ପୁଷ୍ପାର୍ଘ୍ୟ

ନିଃଶବ୍ଦରେ ଚାଲିଗଲେ ଏଇ ଏଇ !
ହରେକୃଷ୍ଣ ହରେକୃଷ୍ଣ !
ପ୍ରେମ କରିପାରେ ଜଣେ ପ୍ରେମିକା ନ ହେଇ
ଭଲପାଇପାରେ, ସ୍ନେହ ଦେଇପାରେ,କରି ବି ପାରେ ଆଦର
ଏଇଟା ଜଣେଇ ସେ ଚାଲିଗଲେ ଦୂରବହୁଦୂର ଠିକଣା ନ ଦେଇ!
କହିବା କ'ଣ ଜରୁରୀ ଥାଏ ସବୁରେ ?
ନୀରବତା ବି ବେଶ୍ କରିପାରେ ଶବ୍ଦ !
ନମୁନା ଖୋଜି କିଏ କାହା ସ' କି ବଂଧ ବାଂଧିପାରେ ?
ବରଂ ଚାଲିଯିବା ଚୁପଚାପ୍ ଭଲ ବୋଲି
ଭାବିବା ଓ ଭୁଲ୍ ନୁହଁ , ହେଇପାରେ ।
ମୁଁ ପ୍ରେମିକ ନୁହଁ,ପ୍ରଖର ପ୍ରଶଂସକ, ସ୍ଵାଧୀନ ଉପାସକ
ନାୟକ ମୁଁ ସାଧକ ମୁଁ ରସିକ ମୁଁ ସ୍ବତନ୍ତ୍ର ଶାସକ:
ଏତିକି ଜାଣିପାରିଲେ ନାଇଁ ଯା' ଯିବା ପୂର୍ବରୁ ଟିକେ;
ମନରେ ରହିଗଲା ନଖଚିହ୍ନ ଗୋଟିଏ
ତଥାପି ଅଛି ଭାବି ଖୁସି ହେଇ ଆଉଁସି ଦିଏ ମୁଁ ଥରେଥରେ !
ଏମିତି ଆସି ଚାଲିଯାନ୍ତି ଚନ୍ଦନଟିପାଏ ପରି କେହିକେହି
କାହାକାହା ଜୀବନରେ !
ଆହା, ସିଏ ମୋର କିଏ ଥିଲେ କି ଲାଭ ବା ଜାଣି
ସିଏ ନୀରବତା ଯିଏ ଦେଉଥିଲେ ଶବ୍ଦ ମଂଜି ଆଣି
ଆଶୀର୍ବାଦଟିଏ ମୋ ମୁଣ୍ଡରେ ପାପୁଲିର ଫଣୀ
ହସ ତାଙ୍କ ଝୁଲାମୁଣି ଆଖି ଦିଗବାରେଣି
ମୋ ପରି ଫକିର ପାଇଁ ସିଏ ଦେବୀ ସିଏ ହିଁ ତାରିଣୀ।
ଗଲାପରେ, ଲୁହ ହେଇଯାଏ ଆଖି ।
ସେ ହେଲେ ଜାଣିଥାନ୍ତେ ସମସ୍ତେ ନୁହନ୍ତି ଛଦ୍ମବେଶୀ ଭିକାରୀ !
ଥାଆନ୍ତି ଆଉ କେହିକେହି ମନ୍ଦିର ପୂଜାରୀ!
ଯାଇଚନ୍ତି ଅନ୍ଧାରରେ କାହାକୁ ନ କହି
ଆସିବା ଲୋଡ଼ା ନାଇଁ ଆକାମାବୈ ଆଲୁଅରେ ସିଏ;
ଆସିପାରନ୍ତି ଯଦି ଆସିପାରନ୍ତି ଅନ୍ଧାରରେ ଜହ୍ନରାତି ହେଇ !
ଯୋଉ ପାଦ ମୁଁ ଦେଖିପାରିନାଇଁ ତା ତଳେ ମୁଣ୍ଡିଆ ମୋ ଶହେଆଠଥର,
କାଇଁ ଛାଡ଼ିଗଲ ନୀଳବସ୍ତ୍ର ଖଣ୍ଡକ ଶୂନ୍ୟ ଘରଟିରେ
ହେ କୃପଣି ଗୋପାଳୁଣି ମୋର !