ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"- ୩

ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"- ୩

ଭାଗ-୩

ବିଅର ପାର୍ଲରରେ ଆଜି ଲୋକବାକ କମ‌୍‍। ଗୋଟିଏ କୋଣକୁ ବସିଛନ୍ତି ଦୁଇ ଯୁବକ। ଦୁଇବନ୍ଧୁ ହେବେ ବୋଧେ। ନୂଆ ନୂଆ ଆଇ.ଟି. କମ୍ପାନୀର ଚାକିରିଆ ହୋଇଥାଇ ପାରନ୍ତି। ରୂପଭେକରୁ ସେମିତି ଲାଗୁଛନ୍ତି। ଅଫିସ ଫେରନ୍ତା। ଏବେବି ବେକରେ ଏକ‌୍‍ଜିକ୍ୟୁଟିଭ ଟାଏ ଓହଳିଛି। ଟାଏକୁ କେବଳ ଟିଏକ ଲେଖାଁ କୋହଳ କରିଦେଇଛନ୍ତି ଯାହା। ବିଅର ଅର୍ଡର ଆସିବା ପୂର୍ବରୁ ସିଗାରେଟ‌୍‍ ଟାଣି ପୁଳା ପୁଳା  ଧୂଆଁ ଛାଡୁଛନ୍ତି ଦୁଇବନ୍ଧୁ। ହିନ୍ଦି ମିଶା ଇଂରାଜୀରେ ଆଳାପ।

ପାର୍ଲର ଭିତରେ ଅଳ୍ପ ଅଳ୍ପ ଆଲୁଅ। ବେଶୀ ସମ୍ଭ୍ରାନ୍ତ ନହେଲେ ବି ଏତେ ଖରାପ ନୁହେଁ ଏଇ ବିଅର ପାର୍ଲରଟି। ବରେଣ୍ୟକୁ ଏଠି ଅଧିକାଂଶ ଚିହ୍ନନ୍ତି। କାରଣ ସେ ଏଠିକୁ ଅଧିକାଂଶ ସମୟରେ ଆସେ। ତା ପରେ ବେଳେବେଳେ ଟିଭିରେ ବାହାରେ, ତେଣୁ ସମସ୍ତେ ଚିହ୍ନନ୍ତି। ପାର୍ଲର ପିଲାଟି ଟେନ‌୍‍ ଥାଉଜାଣ୍ଡ ବିୟର ଗୋଟେ ଆଣି ବରେଣ୍ୟ ଆଗରେ ଥୋଇଦେଇ ଗଲା। ଆଜିକାଲି ବରେଣ୍ୟ ଆଉ ହ୍ୱିସ୍କି ପିଉନାହିଁ। ସବୁବେଳେ ବିୟର ପିଉଛି। ଅଧିକ ହେଲେ ଭୋଦ‌୍‍କା। ବିଅରର ବାସ୍ନା ବରେଣ୍ୟକୁ ବାୟା କରିଦିଏ। କ୍ୟାମେରାମ୍ୟାନ ବସନ୍ତ କହେ, ତାକୁ ବିଅରଗୁଡ଼ା ହାଣ୍ଡିଆ ରସି ପରି ଲାଗେ। ତା ବାସ୍ନା ବି ସେମିତିକା।

କିଛି ମିକ୍ସଚର ଓ ବାଦାମ ପକୋଡ଼ା ପାଟିରେ ପକାଇଲା ବରେଣ୍ୟ। ତା ପରେ ସେ ଫେରି ଆସିଲା ପ୍ରୀତି ଡାର୍ଲିଂ ପାଖକୁ। ମନେମନେ ପ୍ରଶ୍ନଟିଏ ପଚାରିଲା ନିଜକୁ- ସେ କିଛି ଭୁଲ‌୍‍ କଲାକି ? ଉତ୍ତର ଫେରିଲା- ଭୁଲ‌୍‍ କରିନଥିଲେ ବି ଠିକ‌୍‍ ମଧ୍ୟ କିଛି କରିନାହିଁ ବୋଧେ। ଗତକାଲି ସଂଧ୍ୟାରେ କଫି ହାଉସ‌୍‍ରେ ପ୍ରୀତି ମହାନ୍ତିର ମୁହଁ ସେ ମନେ ପକେଇବାକୁ ଚେଷ୍ଟା କଲା। ସେତେବେଳେ ସେ ଲକ୍ଷ୍ୟ କରିଛି, ପ୍ରୀତି ମହାନ୍ତିର ମୁହଁ କେମିତି ଧୀରେ ଧୀରେ ବିଅର ପରି ଲାଲ ହୋଇ ଆସୁଥିଲା। ତାକୁ ମଜା ଲାଗୁଥିଲା। ଅନେକ ଫ୍ରେସ‌୍‍ ଝିଅଙ୍କୁ ସେ ପ୍ରେମ କରିଛି। ‘ଆଇ ଲଭ‌୍‍ ୟୁ’ କହିଛି। ଖୁବ‌୍‍ ଖରାପ କଥା କହି ସେମାନଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରିଛି। ସେମାନଙ୍କ ମୁହଁ କେମିତି ଧୀରେ ଧୀରେ ରଙ୍ଗ ପରିବର୍ତ୍ତନ କରେ ସେ କଥା ଆଖିରେ ଦେଖିଛି। କିନ୍ତୁ ପ୍ରୀତି ମହାନ୍ତି ପରି ଜଣେ ବିବାହିତା ମହିଳା କେମିତି ଲାଜରେ ଜଡ଼ସଡ଼ ହୋଇଗଲା, ତାକୁ ଦେଖି ସେ ବେଶ‌୍‍ ଆମୋଦିତ ହେଲା। ପ୍ରେମ ସବୁବେଳେ ପ୍ରେମ। ଏହା ପ୍ରୀତି ମହାନ୍ତି ପରି, ଗୋଟିଏ ପିଲାର ମାଆକୁ ବି ପ୍ଲସ‌୍‍-ଟୁ ଝିଅ କରିଦେଇ ପାରେ। ଆଉ ଅଷ୍ଟମ ଶ୍ରେଣୀର ଛାତ୍ରଟିଏକୁ ବି "କୁଛ‌୍‍କୁଛ‌୍‍ ହୋତା ହୈ' ଫିଲ୍ମର ଶାହରୁଖ ଖାଁ କରିଦେଇ ପାରେ। ବାଃ ପ୍ରେମ... ବାଃ... ଜିନ୍ଦାବାଦ।

ଟେନ‌୍‍ ଥାଉଜାଣ୍ଡ ବିଅର ଧୀରେ ଧୀରେ ବରେଣ୍ୟର ଅଙ୍ଗେ ଅଙ୍ଗେ ପ୍ରଭାବ ବିସ୍ତାର କରୁଥିଲା। କିଛିକ୍ଷଣ ପୂର୍ବରୁ ସେ ନିଜକୁ ପଚାରିଥିବା ପ୍ରଶ୍ନଟିର ଏ ପର୍ଯ୍ୟନ୍ତ ଉତ୍ତର ପାଇନାହିଁ। ସତରେ କ'ଣ ସେ ପ୍ରୀତି ମହାନ୍ତିକୁ ଭଲପାଏ? ସେ ଯେ ବିବାହିତା ! କିନ୍ତୁ ବରେଣ୍ୟ ଅନୁଭବରେ ପ୍ରୀତି ମହାନ୍ତି ଷୋଳ ବର୍ଷୀୟା ଝିଅଟିଏ। ହାଃ ହାଃ ! ପ୍ରୀତି ମହାନ୍ତି ଥରେ ଜିନ‌୍‍ ପିନ୍ଧି ଆସିଥିଲା ଅଫିସ‌୍‍। ତାକୁ ଦେଖି ଅନେକ ସମୟ ଧରି ଉତ୍ତେଜିତ ଲାଗିଲା ବରେଣ୍ୟକୁ। ସମ୍ଭାଳି ନପାରି ସେ ଧୀରେ କରି ତା କାନରେ କହିଦେଲା- ଆଇ ନିଡ‌୍‍ ୟୁ ଡାର୍ଲିଂ।

ପ୍ରୀତି ମହାନ୍ତି ଅପ୍ରସ୍ତୁତ ହୋଇଗଲା। ଆଉ ତରତର ହୋଇ କେବଳ ଏତିକି କହିଥିଲା- ବଟ‌୍‍ ଆଇ ଡୋଣ୍ଟ...

ନିଶା ଯେତେଯେତେ ଚଢୁଥିଲା, ବରେଣ୍ୟ ନିଜ ଭିତରେ ସେତେସେତେ ଖୋଜି ଚାଲିଥିଲା ଉତ୍ତର। ଜଣେ ବିବାହିତା ମହିଳା ସହ କ'ଣ ସେ ସଂସାର କରିବାକୁ ପ୍ରସ୍ତୁତ? କିନ୍ତୁ କାହିଁକି? ଘର ଲୋକେ ଏ କଥାରେ କ'ଣ ରାଜି ହେବେ? ଏପଟେ ସେ କ'ଣ କେବେ ପ୍ରୀତି ମହାନ୍ତି କଥା ବୁଝିଛି? ତା ଭିତରେ ଯେ ଜ୍ୱଳନ ନାହିଁ ତା ନୁହେଁ। କେଉଁଠି ନା କେଉଁଠି ତାହା ଗୁମୁରି ଗୁମୁରି ବୁଲୁଛି ପ୍ରୀତି ମହାନ୍ତିର ସାରା ଦେହରେ। ବେଳେବେଳେ ସେଇ ଜ୍ୱଳନକୁ ଖୋଜେ ବରେଣ୍ୟ। ସେମିତି ଅନେକ ମୁହୂର୍ତ୍ତ ସେ ପାଇଛି। କିନ୍ତୁ କେବେ ଫାଇଦା ଉଠାଇବାକୁ ଚେଷ୍ଟା କରିନି। କିନ୍ତୁ କାହିଁକି? ବରେଣ୍ୟ ଲମ୍ପଟ ନୁହେଁ । ସେ ରସିକ। ସେ ନାରୀକୁ ଆକର୍ଷିତ କରେ। ତା ସମ୍ମତିକୁ ଅପେକ୍ଷା କରେ। ତା’ ପରେ ଆଗାଏ।

କିନ୍ତୁ ପ୍ରୀତି ମହାନ୍ତି ପାଖରେ ବରେଣ୍ୟ ଯେମିତି ଅଟକି ଯାଇଛି। ପ୍ରୀତି ମହାନ୍ତିର ବ୍ୟବହୃତ ଯ୍ଭୋବନରେ ସେ ପାଗଳ ହୋଇଛି। ଉଚ୍ଛିଷ୍ଟ ଦେହକୁ ପାଇବାକୁ ବ୍ୟାକୁଳ ହୋଇଛି। ତେବେ ସେ ପଶୁ ପାଲଟି ଯାଇନି। ପ୍ରୀତି ମହାନ୍ତିର ସତ୍ତାକୁ ଜୟ କରିଛି। ଏବେ ଭାବୁଛି, ଯଦି ପ୍ରୀତି ମହାନ୍ତି ତା କଥାରେ ହଁ ଭରିଦିଏ ସେ କ'ଣ କରିବ ? ସତରେ କ'ଣ ସେ ତାକୁ ବାହାହୋଇ ପାରିବ? ଗତକାଲି ଲାଗୁଥିଲା, ପ୍ରୀତି ମହାନ୍ତି ବରେଣ୍ୟର କଥାକୁ ପରିହାସରେ ନେଇଛି। କିନ୍ତୁ ଭିତରେ ଭିତରେ ସେ ବୋଧେ ଚମକି ପଡିଥିବ। ସକ‌୍‍ ପାଇଥିବ।

ବେଳେବେଳେ ପ୍ରୀତି ମହାନ୍ତିର ବିଗତ ଜୀବନ ବରେଣ୍ୟକୁ ଖରାଦିନିଆ ଖରାବେଳ ପରି ବ୍ୟଥିତ କରିଛି। ଜଣେ ଝିଅ ଜୀବନରେ ଏପରି ଏକ ପଥର ଭର୍ତ୍ତି ବୋଝକୁ ଦେଖି ବରେଣ୍ୟ ଦୟାଳୁ ହୋଇଛି। ତାକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ତା'ର ମନେପଡେ ସେଇ ସମୟର କଥା, ଯେତେବେଳେ ପ୍ରୀତି ମହାନ୍ତି ନୂଆ ନୂଆ ଆସିଥିଲା ଚ୍ୟାନେଲକୁ। ଲାଗୁଥିଲା ଯେମିତି ବହୁଦିନ ଧରି ଟ୍ରଙ୍କରେ ଭର୍ତ୍ତି ହୋଇ ରହିଥିବା ଗୋଟେ ଗନ୍ଧକର୍ପୁର ଦିଆ ଶାଢି ପିନ୍ଧି ସହର ପଳେଇ ଆସିଛି ଗୋଟେ ଗାଉଁଲି ଝିଅ। କିଏ ଗୋଟେ କ୍ୟାମେରାମ୍ୟାନ ମୃଦୁ କମେଣ୍ଟଟିଏ ମାରିଥିଲା ସେତେବେଳେ- "ବିଦେଶୀ ଖୋଳରେ ଆଇଲାରେ ଦେଶୀ ମୁରୂଗା'। ବରେଣ୍ୟକୁ ଜୋରରେ ହସ ମାଡିଥିଲା। କିନ୍ତୁ ଏ ସବୁ ପ୍ରୀତି ମହାନ୍ତି ବୁଝିପାରି ନଥିଲା। ବୁଝିପାରୁ ନଥିଲା ନୁହେଁ, ପ୍ରକୃତରେ ସେତେବେଳେ ଏମିତି ହ୍ୟୁମର ସେ ବୁଝିବା ଅବସ୍ଥାରେ ନଥିଲା। ଗୋଟେ ସମ୍ୱଲପୁରୀ ଶାଢି ପିନ୍ଧି ସେ ଆସି ଏକୁଟିଆ ବସେ ଡେସ୍କରେ। କେମିତି କାମ ହେଉଛି ଦେଖେ। କିଏ କେମିତି ଡାକିଲେ କେବଳ ଚା’ ପିଇବାକୁ ବାହାରକୁ ଯାଏ।

ସତରେ ଏମିତି ଦେଖିଲେ ପ୍ରୀତି ମହାନ୍ତି ଥିଲା ନିପଟ ମଫସଲି। ବେଳେବେଳେ ବରେଣ୍ୟକୁ ଲାଗେ, ମୁମ୍ୱାଇ ପରି ସହରରେ କିଛିଦିନ ରହିଥିବା ପ୍ରୀତି ମହାନ୍ତି ଏତେ ପୁରୁଣା ପୁରୁଣା ଲାଗେ କେମିତି? ସେତେବେଳେ ସେ ଆଦୌ ଅପ‌୍‍ଡେଟ‌୍‍ ଲାଗୁନଥିଲା। ଏମିତି ବି ହୋଇପାରେ, ଏଥିପାଇଁ ଦାୟୀ ଥିଲା ପ୍ରୀତି ମହାନ୍ତିର ବିଗତ ବିଷାଦ। ଏତେବଡ ଦୁର୍ଘଟଣା ସହିଥିବା ନାରୀଟିଏ ହୁଏତ ନିଜକୁ ସଜାଡି ରଖିବାକୁ ଭୁଲି ଯାଇଥିବ। ଏ ସବୁକୁ ନେଇ ବରେଣ୍ୟର ତା ପ୍ରତି ଭିତରେ ଭିତରେ ଗୋଟେ ଦରଦ ଭାବ ଜାଗ୍ରତ ହୋଇସାରିଥିଲା। ଭିତରେ ଭିତରେ ବରେଣ୍ୟ ଯେମିତି ତରଳି ଚାଲିଥିଲା। ଆଉ ତା’ ପରି ଜଣେ ସିନିୟର ରିପୋର୍ଟର ଧୀରେ ଧୀରେ ଢଳି ଚାଲିଥିଲା ପ୍ରୀତି ମହାନ୍ତି ଆଡକୁ। ଆଉ ଏଇ ଦୁର୍ବଳତାର ସୁଯୋଗ ନେଇଥିଲା ପ୍ରୀତି ମହାନ୍ତି।

ପ୍ରୀତି ମହାନ୍ତି ନୂଆ ନୂଆ ବରେଣ୍ୟ ସାଙ୍ଗରେ ହିଁ ଯାଉଥିଲା ରିପୋର୍ଟିଂ ପାଇଁ। ପ୍ରକୃତରେ ବରେଣ୍ୟ ମଧ୍ୟ ସେଇ ସୁଯୋଗରେ ଥାଏ । ସେ ପ୍ରୀତି ମହାନ୍ତି ପାଇଁ ସୁଯୋଗ ତିଆରି କରେ। ଏମିତି ତ ଡେସ୍କକୁ ଅନେକ ପିଲା ଇଣ୍ଟର୍ଣ୍ଣସିପ‌୍‍ ପାଇଁ ଆସନ୍ତି, କିନ୍ତୁ ତା ଭିତରେ ବରେଣ୍ୟ ପାଇଁ ପ୍ରୀତି ମହାନ୍ତି ଥିଲା ସ୍ୱତନ୍ତ୍ର। ଆଉ ଏ ଚ୍ୟାନେଲର ଗୋଟେ ଦୁଗୁର୍ଣ ହେଲା, ଯିଏ ଆସିଲା, ତା ନାଁରେ ଲଗେଇ ଯୁଟେଇ ବକିବା। ପ୍ରୀତି ମହାନ୍ତି ବି ଏଥିରୁ ବାଦ‌୍‍ ପଡିନଥିଲା। ବରେଣ୍ୟ କିନ୍ତୁ ଏହା ହିଁ ଚାହୁଁଥିଲା। ପ୍ରୀତି ମହାନ୍ତି ସହିତ ତା ନାଁ ଯୋଡି ଗସିପ‌୍‍ କଲେ ସେ ତା'ର ମଜା ନିଏ।

ତା'ର ସ୍ପଷ୍ଟ ମନେଅଛି ସେ ଦିନଟି, ଯେଉଁଦିନ ସେମାନେ ଦୁହେଁ ଯାଇଥିଲେ ଗୋଟେ ପଲିଟିକାଲ ରିପୋର୍ଟିଂରେ। ଗାଡିରେ ତାକୁ ଲାଗିକରି ବସିଥିଲା ପ୍ରୀତି ମହାନ୍ତି। ସେତେବେଳକୁ ପ୍ରୀତି ଧୀରେ ଧୀରେ ମୁଁହ ଖୋଲିଲାଣି। ଧୀରେ ଧୀରେ ସେ ତା'ର ବିଷାଦ ଯୋଗ ଭିତରୁ ବାହାରି ବାହାର ଦୁନିଆ ସହ ସଂପର୍କ ଯୋଡିଲାଣି। ସେଦିନ ପ୍ରୀତି ମହାନ୍ତି ପିନ୍ଧିଥାଏ ଏକ ସଫା ଧଳା କଟନ ଚୁଡିଦାର ଓ ପଞ୍ଜାବି। ତା ପୂର୍ବରୁ ବରେଣ୍ୟ ଅନେକଥର ପ୍ରସ୍ତାବ ଦେଇଛି, ମିଡିଆରେ କାମ କରି ଏମିତି କଞ୍ଜରଭେଟିଭ‌୍‍ ହେଲେ ଚଳିବନି ପ୍ରୀତି। ଅପ‌୍‍ଡେଟ‌୍‍ ହୋଇ ଆସ। ଆଉ ତା ପରଦିନ ପ୍ରଥମ କରି ଶାଢି ଛାଡି ଡ୍ରେସ ପିନ୍ଧି ଆସିଥିଲା ପ୍ରୀତି ମହାନ୍ତି। ଆଉ ସେ ଯେମିତି ସୁଯୋଗ ଖୋଜୁଥିଲା ବରେଣ୍ୟ ପାଖରେ ଘଡିଏ ବସନ୍ତା, ଆଉ ବରେଣ୍ୟ ତା ଡ୍ରେସ ଉପରେ କିଛି ଟିପ୍ପଣୀ ଦିଅନ୍ତା। ବରେଣ୍ୟ ବେଶ‌୍‍ ବୁଝି ପାରିଥିଲା ପ୍ରୀତି ମହାନ୍ତିର ଏ ଭାବ। ଗାଡିରେ ବସୁ ବସୁ ସେ କହିଥିଲା- "କ'ଣ ଆଜି ଭାରି ଜଳୁଛ !' ବରେଣ୍ୟର କଥାରେ ଗାଡିରେ ଥିବା କ୍ୟାମେରା ମ୍ୟାନ‌୍‍, ଲାଇଟ‌୍‍ ମ୍ୟାନ‌୍‍ ଓ ଡ୍ରାଇଭର ସମସ୍ତେ ଏକାବେଳେ ହସି ପକାଇଥିଲେ। ପ୍ରୀତି ମହାନ୍ତି ଏକବାରେ ଲାଜେଇ ଗଲା। ବରେଣ୍ୟ ନିଜ କଥାଟାକୁ ହାଲୁକା କରିବାକୁ, କିଛି ସମୟ ପରେ ବାଧ୍ୟ ହୋଇ ପ୍ରୀତି ମହାନ୍ତିର ଭୁରି ଭୁରି ପ୍ରଶଂସା କରିଥିଲା। ଖାଲି ସେତିକି ନୁହେଁ, ରିପୋର୍ଟିଂରୁ ଫେରିଲା ପରେ ବରେଣ୍ୟ ପ୍ରୀତିକୁ ନେଇଯାଇଥିଲା ଗୋଟେ ଫାଷ୍ଟଫୁଡ‌୍‍ ଦୋକାନକୁ। ଆଉ ସେଠି ମନଭରି ଗପିଥିଲା ପ୍ରୀତି ମହାନ୍ତି ସହିତ।

ତା ପରେ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଘନିଷ୍ଠତା। ଆଉ ବରେଣ୍ୟ ତା'ର ସବୁ ବୃତ୍ତିଗତ ପାଠ ଦେଇ ଚାଲିଥିଲା ପ୍ରୀତି ମହାନ୍ତିକୁ। ପ୍ରୀତି କହେ, ତାକୁ ପଲିଟିକାଲ ଓ କ୍ରାଇମ‌୍‍ ରିପୋର୍ଟିଂ ଭଲ ଲାଗେନାହିଁ। ଫିଚର ଲ୍ପୋରି କରିବାରେ ତା'ର ଭାରି ଆଗ୍ରହ। ବରେଣ୍ୟ କିନ୍ତୁ ପୂରା ଓଲଟା। ସେ ସାହିତ୍ୟ ସଂସ୍କୃତିର ଧାର‌୍‍ ଧାରେନାହିଁ। ରାଜନୀତି ଭଲ ତ ସେ ଭଲ। ତଥାପି ସେ ପ୍ରୀତି ମହାନ୍ତି ପାଇଁ ସବୁ କରିବାକୁ ପଛଉ ନଥିଲା। ଧୀରେ ଧୀରେ ସେ ହିଁ ପ୍ରୀତି ମହାନ୍ତିକୁ ପ୍ରସ୍ତାବ ଦେଇଥିଲା ନ୍ୟୁଜ‌୍‍ ଆଙ୍କର ହେବାକୁ। ତା ମତରେ ଆଙ୍କରିଂରେ ବେଶ‌୍‍ ମଜା। ବୁଲେଟିନ‌୍‍ ପ୍ରଡ୍ୟୁସର ସବୁ ନ୍ୟୁଜ‌୍‍ ସଜାଡି ଦେବା ପରେ ତାକୁ ଖାଲି କନ‌୍‍ଫିଡେଣ୍ଟଲି ପଢିବା କଥା। ଲୋକମାନେ ଟିଭିରେ ମୁହଁ ଦେଖିଲେ, ଏପଟେ ସୁବିଧା ସୁବିଧାରେ ଦରମା ଗଣ୍ଡାକ ହାତେଇ ନେବା କଥା। ସେଲିବ୍ରିଟି ମାନ୍ୟତା ପାଇଲ, ଆଉ ଆରାମରେ ରହିଲ। କିନ୍ତୁ ପ୍ରୀତି ମହାନ୍ତି ଯୋଉ ଅବସ୍ଥାରେ ଥିଲା, ସେ ଯେ ଆଙ୍କରିଂ କରି ପାରିବ, ସେ ବିଶ୍ୱାସ ବରେଣ୍ୟର ନ ଥିଲା। ସେ କେବଳ ପ୍ରୀତି ମହାନ୍ତିର ଅଧିକ ଅନ୍ତରଙ୍ଗ ହେବାକୁ ପ୍ରେମରେ ଉଛୁଳି ପଡି ଏମିତି ଗୋଟେ ପ୍ରସ୍ତାବ ଦେଇ ଦେଇଥିଲା। କିନ୍ତୁ କଥାଟା ପ୍ରୀତି ମହାନ୍ତି ମନକୁ ପାଇଗଲା। ତା ପରେ ସେ ଲାଗିଗଲା ତା ବାଟରେ। ସେତେବେଳେ ଚ୍ୟାନେଲରେ ବି ଆଙ୍କରଙ୍କ ଆବଶ୍ୟକତା ଥିଲା। ଆଉ ଏଇ ମୌକାରେ ପ୍ରୀତି ମହାନ୍ତି ଚାନ୍ସ ମାରିନେଇ ପାରିଛି। ତେବେ ଏ କଥା ବି ସ୍ୱୀକାର କରିବାକୁ ପଡିବ ଯେ, ପ୍ରୀତି ମହାନ୍ତି ନିଜକୁ ବେଶ‌୍‍ ଡେଭଲପ‌୍‍ କରିପାରିଛି। ଅନେକ ଚେଷ୍ଟା କରିଛି। ଅନେକ ଶିଖିଛି। ଏ ଲାଇନ‌୍‍ରେ ଏଇଟା ହିଁ ଠିକ‌୍‍ ଉପାୟ। ନିଜକୁ ଅଧିକ ଜାଣିଥିବା ମଣିଷଟିଏ ବୋଲି କହିଲେ କଥା ସରିଲା। ତେବେ ସବୁବେଳେ ମୁର୍ଖ ପରି ବ୍ୟବହାର କଲେ ମଧ୍ୟ ଅଡୁଆ। ପ୍ରୀତି ମହାନ୍ତି କିନ୍ତୁ ମ୍ୟାନେଜ‌୍‍ମେଣ୍ଟରେ ଖାପ ଖୁଆଇ ପାରିଛି। ତାକୁ ଅଫିସ୍‌ର ଅନ୍ୟ ଝିଅ କର୍ମଚାରୀମାନେ ଈର୍ଷା କରନ୍ତି। ସେ ବେଶୀ କିଛି ତେଲାତେଲି କରେନାହିଁ। କିନ୍ତୁ ତା କାମ ଦେଖି ମ୍ୟାନେଜ‌୍‍ମେଣ୍ଟ ତାକୁ ବେଶ‌୍‍ ଗୁରୁତ୍ୱ ଦିଏ। ଆଉ ତାଆରି ଭିତରେ ପ୍ରୀତି ମହାନ୍ତି ପାଲଟି ଯାଇ ପାରିଛି ଏଇ ଚ୍ୟାନେଲର ଜଣେ ଆଗଧାଡିର ପରିପକ୍ୱ ନ୍ୟୁଜ‌୍‍ ଆଙ୍କର।

ୟା ଭିତରେ ବରେଣ୍ୟ ଦୁଇଟା ଟେନ‌୍‍ ଥାଉଜାଣ୍ଡ ପିଇ ସାରିଲାଣି। ଥରେ ନିଶା ଖସି ପୁଣି ନିଶା ଚଢିଲାଣି। ତା ପରେ ଆଉଗୋଟେ ବିଅର ମଗେଇଲା ସେ। ଯାଉ... ଯେତେ ରାତି ହେଉଛି ହେଉ, ଆସନ୍ତାକାଲି ତା'ର ୱିକ‌୍‍ଲି ଅଫ‌୍‍। କିନ୍ତୁ ଏତେ ପରେ ବି ସେ ସେଇ ପ୍ରୀତି ମହାନ୍ତି ପାଖରେ ଅଟକି ଯାଇଛି। ସେ କ'ଣ କରିବ ତା'ର ଉତ୍ତର ଖୋଜୁଛି। ଉତ୍ତର ନପାଇ ହତାସ ହେଉଛି, ଆଉ ପୁଣିଥରେ ନିଜକୁ ପ୍ରଶ୍ନ ପଚାରୁଛି। ଶେଷକୁ ଚିଡିଯାଇ କହିଲା, ପ୍ରୀତି ମହାନ୍ତିକୁ ସେମିତି ଛାଡି ଦିଆଯାଉ। ତା' ସୀମିତ ପରିଧି ଭିତରେ ତାକୁ ଉଡିବାକୁ ଦିଆଯାଉ। ଆଜି ଟେନ‌୍‍ ଥାଉଜାଣ୍ଡ ବିଅରର ଏ ସଂଧ୍ୟାଟା ସେଇ ପ୍ରୀତି ମହାନ୍ତି ନାଁରେ ଲେଖି ଦିଆଗଲା... ହାଃ ହାଃ...   

(କ୍ରମଶଃ)

(୪ର୍ଥ ଅଧ୍ୟାୟର ଆକର୍ଷଣ: କେବଳ ପଲ୍ଲବିନୀ କାହିଁକି, ରିପୋର୍ଟର ଆଦିତି ମଧ୍ୟ ସେମିତି । ପ୍ରୀତି ମହାନ୍ତିକୁ ଲାଗେ, ଆଦିତି ରିପୋର୍ଟର କମ‌୍‍, ମଡେଲ ବେଶୀ। ଡେଙ୍ଗା ହେଇକି ଝିଅଟା... ବଡ଼ ବଡ଼ ଆଖି, ବେଶ‌୍‍ ଉଚ୍ଚା ଉଚ୍ଚା ବ୍ରେଷ୍ଟ, କିନ୍ତୁ ତନୁ ପାତେଳି... ସବୁବେଳେ ଜିନ‌୍‍ ପ୍ୟାଣ୍ଟ ପିନ୍ଧିଥିବ... ଏଇଥିରେ ତ ଅଫିସ ସାରା ତା ପଛରେ ବାଇଆ...)

ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"- ୧

ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"- ୨