ପନ୍ନା ତ୍ରିବେଦୀ ଙ୍କ କବିତା "ମହମବତୀ"
ପ୍ରାୟ ସବୁବେଳେ ଉଜ୍ଜଳତାକୁ ଦେଖି
ଆମ ଆଖି ଝଲସି ଉଠେ
ଉଜ୍ଜଳତା ଯେ କୌଣସି ଆଖି ପାଇଁ
ଉତ୍ସବର ଅନ୍ୟନାମ ଯେମିତି ।
ମାତ୍ର ଉଦାସ ହୋଇଯାଏ ସେ ଆଖି
କେଉଁ ଛକରେ ଯେବେ ଯେବେ
ସେ ମହମବତୀ ଜଳୁଥିବାର ଦେଖେ ..
ଏମିତିରେ କୌଣସି ଗାଁ ମୁଣ୍ଡ ଛକରେ ମହମବତୀ ଜଳେ ନାହିଁ
କିନ୍ତୁ କିଛି ନା କିଛି ଜଳୁଥାଏ ସେଠି ବି ..
ଛକ କଡ଼ରେ ଉଦା ପଥର ଚିତ୍କାର କରେ
ପବନର କାନରେ -
ଆମେ କ’ଣ ସମସ୍ତେ କୋଉ ଆଦିମ ଯୁଗରେ !
ଆଜିକାଲି ଯେକୌଣସି ସହରରେ
କୌଣସି ବି ଛକରେ ମହମବତୀ ଜଳେ ତ
କୋଉ ଝିଅର ଇଜ୍ଜତ ଜଳିଯାଏନି
ଜଳିଯାଏ ତା’ର ଚିତ୍କାର ବି ;
ଜଳିଜଳି ଯାଉଥାଏ ତା’ପରିବାର ଲୋକଙ୍କ ଆଶା, ଆକାଂକ୍ଷା ;
ଆମ ହାତରେ ଆମ ପୂର୍ବଜମାନେ ସମର୍ପି ଦେଇ ଯାଇଥିବା ଆମ ସଂସ୍କୃତିର ବୁନିୟାଦ୍ ବି ।
ଜଳିଜଳି ଯାଉଥାଏ ଆମ ମଣିଷପଣିଆର ପ୍ରମାଣ ବି !
ଜଳୁଥାଏ ଆକାଶ ଛୁଇଁବାକୁ ଇଚ୍ଛା ରଖୁଥିବା
ଅସଂଖ୍ୟ ଝିଅମାନଙ୍କ ଡେଣା ;
ଆଉ ସେ ଆଲୋକରେ ନାଚୁଥିବାର ଦେଖାଯାଉଥାଏ ଆତଙ୍କର ଉଲଗ୍ନ ଛାଇ ବି ...
କୌଣସି ସହର ଛକରେ ମହମବତୀ ଜଳେ ତ ଲାଗେ ମାନବିକତାର ଆତ୍ମା ଜଳୁଛି ଯେମିତି ...
ଆଉ ଆତ୍ମା ଯେବେ ଜଳେ
ସେଠି ଧୂଆଁ ଉଠେ ନାହିଁ
ସେଠି ଧୂଆଁ ଉଠେ ନାହିଁ !
ମୂଳ ହିନ୍ଦୀ : ଡଃ ପନ୍ନା ତ୍ରିବେଦୀ
ଅନୁବାଦ : ଈପ୍ସିତା ଷଡଙ୍ଗୀ