ନବୀନ ବାବୁଙ୍କ ଓଡିଶା ସ୍ଵପ୍ନ , କିଛି ବି ବଦଳିନି !!

ନବୀନ ବାବୁଙ୍କ ଓଡିଶା ସ୍ଵପ୍ନ , କିଛି ବି ବଦଳିନି !!

ଗାଁକୁ ଯାଇଥିଲି । ପ୍ରଥମେ ଗାଁ ବଜାର । ବଜାର ପରେ ଗୋଟିଏ ଗାଁ।  ସେ ଗାଁ ପାର ହେବା ପରେ କିଛି ଦୁର ଗଲେ ଆମ ଗାଁ ପଡେ । ବଜାର ଓ ଆମ ଗାଁ ମଝିରେ ଯେଉଁ ଗାଁ ପଡେ, ମୋ ପିଲାଦିନେ ସେହି ଗାଁ ବାଟ ଦେଇ ସ୍କୁଲକୁ ଯାଉଥିଲି । ଚାଲି ଚାଲି ଯାଉଥିଲି । ସେତେବେଳେ ଗାଁ ସରୁ ନଥିଲା। ଲାଗୁଥିଲା ଗାଁଟି ବହୁତ ଲମ୍ବା । ସେତେବେଳେ ଭାବୁଥିଲି ଏଇ ଗାଁଟି ଅତ୍ୟଧିକ ଲମ୍ବା ହୋଇ ଥିବାରୁ ମୁଁ ଅଧିକାଂଶ ସମୟରେ ପ୍ରାର୍ଥନା ପରେ ଯାଇ ସ୍କୁଲରେ ପହଞ୍ଚୁଛି। ଅନେକ ଥର ସେଥିପାଇଁ ସ୍କୁଲରେ ଆଣ୍ଠୋଇବାକୁ ପଡ଼ିଛି। 

ଏବେ ସ୍କୁଲ ଯିବାକୁ ପଡୁନି। ତା ଛଡା ଏବେ ଆଉ ଚାଲିବାକୁ ପଡୁନି। ବାଇକ୍ ଅଛି। ତେଣୁ ଗାଁ କେତେ ଶୀଘ୍ର ସରି ଯାଉଛି ଜଣା ପଡୁନି। ଏବେ ଭାବୁଛି ଏ ଗାଁଟି ଏତେ ଛୋଟ କାହିଁକି ? ଗାଁରେ ତିନି ଦିନ ରହିବା ପରେ ଯେତେ ଥର ସେହି ମଝି‌ ଗାଁ ବାଟ ଦେଇ ଯିବା ଆସିବା କରିଛି  ଏହି କଥା ଭାବିଛି। 
ଏବେ ବି ଭାବୁଛି ସେ ଗାଁ ଏତେ ଛୋଟ କାହିଁକି ଜଣା ପଡୁଛି। ଏ ବିଷୟରେ ଅଧିକରୁ ଅଧିକ ଭାବୁଛି । 

ଗାଁଟି ଅଧିକ ଗହଳି ଲାଗୁଛି। ସ୍ବାଭାବିକ କଥା । ଜନସଂଖ୍ୟା ବଢ଼ିଛି। ଅନେକ ଲମ୍ବା ପିଣ୍ଢା ଥିବା ଘର ଭାଇ ଭିନ୍ନ ହେବା ପରେ ଛୋଟ ପିଣ୍ଢା ଥିବା ଘରରେ ପରିଣତ ହୋଇଛି। ଆଗରୁ ଗାଁ ମଝିରେ ଲୋକଙ୍କୁ ପଶା ଖେଳରେ ମାତି ଥିବା ଦେଖୁଥିଲି। ଏବେ ତାହା ଆଉ ନାହିଁ । ବୋଧହୁଏ ପଶା ଖେଳିବାକୁ ଆଉ ଖାଲି ଜାଗା ନାହିଁ ଓ ଲୋକମାନେ ଆଗ ଅପେକ୍ଷା ବେଶୀ ନିଜ ନିଜ କାମରେ ବ୍ୟସ୍ତ । 

ଅନେକ ଘର ତିଆରି ହୋଇ ସଡ଼କ ଆଡ଼କୁ ମାଡି ଆସିଲେଣି । ନିଶ୍ଚିତ ଭାବେ ଲୋକଙ୍କ ହାତକୁ ଦି ପଇସା ଆସିବାରୁ ସେମାନେ ଘର ବଢେଇଛନ୍ତି ।‌ ଭଲ କଥା । ରାସ୍ତା ଆଉ ଚଉଡା ଦେଖା ନ ଯାଇ ଅଣଓସାରିଆ ଦେଖା ଯାଉଛି । ସେଥିପାଇଁ ବୋଧହୁଏ ଗାଁଟି ଆଗରୁ ଯେମିତି ବିସ୍ତାରିତ ଦେଖା ଯାଉଥିଲା ଏବେ ଆଉ ସେମିତି ଦେଖା ଯାଉନାହିଁ । 

ଗାଁ ଭିତର ଦେଇ ଗଲା ବେଳେ ଦୁଇ ପାଖକୁ ଦେଖିଲେ ଅନେକ ଗୁଡିଏ ଛୋଟ ଛୋଟ ଦୋକାନ ଦେଖିବାକୁ ମିଳୁଛି । ଦୋକାନ ଆଗରେ ମାଳ ମାଳ ଲେଜ୍ କୁରକୁରେ ପ୍ୟାକେଟ୍ ଝୁଲୁଛି । ରଙ୍ଗୀନ ପ୍ୟାକେଟସବୁ । ସେହି ସବୁ ଦୋକାନରେ ବେଶି ପୁଞ୍ଜି ଲାଗିନି । ପ୍ରାୟ ପ୍ରତି ତିନୋଟି ଘର ମଧ୍ୟରୁ ଗୋଟିଏ ଘର ସାମନାରେ ଏହି ଭଳି ଦୋକାନ । 

ଏହି ଛୋଟ ଦୋକାନ ଓ କୁରକୁରେ ପ୍ୟାକେଟ୍ ଗୋଟିଏ ଆର୍ଥିକ ଚିତ୍ର ଦେଖାଏ । ଏହା ଜଣାଏ ଯେ ବେକାରି ବଢ଼ିଛି। ବେକାର ମାନଙ୍କ ପାଇଁ ନିକଟତମ ସହଜ ରୋଜଗାର ପନ୍ଥା ହେଲା ଏହି ଭଳି ଛୋଟ ଦୋକାନ ଖୋଲିବା। ଏସବୁ ଦୋକାନର ଗ୍ରାହକମାନେ କେବେ ବି ଏକକାଳୀନ ହଜାର ଟଙ୍କାର ସଉଦା କିଣନ୍ତି ନାହିଁ । Stayfree ମିଳେନାହିଁ ଏସବୁ ଦୋକାନରେ । କାରଣ ଏବେ ବି ଗାଁରେ ମହିଳାମାନେ ଋତୁସ୍ରାବ ବେଳେ ପ୍ୟାଡ୍ ପିନ୍ଧୁ ନାହାନ୍ତି । 

CMIE ତରଫରୁ ଯେଉଁ employment ସର୍ଭେ ହୁଏ , କିମ୍ବା ସରକାରୀ PLFS ସର୍ଭେରେ ଏମାନଙ୍କୁ ବେକାର ବୋଲି ଗଣା ଯାଏ ନାହିଁ । ଏମାନଙ୍କୁ ସ୍ବରୋଜଗାରୀ ବୋଲି ସେମାନେ କୁହନ୍ତି । କିନ୍ତୁ ପ୍ରକୃତରେ ଏମାନେ ବେରୋଜଗାର । ବରଂ, ଆପଣମାନେ କହିପାରିବେ, ଏମାନେ ହେଉଛନ୍ତି ଲୁକ୍କାୟିତ ବେରୋଜଗାର । 


ବଜାର ବସ ଷ୍ଟପ୍ ଠାରୁ ଆମ ଘର ପର୍ଯ୍ୟନ୍ତ ପହଞ୍ଚିବା ବେଳକୁ ଏହି ପରି ଅସଂଖ୍ୟ ଛୋଟ ଦୋକାନ। ଯେଉଁ ଯୁବକମାନେ ଦୋକାନ ଖୋଲିଛନ୍ତି ସେମାନେ ବେଶୀ ପଢି ନାହାନ୍ତି। ଯଦି ବି ପଢିଥିବେ ସେମାନେ ଉଚ୍ଚ ଶିକ୍ଷା ପାଇଁ ଯାଇ ନାହାନ୍ତି। ଉଚ୍ଚ ଶିକ୍ଷାରେ ଯେତିକି ଟଙ୍କା ଖର୍ଚ୍ଚ ହେବ, ତା ଠାରୁ କମ୍ ଟଙ୍କାରେ ଛୋଟ ଦୋକାନ ଖୋଲି ହେବ। କିମ୍ବା ସେମାନେ ପଢ଼ିବା ବେଳରୁ ଜାଣିଛନ୍ତି ଉଚ୍ଚଶିକ୍ଷା ପାଇ ଡାକ୍ତର ଇଞ୍ଜିନିୟର ହେବା ଆମ ଭଳି ଘରମାନଙ୍କ ପାଇଁ ନୁହେଁ। ଶିକ୍ଷା ଋଣ ପାଇଁ ଚେଷ୍ଟା କରି ନାହାନ୍ତି। 

ବାଇକ୍ ରେ ବସି ବଜାର ଏମୁଣ୍ଡରୁ ସେମୁଣ୍ଡ ବୁଲିଲି।  ମୁଁ ପଢିଥିବା ମଧ୍ୟ ଇଂରାଜୀ ସ୍କୁଲକୁ ବଡ଼ କଷ୍ଟରେ ପାଇଲି । ଆଗରୁ ସେ ସ୍କୁଲର ଗେଟ୍ ପ୍ରସାରିତ ଦେଖା ଯାଉଥିଲା। ଏବେ ଗେଟ୍ ମୁହଁରେ ଗୁଡ଼ାଏ ଦୋକାନ ଖୋଲିଥିବାରୁ ସ୍କୁଲ ଲୁଚି ଯାଇଛି । ତଥାପି ବାଇକ୍ ଷ୍ଟାର୍ଟ ବନ୍ଦ କରି ସ୍କୁଲ ଭିତରକୁ ଦେଖିବାକୁ ଚାହିଁଲି । ଭାବିଲି ସବୁଆଡେ ସ୍କୁଲ ରୁପାନ୍ତର ହେଉଛି। ତେଣୁ ଏଠାରେ ବୋଧହୁଏ ସେ ସ୍କୁଲ ଆଉ ନାହିଁ ଯେଉଁ ସ୍କୁଲରେ ମୁଁ ପଢିଥିଲି । ଭିତରଟା ଜଙ୍ଗଲିଆ ଦେଖା ଯାଉଛି। ଜୀର୍ଣ୍ଣକାୟ ଓ ପରିତ୍ୟକ୍ତ ଦେଖା ଯାଉଛି। ବୋଧହୁଏ ସ୍କୁଲ୍ ଉଠି ଯାଇ ଅନ୍ୟ କେଉଁଠି ତିଆରି ହୋଇଛି ।‌


ସାଙ୍ଗ କହିଲା ଏମଇ ସ୍କୁଲ କେଉଁଠିକୁ ଉଠି ନାହିଁ। ତୁ ଯେଉଁଠି ପଡିଥିଲୁ , ସେ ସ୍କୁଲ ଏବେ ସେହିଠାରେ ଅଛି। ସେ ମୋତେ କହିଲା ତୁ ଆଉଥରେ ସେଠିକୁ ଯା । ୧୯୩୦ ମସିହାରେ ଖୋଲିଥିଲା ସ୍କୁଲ୍। ମୋବାଇଲରେ ଭିଡିଓ କରି ଫେସବୁକରେ ଛାଡ଼ିବୁ । 

ମୁଁ କହିଲି ସେଇଟା ବଡ଼ କଥା ନୁହେଁ। ହୁଏତ କିଛି ଦିନ ମଧ୍ୟରେ ପାଣ୍ଡିଆନ୍ ଆସି ସେ ସ୍କୁଲ ରୁପାନ୍ତର କରିବା ପାଇଁ କିଛି ଲକ୍ଷ ଟଙ୍କା ମଞ୍ଜୁର କରିଦେବ । କିନ୍ତୁ ସେଥିରେ କ'ଣ ହେବ ? ମୁଁ ମନେ ମନେ ସେହି ଅସଂଖ୍ୟ କୁରୁକୁରେ ପ୍ୟାକେଟ ଝୁଲୁଥିବା ଦୋକାନ କଥା ଭାବୁଥାଏ । ଏମଇ ସ୍କୁଲ୍ ରୁପାନ୍ତର ହେବା ଦ୍ବାରା କ'ଣ ମାଳ ମାଳ କୁରକୁରେ ଝୁଲୁଥିବା ଦୋକାନ ସଂଖ୍ୟା କମିବ ? 

ସବୁଆଡେ ପାଣ୍ଡିଆନ୍ ଚର୍ଚ୍ଚା। ହେଇ ସମୁକ ପଞ୍ଚାୟତକୁ ଯାଇଥିଲା ଯେ ଏତିକି ଲକ୍ଷ ଟଙ୍କା ଦେଲା  । ଲୋକେ କୁହାକୁହି ହେଉଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ କିଏ ଆସିବ ଚର୍ଚ୍ଚା ବି ସବୁଆଡେ। ସମସ୍ତେ ଭବିଷ୍ୟତ ବକ୍ତା ହୋଇ ଯାଇଛନ୍ତି। 

ପାଠକେ ଚିନ୍ତା କରନ୍ତୁ, ବିଶେଷ କରି ଯେଉଁମାନେ ଓଡ଼ିଶା ବାହାରେ ଅଛନ୍ତି, ସେମାନେ ଚିନ୍ତା କରନ୍ତୁ, ସେମାନେ ରହୁଥିବା ପ୍ରଦେଶରେ ଛୋଟ ସହରତଳି ଗାଁ ମାନଙ୍କରେ କ'ଣ ଏତେ ସଂଖ୍ୟକ କୁରକୁରେ ଓ ପାନ ଗୁଟୁଖା ଦୋକାନ ଅଛି ? 

ନବୀନବାବୁ ଶାସନକୁ ଆସିବା ପର ଠାରୁ ଜନସଂଖ୍ୟା ବୃଦ୍ଧି ଦର ଦ୍ରୁତ ବେଗରେ କମିଛି । ସତୁରୀ ଦଶକ ଠାରୁ ସରକାର ଜନସଂଖ୍ୟା କମାଇବା ପାଇଁ ଜୋରଦାର ପଦକ୍ଷେପ ନେଇ ଆସିଛନ୍ତି । ତାହାର ସୁବିଧା ନବୀନବାବୁଙ୍କ ସରକାର ପାଇଁ ଉପଲବ୍ଧ ହୋଇଛି। ଚିନ୍ତା କରନ୍ତୁ, ଜନସଂଖ୍ୟା ସେତେବେଳେ ଯେଉଁ ଦରରେ ବଢୁଥିଲା, ଏପର୍ଯ୍ୟନ୍ତ ଯଦି ସେହି ଦରରେ ବଢୁଥାନ୍ତା, ତେବେ ବିଜେଡି ସରକାର ସେହି ବର୍ଦ୍ଧିତ ଜନସଂଖ୍ୟାକୁ କେତେ ଦୂର ସମ୍ଭାଳି ପାରିଥାନ୍ତେ ।

ସୋସିଆଲ ମିଡିଆରେ ଦେଖୁଛି ପାଣ୍ଡିଆନ୍ କୁଆଡେ ବିକାଶ ବାଣ୍ଟୁଛନ୍ତି । 

ବନ୍ଧୁଗଣ, ୩୦ଟି ଯାକ ରାଜ୍ୟ ବିକାଶ କରିଛନ୍ତି । ଓଡ଼ିଶା ମଧ୍ୟ ବିକାଶ କରିଛି । ରେସ୍ ରେ ଥିବା ପ୍ରତ୍ୟେକ ଧାବକ ଦଉଡନ୍ତି । ଓଡ଼ିଶା ମଧ୍ୟ ଦଉଡୁଛି । ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସମୟରେ ଛୁଆବିକ୍ରୀ ଘଟଣା ହୋଇଥିଲେ ମଧ୍ୟ, ସେ ସମୟରେ ମଧ୍ୟ ଓଡ଼ିଶା ବିକାଶର ରାସ୍ତାରେ ଦଉଡୁଥିଲା । ସେ ମୂଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ   ସମୟର ୨୫ ବର୍ଷ ପୂର୍ବେ ଥିବା ଅନେକ ସମସ୍ୟା, ସେତେବେଳେ ଆଉ ନଥିଲା । 

ତାଙ୍କ ସମୟରେ ବର୍ତ୍ତମାନଠାରୁ ଜନସଂଖ୍ୟା କମ୍ ଥିଲା। ଯେତିକି ସ୍କୁଲ ଥିଲା, ସେ ସମୟର ପାଠପଢ଼ା ପାଇଁ ଥିଲା । ସେ ସମୟରେ ଲାଭଖୋର  ପ୍ରାଇଭେଟ୍ ସ୍କୁଲ୍ ନଥିବାରୁ ସରକାରୀ ସ୍କୁଲକୁ ଏତେ କମ୍ପିଟିସନ୍ ମିଳୁ ନଥିଲା । ସମସ୍ତଙ୍କୁ ପାଠ ପଢାଇବା ବୋଝ କେବଳ ସରକାରୀ ସ୍କୁଲ୍ ଓ ଗ୍ରାଣ୍ଟ ସ୍କୁଲ୍ ଉପରେ ଥିଲା। ଲାଭଖୋର ପ୍ରାଇଭେଟ୍ ସ୍କୁଲ୍ ନଥିଲେ, ଯେଉଁମାନେ ସରକାରଙ୍କର କିଛି ବୋଝ ହାଲୁକା କରିଥାନ୍ତେ। 

ସେହିପରି ପ୍ରାଇଭେଟ୍ ହସ୍ପିଟାଲ ମଧ୍ୟ ନଥିଲା। ଲୋକଙ୍କ ସ୍ୱାସ୍ଥ୍ୟସେବାର ସବୁ ବୋଝ ସରକାରଙ୍କ ଉପରେ ଥିଲା । ଏବେ ସ୍ବାସ୍ଥ୍ୟସେବା ପାଇଁ ରାଜ୍ୟ ପ୍ରାୟ ପୁରାପୁରି  ପ୍ରାଇଭେଟ୍ ହସପିଟାଲ୍ ଉପରେ ନିର୍ଭରଶୀଳ ବୋଲି କହିଲେ ଚଳେ । ସେଥିପାଇଁ ସରକାର ପ୍ରତିମାସରେ ପ୍ରାଇଭେଟ୍ ହସ୍ପିଟାଲ ଗୁଡ଼ିକୁ ୨୨୦ କୋଟି ଟଙ୍କା ଦେଉଛନ୍ତି । ବିଏସକେଓ୍ବାଇ ମିଟର ଚାଲୁ ହେବା ପୂର୍ବରୁ ବିଭିନ୍ନ ପ୍ରକାର ଟେଷ୍ଟରେ ଗୁଡ଼ାଏ ଟଙ୍କା ଯାଉଛି । ସେତେବେଳେ  ଡାକ୍ତର ଟେଷ୍ଟ ପାଇଁ ଲେଖୁ ନଥିଲେ । ତେଣୁ ସ୍ବାସ୍ଥ୍ୟ ସେବା ସେତେବେଳେ ଶସ୍ତା ଥିଲା। ବର୍ତମାନ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରାଇଭେଟ୍ ହସ୍ପିଟାଲରେ ମାଗଣା ସେବା ମିଳୁଛି ବୋଲି ଯାହା କୁହା ଯାଉଛି, ଆପଣ ନିଜେ ଯାଇ ବୁଝନ୍ତୁ, କେତେ ଜଣ ହିତାଧିକାରୀ ପକେଟ୍ ଖାଲି କରି ଆସୁ ନାହାନ୍ତି । ନବେ ଦଶକରେ ତ ସ୍ବାସ୍ଥ୍ୟ ସେବା ପାଇଁ ଟଙ୍କାଟିଏ ବି ଖର୍ଚ୍ଚ ହେଉ ନଥିଲା । ସତୁରୀ ଦଶକରେ ହଇଜା ଓ ଅନ୍ୟାନ୍ୟ ମହାମାରୀରେ ଯେଉଁଭଳି ଗାଁ ଗାଁରେ ଲୋକେ ମରୁଥିଲେ, ଓ ଲୋକେ ଠାକୁରାଣୀଙ୍କୁ ମାର୍ଜନା ଓ ପଣା ଦେଉଥିଲେ, ନବେ ଦଶକ ବେଳକୁ ତାହା ନଥିଲା । 

ମୁଁ କହୁନାହିଁ ଯେ ଜାନକୀବଲ୍ଲଭଙ୍କ ସମୟରେ ପରିସ୍ଥିତି ଠିକ୍ ଥିଲା । କିନ୍ତୁ ପାଠକେ ଚିନ୍ତା କରି କୁହନ୍ତୁ , ଜାନକୀବାବୁଙ୍କ ସମୟରେ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରତି ଥିବା ଆହ୍ବାନକୁ ମୁକାବିଲା କରିବାରେ,  ସରକାର ବେଶି ସକ୍ଷମ ଥିଲା, ନା ବର୍ତ୍ତମାନର ସରକାର ବର୍ତ୍ତମାନ ସମୟର ଆହ୍ବାନକୁ ମୁକାବିଲା କରିବାରେ ବେଶି ସକ୍ଷମ । ଦୟାକରି ନିଷ୍ପକ୍ଷ ଭାବେ ଚିନ୍ତା କରି କୁହନ୍ତୁ। 

କିଛି ବର୍ଷ ପୂର୍ବେ ନକ୍ଷତ୍ର ନ୍ୟୁଜର ସାମ୍ବାଦିକା ମ୍ୟାଡାମ୍ ସୁପ୍ରୀୟା ଦାଶ ମୋତେ ତାଙ୍କର ଏକ ବିତର୍କରେ ଭାଗ ନେବାକୁ ଡାକିଥିଲେ। ମୁଁ ପଚାରିଲି ବିତର୍କର ବିଷୟ କ'ଣ ? ସେ କହିଲେ ଓଡିଶାର ଋଣଭାର। 

ମୁଁ ପ୍ରଥମେ ଯିବା ପାଇଁ ମନା କରିଦେଲି। ସେ କାରଣ ପଚାରନ୍ତେ ମୁଁ କହିଲି ମୁଁ ମିଛ କହି ପାରିବିନି। ମୁଁ ଜାଣିଛି ଓଡ଼ିଶାର ଋଣଭାର ଉତ୍କଟ ନୁହେଁ । 

ସେ ମୋତେ କହିଲେ ଆପଣ ସେହି କଥା ଡିବେଟରେ କୁହନ୍ତୁ। 

ମୁଁ ମନାକଲି । ଗୋଟିଏ ବିପକ୍ଷ ଦଳର ପ୍ରତିନିଧି ହୋଇ ମୁଁ କେମିତି ସରକାରଙ୍କୁ କ୍ଲିନଚିଟ୍ ଦେଇ ଆସିବି ? ମୁଁ ସତ କହିଲି ବୋଲି ମୋତେ ମେଡାଲ୍ ମିଳିବନି। ବରଂ ମୋ ଦଳର ଭଲେଣ୍ଟିଅରମାନେ ସେ ପ୍ରୋଗ୍ରାମ ଦେଖି ମୋ ଉପରେ ରାଗିବେ । ତଥାପି ପ୍ରୋଗ୍ରାମକୁ ଗଲି । 

ଚିରାଚରିତ ଭାବେ ଅନ୍ୟବିପକ୍ଷ ଦଳର ପ୍ରତିନିଧିମାନେ ଓଡ଼ିଶା ସରକାରଙ୍କ ଋଣଭାର ପାଇଁ ସରକାରଙ୍କୁ ସମାଲୋଚନା କରିବାରେ ଲାଗିଲେ । ମୁଁ ଧର୍ମସଙ୍କଟରୁ ମୁକୁଳିବା ପାଇଁ ଚିନ୍ତା କରୁଥାଏ । ପ୍ରକୃତରେ ବି ନବୀନ ସରକାରଙ୍କ ସମୟରେ ବରଂ ସରକାରଙ୍କ ଋଣଭାର କମିଛି । ଏବେ ବି କମ୍ ଅଛି । ଯେଉଁମାନେ ଋଣଭାର ପାଇଁ ନବୀନ ସରକାରଙ୍କୁ ସମାଲୋଚନା କରୁଛନ୍ତି ତାହା ସେମାନଙ୍କର ବୌଦ୍ଧିକ ଦେବାଳିଆପଣ । ଚିରାଚରିତ ଭାବେ ବିପକ୍ଷ ଦଳମାନେ ଏହିପରି ସମାଲୋଚନା କରି ଆସନ୍ତି । 

ଆପଣ କହୁ ନାହାନ୍ତି ?  ଯଦି ଗୋଟିଏ ସରକାର ୨୦୨୦ ମସିହା ପର୍ଯ୍ୟନ୍ତ ଶିକ୍ଷା, ସ୍ବାସ୍ଥ୍ୟ ଓ ପୋଲିସ ବ୍ୟବସ୍ଥାକୁ ୧୯୯୫ ମସିହାରେ ଯେମିତି ଥିଲା, ସେହି ଅବସ୍ଥାରେ ଛାଡ଼ି ଦେବ, ସେ ସରକାର ଋଣ କାହିଁକି କରିବ ? ସରକାରଙ୍କ ଆର୍ଥିକ ଅବସ୍ଥା ଓ ଲୋକଙ୍କ ଆର୍ଥିକ ଅବସ୍ଥା, ଏ ଦୁଇଟି ସମାନ ଜିନିଷ ନୁହେଁ । ସରକାର ସୋସିଆଲ ମିଡ଼ିଆ ମାଧ୍ୟମରେ ଗୁଡାଏ ଚକାଚକ୍ ସ୍କୁଲ୍ ଦେଖାଉଛନ୍ତି । କିନ୍ତୁ ସେ ଗୁଡ଼ିକର ସଂଖ୍ୟା ସମୁଦାୟ ସ୍କୁଲ୍ ସଂଖ୍ୟାର ଗୋଟିଏ ଛୋଟିଆ ଅଂଶ । 

୨୩ ବର୍ଷ ପରେ ପାଣ୍ଡିଆନ୍ ବୁଲି ବୁଲି ସେହି ସବୁ ଜିନିଷ ବାଣ୍ଟିବା ଆରମ୍ଭ କରିଛନ୍ତି, ଯେଉଁ ସବୁ ଜିନିଷ ଆମକୁ ଦୁଇ ଦଶନ୍ଧି ପୂର୍ବରୁ ମିଳି ଯିବାର ଥିଲା । ୨୦୨୩ ମସିହାରେ ୧୯୯୫ ମସିହାର ସମାଧାନ ବାଣ୍ଟୁଛନ୍ତି । ଆଶ୍ଚର୍ଯ୍ୟ ଲାଗୁଛି, ୨୦୨୩ ମସିହାରେ ସରକାର ସ୍କୁଲ ରୁପାନ୍ତର ନାଁରେ କେଇ ଶହ ସ୍କୁଲର ଇନଫ୍ରାଷ୍ଟ୍ରାକ୍ଚର ବଦଳାଇ ତାହାକୁ ବିକାଶ କହୁଛନ୍ତି ।‌ 

ବିପକ୍ଷ ଦଳମାନେ ମଧ୍ୟ ଏହି କଥା ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁ ନାହାନ୍ତି। ପାଣ୍ଡିଆନଙ୍କ ଗସ୍ତ ଓ ହେଲିକପ୍ଟର ବ୍ୟବହାର ଜନିତ ପ୍ରୋଟୋକଲ ଭଙ୍ଗାଯିବା ଘଟଣାକୁ ଉଠାଉଛନ୍ତି। ସେମାନେ ଯେତେ ବିରୋଧ କରୁଛନ୍ତି, ନବୀନବାବୁଙ୍କ ଦଳ ସେତେ ପ୍ରଚାର କରୁଛନ୍ତି ଯେ  ଆମେ ବିକାଶ କରୁଛୁ କିନ୍ତୁ ବିରୋଧୀ ଦଳ ବାଧା ସୃଷ୍ଟି କରୁଛନ୍ତି। ଯେତେ ହେଲେ, ସରକାରୀ ଦଳ  ହାତରେ ବି ଛୋଟିଆ ପ୍ରଚାରତନ୍ତ୍ର ନାହିଁ । 

ପ୍ରକୃତ କଥା ହେଲା, ନବେ ଦଶକରେ ଓଡ଼ିଶାର ଶିକ୍ଷା ସୁବିଧା ଓ ସ୍ବାସ୍ଥ୍ୟ ସୁବିଧା ଯାହା ଥିଲା , ତାହା ସେତେବେଳର ସର୍ବଭାରତୀୟ ସ୍ତରର ସୁବିଧା ଠାରୁ ବିଶେଷ ପଛରେ ନ ଥିଲା , ଯେତିକି ବର୍ତ୍ତମାନ ଅଛି । 
ଗତ ୨୫ ବର୍ଷରେ ଏ ଦୁଇଟି କ୍ଷେତ୍ରରେ ଅନେକ ପ୍ରଦେଶ ଅନେକ ଅଗ୍ରଗତି କରିଛନ୍ତି । ବିଶେଷ କରି ଦକ୍ଷିଣ ଭାରତର ପ୍ରଦେଶମାନେ । ନିଲକଣ୍ଠନ୍ ଆର୍. ଏସ୍ ଏ ବିଷୟରେ ଗୋଟିଏ ବହି ଲେଖିଛନ୍ତି । ବହିଟିର ନାଁ ହେଲା ସାଉଥ୍ ଭର୍ସେସ୍ ନର୍ଥ। ସେଥିରେ ସେ ଅନେକ ଡାଟା ଦେଇଛନ୍ତି । 

ଅତି  ହାସ୍ୟାସ୍ପଦ ଭାବେ ଦାବୀ‌ କରାଯାଉଛି ଯେ ଆମେ ପରିବର୍ତ୍ତନ ଆଣୁଛୁ । କିହୋ, ୨୦୨୩ରେ କାହିଁକି ପରିବର୍ତ୍ତନ ଆଣୁଛ ? ତାହେଲେ ଗତ ୨୨ ବର୍ଷ ଧରି ଯାହା ଥିଲା ତାହା ଭଲ ନଥିଲା ବୋଲି ସ୍ବୀକାର କରୁଛ ତ ?  ସେଥିପାଇଁ ଶାସନର ୨୫ତମ ବର୍ଷରେ  ସରକାରଙ୍କୁ ଜଣା ପଡ଼ିଲା ଯେ ସେସବୁ ଖରାପ ଥିଲା ଓ ସେସବୁର ଏବେ ପରିବର୍ତ୍ତନ ଆଣୁଛନ୍ତି । କ'ଣ ଶ୍ରୀ ପାଣ୍ଡିଆନ୍ ନବୀନବାବୁଙ୍କ ସମୟରେ ହୋଇ ଥିବା ବିକାଶରେ ଅସନ୍ତୁଷ୍ଟ ହୋଇ ସେଥିରେ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି ? 

ଏଥିରେ କେଜରିୱାଲଙ୍କର ମଧ୍ୟ ଭୁଲ୍ ଅଛି । ସେ ଏସବୁ ଭିଆଣ ଆରମ୍ଭ କରିଛନ୍ତି। ସେ ଆସିବା ପର୍ଯ୍ୟନ୍ତ ଭାରତର କୈାଣସି ରାଜ୍ୟ ସରକାର ଭାବି ନଥିଲେ ଯେ ସ୍କୁଲ ଓ ସ୍ବାସ୍ଥ୍ୟକୁ ସଫଳତାର ସହ ରାଜନୀତିର ମୁଳବିନ୍ଦୁ କରି ହୁଏ । ଦୀର୍ଘ ୨୦/୨୨ ବର୍ଷ ଧରି ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସ୍ଥାଣୁ କରି ରଖିବା ନବୀନ ସରକାରଙ୍କର ଏକ ଅକ୍ଷମଣୀୟ ଅପରାଧ। ଦୁଇବର୍ଷ ପୂର୍ବେ ସ୍କୁଲ୍ ବନ୍ଦ ବିଷୟରେ ମୋକଦ୍ଦମାର ବିଚାର କରି ଓଡିଶା ହାଇକୋର୍ଟ ଆମ ରାଜ୍ୟ ସରକାରଙ୍କୁ କହିଥିଲେ, ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାର ଅଛି ତ, ଦିଲ୍ଲୀକୁ ଅନୁସରଣ କର ।  ଏଇ କିଛି ବର୍ଷ ହେଲା ଇନଫ୍ରାଷ୍ଟ୍ରାକ୍ଚରରେ ପୁଞ୍ଜି ଖର୍ଚ୍ଚ ହେଉଛି । ଦୁଇ ଦଶନ୍ଧି ଧରି  ମାନବ ପୁଞ୍ଜିରେ‌‌ ଆମ ସରକାର ଖର୍ଚ୍ଚ କଲେ ନାହିଁ । ଆଜି ପର୍ଯ୍ୟନ୍ତ ପୃଥିବୀରେ ଏମିତି କୈାଣସି ଦେଶ ନାହିଁ ‌ଯିଏ ମାନବ ସମ୍ବଳର ବିକାଶ ନ‌କରି ଉନ୍ନତ ହୋଇଛି । ମେସିନ୍ ରେ ପୁଞ୍ଜି ଖର୍ଚ୍ଚ ହେବା ସଙ୍ଗେ ସଙ୍ଗେ ମଣିଷରେ ମଧ୍ୟ ଖର୍ଚ୍ଚ ହେବା ଆବଶ୍ୟକ। ବଜେଟରୁ ଟଙ୍କା ବରାଦ କରି ବିଲଡ୍ଡିଂ, ଏକ୍ସପ୍ରେସ ଓ୍ବେ ଓ ଫ୍ଲାଏ ଓଭର ତିଆରି କରିବା ସହଜ । କିନ୍ତୁ ମଣିଷ ଗଛକୁ ପାଣି ଦେଇ ବଡ଼ କରିବା ଅଲଗା ଜିନିଷ। ସେଥିପାଇଁ କେବଳ ପୁଞ୍ଜି ବିନିଯୋଗ ନୁହେଁ, ସେଥିପାଇଁ ତପସ୍ୟା ଦରକାର। ଶିକ୍ଷିତ, ହୃଷ୍ଟପୁଷ୍ଟ ଓ ଟେକ୍ନୋଲୋଜିପ୍ରାପ୍ତ ଯୁବସମାଜ କୃଷି ଉତ୍ପାଦନ ବଢାଇବେ ।  ଶିଳ୍ପରେ ଅଧିକ ଉତ୍ପାଦନକ୍ଷମ ହେବା ସଙ୍ଗେ ସଙ୍ଗେ ଅଧିକ ଆୟକାରୀ ହେବେ ଓ ସରକାରଙ୍କୁ ଅଧିକ ଟିକସ ରାଜସ୍ବ ଦେବେ । 

 ନବଜାତ ଶିଶୁ ମୃତ୍ୟୁହାର କମିବା, ଅନାହାର ଜନିତ ମୃତ୍ୟୁହାର  କମିବା, ଦାରିଦ୍ର୍ୟ ସୀମାରେଖା ଉପରକୁ ବହୁଲୋକ ଉଠିବା ଆଦି ସବୁ ଭଲ କଥା । ଏଥିରେ ରାଜ୍ୟ ନବେ ଦଶକ ଠାରୁ ବହୁତ ଆଗକୁ ଚାଲି ଆସିଛି। କିନ୍ତୁ ଦୁଃଖର କଥା ଯେ ଆଜି ବି ସରକାର ନିଜକୁ ନବେ ଦଶକର ସରକାର ସହ ତୁଳନା କରନ୍ତି। 


ଏହି ପ୍ରକ୍ରିୟାର ସୂତ୍ରପାତ ହେଲା ଏକ ଷଡ଼ଯନ୍ତ୍ରରୁ । କୁହାଗଲା ଓଡ଼ିଶାର ବିକାଶ ପାଇଁ ଓ ସ୍ବାର୍ଥ ପାଇଁ ଗୋଟିଏ ଆଞ୍ଚଳିକ ଦଳ ଦରକାର। ଓଡ଼ିଶାର ସ୍ବାଭିମାନ ବୋଲି ଏକ ଜିନିଷ ପ୍ରଚାର ହେଲା ।‌  ସେହି ଦିନଠାରୁ ଓଡ଼ିଶାକୁ ଅନ୍ୟ ରାଜ୍ୟଗୁଡ଼ିକ ସହ ତୁଳନା କରିବା ବନ୍ଦ ହେଲା । ଓଡ଼ିଶାକୁ ନବେ ଦଶକର ଓଡ଼ିଶା ସହ ତୁଳନା କରାଯିବା ଆରମ୍ଭ ହେଲା । ଜଣେ ସାମ୍ବାଦିକ ମୋତେ କହିଲେ ଆମେ ହେଲୁ ଆଞ୍ଚଳିକ ଚାନେଲ। ତେଣୁ ଓଡ଼ିଶା ବାହାର କଥା ଆମେ ବେଶି ଦେଖାଇବୁନି । ଏମାନେ ଲୋକମାନଙ୍କୁ ବଡ଼ ସ୍ବପ୍ନ ଦେଖିବାକୁ  ଦେଲେ ନାହିଁ । ଗତ ଅଳ୍ପ କିଛି ବର୍ଷ ପୁର୍ବ ପର୍ଯ୍ୟନ୍ତ ସରକାରୀ ଦଳ କହୁଥିଲା ସେମାନେ ବିଜୁବାବୁଙ୍କ ସ୍ବପ୍ନ ପୂରଣ କରୁଛନ୍ତି । ବୁଝି ହେଉନି ୨୦୨୦ ମସିହାରେ ଆମେ ବିଜୁବାବୁଙ୍କ ସ୍ବପ୍ନ କାହିଁକି ପୁଣି ଥରେ ଦେଖିବୁ ?

ଏବେ ବି ଓଡ଼ିଶାରେ ଆଲୋଚନା ହେଉଛି ଆୟୁଷ୍ମାନ ଯୋଜନା ଭଲ ନାଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଲ । ଏବେ ବି ସରକାର ପ୍ରଚାର କରୁଛନ୍ତି ଆମ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭାରତରେ ସର୍ବଶ୍ରେଷ୍ଠ, କାରଣ ଆମ ଯୋଜନା ଆୟୁଷ୍ମାନ ଯୋଜନା ଠାରୁ ଭଲ । କେହି ଦିଲ୍ଲୀ କିମ୍ବା କେରଳ କଥା ଉଠାଉ ନାହାନ୍ତି। ଉଠାଇଲେ ଲୋକେ ଜାଣିବେ । ସେମାନଙ୍କ ଆକାଂକ୍ଷାର ସ୍ତର ଉପରକୁ ଉଠିଯିବ । ତେଣୁ ଏବେ ଯାହା ମିଳୁଛି ତାହା ଅତୁଳନୀୟ ବୋଲି ଲୋକେ ଭାବୁଥାନ୍ତୁ । କୁରକୁରେ ବିକୁଥାନ୍ତୁ । 

ନବୀନବାବୁ ଯେଉଁ ସବୁଆଡେ ବୁଲି ବୁଲି କହୁଛନ୍ତି ' 'ଆପଣମାନେ ଖୁସି ତ ?' ଏହା ପଛରେ ଗୋଟିଏ ସୁଚିନ୍ତିତ ଯୋଜନା ରହିଛି । ଏହା ଦ୍ବାରା ସେ କହୁଛନ୍ତି, ମୁଁ ତମକୁ ଏବେ ଯେଉଁ ଅବସ୍ଥାରେ ରଖିଛି ତାହା ହିଁ ତମ ପାଇଁ ଖୁସି । ତା ଠାରୁ ଅଧିକ ଖୁସି ଆଉ କିଛି ନଥାଏ । 

ଅଳ୍ପ କେତେଜଣ  ମହିଳା ମାନେ ସରକାର ଦେଉଥିବା କମିଶନ ବଦଳରେ ପୋଖରୀ ଖୋଳା ତଦାରଖ କରିବା, ବିଦ୍ୟୁତ୍ ବିଲ୍ ଆଦାୟ ତଦାରଖ କରିବା, ଧାନ ସଂଗ୍ରହ ତଦାରଖ କରିବା ଓ ମିଶନ ଶକ୍ତି କେଫ୍ ରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ବିକିବା - ଏସବୁ  ପ୍ରଚାର ଭିଡିଓରେ ଭଲ ଦେଖା ଯାଉଛି । କିନ୍ତୁ ଆମ ମହିଳାମାନେ କ'ଣ କେବଳ ଏହି ସବୁ  unproductive କାମ ପାଇଁ ଯୋଗ୍ୟା ? ସେମାନେ ବି ହେଉଛନ୍ତି ରାଜ୍ୟର hidden unemployed ବା ଲୁକ୍କାୟିତ ବେରୋଜଗାର । ପାଣ୍ଡିଆନ୍ କୁହନ୍ତୁ , କେତେ ଜଣ ଓଡ଼ିଆ ଝିଅ ସରକାରଙ୍କ ସ୍କୁଲରେ ପାଠ ପଢି ଡାକ୍ତର, ଇଞ୍ଜିନିୟର ଓ ଆଇଟି ପ୍ରୋଫେସନାଲ ହୋଇଛନ୍ତି। 


ବିରୋଧୀ ଦଳ ଲୋକଙ୍କୁ ୨୦୨୩ର ସ୍ବପ୍ନ ଦେଖାଇବା ବିଷୟରେ ଭାବୁ ନାହାନ୍ତି । ପାଣ୍ଡିଆନଙ୍କୁ ବିରୋଧରେ ବ୍ୟସ୍ତ । ଯଦି ବିରୋଧୀ ଦଳଗୁଡ଼ିକ ପାଣ୍ଡିଆନ୍ ବିଷୟରେ ମାତିବା ପାଇଁ ସରକାରୀ ଦଳର ଟ୍ରାପ୍ ରେ ପଡିଛନ୍ତି, ତେବେ ଓଡ଼ିଶାକୁ ଜଗନ୍ନାଥ ବଞ୍ଚାନ୍ତୁ । 

ବନ୍ଧୁଗଣ, ସରକାରୀ ଦଳ ପାଣ୍ଡିଆନଙ୍କୁ ଯେଉଁଭଳି ବ୍ୟବହାର କରୁଛି, ତାହା ମୋତେ ମଧ୍ୟ ଭଲ ଲାଗୁନି । ଦୃଶ୍ୟ କଟୁ ହେଉଛି । ଲଜ୍ଜା ଲାଗୁଛି । କିନ୍ତୁ ଥରେ ଚିନ୍ତା କରନ୍ତୁ । ୨୦୨୪ ନିର୍ବାଚନର ଫଳାଫଳ ଯାହା ହେଉନା କାହିଁକି, ତାପରେ ପାଣ୍ଡିଆନ୍ ଆଉ ବୁଲିବେ ନାହିଁ । କିନ୍ତୁ ଓଡ଼ିଶାର ଆର୍ଥିକ ସମସ୍ୟା ସେହିପରି ରହିଯିବ, ଯେମିତି ଏବେ ଅଛି । ଆପଣ ଯଦି ନିର୍ବାଚନ ସମୟରେ ଲୋକଙ୍କ ଆର୍ଥିକ ସମସ୍ୟା କଥା ଉଠାଇବେ ନାହିଁ ତେବେ ଆଉ କେତେବେଳେ ଉଠାଇବେ ? ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ, କାଲି ଯଦି ବିଜୁ ଜନତା ଦଳ ପାଣ୍ଡିଆନଙ୍କୁ ମୂଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରେ, ଆଉ ପ୍ରୋଟୋକଲ କଥା କିମ୍ବା ଗଣତନ୍ତ୍ରର ବିଧାନ ଭାଙ୍ଗିବା କଥା ଉଠାଇବେ ତ ବିରୋଧୀ ଦଳ ?  

୨୦୦୦ ମସିହାରେ ଓଡ଼ିଶାର ବିକାଶ ଓ ଆକାଂକ୍ଷିତ ବିକାଶ ମଧ୍ୟରେ ଯେତିକି ବ୍ୟବଧାନ ଥିଲା, ଏବେ ମଧ୍ୟ ସେହି ବ୍ୟବଧାନରେ କିଛି ହ୍ରାସ ଆସିଛି ବୋଲି ଦେଖା ଯାଉନାହିଁ । ୨୫ ବର୍ଷର ସ୍ଥିର ସରକାର ସେହି ବ୍ୟବଧାନ କମାଇବା ପାଇଁ ଯେଉଁ ଲମ୍ବା ଲମ୍ଫ ମାରିବା ଦରକାର ଥିଲା, ତାହା ହୋଇ ନାହିଁ । ୨୫ ବର୍ଷର ସମୟକୁ ନବୀନବାବୁ ନଷ୍ଟ କରିଛନ୍ତି । ଅଧିକାଂଶ ଲୋକେ ତାହା ବୁଝି ପାରି ନାହାନ୍ତି । କାରଣ ଆଞ୍ଚଳିକ ସ୍ବାର୍ଥ ଓ ଓଡ଼ିଆ ସ୍ବାଭିମାନ ନାଁରେ, ଦୁଇଟି ଯାକ ଶାସକ ଦଳ ଓ ଓଡ଼ିଆ ଗଣମାଧ୍ୟମ, ଲୋକଙ୍କ ଆକାଂକ୍ଷା ଓ ସ୍ବପ୍ନକୁ ଓଡ଼ିଶା ମଧ୍ୟରେ ସୀମିତ କରି ରଖିଛନ୍ତି ।