ରବୀନ୍ଦ୍ରନାଥଙ୍କ ଛବି
ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର(୧୮୬୧-୧୯୪୧)ଙ୍କର ଜନ୍ମଦିନ ଏଇ ଗଲା ମଇ ୭ ତାରିଖରେ ଗଲା । ଆମର ଅନେକ ସାହିତ୍ୟିକ ଓ ରବୀନ୍ଦ୍ରପ୍ରେମୀ ରବୀନ୍ଦ୍ରନାଥଙ୍କ ବିଷୟରେ କେତେ କ’ଣ ଲେଖିଲେ । ତେବେ ବେଶୀ ଭାଗ ଲେଖା ସାହିତ୍ୟିକ ରବୀନ୍ଦ୍ରନାଥଙ୍କ ସମ୍ପର୍କରେ ଥିଲା । ରବୀନ୍ଦ୍ରନାଥ ଏକ ବିସ୍ମୟ ନିଶ୍ଚୟ । ଶହ ଶହ କବିତା, ଆଠଟି ଉପନ୍ୟାସ, ନାଟକ, ଅନେକ କ୍ଷୁଦ୍ରଗଳ୍ପ, ଦୁଇ ହଜାରରୁ ଅଧିକ ସଂଗୀତ ଓ ସେମାନଙ୍କର ସ୍ୱର ସଂରଚନା । ସାହିତ୍ୟରେ ନୋବେଲ୍ ପୁରସ୍କାର । ଶିକ୍ଷାବିତ୍, ଦ୍ରଷ୍ଟା ଓ ଜଣେ ମୌଳିକ ଚିନ୍ତକ । ଶାନ୍ତିନିକେତନର ପ୍ରତିଷ୍ଠାତା । ଏମିତି ଅନେକ ପରିଚୟମାନଙ୍କ ଭିତରେ ବିଶ୍ୱକବିଙ୍କର ଆହୁରି ଏକ ପ୍ରମୂଖ ପରିଚୟ ହେଲା, ସେ ଭାରତର ପ୍ରଥମ ଆଧୁନିକ ଚିତ୍ରଶିଳ୍ପୀ ମଧ୍ୟ ।
ରବୀନ୍ଦ୍ରନାଥ ବେଶ୍ ବିଳମ୍ବରେ ଛବି ଆଙ୍କିବା ଆରମ୍ଭ କରିଥିଲେ । ବିଧିବଦ୍ଧ ଭାବରେ ଛବି କଲାବେଳକୁ ତାଙ୍କୁ ତେଏଷଠି ବର୍ଷ ବୟସ ହୋଇସାରିଥିଲା । ରବୀନ୍ଦ୍ରନାଥଙ୍କର ଛବି କଥା ଉଠିଲେ କେହି କେହି ପ୍ରଶ୍ନ ଉଠାନ୍ତି ଯେ, ସତରେ କ’ଣ ଚିତ୍ରଶିଳ୍ପୀ ଭାବରେ ତାଙ୍କର କିଛି ଅବଦାନ ରହିଛି ନା ଜଣେ ପ୍ରଖ୍ୟାତ ଲୋକର ଅବସର ବିନୋଦନର ଅନ୍ୟ ଏକ ସହଜ ବିଳାସ ଭାବରେ ଏହାକୁ ଧରିନିଆଯିବ?
ରବୀନ୍ଦ୍ରନାଥ ଖୁବ୍ ପିଲାଦିନରୁ ଚିତ୍ରକଳା ପ୍ରତି ଆକର୍ଷିତ ଥିଲେ । ସେ ସାନ ଥିବାବେଳେ ତାଙ୍କର ବଡ଼ ଭାଇ ଜ୍ୟୋତିରିନ୍ଦ୍ରନାଥଙ୍କ ସ୍କେଚ୍ ସବୁକୁ ବଡ଼ ଆଗ୍ରହରେ ସେ ଦେଖୁଥିଲେ । ବହୁତ କମ୍ ବୟସରୁ ତାଙ୍କର କବିତା ଲେଖା କିନ୍ତୁ ଆରମ୍ଭ ହୋଇସାରିଥିଲା । ଏପରିକି ମାତ୍ର ୧୭ ବର୍ଷ ବୟସରେ ତାଙ୍କର ପ୍ରଥମ କବିତା ବହି ପ୍ରକାଶିତ ହୋଇଥିଲା । ଏଇ ଲେଖାଲେଖିରୁ ତାଙ୍କର ଛବି ଅଙ୍କା ଓ ଚିତ୍ରଶିଳ୍ପୀ ଜୀବନ ଆରମ୍ଭ ହୋଇଥିଲା । ହାତଲେଖାମାନଙ୍କୁ ସଂଶୋଧନ କରିବା ସମୟରେ ହିଁ ପ୍ରକୃତ ଛବି ଅଙ୍କା ପ୍ରୟାସ ସେ ଅଜାଣତରେ କରିଥିଲେ । ଲେଖାକୁ ସଂଶୋଧନ କରିବା ସମୟରେ କଟାଯାଇଥିବା ଅକ୍ଷର, ଶବ୍ଦ ଓ ଧାଡ଼ିମାନଙ୍କୁ ନେଇ ସେ ବିଭିନ୍ନ ଆକାର-ପ୍ରକାର ଦେଉଥିଲେ । ପୁରା ପୃଷ୍ଠାର ପ୍ରଥମ ଧାଡ଼ିରୁ ଶେଷ ଧାଡ଼ି ପର୍ଯ୍ୟନ୍ତ କାଟିଦିଆଯାଇଥିବା ସ୍ଥାନମାନଙ୍କୁ ସେ ତାଙ୍କ ଇଛା ମୁତାବକ ଯୋଡି ଦେଉଥିଲେ । ଫଳରେ ସେଠି ଦୁଇଟି ଘଟଣା ଏକକାଳୀନ ଘଟୁଥିଲା । ଶବ୍ଦ ପରେ ଶବ୍ଦ ଓ ଧାଡ଼ି ପରେ ଧାଡ଼ିରେ ସେ ତାଙ୍କର ଲେଖାରେ କହିବା କଥାଟି କହିଦେଉଥିବା ବେଳେ, କବିତାର ଦେହରେ କଟାଯାଇଥିବା ଅଂଶକୁ ସଂଯୋଜିତ ଓ ସଂଗଠିତ କରି ଏକ ଭିନ୍ନ ଚିତ୍ରଭାଷାରେ ଅନ୍ୟ କିଛି କଥା ମଧ୍ୟ କହୁଥିଲେ । ଏମିତି ଦେଖିଲେ ପୃଷ୍ଠାଟିରେ ଚିତ୍ରଭାଷାଟି ଅନେକ ଗୁଣରେ ଲିଖିତ ଭାଷାକୁ ଆବୁରି କରି ରହୁଥିଲା । ଶବ୍ଦ-ଚିତ୍ର-ଶବ୍ଦ ଏକଦମ୍ ସାରା ପୃଷ୍ଠାରେ ହାତ ଧରାଧରି ହୋଇ ଠିଆ ରହୁଥିଲେ । ଲେଖାଲେଖିରୁ ସେ ଯେତିକି ଆନନ୍ଦ ପାଉଥିଲେ, ତାକୁ ସଂଶୋଧନ କଲାବେଳେ ଯେଉଁ ଚିତ୍ର କରୁଥିଲେ ସେଥିରୁ ବି କିଛି କମ୍ ଆନନ୍ଦ ପାଉନଥିଲେ । ଏହି ପ୍ରକାର ଚିତ୍ରକର୍ମକୁ ଡୁଡୁଲ୍ (Doodle) କୁହାଯାଏ । ରବୀନ୍ଦ୍ରନାଥ ଠାଏ ସ୍ୱୀକାର କରିଯାଇଛନ୍ତି ଯେ ଏଇ ଡୁଡୁଲ୍ ହିଁ ତାଙ୍କର ଚିତ୍ର କରିବାର ପ୍ରଥମ ପାହାଚ ଥିଲା ।
ରବୀନ୍ଦ୍ରନାଥ ତାଙ୍କର ପାଣ୍ଡୁଲିପିରେ ଡୁଡୁଲ୍ କରୁଥିଲେ, କିନ୍ତୁ ୧୯୨୪ରେ ଯେତେବେଳେ ଆର୍ଜେଣ୍ଟିନା ଗସ୍ତରେ ଗଲେ ଓ ତାଙ୍କର ‘ପୁରବୀ’ କବିତାର ପାଣ୍ଡୁଲିପି Victoria Ocamponedଙ୍କ ହାତରେ ପଡ଼ିଲା, ସେତେବେଳେ ଘଟଣାଟିର ଗୁରୁତ୍ୱ ବଢ଼ିଗଲା । ଭଦ୍ରମହିଳା ପୁରବୀର ପାଣ୍ଡୁଲିପି ପଢ଼ିଲା ବେଳେ ହଠାତ୍ ବିଭିନ୍ନ ପୃଷ୍ଠାରେ ଅନେକ ଆକାର ପ୍ରକାରର ରୂପ, ମୁହଁ ଓ ଅଚିହ୍ନା ପଶୁ-ପକ୍ଷୀମାନଙ୍କୁ ଭେଟିଲେ । ସେ ରବୀନ୍ଦ୍ରଙ୍କ ସୃଜନଶୀଳ ବ୍ୟକ୍ତିତ୍ୱର ଏକ ଅଲଗା ଦିଗ ସଂପର୍କରେ ହଠାତ୍ ସଚେତନ ହୋଇଗଲେ ଓ ଏହାର ଗୁରୁତ୍ୱ ବୁଝିଲେ ଏବଂ ରବୀନ୍ଦ୍ରନାଥଙ୍କୁ ବୁଝେଇ ବି ଦେଲେ । ସେହି ଭଦ୍ରମହିଳା ହିଁ ରବୀନ୍ଦ୍ରନାଥଙ୍କ ପ୍ରଥମ ଚିତ୍ର ପ୍ରଦର୍ଶନୀ ୧୯୩୦ ମଇ ମାସରେ ପ୍ୟାରିସ୍ ମହାନଗରୀର PIGALLE ଗ୍ୟାଲେରୀରେ ଆୟୋଜନ ହେବାର ପ୍ରମୁଖ ଭୂମିକା ନେଇଥିଲେ । ପରେ ପ୍ରଦର୍ଶନୀଟି ୟୁରୋପ ଓ ଆମେରିକାର ଅନେକ ସହର ଭ୍ରମଣ କରି ୧୯୩୧ରେ ଫିଲାଡେଲାଫିଆରେ ଶେଷ ହୋଇଥିଲା । ପ୍ରକୃତରେ Victoria Ocamponed ଙ୍କ ଆବିଷ୍କାର ପରେ ହିଁ ରବୀନ୍ଦ୍ରନାଥ ଟିକେ ଅଧିକ ସଚେତନ ଓ ଅଧିକ ଗମ୍ଭୀର ଭାବନାରେ ତାଙ୍କର ଡୁଡୁଲ୍ ମାନଙ୍କୁ ଆଙ୍କିଥିଲେ । ୧୯୨୮ ବେଳକୁ ସେ ଡୁଡୁଲ୍ ରୁ ବାହାରି ଅଲଗା କିଛି ଆଙ୍କିବାର ସଚେତନ ପ୍ରୟାସ କରିଥିଲେ ।
ରବୀନ୍ଦ୍ରନାଥଙ୍କ ପ୍ରଦର୍ଶନୀ ସମୁହ ବିଭିନ୍ନ ଦିଗରୁ ସେତେବେଳେ ବେଶ୍ ସଫଳ ହୋଇଥିଲା । ଶିଳ୍ପୀ ଓ କଳା ସମାଲୋଚକମାନେ ତାଙ୍କର ଛବି ମାନଙ୍କୁ ଖୁବ୍ ପସନ୍ଦ ବି କରିଥିଲେ । ବର୍ଲିନ୍ ର ନ୍ୟାସନାଲ୍ ମ୍ୟୁଜିୟମ୍ ତାଙ୍କର ପାଞ୍ଚଟି ଛବି ବି କିଣିନେଇଥିଲା । ଏପରି ସଫଳତାରେ ଖୁସି ହେଇ ଓ ନିଜର ଶିଳ୍ପୀ ଜୀବନର ପାରଦର୍ଶିତା ଉପରେ ଆସ୍ଥା ପ୍ରକଟ କରି ରବୀନ୍ଦ୍ରନାଥ ନିଜ ପୁଅ ଓ ଝିଅଙ୍କୁ ଚିଠି ବି ଲେଖିଥିଲେ ।
ରବୀନ୍ଦ୍ରନାଥ ନିଜ ଚିତ୍ର ଓ ଚିତ୍ରର ମୂଲ୍ୟାୟନ ସମ୍ପର୍କରେ ବେଶ୍ ସଚେତନ ଥିଲେ । ସେ ସ୍ପଷ୍ଟ ଭାବରେ ବୁଝିଥିଲେ ଯେ, ତତ୍କାଳୀନ ସମସାମୟିକ ଭାରତରେ ଯେଉଁ ପ୍ରକାରର କଳାଚର୍ଚ୍ଚା ଚାଲିଥିଲା ସେ ତା’ଠାରୁ ଢେର୍ ଅଲଗା ଧରଣର ଛବି ଆଙ୍କୁଛନ୍ତି । ତେଣୁ ସେ ଭାବି ନେଇଥିଲେ ତାଙ୍କ ଛବି ଭାରତ ବାହାରେ ହିଁ ସ୍ୱୀକୃତି ପାଇପାରିବ । ସେ ଠିକ୍ ହିଁ ଭାବିଥିଲେ । ବିଦେଶ ମାଟିରେ ତାଙ୍କର ଛବି ଅନେକ ଚିତ୍ରଶିଳ୍ପୀ, କଳା ସମାଲୋଚକ ଓ କଳାର ସଂଗ୍ରାହକଙ୍କୁ ଭଲ ଲାଗିଥିଲା । ପାଶ୍ଚାତ୍ୟର କିଛି କଳା ସମାଲୋଚକ ରବୀନ୍ଦ୍ରନାଥଙ୍କ ଛବିକୁ ଭାରତୀୟ କଳାଧାରାରୁ ଅଲଗା ବରଂ ପାଶ୍ଚାତ୍ୟ କଳାଧାରାର ଅଧିକ ନିକଟତର ବୋଲି ଚିହ୍ନଟ କରିଥିଲେ । ବିଦେଶ ମାଟିରେ ସଫଳ ରବୀନ୍ଦ୍ରନାଥଙ୍କ ଛବି ସବୁ ଭାରତରେ ତା’ର ଉପଯୁକ୍ତ ସ୍ଥାନ ଦଖଲ କରିବାରେ ସାମାନ୍ୟ ବିଳମ୍ବ ଅବଶ୍ୟ ହୋଇଥିଲା । କିନ୍ତୁ ଜର୍ମାନୀରେ ଜର୍ମାନ ଛାତ୍ରମାନେ ପାଳଗ ପରି ରବୀନ୍ଦ୍ରନାଥଙ୍କ ଛବିକୁ ସେତେବେଳେ ପସନ୍ଦ କରିଥିଲେ । ମ୍ୟୁନିକ୍ ର ଜଣେ ୨୦ ବର୍ଷୀୟ ରବୀନ୍ଦ୍ରନାଥପ୍ରେମୀ Oswald Malure ନାମକ କଳାଛାତ୍ର ତାଙ୍କ ଦେଶରୁ ତିନିବର୍ଷ ପାଇଁ ବୃତ୍ତି ଲାଭ କରି ଭାରତ ଆସିଥିଲେ । ସେ ହିଁ ସେତେବେଳେ ଶାନ୍ତିନିକେତନରେ ରବୀନ୍ଦ୍ରନାଥଙ୍କ ସମ୍ପର୍କରେ ବାର ମିନିଟିଆ ଏକ ସିନେମା ତିଆରି କରିଥିଲେ । ଯେଉଁଥିରେ ରବୀନ୍ଦ୍ରନାଥ କେମିତି ଚିତ୍ର କରୁଛନ୍ତି ତା’ର ବିରଳ ଦୃଶ୍ୟ ରହିଛି ।
ଜଣେ କବି ଭାବରେ ରବୀନ୍ଦ୍ରନାଥଙ୍କର ପ୍ରବଳ ସୁଖ୍ୟାତି ଥିଲା । ତାଙ୍କୁ ଚାଳିଶ ବର୍ଷ ବୟସ ହେଲାବେଳକୁ ସେ ଜଣେ ଲେଖକ ଭାବରେ ପ୍ରତିଷ୍ଠା ପାଇସାରିଥିଲେ । ତଥାପି ଜଣେ ଚିତ୍ରଶିଳ୍ପୀ ଭାବରେ ପରିଚୟ ତିଆରିବାକୁ ସେ ପ୍ରୟାସ କିନ୍ତୁ ଜାରି ରଖିଥିଲେ । କିନ୍ତୁ ନିଜର ଛବିରେ ଆଦୌ ସନ୍ତୁଷ୍ଟ ହୋଇପାରୁନଥିଲେ । ଏମିତିକି ଏକଦା ଭଗ୍ନମନୋରଥରେ ସେ ଆଉ କେବେବି ଜଣେ ଚିତ୍ରଶିଳ୍ପୀ ହୋଇପାରିବେନି ବୋଲିବି ଭାବିନେଇଥିଲେ । ତେବେ ସେଇଠି ଅଟକି ନଯାଇ ରବୀନ୍ଦ୍ରନାଥ ନିଜର ସମସ୍ୟାର ସମାଧାନ ପନ୍ଥା କିନ୍ତୁ ନିଜେ ହିଁ ଖୋଜି ବୁଲୁଥିଲେ । ସେ ଚାହିଁଥିଲେ କଳା ବିଦ୍ୟାଳୟରେ ଦାଖଲ ହେଇ ପାରିଥା’ନ୍ତେ । ତାଙ୍କୁ କିନ୍ତୁ ପ୍ରଥମରୁ ସେତବେଳର କଳା ବିଦ୍ୟାଳୟରେ ଯେଉଁପରି ପାଶ୍ଚାତ୍ୟ ଶୈଳୀରେ କଳାଶିକ୍ଷା ଦିଆଯାଉଥିଲା ଓ ବିଦ୍ୟାର୍ଥୀମାନଙ୍କୁ ଯେଉଁପରି ପ୍ରାକୃତିକ ଦୃଶ୍ୟ ଏବଂ ପୁରୁଣା ବିଖ୍ୟାତ ପାଶ୍ଚାତ୍ୟ ଶିଳ୍ପୀମାନଙ୍କର ଛବି ସବୁକୁ କପି କରିବାକୁ କୁହାଯାଉଥିଲା, ତାହା ରବୀନ୍ଦ୍ରନାଥଙ୍କର ପସନ୍ଦ ନଥିଲା । ଉପରେ ଲଦା ହେବା ପରି କୌଣସି ନୀତି ନିୟମକୁ ସେ ପିଲାଦିନରୁ ଆଦୌ ପସନ୍ଦ କରୁନଥିଲେ । କଳା ବିଦ୍ୟାଳୟରେ ଯୋଗ ନଦେଲ ବି ସେ ଆପଣା କଳା ଅଭ୍ୟାସ କିନ୍ତୁ ବଞ୍ଚାଇ ରଖିଥିଲେ । ସେଥିରେ ତାଙ୍କ ଅସଫଳ ପ୍ରୟାସକୁ ନେଇ ସେ ଥରେ ତାଙ୍କର ବନ୍ଧୁ ଜଗଦୀଶ ଚନ୍ଦ୍ର ବୋଷଙ୍କୁ ଚିଠିରେ ଲେଖିଥିଲେ ଯେ; ତାଙ୍କର ଚିତ୍ରରେ ସେ ପେନସିଲ୍ ଅପେକ୍ଷା ରବର୍ ର ବ୍ୟବହାର ବେଶୀ କରିପକାଉଛନ୍ତି ।
ବିଧିବଦ୍ଧ ଭାବରେ କଳାଶିକ୍ଷା ନ ପାଇବା ପରୋକ୍ଷରେ ତାଙ୍କ ପାଇଁ ଆଶୀର୍ବାଦ ହୋଇଥିଲା । ଚିତ୍ର ସୃଷ୍ଟିର ପାରମ୍ପରିକ ଭାଗ ମାପ ସେ ଜାଣିନଥିଲେ । ତେଣୁ ଛବିଟିକୁ ସାଧାରଣ ଆଖିରେ ସୁନ୍ଦର କରି ଆଙ୍କିବାର ହାତକୌଶଳ ତାଙ୍କର ନଥିଲା । ତେଣୁ ତାଙ୍କର ଚିତ୍ରସର୍ଜନାରେ ବାହ୍ୟ ସୌନ୍ଦର୍ଯ୍ୟ ଅପେକ୍ଷା ଆର୍ନ୍ତଃସୌନ୍ଦର୍ଯ୍ୟର ଗୁରୁତ୍ୱ ଆପେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିଲା ।
ରବୀନ୍ଦ୍ରନାଥଙ୍କ ଛବିରେ ରେଖାର ବଳିଷ୍ଠ ଭୂମିକା ରହିଛି । ରେଖାରେ ରେଖାରେ କବିତା ଲେଖିବା ହିଁ ମୋର ଛବି ବୋଲି ସେ ଏକଦା କହିଥିଲେ । ଜଳରଙ୍ଗ, ଲେଖା ଲେଖି ପାଇଁ ବ୍ୟବହୃତ ସ୍ୟାହି, ଇଣ୍ଡିଆନ୍ ଇଙ୍କ୍, କ୍ରେଅନ୍, ପାଷ୍ଟେଲ୍, ବିଭିନ୍ନ ପତ୍ର ଓ ଫୁଲର ରସ ଆଦିକୁ ନେଇ ସେ ଏକ ସ୍ୱତନ୍ତ୍ର ଶୈଳୀରେ ଛବି ଆଙ୍କୁଥିଲେ । କଲମ, ତୁଳୀ ଛଡ଼ା ନିଜର ଆଙ୍ଗୁଳି ବି ଚିତ୍ର ଅଙ୍କାରେ ବ୍ୟବହାର କରୁଥିଲେ । ସେ ମୁଖ୍ୟତଃ କାଗଜ ଉପରେ ହିଁ ଛବି ଆଙ୍କିଛନ୍ତି । ଦିନ ଦିନ ମାସ ମାସ ଧରି ଗୋଟିଏ ଛବି ପଛରେ ଲାଗି ରହିବା ତାଙ୍କର ପସନ୍ଦ ନଥିଲା । ତାଙ୍କ ପାଇଁ ଛବିଟି ଯଥାଶୀଘ୍ର ସରିଯିବା ହିଁ ବେଶୀ ଗୁରୁତ୍ୱପୂର୍ଣ୍ଣ ଥିଲା । ତେଣୁ ସେ ଛବି ଆରମ୍ଭ କଲେ ମାନେ ଏକାଥରେ ଶେଷ ବି କରୁଥିଲେ । ଶୁଖିବାରେ ବିଳମ୍ବ କାରଣରୁ ସେ ତୈଳରଙ୍ଗରେ ଛବି କରିବାକୁ ପସନ୍ଦ କରୁନଥିଲେ । ବୁଢ଼ା କାଳକୁ ସକାଳରୁ ଦ୍ୱିପ୍ରହର ପର୍ଯ୍ୟନ୍ତ ସେ ପ୍ରାୟତଃ ସବୁଦିନ ଛବି ଆଙ୍କୁଥିଲେ ।
ରବୀନ୍ଦ୍ରନାଥ ଜୀବନକାଳରେ ଶହ ଶହ ଚିତ୍ର ଆଙ୍କିଛନ୍ତି । ପାଖାପାଖି ତିନି ହଜାର ହେବ । ସେଥିମଧ୍ୟରୁ ୧୫୮୦ଟି ଛବି କେବଳ ଶାନ୍ତିନିକେତନରେ ଅଛି । ଏତେ କମ୍ ବୟସ ମଧ୍ୟରେ ଏତେ ପରିମାଣରେ ଛବିମାନଙ୍କୁ ଦେଖି ଏକଦା ଚିତ୍ରଶିଳ୍ପୀ ଅବନୀନ୍ଦ୍ରନାଥ ଠାକୁର କହିଥିଲେ ଯେ, ରବୀନ୍ଦ୍ରନାଥଙ୍କର କଳାସୃଷ୍ଟି ଏକଦମ୍ ଆଗ୍ନେୟଗିରି ପରି ।
ରବୀନ୍ଦ୍ରନାଥ କମ୍ ସମୟ ଭିତରେ ପ୍ରଚୁର ପରିମାଣର ମୌଳିକ ଚିତ୍ରସବୁ ସୃଷ୍ଟି କରିଯାଇଛନ୍ତି । ପ୍ରଥମ ଭାରତୀୟ ଚିତ୍ରଶିଳ୍ପୀ ଭାବରେ ୟୁରୋପ, ଋଷିଆ ଓ ଆମେରିକାରେ ଚିତ୍ର ପ୍ରଦର୍ଶନୀ କରିଛନ୍ତି । ପ୍ରକୃତରେ ରବୀନ୍ଦ୍ରନାଥଙ୍କର ଚିତ୍ର ଶୈଳୀ ଖୁବ୍ ନିଆରା, ସ୍ୱତନ୍ତ୍ର, ସରଳ, ସିଧାସଳଖ ଓ କମନୀୟ । ବିଶିଷ୍ଟ କଳାସମାଲୋଚକ ଆର୍.ଶିବକୁମାର ରବୀନ୍ଦ୍ରନାଥଙ୍କ ଛବିମାନଙ୍କୁ ମୁଖ୍ୟତଃ ଚାରିଭାଗରେ ବିଭକ୍ତ କରିଛନ୍ତି ।
- The Discovery of Rhythm
- Images of Nature
- Theatre of Gestures
- Faces between masks and portraits.
ପ୍ରଥମରେ ତ ସେ ଡୁଡୁଲ୍ ରୁ ତାଙ୍କର ଛବି ଅଙ୍କା ଆରମ୍ଭ କରିଛନ୍ତି । ବିଭିନ୍ନ ମନଗଢ଼ା ଜନ୍ତୁଜୁନ୍ତା ଓ ପକ୍ଷୀମାନଙ୍କୁ ଆଙ୍କଛନ୍ତି । କବିତାର ଛନ୍ଦ ପରି ଛବିରେ ଛନ୍ଦବଦ୍ଧତାକୁ ପରୀକ୍ଷା କରିଛନ୍ତି । ପରେ ସେ ମଣିଷର ମୁହଁ, ନିଜର ମୁହଁ ଓ ଭୂଦୃଶ୍ୟ ବି ଆଙ୍କିଛନ୍ତି । ତାଙ୍କର ଅଙ୍କିତ ପଶୁ ଓ ଚଢେ଼ଇମାନେ ଆଦୌ ପ୍ରକୃତିର ସତସତିକା ପଶୁ-ପକ୍ଷୀମାନଙ୍କର ଅବିକଳ ନକଲ ନୁହଁନ୍ତି । ଯେମିତି ସେମାନେ ଆମ ମନଗହନରେ କିମ୍ବା କୋଉ ସ୍ୱପ୍ନ ରାଇଜର ଅବା କୋଉ ପ୍ରାଗ୍ ଐତିହାସିକ ଯୁଗର । ରବୀନ୍ଦ୍ରନାଥଙ୍କର ଛବି ଯେତିକି ଆଧୁନିକ ସେତିକି ପ୍ରାଚୀନ ମଧ୍ୟ । କୁମାର ଆନନ୍ଦସ୍ୱାମୀ ସେଇଥିପାଇଁ ବିଶ୍ୱକବିଙ୍କ ଛବିମାନଙ୍କୁ ଯଥାର୍ଥରେ ଆଧୁନିକ ଯୁଗର ପ୍ରିମିଟିଭ୍ ଆର୍ଟ ବୋଲି ଚିହ୍ନିତ କରିଥିଲେ ।
ରବୀନ୍ଦ୍ରନାଥ ସାନପିଲା ଥିବା ବେଳେ ଯେଉଁ କୋଠରୀରେ ରହୁଥିଲେ ସେ କୋଠରୀର ଝରକା ଦେଇ ଅନେକ ସମୟରେ ବାହାରର ପ୍ରାକୃତିକ ଦୃଶ୍ୟକୁ ନିରୀକ୍ଷଣ କରୁଥିଲେ । ପରେ ବଡ଼ ହେଲାପରେ ସେ ଯେତେବେବେଳେ ବଙ୍ଗଳାର ଗ୍ରାମ୍ୟ ପରିବେଶକୁ ବୁଲି ଦେଖିଲେ ସେତେବେଳେ ପ୍ରକୃତିର ଅନନ୍ତ ରହସ୍ୟମୟତା ଓ ବ୍ୟାପକତାକୁ ଆହୁରି ପାଖରୁ ଅନୁଭବ କଲେ । ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖିବାକୁ ତାଙ୍କୁ ବହୁତ ଭଲ ଲାଗୁଥିଲା । ତାଙ୍କର ଅଙ୍କିତ ଭୂଦୃଶ୍ୟମାନଙ୍କର ଅଧା ଛାଇ ଓ ଅଧା ଆଲୁଅର ଖେଳରେ ରହସ୍ୟମୟ ନୀରବତାରେ ମଗ୍ନ ଆକାଶ ଓ ପୃଥିବୀକୁ ଦେଖିବାକୁ ମିଳେ ।
ରବୀନ୍ଦ୍ରନାଥ ପିଲାଦିନରୁ ବାର ବାର ମୃତ୍ୟୁକୁ ପାଖରୁ ଦେଖିଛନ୍ତି । ପିଲା ଥିଲାବେଳେ ଆପଣା ମା’ଙ୍କୁ ହରାଇଛନ୍ତି, ତରୁଣ ବୟସରେ ଭାଉଜ କାଦମ୍ବରୀ ଦେବୀଙ୍କୁ । ତାପରେ ୧୯୦୨ ଓ ୧୯୦୭ ଭିତରେ ପତ୍ନୀ, ଝିଅ ଓ ସବା ସାନ ପୁଅକୁ ହରାଇଛନ୍ତି । ଏଇ ବ୍ୟକ୍ତିଗତ ଦୁଃଖ ତାଙ୍କ ଛବି ମାନଙ୍କୁ ପ୍ରଭାବିତ କରିଛି । ତାଙ୍କ ନାରୀ ଛବିର ମୁହଁ ସବୁରେ ସେଥିପାଇଁ ନୀରବ ଯନ୍ତ୍ରଣାର ଭାବ ଫୁଟି ଉଠିଥାଏ ।
ରବୀନ୍ଦ୍ରନାଥଙ୍କ ଛବିର ସବୁଠାରୁ ମୌଳିକ ଦିଗ ହେଲା ତାହା ଉଭୟ ପ୍ରାଚ୍ୟ-ପାଶ୍ଚାତ୍ୟ ପ୍ରଭାବରୁ ମୁକ୍ତ । ଯେ କେହି ବି ତାଙ୍କର ଛବିମାନଙ୍କୁ ପସନ୍ଦ କରୁ ବା ନକରୁ କିନ୍ତୁ ସେଗୁଡ଼ିକ ଯେ ନିରୂତା ମୌଳିକ ଏଥିରେ ଅମତ ହୋଇପାରିବନି । ବିଧିବଦ୍ଧ ଭାବରେ କଳାଶିକ୍ଷା କରି କଳାସୃଷ୍ଟି କରିବା ଓ ଅନ୍ତରରୁ ପ୍ରେରଣା ପାଇ କଳା ସର୍ଜନା କରିବା ଏକା କଥା ନୁହେଁ । ତାଙ୍କର ଛବି ସମୂହ ତାଙ୍କର ଏକଦମ୍ ନିଜର । କୌଣସି ବାହ୍ୟ ପ୍ରଭାବରେ ପ୍ରଭାବିତ ନୁହେଁ । ରବୀନ୍ଦ୍ରନାଥଙ୍କ ଛବି ସବୁ ତାଙ୍କ ସମସାମୟିକ ଭାରତୀୟ ଚିତ୍ରଶିଳ୍ପୀମାନଙ୍କର ଛବି ଠାରୁ ଏକଦମ୍ ଅଲଗା ଥିଲା । ଏପରିକି ସେସବୁ ଆଜିର ଭାରତୀୟ ସମସାମୟିକ ଚିତ୍ରଶିଳ୍ପୀଙ୍କଠାରୁ ମଧ୍ୟ ଅଲଗା ହୋଇ ରହିଛି । ଆମେ କୌଣସି ବାଦ (Ism) ଭିତରେ ତାଙ୍କର ଛବିମାନଙ୍କୁ ବାନ୍ଧି ପାରିବାନି । ଅଜଣାର ଅନ୍ୱେଷଣ, ଆତ୍ମ ନୀରିକ୍ଷଣ, ବାହାରୁ ଭିତରକୁ ଯିବାର ଅର୍ନ୍ତଦୃଷ୍ଟି ଓ ଚିରନ୍ତନ ରହସ୍ୟମୟତା ପ୍ରତି ଉନ୍ମୁଖ ହୋଇରହିବା ତାଙ୍କର କଳାସୃଷ୍ଟିର ମୂଳତତ୍ତ୍ୱ ।
ରବୀନ୍ଦ୍ରନାଥ ତାଙ୍କର ଛବିମାନଙ୍କୁ ପ୍ରାୟତଃ କୌଣସି ନାମରେ ନାମିତ କରିନାହାଁନ୍ତି । ଦର୍ଶକକୁ ତା’ର ନିଜର ଜ୍ଞାନ ଓ ଅବବୋଧରେ ସ୍ୱାଧୀନ ଭାବରେ ବୁଝିବାକୁ ଛାଡ଼ିଦେଇଛନ୍ତି ।
ରବୀନ୍ଦ୍ରନାଥଙ୍କର ମଞ୍ଚ ସଂପୃକ୍ତି ମଧ୍ୟ ତାଙ୍କ ଛବିମାନଙ୍କୁ ବେଶ୍ ପ୍ରଭାବିତ କରିଛନ୍ତି । ଅନେକ ଛବିରେ କଥାଟି ସ୍ପଷ୍ଟ ଦିଶିଯାଏ । ତାଙ୍କ ଅଙ୍କିତ ମୁହଁ ଓ ମଣିଷମାନେ ସବୁବେଳେ ଭାବ ଓ ଅଙ୍ଗଭଙ୍ଗୀ ଯୋଗୁଁ ଜୀବନ୍ତ ମନେହୁଅନ୍ତି । ଅନେକ ସମୟରେ ସେମାନଙ୍କର ଅବସ୍ଥିତି ଓ ବେଶ ପରିପାଟୀ, ସ୍ଥାନିତ ଆସବାବପତ୍ର ଛବି ମଧ୍ୟରେ ମଞ୍ଚ ମାୟା ତିଆରି କରନ୍ତି ।
ରବୀନ୍ଦ୍ରନାଥ ଏକଦା ରୋମାଁ ରୋଲାଁଙ୍କ ସହ ନିଜର ଚିତ୍ରକଳା ବିଷୟରେ ଦୀର୍ଘ ଆଲୋଚନା କରିଥିଲେ । ରଙ୍ଗ ବ୍ୟବହାର ସମ୍ପର୍କରେ ସେ ରୋମାଁ ରୋଲାଁଙ୍କୁ କହିଥିଲେ ଯେ, ନାଲି ରଙ୍ଗ ତାଙ୍କୁ ଏତେଟା ଭଲ ଲାଗେନି । ସେଇଥିପାଇଁ ତାଙ୍କର ଇଟାଲୀ ଭ୍ରମଣ ସମୟରେ ସେଠାର ଗାଁ ମାନଙ୍କରେ ନାଲି ରଙ୍ଗର ପ୍ରାବଲ୍ୟ ତାଙ୍କୁ ଆଦୌ ପ୍ରଲୁବ୍ଧ କରିନଥିଲା । ବରଂ ସେ ସବୁବେଳେ ବାଇଗଣି, ନୀଳ ଓ ସବୁଜ ରଙ୍ଗକୁ ପସନ୍ଦ କରୁଥିଲେ । କେହିକେହି ରବୀନ୍ଦ୍ରନାଥଙ୍କର ଛବିର ବର୍ଣ୍ଣ ବ୍ୟବହାରକୁ ବିଶ୍ଲେଷଣ କରି କହିଛନ୍ତି ଯେ, ସେ ସାମାନ୍ୟ ବର୍ଣ୍ଣାନ୍ଧ ଥିଲେ । ବିଶେଷ କରି ନାଲି ଓ ସବୁଜ ରଙ୍ଗର ପ୍ରଭେଦ ଜାଣିପାରୁ ନଥିଲେ ।
ରବୀନ୍ଦ୍ରନାଥଙ୍କ ପାଇଁ ବାହ୍ୟରୂପ ଅପେକ୍ଷା ଅର୍ନ୍ତଃରୂପର ଗୁରୁତ୍ୱ ସବୁବେଳେ ଅଧିକ ଥିଲା । ଜଣେ ସଫଳ କ୍ଷୁଦ୍ରଗଳ୍ପ ମାନଙ୍କର ଗାଳ୍ପିକ ଭାବରେ ସେ ମଣିଷର ଉପରକୁ ଦିଶୁଥିବା ରୂପ ତଳେ ଲୁଚିକରି ରହିଥିବା ଅସଲ ରୂପକୁ ଚିତ୍ରିତ କରିଥା’ନ୍ତି । ମଣିଷର ମୁହଁ ଆଙ୍କିଲା ବେଳେ ସେ ଠିକ୍ ସେଇ ପ୍ରକାର କାମଟି କରିଛନ୍ତି । ମୁହଁର ମୂଖା ତଳେ ଳୁଚିଥିବା ପ୍ରକୃତ ମୁହଁକୁ ଯେମିତି ଆବିଷ୍କାର କରି ଆଙ୍କି ପକାଇଛନ୍ତି ।
୧୯୭୬ରେ ଭାରତ ସରକାର ରବୀନ୍ଦ୍ରନାଥଙ୍କ ଛବି ମାନଙ୍କୁ ଜାତୀୟ ସମ୍ପତ୍ତି ଭାବରେ ଘୋଷଣା କଲେ; ଫଳରେ ତାଙ୍କ ଛବିସବୁ ଆଉ ବିଦେଶୀ ସଂଗ୍ରାହକ କିଣି ପାରିଲେନି । ତେବେ ସେ ୧୯୩୦ରେ ଯେଉଁ ଅନେକ ଗୁଡେ଼ ଛବି ଲଣ୍ଡନର ଡାର୍ଟିଙ୍ଗଟନ ହଲ ଟ୍ରଷ୍ଟ ପାଖରେ ଆଙ୍କି ଛାଡ଼ି ଆସିଥିଲେ, ସେଇଥିରୁ କିଛି ଛବି ଆର୍ନ୍ତଜାତିକ ନିଲାମ ସଂସ୍ଥା ଦ୍ୱାରା ପରେ ନିଲାମ ହେଇଛି ।
ଅନେକ ପୂର୍ବରୁ ବିଦେଶ ମାଟିରେ ରବୀନ୍ଦ୍ରନାଥଙ୍କ ଚିତ୍ର ସମୂହକୁ ସ୍ୱୀକୃତି ମିଳିଥିଲେ ମଧ୍ୟ, ଭାରତ ମାଟିରେ କିନ୍ତୁ ବିଳମ୍ବ ହୋଇଥିଲା । ରବୀନ୍ଦ୍ରନାଥଙ୍କର ଆଧୁନିକ ଭାରତୀୟ ଚିତ୍ରକଳା ପ୍ରତି ଥିବା ଅବଦାନକୁ ଆଖି ପକାଇଲେ ଆଶ୍ଚର୍ଯ୍ୟ ଲାଗେ । ଶାନ୍ତିନିକେତନରେ କଳା ଭବନ ପ୍ରତିଷ୍ଠା ଛଡା ୧୯୨୨ ରେ ତାଙ୍କରି ପ୍ରତ୍ୟକ୍ଷ ସହଯାଗରେ କିଛି ଜର୍ମାନ ଚିତ୍ରଶିଳ୍ପୀଙ୍କ ସହ ଭାରତୀୟ ଚିତ୍ରଶିଳ୍ପୀଙ୍କର ଚିତ୍ର ପ୍ରଦର୍ଶନୀ କଲିକତାରେ ଆୟୋଜିତ ହେଇଥିଲା । ସେଥିରେ ୱାସିଲ୍ କାଣ୍ଡିନସ୍କ, ପଲ୍ କ୍ଲି ପରି ବିଖ୍ୟାତ ଶିଳ୍ପୀଙ୍କ ଛବି ଆସିଥିଲା । ଦୁଃଖର କଥା ତତକାଳୀନ ଭାରତୀୟ ଚିତ୍ରଶିଳ୍ପୀ ମାନଙ୍କୁ କାଣ୍ଡିନସ୍କ ଓ ପଲ୍ କ୍ଲି ପ୍ରଭାବିତ କରିପାରିନଥିଲେ । ସେମାନଙ୍କୁ ଭାରତ ଚିହ୍ନିଲା ବେଳକୁ ବହୁତ ବିଳମ୍ବ ହେଇ ସାରିଥିଲା ।
ବିଶ୍ୱକବିଙ୍କର ୧୫୦ତମ ଜନ୍ମବାର୍ଷିକି ଉପଲକ୍ଷେ ଭାରତୀୟ ସଂସ୍କୃତି ବିଭାଗ ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମର୍ଡନ୍ ଆର୍ଟରେ ତାଙ୍କର ୨୦୮ଟି ଛବିକୁ ନେଇ ‘The last harvest’ ନାମକ ଏକ ଏକକ ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ କରିଥିଲେ । ପ୍ରଦର୍ଶନୀଟିକୁ କ୍ୟୁରେଟ୍ କରିଥିଲେ ବିଖ୍ୟାତ କଳାସମାଲୋଚକ ଆର୍. ଶିବ କୁମାର ।