ଜଣେ ରାଜା ଥିଲେ
ଜଣେ ରାଜା ଥିଲେ
ତାଙ୍କର ଥିଲା ଦୁଇଟି କାଚଗୁଲିର ଆଖି
ସେ ଯାହା ଦେଖିବାକୁ ଇଚ୍ଛା କରୁଥିଲେ
ତାହା ହିଁ ଦିଶୁଥିଲା ସେ ଆଖିରେ
ଓ ବାକି ସବୁ ଛପିଯାଉଥିଲା ଆଖି ପଛ ପାଖର ଅନ୍ଧାରରେ।
ତାଙ୍କ ଚାରିପଟେ ସ୍ତୁତିକାରୀ
ଦଳେ ଶୃଗାଳ ଘେରି ରହି
ଜୟ ଜୟକାର କଲାବେଳେ
ରାଜାଙ୍କ ଛାତିର ପ୍ରସ୍ଥ ବଢ଼ି ଯାଉଥିଲା କାହିଁରେ କେତେ....!!
ଭଲଦିନର କାନଭାସ୍ ଟାଙ୍ଗି
ଆଙ୍କୁଥିଲେ ଅମୃତ ଉତ୍ସବର ମନୋହରୀ ଚିତ୍ର
ବିଷଭାଣ୍ଡରେ ନବାତ ଗୋଳାଇ
ପରଶି ଦେଉଥିଲେ ଅମୃତକାଳ....
ବେରୋଜଗାରିଆଙ୍କ ଶୂନ୍ୟଥାଳିରେ ଅଜାଡ଼ି ଦେଉଥିଲେ
ସ୍ଵଚ୍ଛଳତାର କଲେଇକରା ପ୍ରତିଶ୍ରୁତି
ଏବଂ କଣା ଚାଳର ଛାତରୁ
ଜହ୍ନ ତୋଳି ଆଣିବାର ସ୍ଵପ୍ନ ସଜାଇ ଦେଉଥିଲେ
ଭୋକ ଆଉ ହତାଶାକୁ ଢାଙ୍କି।
ଈଶ୍ୱରଙ୍କ ଖୋଳପା ପିନ୍ଧେଇ
ଧାରୁଆ କରୁଥିଲେ
ଧର୍ମାନ୍ଧତାର ଦନ୍ଥଡ଼ା କାତି
ଓ ପ୍ରତିବାଦର କ୍ଷୀଣ ସ୍ଵରଟେ ବି
ଦେଶଦ୍ରୋହୀର ଗିଲୋଟିନରେ
କଟୁଥିଲା ଶତଖଣ୍ଡ।
ରାଜରାସ୍ତାରେ ନାରୀଦେହର
ନଗ୍ନ ଅପମାନ
ଜଳୁଥିଲା ଜଙ୍ଗଲ
ଜଳୁଥିଲା ଜନପଦ
ରାଜା ବ°ଶୀବାଦନରେ ବ୍ୟସ୍ତ ।
ଇତିହାସ ପୃଷ୍ଠାକୁ ଚିରିଦେଇ ନିଜକୁ ଜାହିର କରୁଥିବା
ଗୋଟେ ରାଜାର ଇତିହାସ
କାହିଁକି ପଢ଼ିବ ଆଗାମୀ ସମୟ ??
ଯେଉଁଠି ଜଳଜଳ ଦିଶୁଥିବ
କ୍ଷମତା ଲୋଭର ମଧ୍ୟଯୁଗୀୟ ମନସ୍ତତ୍ଵ ?!?