ଜୀଵନ ପାଠ
ବାପାଙ୍କ ରୋଇ ଶିତଳା ହାଡ଼ ଖଣ୍ଡେ ଯୋଉଠି ପୋତି ଥିଲି
ସେଇଠି, ଗଢିଛି ଘର !
ହାଣ୍ଡିଶାଳରେ ଲୁହ ପଖାଳି
ବୋଉ,ଵାଢି ଦେଉଛି ଆହାର !
ଅଠର ପୁରି ନ'ଥିଲା ।
ଭୟ କରୁଥିଲି ଠିଆ ହେବାକୁ ଲୋକ ଭିଡରେ !
ଖୋଜୁଥିଲି, କାହାର ଆଶ୍ରା ।
ବାପାଙ୍କୁ ଜୁଈରେ ଜଳେଇ ଆସିଵା ପରେ
କାନ୍ଦିଵା ଵି' ଶିଖିନ'ଥିଲି !
ରାଣ୍ଡିପୁଅ ଲୁହର ମୂଲ୍ୟ ଵୁଝି ନ'ଥିଲା
ଛଣ ଛାତ ଘର ଉପରେ ଟକମକ ଖରା !
କାଳ ବୈଶାଖୀ ଵର୍ଷାରେ ଚିହ୍ନୁଥିଲି
ଆକାଶ ଓ ଵତାସ !
ଵୋଉ ହାତରୁ ଭାଙ୍ଗିଥିଲା
ପାଣି କାଚ ।
ଵଜ୍ର ସହିତ ସେ ଵଜ୍ର ହେଲା ! ବିଜୁଳିର ଚିରା ଶାଢି ପିନ୍ଧି ଚିହ୍ନାଇଲା -
ଵିଷାଦ ଋତୁର ଜୀବନ !
ମୋ ଅଣ୍ଟାରେ ବାନ୍ଧି ଦେଲା
ଖଣ୍ଡେ ଗାମୁଛା । କହିଲା - ତୁ ମଣିଷ ହେଵୁ !
ଵୋଉର ହାତ ରେଖାରେ
ପୋଡା ଦାଗ !
ଶିରା - ପ୍ରଶିରାରେ ତେଲ- ଲୁଣ ସଂସାରର ଦୁଃଖ :
ଖଣ୍ଡେ ଗାମୁଛା !
ଵନ୍ଧା ହୋଇଛି,ମୋ ଅଣ୍ଟାରେ ।
ସେଥିରେ ସାଉଁଟି ଚାଲିଛି -
ଵିଷାଦ ଋତୁର ଜୀବନ !
ମଣିଷ ହେଵାକୁ ଶୁଣୁଛି -
ଅଥୟ ଆତ୍ମାର ସ୍ଵରଲିପି !
କ୍ରୋଧରେ ଝରିଲା ବେଳେ
ଲୁହ
ରକ୍ତ ସ୍ରୋତରେ ପହଁରିଲାବେଳେ ସ୍ଵପ୍ନ
ସେ ଗାମୁଛାରେ ପୋଛି ଦେଇଛି।
ଶୋକାର୍ତ୍ତ ଵଉଦଙ୍କୁ ଚାହିଁ ଫୁଟାଇଛି ଲାଲ୍ ଫୁଲ !
ମାଟି ଖୋଳିବା ଵେଳେ ।ଭାଙ୍ଗିଲା ଵେଳେ ପଥର ।
ଖାଦାନରେ ଢାଳି ଦେଇଛି
ଝାଳ !
କ୍ଷତ ଚିହ୍ନକୁ ସାକ୍ଷୀ କରି ଠିଆ ହୋଇଛି -
ହସ୍ପତାଲ ବାରଣ୍ଡାରେ । ମୃତ୍ୟୁ ସହିତ ଲଢିବାକୁ ଅଣ୍ଟାରେ ଵାନ୍ଧି ସେ ଗାମୁଛା !
ଚୂଲି ପାଇଁ
ଜାଳ ଵାନ୍ଧିଛି ।
ଚାଳ ପାଇଁ ପାଖ ଝାଡ ଜଙ୍ଗଲରୁ
କଣି ବାଉଁଶ !
ଗାମୁଛାକୁ ଠେକା କରି ଵୋହି ଆଣିଛି - ପଥର ଭିତରେ ଚିତ୍କାର କରୁଥିଵା ଜଙ୍ଗଲୀ ପକ୍ଷୀଙ୍କ ଗୀତ !
ବାପାଙ୍କ ରୋଇ ଶିତଳା
ହାଡ଼ ଖଣ୍ଡେ
ଯୋଉଠି ପୋତି ଥିଲି,
ସେଇଠି, ଗଢିଛି ଘର !
ହାଣ୍ଡିଶାଳରେ ଏଵେ ଵି' ଲୁହ ପଖାଳୁଛି ଵୋଉ,
ପାଣି ହାଣ୍ଡିରେ ଫୁଟୁଥିବା
ଦି' ମୁଠା ଚାଉଳରେ ମୁଁ ଶିଖୁଛି -
ଜୀବନ ପାଠ !!