ବୈରାଗୀ ଭ୍ରମର

ବୈରାଗୀ ଭ୍ରମର

ମନେ ପଡନ୍ତି ବୈରାଗୀ ଭ୍ରମର । ମନେ ପଡେ ମୋହାସକ୍ତ ସନ୍ୟାସର ସେ ବହୁବର୍ଣ୍ଣ ଚେହେରା । ସେ ଶ୍ୟାମଳ ଗାମ୍ଭୀର୍ୟର କୋମଳତମ ରିୟାଜ । ସେ ରାଜ୍ୟବିହୀନ ରାଜେନ୍ଦ୍ର, ସେ ଅଣଅସ୍ତ ଉପତ୍ୟକାର କିଶୋର । ସେ ଯାଦୁକର ଓ ନିରୀହତମ ପ୍ରେମିକ । ଓଡିଆ କବିତାର ଶେଷ ତାନ୍ତ୍ରିକ ସେ । ଗୋଟେ ପିଢୀର କବିତା ଲାଗି ସେ ସ୍ଵୟଂ ଏକ ଗୁରୁକୁଳ । ତାଙ୍କର ଶେଷ କବିତା ସଂକଳନ ଥିଲା-“ଆପଣ ଅଛନ୍ତି”।  ଆଜି ବି ସେ ଅଛନ୍ତି- ଅନୁପସ୍ଥିତିରେ, ବିଲୟରେ, ନୀରବତା ବି ନୀରବ ଯେଉଁଠି ସେ ମହାଭୂମିରେ। ସେ ଜନ୍ମ ଓ ମରଣକୁ ଅସ୍ଵୀକାର କରିଥିବା କବି । କବିତାର ଅମରତ୍ଵରେ ସେ ଥିଲେ,ଅଛନ୍ତି ଓ ରହିଥିବେ ।  

୨୪ ଜୁନ, କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଉଦୟ ଉତ୍ସବ । ଚିର ଉଦୟର ସେ ମହାରାଗଙ୍କୁ ପ୍ରଣାମ ।

 

ବୈରାଗୀ ଭ୍ରମର ବଂଚେ କିପରି ମରେ ବା କିପରି ?

ଗୁଣଗୁଣ୍ ଗୁଣଗୁଣ୍ ତା'ର ଥମିଯାଏ ?

ବୈରାଗୀ ଭ୍ରମର ଥୁ କରିଦିଏ ମହୁକୁ !

ଫୁଲସଂଗ ଛାଡ଼ିଦିଏ ?

ବଂଚେ କିପରି ମରେ ବା କିପରି ?

 କାହାଠିକି ସେ ଯାଏ ?

 

ବୈରାଗୀ ହୋଇଗଲେ ଭ୍ରମର

 ଧଳା ଦିଶେ ନା ଗେରୁଆ ?

 ବୈରାଗୀ ହୋଇଗଲେ ଭ୍ରମର ଋତୁ ବସଂତ ଆସେନା ?

 ଫଗୁ-କୁହୁଡ଼ିରୁ ଅତର-ପିଚିକାରୀର ଫୁଆରାରୁ

 ବଣ ବଗିଚାର ଫୁଲରୁ

 ରଂଗ ଓ ମହକ ଉଡ଼ିଯାଏ ?

 

ବୈରାଗୀ ହୋଇଗଲେ ଭ୍ରମର

 ନିଶ୍ଚିଂତ ହୋଇଯାଆଂତି ସଂଦେହୀ ସ୍ଵାମୀଏ ?

 ବାପ ହିପାଜତରୁ ମଫସଲରୁ ଆସିଥିବା ଋଷ୍ୟଶୃଂଗ

 'ନଷ୍ଟ' ଆଉ ହୁଏନା ରେଭେନସାରେ, ବାଣୀବିହାରରେ ?

 ବୈରାଗୀ ହୋଇଗଲେ ଭ୍ରମର

 ଗାଂଗୁରାମ୍ ଦୋକାନ, ଅବକାରୀ ବିଭାଗ ଉଠିଯାଏ ?

 

ବୈରାଗୀ ଭ୍ରମର ଥୁ କରିଦିଏ ମହୁକୁ !

 ଫୁଲ ସଂଗ ଛାଡ଼ି ଦିଏ ?

 ବଂଚେ କିପରି ମରେ ବା କିପରି ?

 ଗୁଣଗୁଣ୍ ଗୁଣଗୁଣ୍ ତାର ଥମିଯାଏ ?

 

ବୈରାଗୀ ହୋଇଗଲେ ଭ୍ରମର

 ବାଜ୍ୟାପ୍ତ ହୋଇଯାଆଂତି ଗାଲିବ୍ ଆଉ ମାନସିଂ ?

 ସୁର୍ ଆଉ ମିଜାଜ୍, ତାନ ଆଉ ମସ୍ତି

  ଜମି ଉଠିଥିବା ଆସରରୁ

 ହଠାତ୍ ଏକ ଟାକରା ଫୁଟି ଉଭେଇଯାଏ  ?

 

ବୈରାଗୀ ହୋଇଗଲେ ଭ୍ରମର

 ନୀରବତାରୁ ବର୍ଣମାଳାରୁ

 କବିତାର କୁହୁକ ଟିକକ ସରିଯାଏ  ?

 

ରେ ପଳାତକ ଭ୍ରମର !

 ଭୁବନ ଭୁବନ ତତେ ମୁଁ ଖୋଜିରହେ ।

 

ଆମେ ତ ଶୁଣିଛୁ ବିଶ୍ଵର ଏ ବିନ୍ୟାସରେ

 ସୁଧାଭାଗ ସହିତ ବିଷଭାଗ ବି ଥାଏ

 ତୁ ଥାଉ ବୋଲି ନୀଳକଂଠ ପରି ବଂଚିହୁଏ ରେ ଭ୍ରମର ।

 ତୁ ଥାଉ ବୋଲି ଚିର-ଅମର କରିପାରେନା ଅମୃତ

 ମିଠା ମିଠା ଭାବରେ ମରିହୁଏ ।

 

ତୁ ଥାଉ ବୋଲି ତ

 ଅଳକା ସାନ୍ୟାଲର ବୟସ ଜମା ବଢ଼େନା,

 ଚିତ୍ରରଥ, ରାଉତରାୟ, ଗୁରୁପ୍ରସାଦ ପରେ

 କେହି ନା କେହି କବି

 ପାଲରେ ତା'ର ପଡ଼ିଯାଏ !

 

ସୂର୍ଯ ଅସ୍ତ ଯିବାର ଦୁଃଖଠୁ ବଳି

 ତତେ ଗୋଟାପଣେ ପାଇଯିବାର ହର୍ଷରେ ହିଁ

 ପଦ୍ମ ତା'ର ପାଖୁଡ଼ା ବୁଜିଦିଏ,

 ପ୍ରତି ସକାଳେ ସୂର୍ଯକୁ ଦେଖାଏ ତୋର ଶବ

 ପ୍ରତି ସକାଳୁ ତତେ ପ୍ରତୀକ୍ଷା କରି ରହେ ।

 

କବିତା ବିନା ବା କି ଜୀବନ ?

 ଭ୍ରମର ବିନା ବା କି ଜଗତ ?

 ରେ ବୈରାଗୀ ଭ୍ରମର !

 ଫେରିଆ,

 ସାଜେନା ବୈରାଗ୍ୟ ତତେ ସାଜେନା ।

 ଗୁଣଗୁଣ୍ ଗୁଣଗୁଣ୍ ତୋର ଥମେନା ।

 

ତୋ' ଭିତର ଭ୍ରମର... ଭ୍ରମର ଭିତର ଭ୍ରମର...

 ତା' ଭିତର ଭ୍ରମର... ଭିତରତମ ଭ୍ରମର

 ଭୋଗରେ ଭ୍ରମରେ ଜୀଇଁ ଅନୁକ୍ଷଣ

 ଭୋଗରେ ଭ୍ରମରେ ମରି ଅନୁକ୍ଷଣ ― ମାରୁଥାଏ,

 ବଂଚାଇ ରଖିଥାଏ ।।