ଶ୍ୱେତପତ୍ର

ଶ୍ୱେତପତ୍ର

ଏଇ ଡଙ୍ଗର ରାଜ୍ୟରୁ

ଜାରି କରୁଛୁ ଆମେ,ନିରବ ପ୍ରତିବାଦର

ଫରମାନ୍ ,

ଜଳ, ଜମି ,ଜଙ୍ଗଲ ,ଜୀବିକା, ଜୀବନ ର

ଅପହରଣ  ବେଳେ,

କୋଉଠି ଥାଆନ୍ତି ,

ତାବାଟେ ବାଟେ ଯାଉଥିବା 

ତଣ୍ଟିଆମରା ତଣ୍ଟିକଣ୍ଟା ଆଇନ୍ ,

ନୀରବଦ୍ରଷ୍ଟା ସାଜିଥିବା

ମାନ୍ୟବର ମଙ୍ଗୁଆଳ ?

ଜନଗଣ ଙ୍କ ଅଧିଷ୍ଠିତ ଅଧିନାୟକ ?

କେନ୍ଦ୍ର ଓ ରାଜ୍ୟ ର କାଦୁଅ ଫିଙ୍ଗା ରାଜତନ୍ତ୍ର ରେ,

ଆମେ ଏଠି ଭ୍ରମିତ: ଭୂମିପୁତ୍ର,

କ୍ଷମତା ସର୍ବସ୍ବ ମହାଭାରତ ଯୁଦ୍ଧରେ,

ଆମେ ସବୁ ଜଣେ ଜଣେ ଉପେକ୍ଷିତ ଉପାନ୍ତ ର ଅବହେଳିତ,

କଟା ମୁଣ୍ଡିଆ: ବେଲାଳସେନ ।

 

ଏଇଠି !!

ଆମ କଥା ରଖିଲୁ ,

ଆମ ଦୁଃଖ କହିଲୁ,

ଅରଣ୍ୟ ର କଥିକା,

ନିଷାଦ ର ବ୍ୟଥିକା,

ସବୁଜ ସଂହାର ର

ଆଢ଼ୁଆଳରେ

ସାବୁଜା ଶିଆଡିପତ୍ରରେ

ଗଡୁଥାଏ,ନିରିହ

ମାଟି ଈଶ୍ୱର ମାନଙ୍କ ରକ୍ତରଞିତ କଟାମୁଣ୍ଡ ,

ସନ୍ଦେହ ଓ ସନ୍ଦିହାନ ରେ

ଭିଟାମାଟି ରୁ ପଳାତକ

ସାଜିଥିବା, ଅସହାୟ

ଅରଣ୍ୟ ଈଶ୍ୱର ?

ପିଠି ପଛରେ,

ଛାଡିଆସେ, ସ୍ମୃତି ବିଜଡ଼ିତ ଷଠିକୋଠି ,

ନାଭିନାଡ ର ଗର୍ଭୁଆଫୁଲ , ଜନ୍ମଭୂମି ର ଭାବସମ୍ଭୁତ,

ଭାରୁଏ ଲୁହଲେସା ଵିଵର୍ଣ୍ଣ: ଭିଟାମାଟି ।

 

ବିସ୍ଥାପନ ର ସଂଘାତରେ ସନ୍ତୁଳି ହୁଏ

ମାଟିମୁହାଁ ଦେବତା ର ମାଟିଲେସାଭାଗ୍ୟ,

ଥାନ ଓ ଥନ ରୁ ଅପସରି ଯାଏ

ମାଟିକୁ ଆବୋରି ଥିବା

ଭୂମିପୁତ୍ର ମାନଙ୍କ ବିଶ୍ୱାସ ଭରଷା,

ତୁଳସୀ ପାହାଡ଼ ରୁ ଝରିପଡେ

ଅଗନା ଅଗନି ଅଶ୍ରୃର ଅଭିଶାପ,

ଖଣି,ପାଣି, ମାଟି ମାଁ ର

ବିକ୍ରି:ପାଇଁ

ଚାପି ଦିଆଯାଏ, ଜନବାଦୀ ର ଡହ ଡହ: ସ୍ୱର

ପୁଞାପୁଞା ପୁଞ୍ଜିବାଦ ର ଚାପ

ଆଗରେ,ମରିହଜି ଯାଏ ,ଗଣତନ୍ତ୍ରିଆ ଚାରିଖୁରାର ଚଉକାଠ,

କେଜାଣି କାହିଁକି ? କୋଉ ହୁଙ୍କାରର ହୁଇପ୍ ଆଗରେ

ଚୁପ୍ ଚାପ୍ ,ମୁଣ୍ଡପାତି ଆଣ୍ଠେଇ ପଡେ ,ସର୍ବବୃହତ୍ ଗଣତନ୍ତ୍ରର

ସ୍ତମ୍ଭିଭୂତ_ ସମ୍ବିଧାନ !

ଅଳନ୍ଧୁଲେସା ଅଣଲେଉଟା ପୃଷ୍ଠା,

କଡ ଲେଉଟାଇ ନିଘୋଡ଼ ନିଦରେ ଶୋଇ ଯାଏ,

ବହଳେ ବହଳେ ବୃନ୍ଦଗାନ୍ ର ସ୍ୱଘୋଷ: ସଂଘର୍ଷ ।

 

ଖତେଇ ହୁଏ, ଖାପୁଏ ଖମାଣ

କେନ୍ଦୁଖୁଣ୍ଟ ଭର୍ତ୍ତି ପୋଡୁଚାଷୁଆ ଇତିହାସ ,

ନିରୀହ ନିଷାଦନଗ୍ର ର ଉଦ୍ ବାସ୍ତୁ ଈଶ୍ୱର !

ଜଙ୍ଗଲଜମି କବଲା ରୁ

ଅଣ୍ଡାଳେ ,ଦାଦି ଆନିବାଈ ଅମଳର

ଚକଡାଏ ଚଉହଦି,

ପୁଞିବାଦର ଅତ୍ୟାଚାର ରେ ଭିଡିହୁଏ,

ଭିଟାମାଟି,

ଖତିଆନ ଖାଇ ଗୋଡାଏ ,

ରିବିନି ବାବୁ ର ନାଲିଆ ନୋଟିସ୍

ଡେଙ୍ଗୁରା ଦିଏ ,

ଉଠ ଉଠ ,ପଳା ପଳା

ଜାଗା ଛାଡ୍ ପୁତା ! ଏ ମାଟି ତୁମର୍ ହୋଇପାରେ ?

ତୁମେ କିନ୍ତୁ ! ଏ  ମାଟି ର ମାଲିକ୍ ନୁହଁ ,

ତୁମ ହତଭାଗ୍ୟ କପାଳ ରେ ଗଢାହେବ

ଉପନିବେଶ ର ଅମରାବତୀ,

ଏଠି, ପାହାଡ଼ କୁ ,ପାହାଡ଼ ହୋଇ ରହିବା ମନା ?

ଏଠି, ଡଙ୍ଗର କୁ , ଡଙ୍ଗର ହୋଇ ରହିବା ମନା ?

ଏଠି ଝୋଲା କୁ, ଝୋଲା ହୋଇ ରହିବା ମନା ?

 

ମାଟି ପେଟ ଚିରି ରକ୍ତ ଶୋଷେ

ସାମ୍ରାଜ୍ୟବାଦୀର ବିସ୍ତାରବାଦୀ ଦେହ ଭୋକ ,

କ୍ଷତାକ୍ତ ହୁଏ ଜଙ୍ଗଲ ର ଜଂଘ ସନ୍ଧି,

ଦଳିମନ୍ଥି ଖିନ୍ ଭିନ୍ କରେ

ଡଙ୍ଗର ର ଥନ

ଆତ୍ମହତ୍ୟା କରେ ଧର୍ଷିତା ପାହାଡ

ଦଣ୍ଡକାରଣ୍ୟ ଦହନ କରେ

ଗର୍ଜୁଥିବା ମେସିନ୍,

ମରି ହଜି ଯାଏ,ଆଟବିକ ଅଗଣା ର ଅରଣ୍ୟ ଚିତ୍କାର ।

 

ଭୋ ଭୋ କାନ୍ଦି ଉଠନ୍ତି !

ମାଟି କୁ ଆବୋରି ଥିବା ଡୁମା ଡାହୁଣୀ,ଦିଅଁ ଦେବତା,

ଫାଟି ପଡେ ,ମାଟି ଈଶ୍ୱରଙ୍କ ପଥୁରିଆ ପିଠି ,

ଲହୁଲୁହ ରେ ଆୟୋଜିତ ହୁଏ ,

ବିସ୍ଥାପିତ ଈଶ୍ୱରଙ୍କ ଶ୍ରଦ୍ଧାଞ୍ଜଳି_ ପରବ୍,

ଓଦାଆଖିର ପ୍ରାର୍ଥନାରେ

ରକ୍ତରଞିତ ହୁଏ, ହେତୁପଥର

ଗର୍ଜିଉଠେ ମାଟିଆ, ମାଟୀବୀର ,

ଅଣ୍ଟାସଳଖି ଆକାଶକୁ ମାଗେ

ପାଟି ଖୋଲିବାର ବୈପ୍ଳବିକ  ମନ୍ତ୍ର

ମେଳିବାନ୍ଧେ,ହତୋତ୍ସାହିତହାହୁତାସ୍,

ଲମ୍ଫ ଦିଏ ଜଙ୍ଗଲୀ ଜୁଆନ୍ ,

ଅରଣ୍ୟରାଜ୍ୟର ନିଷାଦଚିତ୍କାର,

ସ୍ପର୍ଦ୍ଧିତ ଵହ୍ନିଭୂମିର ହୁତୁ ହୁତୁ ସ୍ଫୁଲିଂଙ୍ଗ ,

ବିଧିଵ୍ୟଵସ୍ଥା ବିରୁଦ୍ଧରେ,

ସ୍ୱର_ ସଂଘର୍ଷ, ଜଙ୍ଗଲ ରେ‌ ଶୁଭେ,

ଜଙ୍ଗଲିଆ ଜାଗରଣ ର ଜାଙ୍ଗୁଲୁ ଜାଙ୍ଗୁଲୁ ଜନଗର୍ଜନ,

ବେସାଲିସ୍ ହୁଙ୍କାର ର ଡହଡହ ବିପ୍ଳବ

ଅଗନା ଅଗନି ଅଗ୍ନି ଉତ୍ସବ, ଅଗ୍ନିଝୂଲ ର ଅଗ୍ନିମନ୍ତ୍ର,

ଲହ ଲହ ,ଡହ ଡହ, ଲାଲ୍ ଲାଲ୍: ଶ୍ୱେତପତ୍ର।