କାପ୍ତାକାପ୍ତି

କାପ୍ତାକାପ୍ତି

କାପ୍ତା ପଚାରିଲା କାପ୍ତିକି

କୋଉ ବୁଦାରେ

ଲୁଚେଇଚୁ ତୋ' ସରାଗ ?

 

ବାହାର କରି ଆଣ୍,

ଏ କ୍ଷେତଟା ହରାଭରା ହେବ ଯେ !

 

ଦିନସାରା ସୂର୍ଯ୍ୟକିରଣ ପଡୁଛି,

ସଞ୍ଜବେଳେ ଝିରି ଝିରି ବର୍ଷା,

ହେଲା ଯେ, ଏବେ ତୋ' ହାତଟା ଦେ

ମୋ' ହାତରେ, ଆଉଜି ଆ' ମୋ' ଆଡେ ।

 

କୁଜି ଗେଣ୍ଡାଦଳ କେତେବେଳୁ

ବାହାରି ଗଲେଣି ନେଳି ଶିଉଳି ଭେଟି ଧରି,

ଏବେ ଆସି ପହଞ୍ଚିଯିବେ,

କାନ୍ଥ କଣରେ ବୁଢିଆଣି ଚାହିଁଛି ।

 

ଏମିତି ମହମହ ବାସ୍ନାରେ

ଆମେ ନାଚିବା କଥା,

ଆମର ଜନମ ଏଠି ମରଣ ଏଠି,

ତୋ' ସରାଗସୋହାଗରେ ଉର୍ବର ଏ ମାଟି ।