ସତୀଶ କୌଶିକ : ଚରିତ୍ର ଭିତରେ ହଜିଯାଉଥିବା ଅଭିନେତା

ସତୀଶ କୌଶିକ : ଚରିତ୍ର ଭିତରେ ହଜିଯାଉଥିବା ଅଭିନେତା

୧୯୮୩ରେ ଭାରତୀୟ ସିନେମା ଇତିହାସର ସବୁଠୁ ଚର୍ଚ୍ଚିତ ସିନେମା ତିଆରି ହୋଇଥିଲା ଓ ଏହି ସିନେମାର ସବୁ ଅଂଶୀଦାର ପରବର୍ତ୍ତୀ ସମୟରେ ସିନେମାର ଇତିହାସକୁ ବଦଳାଇଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସିନେମା ଟି ଥିଲା “ଜାନେ ଭି ଦୋ ୟାରୋ” । ତରୁଣ ନିର୍ଦ୍ଦେଶକ କୁନ୍ଦନ ଶାହଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏ ସିନେମାର ସବୁଠୁ ସଫଳ ଦିଗ ଥିଲା ଏହାର ସଂଳାପ । “ଜାନେ ଭି ଦୋ ୟାରୋ”ର ପ୍ରତିଟି ସଂଳାପ ଥିଲା ଐତିହାସିକ ଓ ଏହି ଐତିହାସିକ ସଂଳାପ ସବୁ ଲେଖିଥିଲେ ସେତେବେଳର ଆଉ ଜଣେ ତରୁଣ ଅଭିନେତା ସତୀଶ କୌଶିକ(୧୩, ଏପ୍ରିଲ, ୧୯୫୬-୯, ମାର୍ଚ୍ଚ,୨୦୨୩) । ସେତେବଳକୁ ସତୀଶ କୌଶିକଙ୍କ ବୟସ ମାତ୍ର ୨୭ । ଦିଲ୍ଲୀର ଜାତୀୟ ନାଟ୍ୟ ବିଦ୍ୟାଳୟ ଏବଂ ପୁନା ସ୍ଥିତ ସିନେମା ଏବଂ ଟେଲିଭିଜନ ଇଂଷ୍ଟିଚ୍ୟୁଟରୁ ପାଠ ପଢି ମୁମ୍ନାଇରେ ସଂଘର୍ଷ କରୁଥିବା ଅଭିନେତା ସତୀଶ କୌଶିକ ଏହି ସିନେମାରୁ ନିଜର ବଲିଉଡ ଯାତ୍ରା ଆରମ୍ଭ କରିଥିଲେ ।

ସତୀଶଙ୍କ ଅଭିନୟ ଓ ନିର୍ଦ୍ଦେଶନାର ଦୁଇଟି ବିଶେଷ ଦିଗ ରହିଥିଲା । ସେ ମୂଳତଃ ହାସ୍ୟ ଅଭିନେତା । ତେବେ ହାସ୍ୟ ଏବଂ କରୁଣ ଭିତରେ ଗୋଟେ ଚମତ୍କାର ସମନ୍ଵୟ ତାଙ୍କର ଚରିତ୍ର ଫୁଟାଇଥାଏ । ୧୯୮୭ରେ ମୁକ୍ତିଲାଭ କରିଥିବା ସୁପରହିଟ ସିନେମା “ମିଷ୍ଟର ଇଣ୍ଡିଆ”ରେ ସତୀଶଙ୍କ ଚରିତ୍ରର ନାଁ ଥିଲା “କ୍ୟାଲେଣ୍ଡର” । ଗୋଟେ ଅନାଥାଶ୍ରମର ପରିଚାରକ ଭାବରେ ନିଜ ଭୂମିକା ନିର୍ବାହ କରୁଥିବା ସତୀଶ ଏହି ସିନେମାରେ ହାସ୍ୟ ଏବଂ କାରୁଣ୍ୟର ସୁନ୍ଦର ମିଶ୍ରଣ ଘଟାଇଥିଲେ । ତାଙ୍କ ଚରିତ୍ର ସବୁବେଳେ ସହଜ ଓ ସ୍ଵାଭାବିକ । ଭାରତୀୟ ବଲିଉଡ ସିନେମାରେ ଗୋଟେ ଗୋଟେ ଚରିତ୍ର ଅମର ହୋଇଯାଇଛନ୍ତି । ସତୀଶ ସେ ଦୃଷ୍ଟିରୁ ବେଶ ସଫଳ ଅଭିନେତା । ସତୀଶ କୌଶିକ ଅଭିନେତା ଭାବରେ ଯେତିକି ପ୍ରସିଦ୍ଧ ତା ଠୁ ଢେର ଅଧିକ ପ୍ରସିଦ୍ଧ ତାଙ୍କର ଦୁଇ ଚରିତ୍ର – କ୍ୟାଲେଣ୍ଡର ଓ ପପ୍ପୁ ପେଜର । ସିନେମାର ଗୋଟେ ବୈଚିତ୍ର୍ୟ ହେଉଛି, ଅଭିନେତା ଗୋଟେ ଚରିତ୍ରକୁ ଗଢେ, କିନ୍ତୁ ସେଇ ଚରିତ୍ର ପରବର୍ତ୍ତୀ ସମୟରେ ଅଭିନେତାର ଭାଗ୍ୟ ପାଲଟିଯାଏ ।  କ୍ୟାଲେଣ୍ଡର ଓ ପପ୍ପୁ ପେଜର – ସତୀଶଙ୍କ ଅଭିନେତା ଜୀବନରେ ସ୍ଥାୟୀ ଠିକଣା ହୋଇ ରହିଗଲେ ।

ଅଭିଏନ୍ତା ଏବଂ ନିର୍ଦ୍ଦେଶକ ଭାବରେ ସତୀଶଙ୍କ ପାଖରେ ଯେଉଁ ବିଶାଳ ସମ୍ଭାବନା ଥିଲା ତାହା ଅନେକାଂଶରେ ବଲିଉଡର ଚକାଚକ ରଙ୍ଗ ଭିତରେ ହଜି ଯାଇଥିଲା । ସତୀଶଙ୍କର ସବୁଠୁ ବ୍ୟୟବହୁଳ ଏବଂ ଚର୍ଚ୍ଚିତ ସିନେମା “ରୁପ କି ରାନୀ ଚୋରୋଂ କା ରାଜା” ଗତ ଶତାବ୍ଦୀର ସବୁଠୁ ବଡ ଫ୍ଲପ ପ୍ରମାଣିତ ହୋଇଥିଲା । ବ୍ୟାବସାୟିକ ସିନେମାରେ ନିର୍ଦ୍ଦେଶକ ଭାବରେ ସଫଳ ହେବାକୁ ସତୀଶଙ୍କୁ ବହୁ ବିଫଳତାର ବାଟ ଦେଇ ଯିବାକୁ ବାଧ୍ୟ କରିଥିଲା । ବ୍ୟାବସାୟିକ ସିନେମାରେ ତାଙ୍କର ପ୍ରଥମ ସଫଳତା ଥିଲା “ହମ ଆପକେ ଦିଲ ମେ ରେହେତେ ହୈ”।

ବହୁ ସିନେମା ଏବଂ ଟେଲି ଧାରାବାହିକରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରିଥିବା ସତୀଶ କୌଶିକ ବ୍ୟକ୍ତିଗତ ଜୀବନରେ ବହୁ ବିଫଳତା ସହ ସଂଘର୍ଷ କରି ସଫଳ ହୋଇଥିଲେ । ଅତି ଅଳ୍ପ ବୟସରେ ଅକସ୍ମାତ ମୃତ୍ୟୁବରଣ କରିଥିବା ଏହି ଚର୍ଚ୍ଚିତ ଅଭିନେତା ଅନେକ ବର୍ଷ ଧରି ଭାରତୀୟ ଦର୍ଶକଙ୍କ ଛାତିରେ ହସ ହସ ଏବଂ କୌତୁକିଆ ଚରିତ୍ର ହୋଇ ବଞ୍ଚି ରହିଥିବେ ।