ଇତିହାସକୁ ଓଲଟାଇବା କାର୍ଯ୍ୟ ପାର୍ଲାମେଣ୍ଟରେ ପହଞ୍ଚିଲା

ଇତିହାସକୁ ଓଲଟାଇବା କାର୍ଯ୍ୟ ପାର୍ଲାମେଣ୍ଟରେ ପହଞ୍ଚିଲା

ନରେନ୍ଦ୍ର ମୋଦିଙ୍କ ସରକାର ଇତିହାସକୁ ଓଲଟାଇବା କାର୍ଯ୍ୟରେ ଲିପ୍ତ ରହି କେନ୍ଦ୍ର ଶିକ୍ଷା ଓ ସଂସ୍କୃତି ବିଭାଗକୁ ବରାବର ଏଥିରେ ବ୍ୟବହାର କରୁଛନ୍ତି । ସ୍କୁଲ ଶିକ୍ଷା ଓ କଲେଜ୍ ଶିକ୍ଷାରେ ଇତିହାସ ଓ ସାମାଜିକ ବିଜ୍ଞାନର ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇ ମୋଗଲ ଶାସନ ସମୟର ସବୁ କ୍ଷେତ୍ରରେ ପରିବର୍ତ୍ତନ କରିବା ଧାରା ବଳବତ୍ତର ରହିଛି । ମୁସଲିମ୍‌ମାନଙ୍କ ବିରୋଧରେ ବର୍ତ୍ତମାନ ଶାସକ ଗୋଷ୍ଠୀର ଥିବା ଘୃଣାଭାବ ଇତିହାସକୁ ପ୍ରଭାବିତ କରିଚାଲିଛି । ଏ ସଂକ୍ରାନ୍ତରେ ଭାରତର ପ୍ରଖ୍ୟାତ ଓ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତ ଐତିହାସିକମାନେ ସେମାନଙ୍କ ଭିନ୍ନମତ ପ୍ରକାଶ କରୁଥିଲେ ମଧ୍ୟ ଶାସକ ଶ୍ରେଣୀ ସେଥିପ୍ରତି ଖାତିର କରୁନାହିଁ । ଯେହେତୁ ପାଠ୍ୟକ୍ରମରେ ପରିବର୍ତ୍ତନ କରିଦିଆଯାଉଛି, ସେହେତୁ ଭବିଷ୍ୟତ ଛାତ୍ର ଓ ଯୁବଗୋଷ୍ଠୀଙ୍କୁ ପ୍ରକୃତ ଇତିହାସ ଜାଣିବା ପାଇଁ ପରେ ଅଧ୍ୟୟନ ଓ ଗବେଷଣା କରିବାକୁ ପଡିବ । ଏବେ ଏହି ଧାରା ପାର୍ଲାମେଂଟକୁ ସଂପ୍ରସାରିତ ହେବାର ଏକ ଉଦ୍ୟମ ଆରମ୍ଭ ହୋଇଛି ।

ପାର୍ଲାମେଂଟର ନୂଆ ଭବନ ନାମରେ ସେଂଟ୍ରାଲ ଭିଷ୍ଟା ପ୍ରକଳ୍ପର ଅଂଶ ଭାବରେ ନିର୍ମିତ ସଂସଦ ଭବନକୁ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ଯଦିଓ ରାଷ୍ଟ୍ରପତି ସଂସଦର ମୁଖ୍ୟ ଓ ପ୍ରମୁଖ ହୋଇଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଏହା ଉଦ୍‌ଘାଟିତ ହେବା ଦାବି କରି ୨୦ଟି ବିରୋଧୀ ଦଳ ବୈଠକକୁ ବର୍ଜନ କରିଛନ୍ତି । କିନ୍ତୁ ଏହି ଉଦ୍‌ଘାଟନ ସମୟରେ ନୂଆ ସଂସଦ ଭବନର ବାଚସ୍ପତିଙ୍କ ଚୌକି ନିକଟରେ ଆଧ୍ୟାତ୍ମିକ ଦୃଷ୍ଟିରୁ ପ୍ରସ୍ତୁତ ଏକ ‘ରାଜଦଣ୍ଡ’ ଯାହାକୁ ବ୍ରିଟିଶ ସରକାର କ୍ଷମତା ହସ୍ତାନ୍ତର ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ପ୍ରଦାନ କରିଥିଲେ ବୋଲି କୁହାଯାଉଛି, ତାହାକୁ ଅବସ୍ଥାପିତ କରାଯିବ ବୋଲି କାର୍ଯ୍ୟକ୍ରମ ରହିଛି । ନିଜେ ଖୋଦ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଦୁଇ ଦୁଇଟି ସାମ୍ବାଦିକ ସମ୍ମିଳନୀ କରି ଏହି ରାଜଦଣ୍ଡ ତାମିଲନାଡୁର ଥିରୁଭାଦୁଥୁରାନି ଆଧିନାମ୍ ମଠର ମହନ୍ତ ଚୋଳ ରାଜତନ୍ତ୍ରରେ କ୍ଷମତା ହସ୍ତାନ୍ତର ସମୟରେ ଦିଆଯାଉଥିବା ରାଜଦଣ୍ଡ ଅନୁସାରେ ପ୍ରସ୍ତୁତ କରିଥିଲେ । ଏହାପଛରେ ରାଜତନ୍ତ୍ର ସହିତ ଏକ ଆଧ୍ୟାତ୍ମିକ ବ୍ୟବସ୍ଥା ମଧ୍ୟ ରହିଛି ।

ସ୍ୱାଧୀନତା ସମୟରେ ଦେଶର ଭାଇସ୍‌ରାୟ ଥିବା ଲଡ୍ ମାଉଂଟବ୍ୟାଟେନ୍ କ୍ଷମତା ହସ୍ତାନ୍ତରର ଭାରତୀୟ ପରମ୍ପରା ସଂପର୍କରେ ନେହରୁଙ୍କୁ ପଚାରିବାରୁ, ନେହରୁ ସେ ସଂପର୍କରେ ରାଜଗୋପାଳଚାରୀଙ୍କ ମତାମତ ଲୋଡ଼ିଥିଲେ । ରାଜଗୋପାଳଚାରୀ ଚୋଳ ରାଜତନ୍ତ୍ରରେ କ୍ଷମତା ହସ୍ତାନ୍ତରର ବିଷୟରେ ଉଲ୍ଲେଖ କରି ତାମିଲନାଡୁର ଆଧିନାମ୍ ମଠକୁ ଜଣାଇବା ପରେ ସେମାନେ ଏହି ରାଜଦଣ୍ଡ ଆଧ୍ୟାତ୍ମିକ ଉପାୟରେ ପ୍ରସ୍ତୁତ କରି ମାଉଂଟବ୍ୟାଟେନ୍‌ଙ୍କୁ ଦେଇଥିଲେ ଓ କ୍ଷମତା ହସ୍ତାନ୍ତର ସମୟରେ ମାଉଂଟବ୍ୟାଟେନ୍ ତାହା ପଣ୍ଡିତ ନେହରୁଙ୍କୁ ପ୍ରଦାନ କରିଥିଲେ । ଏବେ ସେହି ରାଜଦଣ୍ଡଟି ଆହ୍ଲାବାଦ୍‌ର ସଂଗ୍ରାହଳୟରେ ରହିଥିବାରୁ ବର୍ତ୍ତମାନର ସରକାର ତାହାକୁ ଆଣି ନୂଆ ସଂସଦ ଭବନ ଉଦ୍‌ଘାଟନ ସମୟରେ ବାଚସ୍ପତିଙ୍କ ଚୌକି ନିକଟରେ ତାହା ଲଗାଇବାକୁ ସ୍ଥିର କରିଛନ୍ତି । କିନ୍ତୁ ସମସ୍ତ ଐତିହାସିକ ତଥ୍ୟରେ ଏହିପରି ଘଟଣାର କୌଣସି ଠାରେ ଅବତାରଣା ନାହିଁ ।

ବିଶେଷ ଭାବରେ ମାଉଂଟବ୍ୟାଟେନ୍‌ଙ୍କ ଜୀବନୀ ଲେଖିଥିବା କୌଣସି ଲେଖକ ବା ନିଜେ ମାଉଂଟବ୍ୟାଟେନ୍ ଏହା କୌଣସି ଠାରେ ଉଲ୍ଲେଖ କରିନାହାନ୍ତି । ସେହିପରି ପଣ୍ଡିତ ନେହରୁଙ୍କ ଜୀବନୀ ଲେଖିଥିବା କୌଣସି ଲେଖକ କ୍ଷମତା ହସ୍ତାନ୍ତରରେ ଏହି ରାଜଦଣ୍ଡ ବିଷୟରେ କୌଣସି ସୂଚନା ଦେଇନାହାନ୍ତି । ଏପରିକି ରାଜଗୋପାଳଚାରୀଙ୍କ ଜୀବନୀ ଲେଖିଥିବା ତାଙ୍କ ନାତି ରାଜମୋହନ ଗାନ୍ଧି ମଧ୍ୟ ଏହି ରାଜଦଣ୍ଡ ବିଷୟକୁ ସଂପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଦେଇଛନ୍ତି । ଆଧିନାମ୍ ମଠ ପକ୍ଷରୁ ରାଜଦଣ୍ଡ ପ୍ରସ୍ତୁତ ହୋଇଥିବା ଓ ଦିଲ୍ଲୀରେ ଆସି ନେହରୁଙ୍କୁ ହସ୍ତାନ୍ତର କରାଯାଇଥିବା ବିଷୟରେ ଏକ ଫଟୋ ରହିଥିବା କୁହାଯାଉଛି । କିନ୍ତୁ ଏହା କ୍ଷମତା ହସ୍ତାନ୍ତର ସହିତ ଜଡ଼ିତ ବୋଲି କୌଣସି ଠାରେ ପ୍ରମାଣ ନାହିଁ । ଯଦିଓ ଚୋଳ ରାଜତନ୍ତ୍ରରେ ଜଣକ ପରେ ଆଉ ଜଣେ ରାଜା ହେବା ସମୟରେ କ୍ଷମତା ହସ୍ତାନ୍ତରରେ ଏହି ପ୍ରକ୍ରିୟା ଥିଲା । କିନ୍ତୁ ଭାରତରେ କ୍ଷମତା ହସ୍ତାନ୍ତର ସମୟରେ ଏହି ପ୍ରକ୍ରିୟା ହୋଇଥିବାର କୌଣସି ଐତିହାସିକ ପ୍ରମାଣ ନଥିଲେ ମଧ୍ୟ ନୂଆ ସଂସଦ ଭବନ ଉଦ୍‌ଘାଟନ ସମୟରେ ତାହାକୁ ସଂଗ୍ରାହଳୟରୁ ଆଣି ବାଚସ୍ପତିଙ୍କ ଚୌକି ପାଖରେ ଅବସ୍ଥାପିତ କରିବାର ପ୍ରକ୍ରିୟାର ପ୍ରକୃତ ଉଦ୍ଦେଶ୍ୟ କ’ଣ? ସଂସଦ ଭବନ ଏକ ନୂଆ କୋଠା । ଏହା କ୍ଷମତା ହସ୍ତାନ୍ତର ନୁହେଁ । ଏବେ ମଧ୍ୟ ଦେଶର ଜୀବନ୍ତ ପାର୍ଲାମେଂଟ ରହିଛି ।

ନିୟମ ଅନୁସାରେ ପାର୍ଲାମେଂଟ ଭବନ ଭିତରେ ଫଟୋ ଠାରୁ ଆରମ୍ଭ କରି ଯାହାକିଛି କରାଯିବ ସେ ସଂକ୍ରାନ୍ତରେ ପାର୍ଲାମେଂଟର ଏହି ସଂକ୍ରାନ୍ତରେ ଥିବା ବାଚସ୍ପତିଙ୍କ ନେତୃତ୍ୱାଧୀନ କମିଟି ପ୍ରଥମେ ଆଲୋଚନା କରିବା କଥା । କିନ୍ତୁ ଏପରି କୌଣସି କଥା ନକରି ନିଜ ମନକୁ ଏକ ଇତିହାସ ଗଢ଼ି ପାର୍ଲାମେଂଟ ଭବନରେ ତାହାକୁ କ୍ଷମତା ହସ୍ତାନ୍ତର ସହିତ ଜଡ଼ିତ ଥିବା କହି ବାଚସ୍ପତିଙ୍କ ଚୌକି ପାଖରେ ଅବସ୍ଥାପିତ କଲେ ଇତିହାସ ବଦଳିଯିବ କି? ଯେହେତୁ ତାମିଲନାଡୁ ସହିତ ଏହି ରାଜଦଣ୍ଡ କାରବାରଟି ଜଡ଼ିତ ଓ ତାମିଲନାଡୁକୁ ବିଜେପି ପ୍ରବେଶ କରିବା ପାଇଁ ଆପ୍ରାଣ ଉଦ୍ୟମ କରୁଛି, ସେହି ପରିପ୍ରେକ୍ଷୀରେ ତାମିଲନାଡୁ ବା ଦାକ୍ଷିଣାତ୍ୟ ପ୍ରଥା ବା ପରମ୍ପରା ପାର୍ଲାମେଂଟ ଭବନରେ ଅବସ୍ଥାପିତ କରି ସେଠାକାର ଲୋକମାନଙ୍କୁ ଆକୃଷ୍ଟ କରିପାରିବେ ବୋଲି ଭାବୁଛି । କିନ୍ତୁ ଏହା ରାଜନୀତିର କଥା ନୁହେଁ । ଇତିହାସକୁ ଭିନ୍ନ ଭାବରେ ଚିତ୍ରଣ କରିବା ଓ କ୍ଷମତା ହସ୍ତାନ୍ତର ସମୟରେ ସତେ ଯେପରି ବିଜେପି ଉପସ୍ଥିତ ଥିଲା ବା ନରେନ୍ଦ୍ର ମୋଦି ଦେଶର ମୁଖ୍ୟ ଥିଲେ, ସେହି ଧାରଣା ସୃଷ୍ଟି କରି ବାସ୍ତବରେ ୨୦୧୪ ପରେ ଦେଶ ସ୍ୱାଧୀନ ହେଲା ବୋଲି ଯେଉଁ ଭକ୍ତମାନେ ପ୍ରଚାର ଚଳାଇଛନ୍ତି, ସେମାନଙ୍କ ଆସ୍ଥା ଦୃଢ଼ୀଭୂତ ହେବା ପାଇଁ ଏହା ଏକ ପ୍ରଚେଷ୍ଟା ବ୍ୟତିତ ଅନ୍ୟ କିଛି ନୁହେଁ । ପାର୍ଲାମେଂଟ କମିଟିରେ ଯଦି ଏ ବିଷୟରେ ଆଲୋଚନା ହୋଇଥାନ୍ତା, ତେବେ ସେମାନେ ଇତିହାସର ସବୁ ଦିଗକୁ ଦେଖି ନିର୍ଣ୍ଣୟ କରିପାରିଥାନ୍ତେ । କିନ୍ତୁ ବର୍ତ୍ତମାନର ଇତିହାସକୁ ଶାସକ ଗୋଷ୍ଠୀ ନିଜ ଇଚ୍ଛାରେ ପରିଚାଳିତ କରି ଭବିଷ୍ୟତ ପାଇଁ ଏକ ଅନ୍ଧକାର ସୃଷ୍ଟି କରିବାକୁ ଯାଉଛି । ଅବଶ୍ୟ ବର୍ତ୍ତମାନର ଚିନ୍ତାଶୀଳ ବ୍ୟକ୍ତିମାନେ, ଐତିହାସିକମାନେ ଏକ ବିକୃତ ଇତିହାସକୁ ଗ୍ରହଣ କରିବେ ନାହିଁ । ଅବଶ୍ୟ କେନ୍ଦ୍ର କ୍ଷମତାରେ ପରିବର୍ତ୍ତନ ଘଟିଲେ ଏହି ଇତିହାସ ବି ବଦଳିଯିବ । ଦେଶ ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର କୁହାଯାଉଥିବା ପାର୍ଲାମେଂଟରେ ଏହିପରି ଭାବରେ ବିକୃତ ଇତିହାସ ପରିବେଷଣ ଆଦୌ ଗ୍ରହଣୀୟ ନୁହେଁ ।