ଜୟନ୍ତ ମହାପାତ୍ରଙ୍କ କବିତା "ଟି ସାର୍ଟ"

ଜୟନ୍ତ ମହାପାତ୍ରଙ୍କ କବିତା "ଟି ସାର୍ଟ"

( ଦାଦ୍ରୀରେ ମହମ୍ମଦ ଅଖଲାକଙ୍କ ହତ୍ୟା ପରେ ସାରା ଦେଶର ବରିଷ୍ଠ ଲେଖକମାନେ ଯେତେବେଳେ ଦେଶରେ ବଢି ଚାଲିଥିବା ଅସହିଷ୍ଣୁତାର ପ୍ରତିବାଦ କରି ନିଜ ନିଜର ପୁରସ୍କାର ଫେରାଇ ଦେଇଥିଲେ ସେଥିରେ ଏକମାତ୍ର ଓଡିଆ ଲେଖକ ଥିଲେ ଜୟନ୍ତ ମହାପାତ୍ର । "ପଦ୍ମଶ୍ରୀ" ସମ୍ମାନ ଫେରାଇଦେବା ପରେ ତାଙ୍କୁ ଯେଉଁ ପ୍ରକାର ମାନସିକ ନିର୍ଯାତନାର ଶିକାର ହେବାକୁ ପଡିଥିଲା ତାର ପ୍ରତିଫଳନ ଏ କବିତା ।  ଆଜି ବି ମୋର ମନେ ଅଛି, ଏକ ଟେଲିଭିଜନ ବିତର୍କରେ ସେ ପିନ୍ଧିଥିବା "ଚେ ଗ୍ୱେଭେରା" ଟି ଶାର୍ଟକୁ ନେଇ ତାଙ୍କୁ ଆକ୍ଷେପ କରାଯାଇଥିଲା । ଜଣେ ବଡପାଟିଆ ସାମ୍ବାଦିକଙ୍କ ସହିତ ସେତେବେଳେ ସେହି ବିତର୍କରେ ମୁଁ ଥିଲି ପ୍ରତିପକ୍ଷ । ଏ କବିତା ଆମ ସମୟର ଘୃଣା, ବିଭାଜନ ଓ ଅସହିଷ୍ଣୁତା ଆଗରେ ଏକ ବିନମ୍ର ବିପ୍ଳବର କବିତା । ) 

-ସମ୍ପାଦକ 

ବିଦେଶରୁ

ପୁଅ ଆଣିଥିଲା ମୋ ପାଇଁ ଟି' ସାର୍ଟ ।

କଳା ଗଞ୍ଜି, ମଝିରେ ଧଳା ମୁହଁଟି ।

ଆର୍ଜେଣ୍ଟିନାର ବିପ୍ଳବୀ ଚେ ଗୁଭାରାର ମୁହଁ ।

ଦେଖ‌ିବାର ସୁଯୋଗ ପାଇନି କେବେ ତାଙ୍କୁ ।

 

ସେ ଛବିଟିର ଆଖିରେ

ଫାଶୀବାଦ ବିରୁଦ୍ଧରେ ସଂଗ୍ରାମ

ଆଉ ଲମ୍ବିଥିବା ଛାଇ ବିଷାଦର ।

 

ଆଜି କାଇଁକି କେଜାଣି

ମୋ ନିଃଶ୍ବାସ ମଝିରେ ସିଏ ।

ବୟସ ଯୋଗୁଁ ମୋ ଦେହର ଚମ ଝୁଲିଗଲାଣି,

ମାଛ କାତି ପରି, ଆଜ୍‌ରେ ପରଳ ।

ନିଜ ଦେହକୁ ଦେଖ‌ିଲେ କେମିତି ଅସଭ୍ୟ ଲାଗେ,

ମନଟି ବି କେମିତି ଅସହ୍ୟ ।

 

କିନ୍ତୁ ଦେଶରେ ମୋର କ’ଣ ହେଉଥାଏ

ଖବରକାଗଜରୁ ପଢ଼େ ସବୁଦିନ ।

ଅଳ୍ପ ଦୂରରେ ମୋର

 

ରହୁଥିବା କନ୍ଧ, ବଣ୍ଡା, କୁଆଙ୍ଗ ଜାଣନ୍ତି ନାଇଁ କିଛି,

ଜାଣନ୍ତି ନାଇଁ ବି ପଟାପୋଲ୍‌ର ଲୋକେ,

ଆମ ଘରେ କାମ କରୁଥିବା ଲଚ୍ଛମି ବି ଜାଣେନା

ଯେମିତି ବିଏମଡବ୍ଲ୍ୟୁରେ ଉଡ଼ିଯାଉଥିବା ମନୋରମା ମାଡାମ୍ ବି

ବା ରିଲାଏନ୍ସର ବୋହୂମାନେ ।

 

ଖବର ନିୟମିତ ଭାବେ ପଢ଼େ ମୁଁ,

ସତେ ଯେମିତି ତାଜା ଖବର ନ ଜାଣିଲେ...

ଏଇ କେତେ ବର୍ଷ ତଳେ

ଟିଭିର ଚାନେଲ୍‌ରେ, ପତ୍ରିକାଗୁଡ଼ିକରେ

ଦେଶଦ୍ରୋହୀ ବୋଲି କହିଚାଲିଲେ ମତେ

[ରାଷ୍ଟ୍ରପତି ଦେଇଥ‌ିବା ପଦ୍ମଶ୍ରୀ ସମ୍ମାନ ଫେରେଇଲି ବୋଲି]

ଆଉ ସେଥ‌ିପାଇଁ

ରାତି ପରେ ରାତି ଦୀର୍ଘଶ୍ବାସ

ପକେଇ ଚାଲିଲେ ମୋର ଦୁଇ ଆଖ୍—

ମନକୁ ଆସିଲା ମୋର

ଯେ ମୋ ମାଆ ମିଛେ ମିଛେ ମତେ ଗାଳିଦେଲେ

ମୁଁ ଦି’ପଦ ଉତ୍ତର ନ ଦେଇ ରହିପାରେନା,

ତେବେ ମୁଁ ସମ୍ମାନ ଫେରେଇଦେଲି ତ

ଆମ ଲୋକଙ୍କ ଏତେ ରାଗ କାଇଁକି ?

 

ଆଉ ଚେ ଗ୍ୱେଭାରାର ଛବି ଥ‌ିବା ସାର୍ଟ

ପିନ୍ଧି ଟିଭି ଚାନେଲ୍ ସବୁରେ ଦେଖିଲେ ବୋଲି

ବେଶ୍ ଚର୍ଚ୍ଚା ଚାଲିଲା,

ଲଙ୍ଗଳା କରିଦେବାକୁ ଚାହିଁଲେ ମତେ ।

ଚେ’ ଙ୍କ ପ୍ରତି ସେମିତି କିଛି ନ ଥିଲା ମୋର

ଚାହୁଁଥୁଲି ଖାଲି ସମାନତା ଟିକେ ।

ନ ଭାବି ନ ଚିନ୍ତି ସେ ଟି ସାର୍ଟ ପିନ୍ଧି କେବେ

ଆସି ନ ଥା’ନ୍ତି ଟିଭିର ମାଧ୍ୟମକୁ ।

 

ଆଜି ବି

ସେଇ ଟି’ସାର୍ଟ ପିନ୍ଧେ ମୁଁ,

ହସୁଥାଏ ମନେ ମନେ,

ଅପମାନ ସହିବାର ଯୋଉ ମାନସିକ ଶକ୍ତି

ଆସିଯାଇଚି ମୋର,

ଆସିଲା କୋଉଠୁ ଜାଣେ ନାଇଁ ମୁଁ—

ଖୋଳୁ ନ ଥାନ୍ତେ ଲୋକେ ମତେ

କଂସେଇଙ୍କ ମାଂସ ଦୋକାନରେ ॥