ଭାରତ ମାଝୀ ଉଵାଚ
ତୁ ଶଳା ନିମକହାରାମ କିରେ !
ପୂଜ, ରକ୍ତ,ଘା',ଖଙ୍କାର, ମଳ , ମୂତ୍ର ଗନ୍ଧ
ଛେପ, ବାନ୍ତି, ଲଙ୍ଗଳା ଦେହ, ଦାହ, ପୀଡା
ଉଚ୍ଚ ନୀଚ ଅସ୍ପୃଶ୍ୟ
ବଳାତ୍କାର ହତ୍ୟା ଦଙ୍ଗା
ଧର୍ମ ବିଧର୍ମୀ ଦେଶଦ୍ରୋହୀ
ପାପୀ ପାଷାଣ୍ଡ କୁଳାଙ୍ଗାର l
ଭୋକ, ତାପ, ଦରିଦ୍ର
ଭୃଣ, ଦୁଃଖ କଷ୍ଟ ଯନ୍ତ୍ରଣା
ରାହାଜାନି ଲୁଟ ବେଇମାନି
ବେଶ୍ୟା ନପୁଂସକ ବଏରୀ
ପୁଣି ଲଙ୍ଗଳା ଉଲଗ୍ନ ଦେହ ?
ପୁଣି ଭୋକିଲା ଦେହ ?
ପୁଣି ଶୋଷିତ ଲାଂଛିତ ଦେହ ?
ଦେହ ଦେହ ଦେହ......
ଛି.... ଛି....
ଯା' ମଣିଷ ପଢ଼ିବୁ ଯା'
ଏ ଦେଖାଦେଖି ଛାଡ଼ ;
ଯା' ମଣିଷ ପଢ଼ିକି ଆଇବୁ ଯା' !
ଭୋକରେ ଥରେ ସିଝିବୁ ଯା'
ଅସ୍ପୃଶ୍ୟ ହୋଇ ମନ୍ଦିରୁ ଥରେ ଫେରିବୁ ଯା'
ବଳାତ୍କାର ଭୋଗି ରକ୍ତାକ୍ତ ହେବୁ ଯା'
ଭୃଣହୋଇ ମାଉଁସ ମୁଣ୍ଡାଟେ ହୋଇ ଗଳିପଡ଼ିବୁ ଯା' ,
ପୁଣି ଲେଖିବୁ ପ୍ରଜାପତି ଥଣ୍ଟରେ
ଫୁଲର ଚୁମ୍ବନ ଦୃଶ୍ୟ,
ଉଇଁଲା ସୂର୍ଯ୍ୟରେ କାହାର ଓଠର ବିକିରଣ !
ଝରଣାର ଶବ୍ଦରେ ପ୍ରେମିକାର ଗୀତ ;
ମେଘକୁ ତୁଳନା କରିବୁ
ମେଖଳା କେଶ l
ଯା' କବି ଯା',
ମଥା ପାତି ସହିଯା ;
ସହିବା ହିଁ ତୋର ଧର୍ମ !
ଅତଏବ
କ୍ଲୀବତା ହିଁ ତୋର ପରିଚୟ l
ଏଵେ ତୁ ଏତେ ନିର୍ଲଜ ଯେ
ଶାସନ ବିରୁଦ୍ଧରେ ଲେଖିବୁ,
ତୋ ଦେଶର ସରକାର ବିରୁଦ୍ଧରେ ହେବୁ
ତୋ ରାଜ୍ୟ ଶାସନକୁ ତାଗିତ କରିବୁ
ମହାମହିମଙ୍କୁ ପ୍ରଶ୍ନ କରିବୁ !
ନମକହାରାମ! ;
ନମକହାରାମି କରିବୁ !
ଉଲଗ୍ନ କରାହେବ
ରାଜଧାନୀର ମଝି ଛକରେ ,
ଭୋଗିବୁ ରାଜଦ୍ରୋହ
ପଛପଟେ ବନ୍ଧାହେବ ହାତ
ଛାତିରେ ରାଜା ଲୋକ ଥୁକିବେ
କଟା ହେବ ତୋର ଜିଭ ଓ ହାତ !
ମାଟି କଥା ସବୁ ଛାଡ଼ କବି
ମଣିଷ କଥା ଥରେ ଛାଡ଼,
ନଚେତ ଯା ନର୍କେ ଘାଂଟିସାଂଟି ହେବୁ ;
ଏହା ହିଁ ତୋର ପ୍ରିୟ ଓ ପ୍ରାରବ୍ଧ !
ଯା' କବି ଥରେ ମଣିଷ ପଢ଼ିବୁ ଯା' !
ସୁଦୁ ମଣିଷ !