ସତ ବାକ୍ୟ
ସତ କଥାଟି କେବେଠୁ
ଘୁରି ବୁଲୁଚି, ଅପରଚିତ ,ମଳିନ
ପତଙ୍ଗଟିଏ ଭଳି।
ବସୁଛି ଏଠି ସେଠି,ପଚାରୁଚି
ସତ କଥା ପଦେ କହିଦେବାକୁ
ଆଜି ତମ ପାଖେ ଶବ୍ଦଟିଏ ନାହିଁ?
ସତ ଶବ୍ଦ ସବୁ ଉଚ୍ଚାରିତ ହେବା ମାତ୍ରେ ଏଠାରେ
ମରିଯାନ୍ତି ସଂଗେ ସଂଗେ।
ବାକି ରହେ ବାଧ୍ୟବାଧକତା
ହଜାରେ ଶିକୁଳି ବନ୍ଧା ଯନ୍ତ୍ର ଜୀବନ
ଘର ଯାହା ବାହାର ତାହା
ଭୁଲ ଯାହା ଠିକ ତାହା
ଜୀବନ ମରଣ ଭିତରେ ଥିବା
ମାୟା ପଟଳ ବି ତାହା,
ଡର କଣ ତେବେ?
ଦୟା କରି ଶବ୍ଦଟିଏ ଧରି ନିଅ
ସତ କଥାଟି କହିଦିଅ ମୁଁ ଯିବା ପୂର୍ବରୁ ,ଏକେଲା।
କେତେ ଚମତ୍କାର ସତେ
ମିଛ ଗଠିତ ଶବ୍ଦ ସବୁ!
ଆଞ୍ଜୁଳାଏ ଅଙ୍ଗୁର ଖସି ପଡ଼ିଲାକି
ଶୁନ୍ୟ ଲତା କୁଞ୍ଜ ରୁ ହଠାତ୍,
ଦେହର ପ୍ରତି ଅଙ୍ଗରେ ମଣ୍ଡି ହୋଇଗଲା
ଭୂଷଣ ଅଳଙ୍କାର ଚମତ୍କାର।
ଵାସ୍ତବତା ଯଦି ନିଦାଘ ହୁଏ
ମିଛ ଶବ୍ଦ ସବୁ ସତେକି ଉଦ୍ଦାମ ତୁଷାର ଝଡ଼
ତୀବ୍ର ଆଘାତ ସତ୍ତ୍ୱେ ବି
ସମ୍ମୋହିତ କରନ୍ତି ଦେହକୁ,ପ୍ରାଣକୁ।
କହ, କହତ
ସବୁକିଛି ମିଛ ହୋଇ ଗଲା କେତେବେଳେ?
କାହିଁ ସେ ସନ୍ତକ ତମର ,କେଉଁଠି,
ମୁଁ ଯାହାକୁ ରଖିଥିଲି ମାଛ ପେଟରେ?
ଶୁଖିଲା କଳା ସ୍ମୃତି ସବୁ
ବିଛାଡି ପଡିଛନ୍ତି ଉଦାସୀନ ବୃକ୍ଷ ତଳେ ,
ସଂକୀର୍ଣ୍ଣତର ହେଇ ଯାଇଚି
ପୁରୁଣା ଆକାଶ ମୋର
ମୋ ଦେହ ହଜାଇ ଦେଇଛି
ତମ ଓଠ ଓ ଆଙ୍ଗୁଠିର ସ୍ପର୍ଶ।
ସବୁ ଜାଣି ବି ଇଚ୍ଛା ହୁଏ ଆଜି
ସତ କଥାଟି କହିଦିଅନ୍ତ ଯଦି
ତମକୁ ଆଉ କେବେବି ନଡାକି ମୁଁ
ନିଶ୍ଚେ, ନିଶ୍ଚେ
ଚାଲି ଯାଆନ୍ତି ଏକାକୀ
ତଳକୁ ମୁହଁ ପୋତି,ନଖରେ ଧୁଳି କାଟି କାଟି।
ଏବେ ଅପରାହ୍ଣ,
ସନ୍ଧ୍ୟା ଘେରି ଆସିବ ୟାପରେ,
ଏଇ ରାତିରେ ହିଁ ଫେରାଇ ନେଇଛ ତମେ,
ଯାହା ସବୁ କହିଥିଲ ମୋତେ
ଦେହରେ ରହି ମନରେ ରହି
ବୁଝାମଣା ରେ ରହି ,ମିଳା ମିଶାରେ ରହି
ହଜିଯିବାରେ ରହି,ଖୋଜିବାରେ ରହି,
ଯାହା ସବୁ ଦେଇଥିଲ ମୋତେ,
ସବୁ ମିଛ ମିଛ ମିଛ ବୋଲି
ସତ ବାକ୍ୟ ଟି କହିଦେବାରେ ଡର କଣ,
କହିଦିଅ, ଏଇ ,ଏକ୍ଷଣି ମୁଁ ଫେରାଇ ନେଉଚି
ତମପାଇଁ ସମ୍ପୂର୍ଣ୍ଣ ଅନାବଶ୍ୟକ ,
ମୋର ନିଗୂଢ ଅଭିମାନ।