ମୁକ୍ତିର ଭ୍ରମରେ ବିହଙ୍ଗ
କେତେ ଦଶନ୍ଧି, ବର୍ଷ, ମାସ, ଦିନ ହେଲା ଭାବୁଛି
ଏଇ ଥର ନିଶ୍ଚେ ଶେଷଥର, ଆଉ ଥରେ ପାଇଁ ନୁହଁ କିଛି
ଅପେକ୍ଷI କରିବାର ମାନେ ... ଏମିତି ଦିଗହୀନ ନାବିକ ପରି
ଜୀବନର ସାଗରରେ ବୋଇତ ଧରି ଯିବାରେ, ଝଡର ସାମ୍ନା
କରି କରି ଅବିଶ୍ରାନ୍ତ ଭାବରେ, ଜୀବନର ମାନେ ଖାଲି ଏତିକି ନୁହଁ...
ତେଲ, ଲୁଣ, ଜଂଜାଳ, ଅଭାବ ବୋଧ ଆଉ ଅପବାଦରେ
ଘାଣ୍ଟି ହେଉଥିବ ମନ, ପ୍ରାଣ, ଅସ୍ତିତ୍ବ ...ବିଦ୍ରୋହ କରୁଥିବ ଆତ୍ମା
ଏଥର କିନ୍ତୁ ଆଉ ନାହିଁ, ଏକମୁଁହା ଫକୀର ହୋଇ ଲଂଘି ଯିବ
ପୋଖରୀପୁଟରୁ ସେମିତି ସିଧା ରାସ୍ତାରେ ପାଇବାକୁ ନିର୍ବାଣ II
ରାସ୍ତାରେ ରାସ୍ତାରେ ଚାଲି ଚାଲି ଯିବ ସେ ଅରାଗଡ଼ ପର୍ବତ
ଯେଉଁଠି ଦିନେ ବୁଦ୍ଧଙ୍କ ବାଣୀରେ ଉଦ୍ବୁଦ୍ଧ ସନ୍ୟାସୀ କେତେ
କରୁଥିଲେ ଚର୍ଚ୍ଚା, ମୋହ ଭଙ୍ଗର, ଜୀବନର ଯନ୍ତାରୁ ଶୀଘ୍ର
ମୁକୁଳିବାର, ରାସ୍ତା ଧରିବାର ବିଧି ନିର୍ଦ୍ଦିଷ୍ଟ କିଛି କରିବାର
ଚିରାଚରିତ ଜୀବନର ଜଞ୍ଜାଳରୁ ମୋହ ତୁଟାଇବା ଆଗରୁ
ବାଟ ଭାଙ୍ଗିବାର....ହେଲେ ବୁଢାବାପା, ବଢ଼ିଲା ଝିଅ ଆଉ
ଘରୁ ଆସିଲାବେଳେ କବାଟ ଦେଉ ଦେଉ ଶୀଘ୍ର ଆସିବାକୁ
କହୁଥିବା ପତ୍ନୀର କିମ୍ବା ଘରେ ଥିବା ପାଳିତ ଜୀବଟିର ଆତ୍ମା
ବାରମ୍ବାର ହାତଧରି ନେଉଥିବ ସେପାରି ଅଫେରା ରାଇଜକୁ
ଚେଷ୍ଟା କରି କରି ଯାଇ ପାରୁ ନଥିବା ଲଖମଣ ରେଖା ଡେଇଁ II
ଜୀବନରେ ଦୋଛକିରେ ବଂଚିବାରବି କିଛି ସାର୍ଥକତା ଅଛି କି ନାହିଁ
ଜାଣି ପାରୁନଥିବ ପ୍ରଦ୍ୟୁମ୍ନ .... କେତେଥର ଭାବୁଥିବ ଦିନେ ତା ହେଲେ
ଚେନ୍ନାଇ ଯାଉଥିବା ଟ୍ରେନରେ ବସି ପଣ୍ଡିଚେରୀ ପଳାଇବ, ସତରେ --
ହେଲେ ପୁଣି ପଛକୁ ଫେରି ଦେଖିଲା ବେଳକୁ ମୁହଁ ସବୁ ଆଖି ଆଗରେ
ସରଳ ରେଖାରେ ଥିବେ, ଲୁହ ଭରା ଆଖିରେ ସମସ୍ତେ ଅନେଇଥିବେ
ତାରି ଆସିବା ବାଟକୁ.... ଧଉଳି, ଖଣ୍ଡଗିରି କିମ୍ବା ମହିମା ଗାଦି ଆଡେବି
ଭାବୁଥିବ ଗୋଡ ବଢାଇବାକୁ, ହେଲେ ସେମିତି କିଛି ମହାକର୍ଷଣ ଯେମିତି
ଟାଣି ଧରିଥିବ ତାକୁ, ଗୋଡ କାଢ଼ିଲେ ବି ଚଳୁ ନଥିବ, ଅଟକି ଯାଉଥିବ
ପୃଥିବୀ, ଠପ ହୋଇ ଯାଉଥିବ ସବୁକିଛି... ଆଖି ତାର ବୁଜି ହୋଇ ଯାଉଥିବ
ସଂସାର ଚାପରେ ଭୁଲିଯିବ ପୁଣି ଆତ୍ମାର ଆହ୍ୱାନ, ଫେରିବ ଶୀଘ୍ର ଘରମୁହାଁ
ଏକାକୀ ଲଢ଼ିବାକୁ ଜୀବନ ସଂଗ୍ରାମ…ଭୁଲି ଯାଉଥିବ ତତ୍ଵଜ୍ଞାନ,ବିଦ୍ରୋହୀ ପ୍ରଦ୍ୟୁମ୍ନ II