ମନ୍ତ୍ରୀମଣ୍ଡଳରୁ ସଙ୍ଗଠନକୁ ଯିବେ କି ଧର୍ମେନ୍ଦ୍ର ପ୍ରଧାନ ??

ମନ୍ତ୍ରୀମଣ୍ଡଳରୁ ସଙ୍ଗଠନକୁ ଯିବେ କି ଧର୍ମେନ୍ଦ୍ର ପ୍ରଧାନ ??

ବର୍ତ୍ତମାନ ସମୟର ସବୁଠୁ ବଡ ଚର୍ଚ୍ଚା ହେଉଛି ମୋଦୀ ସରକାରର ଅଦଳ ବଦଳ । ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରୀମଣ୍ଡଳର ବ୍ୟାପକ ଅଦଳ ବଦଳ କରିବାକୁ ଚାହୁଁଛନ୍ତି ବୋଲି ଏବେ ଶୁଣାଯାଉଛି । ସେହି ପ୍ରକ୍ରିୟାରେ ଓଡିଶାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନ୍ତ୍ରୀମଣ୍ଡଳରୁ ଆଣି ବିଜେପି ସଙ୍ଗଠନରେ ସାମିଲ କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ଓଡିଶାରୁ ଜାତୀୟ ରାଜନୀତିକୁ ଯାଇଥିବା ନେତାମାନଙ୍କ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଫଳତମ ରାଜନେତା ବୋଲି ଆମକୁ ମାନିବାକୁ ପଡିବ । ଧର୍ମେନ୍ଦ୍ରଙ୍କ ପୂର୍ବରୁ ଏକାଦିକ୍ରମେ ୯ ବର୍ଷ ଧରି କୌଣସି ଓଡିଆ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇନଥିଲେ । ପେଟ୍ରୋଲିୟମ ଏବଂ ଶିକ୍ଷା ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ଏତେ ଲମ୍ବା ସମୟ ପର୍ଯନ୍ତ ଅନ୍ୟ କୌଣସି ଓଡିଆଙ୍କ ଭାଗ୍ୟରେ ଯୁଟି ନଥିଲା । ସେହିପରି ଅନ୍ୟ ରାଜ୍ୟରୁ ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହେବାରେ ମଧ୍ୟ ଧର୍ମେନ୍ଦ୍ର ପ୍ରଥମ ଓଡିଆ ।

କେନ୍ଦ୍ର ସରକାରରେ ଏବଂ ବିଜେପି ସଙ୍ଗଠନରେ ଧର୍ମେନ୍ଦ୍ର ପ୍ରଧାନଙ୍କର ପ୍ରଚଣ୍ଡ ପ୍ରଭାବ ଯେ ରହିଛି, ଏହାକୁ ସ୍ଵୀକାର କରିବାକୁ ପଡିବ । ତେବେ ଦଳ ଓ ସରକାରରରେ ଏତେ ବଡ ପଦବୀରେ ଥାଇ ମଧ୍ୟ ସେ ଗତ ୧୦ ବର୍ଷ ଭିତରେ ପ୍ରତ୍ୟକ୍ଷ ନିର୍ବାଚନ ଲଢିବାକୁ ସାହସ ଯୁଟାଇ ପାରିନାହାନ୍ତି । ସେ ବିହାର ଏବଂ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଛନ୍ତି, ହେଲେ ଓଡିଶାରେ ତାଙ୍କର ନିର୍ବାଚନ ଲଢିବା ଆଜି ମଧ୍ୟ ଏକ କଳ୍ପନା ହୋଇ ରହିଛି । ୨୦୦୦-୨୦୦୯ ସମୟଖଣ୍ଡରେ ବିଜେଡି-ବିଜେପି ମେଣ୍ଟ ଥିବା ସମୟରେ ଧର୍ମେନ୍ଦ୍ର ଥରେ ବିଧାନସଭାକୁ ଓ ଆଉ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ ପରଠାରୁ ରାଜ୍ୟ ନିର୍ବାଚନରେ ସେ କେବଳ ବିଫଳ ପ୍ରଚାରକର ଭୂମିକା ନିର୍ବାହ କରି ଆସୁଛନ୍ତି । ପ୍ରାୟ ୧୪ ବର୍ଷ ଧରି ପ୍ରତ୍ୟକ୍ଷ ନିର୍ବାଚନ ଲଢିନଥିବା ଧର୍ମେନ୍ଦ୍ର ପ୍ରଧାନ ବିଜେପି ଭିତରେ ଜଣେ ନାମକରା ସଂଗଠକ ଭାବେ ବିଭିନ୍ନ ଦାୟିତ୍ଵ ତୁଲାଇ ଆସୁଛନ୍ତି ।

ବିହାର, ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶରେ ସେ ପ୍ରଭାରୀ ଭୂମିକା ତୁଲାଇ ବିଜେପିକୁ ସଫଳତା ଦେଇଛନ୍ତି ବୋଲି ତାଙ୍କ ସମର୍ଥକମାନେ ତାଙ୍କୁ ପ୍ରଶଂସା କରନ୍ତି । ବାହାର ରାଜ୍ୟରେ ରଣନେତି ପ୍ରସ୍ତୁତ କରି ବିଜେପିକୁ ବିଜୟ ମୁକୁଟ ପିନ୍ଧାଇ ପାରୁଥିବା ଧର୍ମେନ୍ଦ୍ର ଓଡିଶାରେ ବିଫଳ ହେବାର କାରଣ କଣ ? ଓଡିଶାରୁ ନିର୍ବାଚନ ଲଢିବା ପାଇଁ ୨୦୨୪ରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି କୁଆଡେ ପ୍ରସ୍ତୁତ ହେବା ଲାଗି ନିର୍ଦ୍ଦେଶ ଦେଇଛି । ସତରେ ଧର୍ମେନ୍ଦ୍ର ୨୦୨୪ ନିର୍ବାଚନ ଲଢିବେ କି ? ଢେଙ୍କାନାଳ କିମ୍ବା ସମ୍ବଲପୁର, ଦୁଇଟି ଯାକ ଆସନ ଧର୍ମେନ୍ଦ୍ରଙ୍କ ଲାଗି ସୁରକ୍ଷିତ ଆସନ ନୁହେଁ । ନିର୍ବାଚନ ନ ଲଢିବାକୁ ଧର୍ମେନ୍ଦ୍ର ସଂଗଠନ ଦାୟିତ୍ଵ ନେବା କଥା ବିଚାର କରୁଛନ୍ତି କି ? ବିଜେପିରେ ସଂଗଠନ ଦାୟିତ୍ଵ ନେତାମାନେ ପ୍ରାୟତଃ ପ୍ରତ୍ୟକ୍ଷ ନିର୍ବାଚନ ଲଢି ନଥାନ୍ତି । କେବଳ ନିର୍ବାଚନ ଲଢିବାର ସ୍ଥିତିରୁ ମୁକୁଳିବାକୁ ଧର୍ମେନ୍ଦ୍ର ମନ୍ତ୍ରୀପଦ ଛାଡି ସଙ୍ଗଠନରେ ସାମିଲ ହେବାକୁ ଉଚିତ ବୋଲି ଭାବୁଛନ୍ତି କି ?