ତଥାପି

ତଥାପି

ମୋ ମୁହଁରେ ବ୍ରଣ,

ମୋ ଋତୁସ୍ରାରରେ କଷ୍ଟ, 

ମୋ ଦେହରେ ତତଲା ଚେଙ୍କ,

କିମ୍ବା -

ମୋ ଛାତିତଳେ ଭଙ୍ଗା ପ୍ରତିଶ୍ରୁତି;

ଏ ସବୁ କିଛି ନଥାଇ ବି

 

ମୁଁ ସୁନ୍ଦର ହୋଇପାରେ

 ଆଉ-

 ନାରୀଟିଏ ବୋଲାଇପାରେ!

 ମୁଁ କୌଣସି,

 ଦୁଃଖ କି ଲୁହ ଖର୍ଚ୍ଚ ନ କରି

 ଖାଲି ମୋ "ହସ"କୁ ହିଁ ଭାଙ୍ଗିପାରେ,

 ମୁଁ ହସିହସି ବି କବିତା ଲେଖିପାରେ,

 ଆଉ-

 ତା' ସତ୍ତ୍ବେ ବି ନାରୀଟିଏ ବୋଲାଇପାରେ!

 ବିଅର କି ରମ୍ ନହେଲେ ବି,

 କୌଣସି ଗୋଟିଏ ସନ୍ଧ୍ୟାରେ

 ମୋ ଚାରି ବନ୍ଧୁଙ୍କ ସହ ବସି

ସିନେମା ଦେଖୁଦେଖୁ ଚା' ପି' ପାରେ;

ତାଙ୍କ ଜୋକ୍ ରେ ହସି ପାରେ,

ତାଙ୍କ ସ୍ବପ୍ନ ସବୁକୁ ଶୁଣିପାରେ,

ତାଙ୍କ ପାଇଁ ରାତିଅନିଦ୍ରା ହୋଇପାରେ,

 ଆଉ -

 ତା' ପରେ ବି ନାରୀ ହିଁ ବୋଲାଇପାରେ!

  ଶ୍ରାବଣ କି ବସନ୍ତରେ ପ୍ରେମିକା ନସାଜି-

 ନିର୍ଧୁମ ଗ୍ରୀଷ୍ମରେ ଛତା ତୋଳିପାରେ;

ତା' କାନ୍ଧରେ କାନ୍ଧ ମିଶାଇ ନଚାଲି -

 

ଗାଡ଼ିରେ ଲିଫ୍ଟ ଦେଇପାରେ;

ଫାଳିକିଆ ଜହ୍ନରେ ମୋ ହୃଦୟକୁ ନକାଟି-

ପୂର୍ଣ୍ଣିମା ରାତିରେ ଗୀତ ଗାଇପାରେ;

ବିନା ଲୁହ ଆଉ କୋହର ମେକଅପ୍ ରେ ବି

ମୁଁ ସୁନ୍ଦର ଲାଗିପାରେ-

ହସିକି ସୁନ୍ଦର ଦିଶିଲେ ବି,

 ମୁଁ ନାରୀଟିଏ ବୋଲାଇପାରେ !

ଭୁବନେଶ୍ୱର

 ୮୦୧୮୦୫୩୩୯୫