ପାବଲୋ ନେରୁଦାଙ୍କ "କବିତା"

ପାବଲୋ ନେରୁଦାଙ୍କ "କବିତା"

( ଆଜି ବିଶ୍ଵ କବିତା ଦିବସ । ଆଜିର ତାରିଖରେ ପାବଲୋ ନେରୁଦାଙ୍କ "କବିତା" ଶୀର୍ଷକ ଏଇ କବିତାର ଅର୍ଥ ଅନେକ । ଗୋଟେ କବି ପାଇଁ ଏ କବିତା ଏକପ୍ରକାର ମହାମନ୍ତ୍ର। ) 

ସେଇ ବୟସରେ

ମୋତେ ଖୋଜି ଖୋଜି ପହଞ୍ଚିଥିଲା କବିତା

ଜାଣେନା, ଜାଣେନା, କେଉଠୁ ଆସିଥିଲା କବିତା

କେଉଁ ଶୀତରାତିରୁ, କେଉଁ ନଦୀରୁ

ଜାଣେନା କେମିତି ଓ କେବେ

ନା, କବିତା ସ୍ଵର ନଥିଲା

ଶବ୍ଦ କି ନୀରବତା ବି ନଥିଲା ।

 

ସେ କିନ୍ତୁ ଡାକିଥିଲା ମୋତେ  ରାସ୍ତାରୁ

ଗୋଟେ ରାତିର ଶାଖାରୁ

ଅକସ୍ମାତ ଅନ୍ୟମାନଙ୍କୁ ଭିତରୁ

ଉତଫଣ ନିଆଁରୁ ଫେରୁ ଫେରୁ

 ସେ ମୋତେ ଇ ବାଛିଥିଲା ।   

 

କବିତା, ସେ ନିମୁହିଁ କବିତା

ସେ ମୋତେ ଇ ଛୁଇଁ ଥିଲା ।   

 

ମୋତେ ଜଣା ନଥିଲା, କଣ କହିବାକୁ ହେବ ମୋତେ

ମୋ ପାଟିରେ ପଶୁନଥିଲା କିଛି ବି ନାଁ

ମୋ ଆଖି ଥିଲା ଅନ୍ଧ ।

 

ମୋ ଆତ୍ମାରେ ଠକ ଠକ ସେ କାହାର ଆଙ୍ଗୁଠି

ସେ ଜ୍ଵର ନା ବିସ୍ମୃତିର ପର ?

ମୁଁ ଚେଷ୍ଟା କଲି ଚିହ୍ନିବାକୁ –କିଏ ସେ

ଚିହ୍ନିବାକୁ ଚେଷ୍ଟା କଲି ସେ ନିଆଁକୁ

ଆଉ ମୁଁ ଲେଖିଲି, ସେଇ ପ୍ରଥମ ଅସ୍ପଷ୍ଟ ଧାଡି

ଅସ୍ପଷ୍ଟ, କିଛି ବିଷୟ ନଥିବା

ଅର୍ଥହୀନ

ଗୋଟେ ନିର୍ବୋଧର ସେ ନିର୍ମଳ ପ୍ରଜ୍ଞା ।

 

ଅକସ୍ମାତ ମୋତେ ଦୃଶ୍ୟମାନ ହେଲା ସ୍ଵର୍ଗ

ଖୋଲିଗଲା ପୃଥିବୀର ସବୁତକ ଦୁଆର

ଦିଶିଲେ ରୋମାଞ୍ଚକର ଉଦ୍ଭିଦ ସବୁ

ଛିଦ୍ରମୟ ଅସଂଖ୍ୟ ଅନ୍ଧାର

ତୀର, ନିଆଁ ଓ ଫୁଲରେ ଭର୍ତ୍ତି ଅନ୍ଧାର

ସେ ବିପୁଳ ରାତି, ସେ ମହାବିଶ୍ଵ ।   

  

ମୁଁ ଗୋଟେ ଛୋଟିଆ ଜୀବ

ତାରକିତ ସେ ଶୂନ୍ୟତାରେ

ଆବିଷ୍କାର କଲି ରହସ୍ୟର ଛବି ସବୁ

ମୁଁ ମହାକାଳର ଏକ ଅଂଶ

ମୁଁ ଘୂରିଲି ତାରାମାନଙ୍କ ସହ

ନାଚି ନାଚି ଉଦ୍ଦାମ ପବନରେ ।

 

ଅନୁବାଦ- କେଦାର ମିଶ୍ର