ଜଣେ ଆର୍ଯ୍ୟଦେବତାଙ୍କ ଜନ୍ମଦିନ
ଦେବତାର ଜନ୍ମଦିନ ବୋଲି କଥାଟି ଏମିତିରେ ନିହାତି ଅପ୍ରାସଙ୍ଗିକ ଏବଂ ଅବାଞ୍ଛିତ ଏକ ମନ୍ତବ୍ୟ । ଦେବତାର କେଉଁ ମରଣ ଅଛି ଯେ ତାହାର ଜନ୍ମଦିନକୁ ନେଇ ଏତେ ପ୍ରକାରର ଆହ୍ଲାଦ ! ମାତ୍ର ଆହ୍ଲାଦ ଏଇଥିପାଇଁ ଯେ, ଦେବତାକୁ ଠିକ୍ ଆମପରି ଗୋଟିଏ ଲୌକିକତାର ମିତ୍ରଫାଶରେ ବାନ୍ଧି ନିଜ ପାଖରେ ରଖିବା ପାଇଁ ଆମର ଚିରକାଳର ଆଗ୍ରହ। ସେଇଥିପାଇଁ ତ ଆମର ପ୍ରିୟ ଦେବତା ମଣିଷ ଭଳି ଜନ୍ମ ନିଏ ଆଉ ମୃତ୍ୟୁବରଣ କରେ ମାତ୍ର ଆମେ ଭଲଭାବରେ ଜାଣୁ ଯେ ଦେବତାର ଏଇ ଜନମମରଣ ଖେଳ ଆମର ନିର୍ମାଣ,ମିଛିମିଛିକା ନିର୍ମାଣ । ଦେବତା ତାହାର ପରିସରର ଉର୍ଦ୍ଧ୍ୱରେ । ଦେବତାକୁ ଆବାହନ କରିବାର ଉତ୍ସବର ସାମୁହିକ ଆନନ୍ଦକୁ ଭୋଗିବା ପାଇଁ ଆମେ ଦେବତାର ଜନ୍ମଦିନ ଭଳି ଗୋଟିଏ ଆଳକୁ ଏକ ନିରନ୍ତରତା ପ୍ରଦାନ କରିଥାଉ ।
ଆଜି ଜନ୍ମଦିନରେ ବଂଧା ହୋଇଥିବା ଆର୍ଯ୍ୟଦେବ ଜଣକ ହେଉଛନ୍ତି ପ୍ରଭୂ ଶ୍ରୀରାମଚନ୍ଦ୍ର,ଆମର ବିଶ୍ୱାସରେ ଚିରନ୍ତନ ମର୍ୟାଦାପୁରୁଷ ।
ତୁଳନାତ୍ମକ ଭାବରେ ଏହି ଆର୍ଯ୍ୟଦେବଙ୍କର ଅନାର୍ଯ୍ୟ ସଂପୃକ୍ତି ଯଥେଷ୍ଟ। ଏବଂ ଏହି ଆର୍ଯ୍ୟଦେବଙ୍କ ଜୀବନ କାହାଣୀର ବିବର୍ତ୍ତନକୁ ପର୍ଯ୍ୟାଲୋଚନା କଲେ ଆମେ ବହୁଳାଂଶରେ ଆର୍ଯ୍ୟ-ଅନାର୍ଯ୍ୟ ସଂପର୍କର ବିରୋଧାଭାଷ ଏବଂ ସମନ୍ୱୟ ତଥା ସଂହତିକୁ ଭଲ ଭାବରେ ବୁଝିପାରିବା । ବିଶେଷ ଭାବରେ ସେଇଠି ଏହି ଆର୍ଯ୍ୟଦେବଙ୍କ ଜୀବନ କାହାଣୀରେ ଆର୍ଯ୍ୟ-ଅନାର୍ଯ୍ୟ ସଂପର୍କର ଯେଉଁ ଜଟିଳ ପ୍ରବାହମାନ ଦେଖିବାକୁ ମିଳିଛି ସେଥିରୁ ଆମେ ମାନବ ସଭ୍ୟତାର ଐତିହାସିକ ବିବର୍ତ୍ତନର ପ୍ରେକ୍ଷାପଟଟିକୁ ଅନୁଧ୍ୟାନ କରିପାରିବା।
ଆପଣମାନେ ଜାଣନ୍ତି ,ଏହି ଆର୍ଯ୍ୟଦେବଙ୍କ ସହିତ ଗୋଟିଏ ପ୍ରମୁଖ କାହାଣୀ ହିଁ ଜଡିତ ରହିଛି।ସେଇଟି ହେଉଛି ଏକ ଯୁଦ୍ଧଜୟର କାହାଣୀ। କୌଣସି ଆର୍ଯ୍ୟାବର୍ତ୍ତ ର ଲକ୍ଷ୍ୟପୂରଣ ତଥା ଯୁଦ୍ଧଜୟ ଭଳି ଏକ ପ୍ରାଥମିକ କାର୍ଯ୍ୟକ୍ରମରେ କେବଳ ଅନାର୍ଯ୍ୟମାନେ ପ୍ରମୁଖ ଭୂମୀକା ଗ୍ରହଣ କରିଥିବାର ଏକ ବିରଳ ପୌରାଣିକ ଦୃଶ୍ୟ ଏହି ଆର୍ଯ୍ୟଦେବକୁ ଆର୍ଯ୍ୟ-ଅନାର୍ଯ୍ୟ ସଂହତିର ଏକ ସମ୍ମାନୀତ ପ୍ରତୀକ ଭାବରେ ଆମ ଆଗରେ ଉପସ୍ଥାପିତ କରିଛି।
ସେହି ବହୁଳଖ୍ୟାତ ଯୁଦ୍ଧ ର ପରିପ୍ରେକ୍ଷୀରେ ଆର୍ଯ୍ୟ-ଅନାର୍ଯ୍ୟ ସଂହତି ସହିତ ଆଉ ଗୋଟିଏ ଯେଉଁ ସମାଜତାତ୍ତ୍ୱିକ ସ୍ଥିତି ଆମ ଆଗରେ ଉପସ୍ଥିତି ହୋଇଥାଏ ତାହା ହେଉଛି ଆମର ବର୍ଣ୍ଣଭିତ୍ତିକ ଦ୍ୱନ୍ଦ୍ୱର ଏକ ପର୍ଯ୍ୟାୟ।ସାଧାରଣତଃ ଆମେ ଦଶାବତାର ତତ୍ତ୍ୱକୁ ମଣିଷର କ୍ରମବିବର୍ତ୍ତନ ତତ୍ତ୍ୱ ହିସାବରେ ବିବେଚନା କରିଥାଉ।ସେହି ବିବର୍ତ୍ତନ ର ଗୋଟିଏ ପର୍ଯ୍ୟାୟରେ ଭାରତୀୟ ସମାଜରେ ପର-ବୈଦିକ କାଳରେ ଯେତେବେଳେ ସମସ୍ତ ବୃତ୍ତିକୁ ଆଧାରକରି ମୁକ୍ତ ବର୍ଣ୍ଣ ବ୍ୟବସ୍ଥା ଟିର ଉଦ୍ଭବ ଘଟିଲା ତାହା ଫଳରେ ଭାରତୀୟ ସମାଜରେ ସ୍ତରୀକରଣ ଓ ଦ୍ୱନ୍ଦ୍ୱ ଆରମ୍ଭ ହେଲା।ପ୍ରଥମେ ଆର୍ଯ୍ୟମାନଙ୍କୁ ବ୍ରାହ୍ମଣ,କ୍ଷତ୍ରୀୟ ଓ ବୈଶ୍ୟ ଏବଂ ଅନାର୍ଯ୍ୟମାନଙ୍କୁ ସାମଗ୍ରିକ ଭାବରେ ଶୁଦ୍ର ଭଳି ଏକ ବର୍ଣ୍ଣ ବ୍ୟବସ୍ଥା ଭିତରେ ଆବଦ୍ଧ କରି ରଖିଦିଆଗଲା।ସମାଜକୁ ଏହି ଭଳି ବର୍ଗୀକରଣ କରି ରଖିବା ଦ୍ୱାରା ସେ ସମୟର ରାଷ୍ଟ୍ର ଧାରକ ମାନେ ସମାଜ ମଧ୍ୟରେ ଥିବା ବିଚଳନର ଅସ୍ଥିରତାକୁ ଏକ ପ୍ରକାରେ ବ୍ରାହ୍ଣଣ ଆଧିପତ୍ୟଭିତ୍ତିକ ଧର୍ମ ବ୍ୟବସ୍ଥା ଭିତରେ ସଂତୁଳିତ କରି ରଖିବାକୁ ଚେଷ୍ଟା କରୁଥିଲେ।ଫଳରେ ଆର୍ଯ୍ୟ-ଅନାର୍ଯ୍ୟ ଦ୍ୱନ୍ଦ୍ୱଟି ଏକ ପ୍ରକାରେ ବ୍ରାହ୍ମଣବାଦ ରେ ଆସ୍ଥା ଆଉ ଅନାସ୍ଥା ଆଡକୁ ଢଳି ରହୁଥିଲା।ଯେହେତୁ ସେତେବେଳେ କ୍ଷତ୍ରୀୟ ହାତରେ ଶାସନ ବ୍ୟବସ୍ଥା ରହିଥିଲା।ଆଉ ସେତେବେଳର ଶାସନ ବ୍ୟବସ୍ଥା କହିଲେ,ଶାସକର ଏକମାତ୍ର କାମ ଥିଲା ତାହାର ଶାସନାଧୀନ ଅଂଚଳକୁ ସୁରକ୍ଷିତ କରି ରଖିବା। କାରଣ ସେତେବେଳେ ରାଷ୍ଟ୍ର କହିଲେ ଅତି ଛୋଟଛୋଟ ଅଂଚଳ ବିଶେଷକୁ ବୁଝାଉଥିଲା।ଭାରତର ପ୍ରାଥମିକ ଗ୍ରନ୍ଥ ଋଗବେଦ ର ଦଶମ ମଣ୍ଡଳ (ଯାହା ପ୍ରଥମରେ ରଚିତ ହୋଇଛି ବୋଲି ଭାରତବିତ୍ ଙ୍କ ମତ)ରେ ରାଷ୍ଟ୍ର ଶବ୍ଦ ଥରଟିଏ ଲେଖା ହୋଇଛି ।ସେ ଯାହାହେଉ ଛୋଟ ଛୋଟ ଅଂଚଳରେ ବାସ କଲେ ଜଣକର ସୁରକ୍ଷିତ ରହିବା ହିଁ ପ୍ରାଥମିକ ଚିନ୍ତା ରହିବ।ତେଣୁ ସୁରକ୍ଷିତ କରି ରଖିପାରୁଥିବା କାରଣରୁ କ୍ଷତ୍ରୀୟ ମାନେ ସଫଳ ଥିଲେ ହେଁ ସାମାଜିକ ବିଚଳନ କୁ ରୋକିବା ପାଇଁ ବ୍ରାହ୍ମଣମାନଙ୍କ ଦୈବିକତା ଉପରେ ନିର୍ଭରଶୀଳ ଥିଲେ।ଅନ୍ୟଭାବରେ କହିଲେ ସମାଜର ତଳସ୍ତର ର ଆର୍ଯ୍ୟ-ଅନାର୍ଯ୍ୟ ଦ୍ୱନ୍ଦ୍ୱଟିକୁ ଏଡାଇବାକୁ ଗଲାବେଳେ ସେତେବେଳର ବ୍ରାହ୍ମଣବାଦ ଉପରେ ମାତ୍ରାଧିକ ଆସ୍ଥା ଆଉ ଏକ ଭିନ୍ନ ବର୍ଣ୍ଣଦ୍ୱନ୍ଦ୍ୱକୁ ଜନ୍ମ ଦେଇଥିଲା।ସେଇଟି ହେଉଛି ବ୍ରାହ୍ମଣ ବନାମ କ୍ଷତ୍ରୀୟ ମଧ୍ୟରେ ଦ୍ୱନ୍ଦ୍ୱ।କ୍ରମଶଃ ଶାସକ କ୍ଷତ୍ରୀୟ ମାନେ ବୁଝିଗଲେ ଯେ ଦୈବିକ ଆଧାର ବଳରେ ବ୍ରାହ୍ଣଣ ବର୍ଣ୍ଣ ବିଶେଷ ସମାଜରେ ଅଧିକ ଆଧିପତ୍ୟ ବିସ୍ତାର କରିସାରିଲେଣି।ତେଣୁ ବ୍ରାହ୍ମଣ ଆଧିପତ୍ୟକୁ ପ୍ରତିହତ କରିବା ପାଇଁ କ୍ଷତ୍ରୀୟ ମାନଙ୍କ ତରଫରୁ କାର୍ଯ୍ୟକ୍ରମ ଆରମ୍ଭ କରାଗଲା।ସେହି ସମୟକୁ ପ୍ରତୀକକରଣ କରିବା ପାଇଁ ବଶିଷ୍ଠ-ବିଶ୍ୱାମିତ୍ର ଦ୍ୱନ୍ଦ୍ୱ କଥାଟି ଉଠିଲା।ଦୁଇଜଣ କ୍ଷତ୍ରୀୟ ରାଜପୁତ୍ର ବ୍ରାହ୍ମଣବାଦ-ଆଧାରିତ ଶାସନ ବ୍ୟବସ୍ଥାକୁ ପ୍ରତିହତ କରିବା ପାଇଁ ଭିନ୍ନ ଏକ ବ୍ୟବସ୍ଥାପନା କଲେ ଯାହାର ନାମ ହେଉଛି ଜୈନ ଧର୍ମ ଓ ବୌଦ୍ଧ ଧର୍ମ।
ଆମର ଏହି ଆର୍ଯ୍ୟଦେବ ହେଉଛନ୍ତି କ୍ଷତ୍ରୀୟ ପୁନର୍ଜାଗରଣର ପ୍ରତୀକ।ତାଙ୍କ ପୂର୍ବରୁ ଆମର ଅବତାରବାଦରେ ପର୍ଶୁରାମ ବେଶରେ ଜଣେ ବ୍ରାହ୍ଣଣ "କ୍ଷତ୍ରୀୟ ରୁଧିରମୟେ ଜଗତପଗତ ପାପଂ"କରିଥିଲା।ସେହି ରକ୍ତାକ୍ତ ସମୟର ପରବର୍ତ୍ତି ସଂପ୍ରୀତି ପାଇଁ ଏହି କ୍ଷତ୍ରୀୟ ଦେବ ଜଣକ ଜଣେ ବ୍ରାହ୍ଣଣ ରାଜାକୁ ତାହାର ନିଜ ବ୍ୟକ୍ତିଗତ ଅପକର୍ମ ପାଇଁ ପରାସ୍ତ କଲା ଆଉ ସେହି ପରାସ୍ତ ର ମୁଖ୍ୟ ଆଧାର ସାଜିଥିଲେ ଅନାର୍ଯ୍ୟମାନେ।ଏହି ସମସ୍ତ କାହାଣୀରୁ ପ୍ରତୀକାତ୍ମକ ସ୍ଥିତି କୁ ଭଲଭାବରେ ବୁଝି ହେବ।
ଆଉ ଏହି ଆର୍ଯ୍ୟଦେବର ଉପସ୍ଥିତି ପରେ ଆଉ କୌଣସି ବିଭୀଷିକା ଦେଖାଦେବ ନାହିଁ,ଏହି ଆଶ୍ୱାସନା ଆସୁଛି,କେବଳ ସମାପ୍ତି ବୋଲି ସେହି କଳ୍କୀ ଅବତାର ବ୍ୟତୀତ।
ଭାରତୀୟ ପୁରାଣ ଶାସ୍ତ୍ରରେ ତିନିଜଣ ରାମଙ୍କର ଉଲ୍ଲେଖ ରହିଅଛି। ସେହି ତିନି ଜଣ ହେଉଛନ୍ତି ପର୍ଶୁରାମ,ଶ୍ରୀରାମ ଏବଂ ବଳରାମ । ଏଇ ତିନିଜଣଙ୍କ ଭିତରୁ ପର୍ଶୁରାମ କୁଠାରଧାରୀ,ଶ୍ରୀରାମ ଧନୁର୍ଦ୍ଧାରୀ ଏବଂ ବଳରାମ ହେଉଛନ୍ତି ହଳଧାରୀ । ରାମାୟଣରେ ପର୍ଶୁରାମ ଏବଂ ଶ୍ରୀରାମଙ୍କ ର ଉଲ୍ଲେଖ ରହିଛି ମାତ୍ର ବଳରାମ ସେଇଠି ଅନୁପସ୍ଥିତ । ପର୍ଶୁରାମ ଆଉ ଶ୍ରୀରାମଙ୍କ କାଳ ହେଉଛି ପୌରାଣିକତା ଦୃଷ୍ଟିରୁ ତ୍ରେତୟା କାଳ ଏବଂ ବଳରାମଙ୍କ ସମୟ ହେଉଛି ଏହାର ପରବର୍ତ୍ତି ସମୟ ଅର୍ଥାତ୍ ଦ୍ୱାପର କାଳ । ମହାଭାରତରେ ଦ୍ୱାପର ଏବଂ ତାହା ପରବର୍ତ୍ତି କଳି ଯୁଗର ପ୍ରାରମ୍ଭ ବିଷୟ ବର୍ଣ୍ଣିତ ରହିଥିବା କାରଣରୁ ବଳରାମଙ୍କ ପ୍ରସଙ୍ଗ ସେଇଠି ରହିଅଛି। ତେଣୁ ପୁରାଣର ଏଇ ତିନି ରାମଙ୍କର କାଳାନୁକ୍ରମିତାକୁ ରାମାୟଣ ଆଉ ମହାଭାରତର ଆଧାରରେ ଦେଖିଲେ ଆମେ ଯେଉଁ ଜନ୍ମକ୍ରମଟି ଦେଖିବା ସେଥିରେ ପ୍ରଥମେ ଆସିଛନ୍ତି ପର୍ଶୁରାମ ,ତାହାପରେ ଶ୍ରୀରାମ ଏବଂ ସବାଶେଷରେ ବଳରାମ । ଏହି ତିନିରାମଙ୍କ ସହିତ ଜଡିତ ଆୟୁଧ ଏବଂ ଅନ୍ୟ ସମସ୍ତ ପ୍ରତୀକାତ୍ମକତା ଆମକୁ ତତସଂଲଗ୍ନ ପୃଷ୍ଠଭୂମୀର କାଳଖଣ୍ଡର ଐତିହାସିକ କ୍ରମନ୍ୱୟତାକୁ ପରିଭାଷିତ କରିଥାଏ।
ଚିତ୍ର - ଅଷ୍ଟମ ଶତାବ୍ଦୀର ଏଲୋରା ଗୁମ୍ଫାରେ ଖୋଦିତ ରାମକଥା । ସୌଜନ୍ୟ- ୱିକି ପିଡିଆ ।
ଇତିହାସ ଦୃଷ୍ଟିରୁ ଦେଖିଲେ ମଣିଷ ଯେଉଁ ପର୍ଯ୍ୟନ୍ତ କୃଷିକାର୍ଯ୍ୟ କରିବାକୁ ସମର୍ଥ ହୋଇନାହିଁ ସେ ପର୍ଯ୍ୟନ୍ତ ତାହାକୁ ସଭ୍ୟ ବୋଲି ସେମିତି ସ୍ୱୀକୃତି ଦିଆଯାଇନାହିଁ । ଖାଲି ଆମ ଦେଶ ନୁହଁ ସର୍ବତ୍ର ଏଇ ବିଚାରକୁ ସତ ବୋଲି ସମସ୍ତେ ମାନିନେଇ ଆସିଛନ୍ତି ।ସେ ଯାହାହେଉ ଏଇଠି କୁଠାରଧାରୀ ପର୍ଶୁରାମ ଏମିତି ଗୋଟିଏ ଭାନବ ଜାତିର ପ୍ରତିନିଧିତ୍ୱ କରୁଛନ୍ତି ଯେଉଁମାନେ ବସ୍ତୁତଃ କୃଷିକର୍ମ ଉପରେ ନିର୍ଭରଶୀଳ । କୁଠାରରେ କାଠ କାଟି ନିଆଁ ଜାଳି ସେମାନେ ଅନ୍ୟ ବଣ୍ୟଜନ୍ତୁଙ୍କ ଠାରୁ ନିଜକୁ ରକ୍ଷା କରିଥାନ୍ତି। ଏବଂ ଏହି କୁଠାର ଦ୍ୱାରା ପଶୁଶିକାର କରି ନିଜର ଖାଦ୍ୟ ଆବଶ୍ୟକତାକୁ ପୂରଣ କରିଥାନ୍ତି। ମଣିଷ ସଭ୍ୟତାର ପ୍ରାରମ୍ଭିକ ଏଇ ଯୁଗକୁ ଐତିହାସିକ ମାନେ " କୁଠାର ଯୁଗ " ଆକ୍ସ ଏଜ୍" ବୋଲି କହିଥାନ୍ତି । ସଭ୍ୟତାର ଏଇ ପ୍ରାରମ୍ଭିକ ଯୁଗ ପରେ ମଣିଷ ତାହାର ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ରରେ ବାରଂବାର ପରୀକ୍ଷାନୀରିକ୍ଷା ପରେ ଅନେକ ଉନ୍ନତି ଆଣିପାରିବାକୁ ସକ୍ଷମ ହୋଇଥିଲା । ମଣିଷ ସଭ୍ୟତାର ଏହି "ଖାଦ୍ୟସଂଗ୍ରାହକ ଯୁଗ " ଅର୍ଥାତ୍ "ଫୁଡ-କଲେକ୍ଟର ଏଜ୍" ରେ ମଣିଷ ଧନୁ ଆଉ ଶର ର ବ୍ୟବହାର କରି ଲକ୍ଷ୍ୟକୁ ଭେଦ କରିବାରେ ଯଥେଷ୍ଟ ସଫଳ ହୋଇଥିଲା। ଶ୍ରୀରାମଚନ୍ଦ୍ର ସେହି ସମୟର ଉପଜ ,ସେ ତେଣୁ ଧନୁର୍ଦ୍ଧାରୀ । ଏଥିରୁ ଯେଉଁ ଇଙ୍ଗିତଟି ଆମକୁ ମିଳେ ତାହା ହେଉଛି ଯେ,ଏହି ସମୟରେ ଗୋଟିଏ ମଣିଷ ଗୋଷ୍ଠୀ କାଠ,ପଥର ତୁଳନାରେ ଧନୁଶରକୁ ଅଧିକ ପ୍ରଭାବୀ ଅସ୍ତ୍ର ବୋଲି ବିବେଚନା କରୁଥିଲେ ଆଉ ଏହାର ବ୍ୟବହାର ଜାଢିଥିବା କାରଣରୁ ସମକାଳର ସମାଜରେ ସେମାନଙ୍କର ଆଧିପତ୍ୟ ପ୍ରତିଷ୍ଠିତ ହୋଇଥିଲା । ଯଦିଓ ଶ୍ରୀରାମଚନ୍ଦ୍ର ଧନୁଶର ର ବ୍ୟବହାର କରୁଥିଲେ ତଥାପି ସେହି ସମୟରେ କାଠ ,ପଥରକୁ ଅସ୍ତ୍ରରୂପରେ ବ୍ୟବହାର କରିବା ସେମିତି ଲୁପ୍ତ ହୋଇଯାଇନଥିଲା । ତେଣୁ ରାମକାହାଣୀରେ ହନୁମାନ ସୁଗ୍ରୀବ ଆଦି ନିଜର କାଠ ପଥର ସହାୟତାରେ ରାବଣ ବଧ କୁ ସୁନିଶ୍ଚିତ କରିଛନ୍ତି । ରାବଣର ବଧ ପରେ କହିବାକୁ ଗଲେ ଧନୁଶର ଯୁଗର ଶୀର୍ଷଟି ପ୍ରତିଷ୍ଠିତ ହୋଇଛି ଆଉ ମଣିଷର ପ୍ରାଚୀନପ୍ରସ୍ତରଯୁଗର ଏକପ୍ରକାର ସମାପ୍ତି ଘଟିଅଛି ।
ପ୍ରଭୂ ରାମଚନ୍ଦ୍ର ଧନୁଶର ପ୍ରବୀଣ ଏବଂ ମୃଗୟା ବିଶାରଦ ଥିଲେ ହେଁ ତାଙ୍କ ସହିତ ଆରମ୍ଭ ହୋଇଛି ମଣିଷ ସଭ୍ୟତାର ପ୍ରାଥମିକ କୃଷିକାର୍ଯ୍ୟ। ଶ୍ରୀରାମଚନ୍ଦ୍ରଙ୍କ ସହିତ ସୀତା ମାଆଙ୍କ ସଂଯୋଜନ/ବିବାହ ସେହି ଇତିହାସ କାହାଣୀର ଇଙ୍ଗିତକୁ କହିଥାଏ । ସୀତା ମାତା ଧରିତ୍ରୀର କନ୍ୟା। ଲଙ୍ଗଳମୁନରୁ ଧରଣୀ ଗର୍ଭରୁ ଯାହାର ସଂଜାତ, ସେଯେ ଏମିତିରେ ଗୋଟିଏ କୃଷିଜାତ ପଦାର୍ଥ ବିଶେଷ ଏକଥା ଆମକୁ ସବୁବେଳେ ସ୍ମରଣ ରଖିବାକୁ ହେବ। ଏହି ଭଳି ନିଜର ଏକ ପ୍ରିୟତମ କୃଷିଜାତ ପଦାର୍ଥକୁ ରାଜା ( ଯିଏ ଜଣେ କୃଷକ) ଜନକ ନିଶ୍ଚିତ ଭାବରେ ଏମିତି ଜଣକ ହାତରେ ସମର୍ପଣ କରିବେ ଯିଏ ଶିବଭକ୍ତ ଅନାର୍ଯ୍ୟ ହାତରୁ ସମାଜକୁ ରକ୍ଷା କରିବାପାଇଁ ସମର୍ଥ ହୋଇଥିବ ଏବଂ କୃଷି କାର୍ଯ୍ୟରେ ତାହାର ମତି ଥିବ । ସୀତାବିବାହ ପୂର୍ବରୁ ରାମ କାହାଣୀ ସହ ଜଡିତ ଆଉ ଗୋଟିଏ ପ୍ରସଂଗ ଏଇଠି ଉଲ୍ଲେଖଯୋଗ୍ୟ। ଅହଲ୍ୟା । ଅହଲ୍ୟାର ଆକ୍ଷରିକ ଅର୍ଥ ହେଉଛି ଯେଉଁଠି ହଳ କରାଯାଇପାରିବ ନାହିଁ ,ଅର୍ଥାତ୍ ଏକ ପଥୁରିଆ ଜାଗା। ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କର ଅହଲ୍ୟାକୁ ପାଷାଣୀରୁ ମୁକ୍ତ କରିବା ଭଳି କାହାଣୀର ଆଢୁଆଳରେ ଯେଉଁ ଇଂଗିତଟି ରହିଛି ତାହା ହେଉଛି ଯେ,ସେ ଏକ ପଥୁରିଆ ତଥା କୃଷିକର୍ମ ନିମନ୍ତେ ଅନୁପଯୁକ୍ତ ଅଂଚଳକୁ କୃଷିଯୋଗ୍ୟ କରିବାପାଇଁ ସମର୍ଥ ହୋଇଛନ୍ତି ।ତେଣୁ ଧନୁର୍ଦ୍ଧାରୀ ଶ୍ରୀରାମ ଏକ ଚରିତ୍ର ହିସାବରେ ମାନବସଭ୍ୟତାର ସେଇ କୃଷିଭିତ୍ତିକ ସମାଜର ଆଦ୍ୟଅନୁଷ୍ଠାନକୁ ପ୍ରତିସ୍ଥାପନ କରିଛନ୍ତି। ତାହାର ପରେ ମହାଭାରତ ଯୁଗ ଅର୍ଥାତ୍ ଦ୍ୱାପରରେ ବଳରାମ (ପୁରାଣର ଶେଷ ରାମ)ହଳଧାରୀ ହୋଇଛନ୍ତି ଏବଂ ତାହା ସହିତ କୃଷିଭିତ୍ତିକ ସଭ୍ୟତା ବିକାଶଲାଭ କରିଅଛି ।
ଉପସଂହାରକୁ ଯିବା ପୂର୍ବରୁ ଆଉ ଗୋଟିଏ ପ୍ରସଂଗ କୁ ଏଇଠି ସଂକ୍ଷିପ୍ତ ଭାବରେ ଉଲ୍ଲେଖ କରିବା ଉଚିତ। ତାହା ହେଉଛି ଶିବ ଙ୍କର ରାମକାହାଣୀରେ ତାତ୍ପର୍ଯ୍ୟମୂଳକ ଉପସ୍ଥିତି । ଇତିହାସ ଦୃଷ୍ଟିରୁ ଦେଖିଲେ ଶିବ ହେଉଛନ୍ତି ମୂଳତଃ ଅନାର୍ଯ୍ୟମାନଙ୍କ ଦେବତା ଏବଂ ପରେ ଆର୍ଯ୍ୟଯୁଗରେ ଉଭୟ ଆର୍ଯ୍ୟ ଆଉ ଅନାର୍ଯ୍ୟ ର ସାଂସ୍କୃତିକ ସଂଶ୍ଳେଷଣ ଘଟିବା ପରେ ଶିବ ଆର୍ଯ୍ୟଦେବତା ହିସାବରେ ଗ୍ରାହ୍ୟତା ଅର୍ଜନ କରିଛନ୍ତି । ତେଣୁ ରାମକାହାଣୀ ସାରା ଅନାର୍ଯ୍ୟର ପ୍ରତୀକ ହିସାବରେ ଶିବଙ୍କର ଉପସ୍ଥିତିକୁ ସଂଘର୍ଷମୂଳକ ଭାବରେ ପ୍ରତିହତ କରିବା ପାଇଁ ଚେଷ୍ଟା କରାଯାଇଛି । ସୀତା ସ୍ୱୟଂବରରେ ଶିବଧନୁକୁ ଭାଙ୍ଗିବା ଅଥବା ଶିବଙ୍କର ଏକନିଷ୍ଠ ଭକ୍ତ ରାବଣକୁ ସାମାଜିକ ପ୍ରେକ୍ଷାପଟରୁ ଅପସରଣ କରିନେବା ଭଳି କାହାଣୀର ପ୍ରତୀକାତ୍ମକତା ଆମକୁ ଏହି ଆର୍ଯ୍ୟ-ଅନାର୍ଯ୍ୟ ସଂଶ୍ଳେଷଣର ସଂଘର୍ଷ ଏବଂ ସଂଘର୍ଷ ପରର ସହାବସ୍ଥାନ କଥାକୁ ବୁଝାଇଥାଏ।
ଅନ୍ୟଭାବରେ କହିଲେ ,ସବୁବେଳେ ଏହି ଆର୍ଯ୍ୟଦେବର ପ୍ରସିଦ୍ଧ ଓ ସଫଳ ଅସ୍ତ୍ର ଟି ହେଉଛି ତେଣୁ ଆଦିମ ଆଉ ସରଳ ,ଧନୁଶର।ଧନୁଶର ବ୍ୟତିରେକେ ଏଇ ଦେବତାକୁ ଚିହ୍ନିତ କରିବା ପ୍ରାୟ ଅସମ୍ଭବ ଆମର ତେତ୍ରିଶକୋଟି ଦେବତା ଙ୍କ ପୌରାଣିକ ବିଶ୍ୱାସର କୁମ୍ଭମେଳାରୁ।କାନ୍ଧରେ ଧନୁଶର ବହନ କରି ସମତଳ ଅଂଚଳର ଏହି ଆର୍ଯ୍ୟଦେବଟି ଚିରକାଳ ସଶକ୍ତ ଆଦିମତାର ସଫଳ ପ୍ରତିକୀକରଣ ହୋଇ ରହିଆସିଛି ଆମର ବିଶ୍ୱାସର ଚିରହରିତ ବନାନୀରେ ।
କହିବାକୁ ଗଲେ ସମତଳ ଅଂଚଳ ଆଉ ଅରଣ୍ୟାନୀର ସମାନୁରୂପ ସଂଯୋଜନ,ନିଜ ଜୀବନକାହାଣୀରେ ପର୍ଯ୍ୟାବରଣକୁ ଶ୍ରେଷ୍ଠାଂଶ ଦେଇଥିବା ତଥା ଆଦିମତା ଏବଂ ଆଧୁନିକତାର ସମନ୍ୱୟର ରୂପକାର ହେଉଛି ଏହି ଦେବତା।
ଏହି ଦେବତା ସମୁଦ୍ରବିଜୟୀ।
ପିତୃ-ଆରାଧନା ତଥା ପାରିବାରିକ ସଂହତିର ଉଜ୍ଜଳ ପ୍ରଦୀପ ଏହି ଦେବତା।ଆଜିବି ଆମେ ଶ୍ରୀରାମଚଂଦ୍ର ଭଳି ସନ୍ତାନ କାମନା କରୁ।
ଉତ୍ତମ ପ୍ରଶାସକ ଏହି ଦେବତା।ଆଜି ବି ଆମପାଇଁ ରାମରାଜ୍ୟ ହେଉଛି ଆମର ସ୍ୱପ୍ନର ସବୁଠୁ ଶ୍ରେଷ୍ଠ ଶାସନ ବ୍ୟବସ୍ଥା ।
ଦେବତା ମାନଙ୍କର ଯାହାଯାହା ଦୈବଗୁଣ ପୁରାଣସମ୍ମତ ସେମିତି ସବୁର ମର୍ଯ୍ୟଦାବନ୍ତ ଗୁଣର ଅଧିକାରୀ ଏହି ଦେବତା।
ପରଦାରାସକ୍ତ ଅବିଗୁଣରୁ ସଂପୂର୍ଣ୍ଣ ମୁକ୍ତ ଏହି ଦେବତା।
ଏହି ଦେବତାର ଜୀବନକାଳରେ ଜଣେ ସ୍ୱାମୀ ହିସାବରେ ଯେତିକି ତ୍ରୁଟି ରହିଅଛି ତାହା ବେଶ୍ ଅଧିକ ଦେଖାଯାଏ ଗୋଟିଏ ଧଳାର ପୃଷ୍ଟଭୂମୀରେ ବିନ୍ଦୁଏ କଳା ର ଆଧିପତ୍ୟ ଭଳି।
ସବୁ ପୌରାଣିକ ଦେବ-ଚରିତ୍ରଙ୍କୁ ସେମାନଙ୍କର ଯେତେକ କଳା ଆଉ ଧଳା ସହିତ ଆମେ ଆମର ବିଶ୍ୱାସ ଆଉ ଶ୍ରଦ୍ଧାରେ ଆରାଧନା କରି ଆସିଛୁ।
ଆଜି ଏହି ଦେବତାର ଶୁଭ ଜନ୍ମଦିନ।
ଆଜି ଏହି ଦେବତାକୁ ଶୁଭ ଜନ୍ମଦିନ ଜଣାଇବା ସହିତ ଏଇମିତି ଏକ ପୌରାଣିକ ପର୍ଯ୍ୟାବରଣର ସ୍ମୃତିକୁ ଆପଣମାନଙ୍କ ସହ ଇତିହାସରେ ଆବାହନ କରୁଛି ।