ବିଦାୟ ବିଭାନ୍
ବିଭାନ୍ ସୁନ୍ଦରମ୍ ଙ୍କ ୭୯ ବର୍ଷ ବୟସରେ ଦେହାନ୍ତ ଭାରତୀୟ ସମସାମୟିକ କଳା ରାଜ୍ୟରେ ଏକ ବିରାଟ ଶୂନ୍ୟ ସ୍ଥାନ ତିଆରି କରିଛି । ଗତକାଲି ଅର୍ଥାତ ୨୯ ମାର୍ଚ୍ଚ ୨୦୨୩ରେ ଦିଲ୍ଲୀ ଠାରେ ତାଙ୍କର ଦେହାବସାନ ଘଟିଛି । ଆଜି ତାଙ୍କର ଶେଷକୃତ୍ୟ ଅନୁଷ୍ଠିତ ହେବ । ଲୋକପ୍ରିୟ ଭାଷାରେ କହିଲେ, ବିଭାନଙ୍କ ଦେହାନ୍ତ ସହ ଏକ ଯୁଗର ଅବସାନ ଘଟିଛି । ବିଭାନ୍ ଓ ତାଙ୍କ କଳା ସମାଲୋଚିକା ପତ୍ନୀ ଗୀତା କପୁରଙ୍କୁ ବାଦ ଦେଇ ଭାରତୀୟ ସମସାୟିକ କଳା ଇତିହାସ ଲେଖାଯାଇପାରିବନି । ଏକଦା ବରୋଦାରୁ ଯେଉଁ କଳା ଆନ୍ଦୋଳନ ଆରମ୍ଭ ହୋଇଥିଲା ସେଥିରେ ଏ ଦୁହିଁଙ୍କର ବେଶ୍ କିଛି ଅବଦାନ ଥିଲା । ଦୁଇ ହଜାର ମସିହା ପରେ ଭାରତୀୟ କଳା ରାଜ୍ୟରେ ଏକ ବିରାଟ ବୁମ୍ ଆସିଥିଲା, ଫଳରେ ବ୍ୟବସାୟିକ ଗ୍ୟାଲେରୀମାନଙ୍କର ପ୍ରାଦୁର୍ଭାବ ଓ କଳାର ବ୍ୟାପକ ବ୍ୟବସାୟୀକରଣ ହେଲା । ଏମିତି ଏକ ଦୃଶ୍ୟପଟ ସମ୍ପୂର୍ଣ୍ଣ ବଦଳିଯିବା ଆଗରୁ ବିଭାନ୍ ସୁନ୍ଦରମ୍ ହିଁ ଥିଲେ ଭାରତୀୟ କଳା ରାଜ୍ୟର ଅନ୍ୟତମ ସୂତ୍ରଧର । ସମସାୟିକ କଳା ରାଜ୍ୟରେ ତାଙ୍କୁ କେନ୍ଦ୍ରକରି ଅନେକ କିଛି ଘଟୁଥିଲା ବା ସେ ଅନେକ କିଛି ଘଟାଉଥିଲେ । ଆଜି ଭାରତରେ ଯେଉଁ ବିକଳ୍ପ କଳାର ଅଭ୍ୟାସ ଚାଲିଛି ସେସବୁ ଏଠାରେ ଅନେକ ବର୍ଷ ତଳୁ ବିଭାନ୍ ହିଁ ଆରମ୍ଭ କରିଥିଲେ । ଆଜିର ଅନେକ ଭରତୀୟ ପ୍ରମୁଖ କଳାକାର ତାଙ୍କରି ତତ୍ତ୍ୱାବଧାନରେ ଏକଦା କଳାଅଭ୍ୟାସ କରିଥିଲେ । ସେତବେଳେ ଦିଲ୍ଲୀର ଖୋଜ୍ ଅନୁଷ୍ଠାନ ଏପରି ଅଲଗା କଳାର ଅଭ୍ୟାସକୁ ଗୁରୁତ୍ୱ ଦେଉଥିଲା, ତା'ର ମୂଳରେ ବିଭାନ୍ ହିଁ ଥିଲେ । ମୋ ମତରେ ତାଙ୍କ ଶୂନ୍ୟ ସ୍ଥାନ ସେମିତି ହିଁ ଖାଲି ରହିବ । ନିକଟ ଭବିଷ୍ୟତରେ ପୂରଣ ହେଲାପରି ଦିଶୁନି ।
ମୁଁ ବିଭାନଙ୍କ ସହ ପ୍ରଥମ ଥର ମିଶିଥିଲି ୨୦୦୮ ମସିହାରେ । ସେତବେଳେ ମୁଁ ବରୋଦାରେ ରହୁଥାଏ । ବିଭାନ୍ ଫାକଲଟି ଅଫ୍ ଫାଇନ୍ ଆର୍ଟସ୍ ରେ ଗୋଟେ ଅଭିନବ ୱାର୍କସପ୍ ର ଆୟୋଜନ କରୁଥାନ୍ତି । କୌତୁହଳରେ ମୁଁ ମଧ୍ୟ ପହଞ୍ଚିଥାଏ । ପୁରା ଗୋଟେ ଦିନର ୱାର୍କସପ୍ । ଗୋଟେ କୋଠରୀର ପୁରା ଚାରି କାନ୍ଥ ଓ ଚଟାଣରେ ଧଳା ସଫା କାଗଜ ଲଗାଯାଇଥାଏ । ପେନସିଲ୍, କଲମ, ରଙ୍ଗ ଓ ବ୍ରାସ୍ ସବୁ ଥୁଆ ହେଇଥାଏ । କଥା ଥାଏ, ଯିଏ ବି ଯାହା ଚାହିଁବ ଯେଉଁଠି ବି ଆଙ୍କି ପାରିବ । ସମସ୍ତେ ପାଗଳ ପରି ଆଙ୍କୁଥା'ନ୍ତି । ମୁଁ ବି ଆଙ୍କିଲି । ମନଇଚ୍ଛା କେତେ କ'ଣ ଗାରେଇଲି । ଗ୍ରାମାରରୁ ବାହାରି ମନ ଯାହା ଚାହିଁବ ତାହାକୁ ଆଙ୍କିପକାଇବାକୁ ସବୁ କଳାକାରଙ୍କ ଭିତରେ ଗୋଟେ ସୁପ୍ତ ଇଚ୍ଛା ଲୁଚିକି ଥାଏ । ବିଭାନ୍ ସେଇ ଇଚ୍ଛାକୁ ଯେମିତି ଖୋଲି ପକାଇବାକୁ ଚମତ୍କାର ସୁଯୋଗ ଗୋଟେ ତିଆରି କରିଥା'ନ୍ତି ।
ବରୋଦାରେ ରହୁଥିବା ପ୍ରାୟ ସବୁ ବଡ଼ ବଡ଼ ବିଖ୍ୟାତ ଶିଳ୍ପୀ ସେଠି ପହଞ୍ଚିଥା'ନ୍ତି । କେ.ଜି ସୁବ୍ରମଣ୍ୟମ୍, ଜ୍ୟୋତି ଭଟ୍ଟ, ଜ୍ୟୋତ୍ସା ଭଟ୍ଟ, ନିଲିମା ସେଖ୍ ଓ ଗୁଲାମ ମହମଦ୍ ସେଖ୍ ଙ୍କ ସହ ସେଠାର ଅଧ୍ୟାପକ ଇନ୍ଦ୍ରପ୍ରମିତ ରାୟ ଓ ବାସୁଦେବନ୍ ଆଦି ଅନେକ କଳାକାର । ସମସ୍ତେ କିଛି ନା କିଛି ଆଙ୍କୁଥା'ନ୍ତି ଓ ୱାର୍କସପ୍ ରେ ଭାଗନେଉଥା'ନ୍ତି । ସକାଳୁ ଆରମ୍ଭ ହୋଇଥିବା ୱାର୍କସପ୍ ସନ୍ଧ୍ୟା ବେଳକୁ ସରିଆସିଲା । ସେତେବେଳକୁ କାନ୍ଥରେ ଓ ଚଟାଣରେ ମରା ସଫେଦ କାଗଜ ସବୁକୁ ଶିଳ୍ପୀମାନେ ଭରିସାରିଥା'ନ୍ତି । ସବୁ ମିଶି ଏକାକାର ହେଇ ଦିଶୁଥାଏ ଏକ ବିଶାଳ ଗ୍ରାଫିଟି ଯେମିତି । ସମସ୍ତଙ୍କର କୌତୁହଳ ଥାଏ ଶେଷକୁ ଏ ସବୁ ଛବି କ'ଣ ହେବ? କିଏ କିଏ ଆଖେଇଥାନ୍ତି ବଡ଼ ଓ ପ୍ରସିଦ୍ଧ ଶିଳ୍ପୀମାନଙ୍କ ଛବିକୁ ଚିରି ଘରକୁ ନେଇଯିବେ । କିନ୍ତୁ ସେତକ ବିଭାନ୍ କରେଇ ଦେଲେନି । ଫେକଲ୍ଟି ଆଗରେ ଆଗରୁ ଖୋଳା ହେଇ ରହିଥାଏ ଗୋଟେ ଚାରି କୋଣିଆ କୁଣ୍ଡ । ବିଭାନ୍ ଙ୍କ ନିର୍ଦ୍ଦେଶ କ୍ରମେ ଆମେ ସମସ୍ତେ କାନ୍ଥ ଓ ଚଟାଣରୁ କାଗଜ ସବୁ ଚିରି ସେ କୁଣ୍ଡରେ ପକାଇଲୁ ଓ ଜଣେ ସେଥିରେ ଅଗ୍ନି ସଂଯୋଗ କଲା । ସେତେବେଳକୁ ଭାରତୀୟ କଳାକାରମାନଙ୍କର ଛବିର ବଜାର ଦର ଆକାଶ ଛୁଆଁ । ସେଠି ସେଦିନ ଭାରତର ଅନେକ ପ୍ରବୀଣ ଓ ନବୀନମାନଙ୍କର ଯେଉଁ ଛବି ସବୁ ଥିଲା ତାକୁ ଯଦି ସଥବୀ କି ଖ୍ରୀଷ୍ଟିଜ୍ ପରି ନିଲାମକାରୀ ସଂସ୍ଥାଙ୍କ ସହାୟତାରେ ନିଲାମ କରାଯାଇଥା'ନ୍ତା ତେବେ କାହିଁ କେତେ କୋଟି ଟଙ୍କାର ବେପାର ହେଇଥା'ନ୍ତା । ଆଖିପିଛୁଳାରେ ସବୁ କିଛି ପୋଡ଼ି ପାଉଁଶ ହୋଇଗଲା । ଯେମିତି ମହାଶୂନ୍ୟରୁ ଆସିଥିବା ଧାରଣା ଓ ଆକାର ସବୁ ପୁଣିଥରେ ସେଇ ମହାଶୂନ୍ୟରେ ମିଳାଇଗଲେ । କିଛି ଅନୁଭୂତି, କିଛି ସ୍ପଷ୍ଟ ଓ କିଛି ଅସ୍ପଷ୍ଟ ସ୍ମୃତି ବିନା ଆଉ କିଛିବି ରହିଲାନି । ଏବେବି ସେ ଚମତ୍କାର ସ୍ମୃତି ମୋ ଭିତରେ ବଞ୍ଚିକି ରହିଛି । ସେଦିନ ସେଠି ଉପସ୍ଥିତ ଥିବା ଅନେକଙ୍କର ସେଇ ସ୍ମୃତି ଅବଶ୍ୟ ବଞ୍ଚିକି ରହିଥିବ ।
ବିଭାନ୍ ଙ୍କ ଜନ୍ମ ୨୮ ମଇ ୧୯୪୩ରେ ପରାଧିନ ଭାରତର ସିମଲା ଠାରେ ହେଇଥିଲା । ଭାରତର ବିଖ୍ୟାତ ଚିତ୍ରଶିଳ୍ପୀ ଅମ୍ରିତା ସେରଗିଲଙ୍କ ସିଧାସଳଖ ପୁତୁରା ହେଉଛନ୍ତି ବିଭାନ୍ । ଅମ୍ରିତାଙ୍କ ସାନଭଉଣୀ ଇନ୍ଦିରାଙ୍କ ପୁଅ ହେଲେ ବିଭାନ୍ । ବିଭାନଙ୍କ ବାପା କଲ୍ୟାଣ ସୁନ୍ଦରମ୍ ଭାରତର ଲ କମିଶନ୍ ର ଚେୟାରମ୍ୟାନ୍ ଭାବରେ ୧୯୬୮ ରୁ ୧୯୭୧ ପର୍ଯ୍ୟନ୍ତ କାମ କରିଥିଲେ । ବିଭାନ୍ ଙ୍କ ପ୍ରାରମ୍ଭିକ ପାଠ ପଢା ଡୁନ୍ ସ୍କୁଲରେ ହୋଇଥିଲା ଓ ତାଙ୍କ କଳାଶିକ୍ଷକ ଥିଲେ ଶାନ୍ତିନିକେତନରେ ପାଠ ପଢିଥିବା ଚିତ୍ରଶିଳ୍ପୀ ସୁଧିର ଖାସ୍ତଗିରୀ । ବରୋଦାର ମହାରାଜା ଶିବାଜୀରାଓ ବିଶ୍ୱବିଦ୍ୟାଳୟରେ କଳା ଶିକ୍ଷା କଲା ପରେ ସେ ଲଣ୍ଡନର ସ୍ଲେଡ୍ ସ୍କୁଲରେ ୧୯୬୬ ରୁ ୬୮ ଯାଏଁ ସିନେମାର ଇତିହାସ ବିଷୟରେ ପାଠ ପଢିଥିଲେ ।
ଭାରତର ଚିତ୍ରଶୀଳ୍ପୀମାନେ ପ୍ରାୟତଃ ରାଜନୈତିକ ବିଚାରଧାରାକୁ ନେଇ ନୀରବତା ଅବଲମ୍ବନ କରନ୍ତି । ବିଭାନ୍ କିନ୍ତୁ ତାଙ୍କ କଳାକର୍ମରେ ଭୀଷଣ ଭାବରେ ତାଙ୍କ ରାଜନୈତିକ ବିଚାରଧାରାକୁ ଉପସ୍ଥାପନ କରିଥା'ନ୍ତି । ୧୯୭୧ରେ ଭାରତରେ ଉପୁଜିଥିବା ଜରୁରୀକାଳୀନ ପରିସ୍ଥିତିରେ ବିଭାନ୍ କିଛି କଳାକାର ଛାତ୍ରମାନଙ୍କୁ ନେଇ ବିଭିନ୍ନ ପ୍ରତିବାଦ କାର୍ଯ୍ୟକ୍ରମ ମଧ୍ୟ ଅୟୋଜନ କରିଥିଲେ ।
ବିଭାନଙ୍କ କଳାଅଭ୍ୟାସର ପରିସର ବ୍ୟାପକ ଥିଲା । ଅଳ୍ପକିଛିରେ ସେ ଆଦୌ ସନ୍ତୁଷ୍ଟ ନଥିଲେ । ଚିତ୍ର ଆଙ୍କିବା, ଭାସ୍କର୍ଯ୍ୟ ତିଆରି କରିବା ସହ ପ୍ରିଣ୍ଟ ମେକିଂ, ଫଟୋଗ୍ରାଫି, ଭିଡିଓ ଆର୍ଟ ଓ ଇନଷ୍ଟଲେସନ୍ ଆଦିରେ ତାଙ୍କର ପ୍ରବଳ ରୁଚି ଥିଲା । ସ୍ମୃତି, ଇତିହାସ, ଲୋକପ୍ରିୟ ସଂସ୍କୃତି, ସାମାଜିକ ଓ ରାଜନୈତିକ ସମସ୍ୟାକୁ ମୁଖ୍ୟ ଅବଲମ୍ବନ କରି ସେ ତାଙ୍କର ସୃଜନ କର୍ମ ଅବ୍ୟାହତ ରଖିଥିଲେ । ବୌଦ୍ଧିକତାକୁ ଆଗ୍ରାଧିକାର ଦେବା ଓ ତଥାକଥିତ ମୂଖ୍ୟ ସ୍ରୋତରୁ ଅଲଗା ହୋଇ ଭିନ୍ନ କିଛି କରିବା ବିଭାନଙ୍କର ବିଶେଷତା ଥିଲା । ତାଙ୍କର କଳାକର୍ମକୁ ଦେଖିଲେ ଏକଥା ଭଲରେ ବୁଝାଯାଇ ପାରିବ । ୨୦୧୮ ଫେବୃୟାରୀରୁ ଜୁଲାଇ ପର୍ଯ୍ୟନ୍ତ ରବିନା କରୋଡେଙ୍କ କ୍ୟୁରେସନରେ ଦିଲ୍ଲୀର କିରନ ନାଦର ମ୍ୟୁଜିୟମ୍ ରେ ବିଭାନଙ୍କର ଏକ ସିଂହାବଲୋକନ ବା ରେଟ୍ରୋସ୍କେପିକ୍ ପ୍ରଦର୍ଶନୀର ଆୟୋଜନ ହେଇଥିଲା । ସେଇଠି ମୁଁ ବିଭାନଙ୍କ ଅନେକ ପୁରୁଣା କାମ ସହ ନୂଆ କାମ ସବୁ ଦେଖିଥିଲି । ବିଭିନ୍ନ ସମୟରେ ପାଖା ପାଖି ଚାଳିଶ ବର୍ଷ ଧରି ସେ ତିଆରିଥିବା ଭିନ୍ନ ଭିନ୍ନ ସିରିଜର କାମରୁ ପ୍ରାୟ ଶହେ ଅଶୀଟି କାମ ପ୍ରଦର୍ଶିତ ହୋଇଥିଲା । ୨୦୧୪ ମସିହାରେ ବିଭାନ୍ ସୁନ୍ଦରମ୍ ଓ ତାଙ୍କ ପତ୍ନୀ ଗୀତା କପୁର କୋଚି ମୁଜିରିସ୍ ବିନାଲେକୁ ଚାଳିଶ ଲକ୍ଷ ଟଙ୍କା ଦାନ କରି ଉଦାହରଣ ତିଆରି କରିଥିଲେ । କହିରଖେ ଭାରତରେ ଏପରି ଉଦାହରଣ ଆଦୌ ଦେଖିବାକୁ ମିଳେନି ।
ବଜାର ଠାରୁ ଦୂରରେ ରହି ନିରନ୍ତର କାମ କରୁଥିବା ଓ ନିଜ ଇଚ୍ଛା ମୁତାବକ କାମ କରୁଥିବା ଏବଂ ତା ସାଙ୍ଗରେ ପୁଣି ବେଶ୍ ପ୍ରସିଦ୍ଧ ମଧ୍ୟ ହୋଇଥିବା ଶିଳ୍ପୀ ଭାବରେ ବିଭାନ୍ ନିଶ୍ଚୟ ମନେରହିବେ ।
ବିଦାୟ ବିଭାନ୍ ।