ ତୁମେ ବଳୀ ହେବାକୁ
ମନା କରିଦେବ
ଠେଂଗା ବାଡ଼ି ଟାଂଗିଆ ଦା ହାତୁଡ଼ି ଧରି
ଆମ ବନ୍ଧୁକ ଆଉ ବୁଲ୍ଡ଼ୋଜର ସାମ୍ନାରେ ଠିଆ ହେବ
ବିର୍ସା ମୁଣ୍ଡାର ବୀର ମାଟିରେ
କମ୍ପାନୀ ରାଜୁତି ଚଳିବ ନାହିଁ ବୋଲି
ନାରା ଦେବ
ତୁମେ ଗୁଳି ନ ଖାଇଲେ ଆଉ କିଏ ଖାଇବ?
ଆରେ ହେ ଶମ୍ବୁକର ବଂଶଧର
ହେ ଏକଲବ୍ୟର ବଂଶଧର
କାଟିଥିଲୁ କାଟୁଛୁ କାଟୁଥିବୁ ତୁମର ମୁଣ୍ଡ
କାଟିଥିଲୁ ବୁଢା ଆଂଗୁଠି
ଏବେ ଆରମ୍ଭ କରିଛୁ କାଟିବାକୁ ହାତ ଓ ପାପୁଲି
ଆମର ଗୁହ ଘାଂଟୁଥିଲ
ଆମର ଗୋତି .ଥିଲ ହଲିଆ ଥିଲ
ପାଲିଙ୍କି ଉଠାଇ ଗୀତ ଗାଉଥିଲ
ଏତେ ଶୀଘ୍ର ଭୁଲିଗଲ
ମନେରଖ
ମନେରଖ ଆସିସାରିଛି ଅମୃତ କାଳ ।