ବୈରାଗୀ ଭ୍ରମର
ମନେ ପଡନ୍ତି ବୈରାଗୀ ଭ୍ରମର । ମନେ ପଡେ ମୋହାସକ୍ତ ସନ୍ୟାସର ସେ ବହୁବର୍ଣ୍ଣ ଚେହେରା । ସେ ଶ୍ୟାମଳ ଗାମ୍ଭୀର୍ୟର କୋମଳତମ ରିୟାଜ । ସେ ରାଜ୍ୟବିହୀନ ରାଜେନ୍ଦ୍ର, ସେ ଅଣଅସ୍ତ ଉପତ୍ୟକାର କିଶୋର । ସେ ଯାଦୁକର ଓ ନିରୀହତମ ପ୍ରେମିକ । ଓଡିଆ କବିତାର ଶେଷ ତାନ୍ତ୍ରିକ ସେ । ଗୋଟେ ପିଢୀର କବିତା ଲାଗି ସେ ସ୍ଵୟଂ ଏକ ଗୁରୁକୁଳ । ତାଙ୍କର ଶେଷ କବିତା ସଂକଳନ ଥିଲା-“ଆପଣ ଅଛନ୍ତି”। ଆଜି ବି ସେ ଅଛନ୍ତି- ଅନୁପସ୍ଥିତିରେ, ବିଲୟରେ, ନୀରବତା ବି ନୀରବ ଯେଉଁଠି ସେ ମହାଭୂମିରେ। ସେ ଜନ୍ମ ଓ ମରଣକୁ ଅସ୍ଵୀକାର କରିଥିବା କବି । କବିତାର ଅମରତ୍ଵରେ ସେ ଥିଲେ,ଅଛନ୍ତି ଓ ରହିଥିବେ ।
୨୪ ଜୁନ, କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଉଦୟ ଉତ୍ସବ । ଚିର ଉଦୟର ସେ ମହାରାଗଙ୍କୁ ପ୍ରଣାମ ।
ବୈରାଗୀ ଭ୍ରମର ବଂଚେ କିପରି ମରେ ବା କିପରି ?
ଗୁଣଗୁଣ୍ ଗୁଣଗୁଣ୍ ତା'ର ଥମିଯାଏ ?
ବୈରାଗୀ ଭ୍ରମର ଥୁ କରିଦିଏ ମହୁକୁ !
ଫୁଲସଂଗ ଛାଡ଼ିଦିଏ ?
ବଂଚେ କିପରି ମରେ ବା କିପରି ?
କାହାଠିକି ସେ ଯାଏ ?
ବୈରାଗୀ ହୋଇଗଲେ ଭ୍ରମର
ଧଳା ଦିଶେ ନା ଗେରୁଆ ?
ବୈରାଗୀ ହୋଇଗଲେ ଭ୍ରମର ଋତୁ ବସଂତ ଆସେନା ?
ଫଗୁ-କୁହୁଡ଼ିରୁ ଅତର-ପିଚିକାରୀର ଫୁଆରାରୁ
ବଣ ବଗିଚାର ଫୁଲରୁ
ରଂଗ ଓ ମହକ ଉଡ଼ିଯାଏ ?
ବୈରାଗୀ ହୋଇଗଲେ ଭ୍ରମର
ନିଶ୍ଚିଂତ ହୋଇଯାଆଂତି ସଂଦେହୀ ସ୍ଵାମୀଏ ?
ବାପ ହିପାଜତରୁ ମଫସଲରୁ ଆସିଥିବା ଋଷ୍ୟଶୃଂଗ
'ନଷ୍ଟ' ଆଉ ହୁଏନା ରେଭେନସାରେ, ବାଣୀବିହାରରେ ?
ବୈରାଗୀ ହୋଇଗଲେ ଭ୍ରମର
ଗାଂଗୁରାମ୍ ଦୋକାନ, ଅବକାରୀ ବିଭାଗ ଉଠିଯାଏ ?
ବୈରାଗୀ ଭ୍ରମର ଥୁ କରିଦିଏ ମହୁକୁ !
ଫୁଲ ସଂଗ ଛାଡ଼ି ଦିଏ ?
ବଂଚେ କିପରି ମରେ ବା କିପରି ?
ଗୁଣଗୁଣ୍ ଗୁଣଗୁଣ୍ ତାର ଥମିଯାଏ ?
ବୈରାଗୀ ହୋଇଗଲେ ଭ୍ରମର
ବାଜ୍ୟାପ୍ତ ହୋଇଯାଆଂତି ଗାଲିବ୍ ଆଉ ମାନସିଂ ?
ସୁର୍ ଆଉ ମିଜାଜ୍, ତାନ ଆଉ ମସ୍ତି
ଜମି ଉଠିଥିବା ଆସରରୁ
ହଠାତ୍ ଏକ ଟାକରା ଫୁଟି ଉଭେଇଯାଏ ?
ବୈରାଗୀ ହୋଇଗଲେ ଭ୍ରମର
ନୀରବତାରୁ ବର୍ଣମାଳାରୁ
କବିତାର କୁହୁକ ଟିକକ ସରିଯାଏ ?
ରେ ପଳାତକ ଭ୍ରମର !
ଭୁବନ ଭୁବନ ତତେ ମୁଁ ଖୋଜିରହେ ।
ଆମେ ତ ଶୁଣିଛୁ ବିଶ୍ଵର ଏ ବିନ୍ୟାସରେ
ସୁଧାଭାଗ ସହିତ ବିଷଭାଗ ବି ଥାଏ
ତୁ ଥାଉ ବୋଲି ନୀଳକଂଠ ପରି ବଂଚିହୁଏ ରେ ଭ୍ରମର ।
ତୁ ଥାଉ ବୋଲି ଚିର-ଅମର କରିପାରେନା ଅମୃତ
ମିଠା ମିଠା ଭାବରେ ମରିହୁଏ ।
ତୁ ଥାଉ ବୋଲି ତ
ଅଳକା ସାନ୍ୟାଲର ବୟସ ଜମା ବଢ଼େନା,
ଚିତ୍ରରଥ, ରାଉତରାୟ, ଗୁରୁପ୍ରସାଦ ପରେ
କେହି ନା କେହି କବି
ପାଲରେ ତା'ର ପଡ଼ିଯାଏ !
ସୂର୍ଯ ଅସ୍ତ ଯିବାର ଦୁଃଖଠୁ ବଳି
ତତେ ଗୋଟାପଣେ ପାଇଯିବାର ହର୍ଷରେ ହିଁ
ପଦ୍ମ ତା'ର ପାଖୁଡ଼ା ବୁଜିଦିଏ,
ପ୍ରତି ସକାଳେ ସୂର୍ଯକୁ ଦେଖାଏ ତୋର ଶବ
ପ୍ରତି ସକାଳୁ ତତେ ପ୍ରତୀକ୍ଷା କରି ରହେ ।
କବିତା ବିନା ବା କି ଜୀବନ ?
ଭ୍ରମର ବିନା ବା କି ଜଗତ ?
ରେ ବୈରାଗୀ ଭ୍ରମର !
ଫେରିଆ,
ସାଜେନା ବୈରାଗ୍ୟ ତତେ ସାଜେନା ।
ଗୁଣଗୁଣ୍ ଗୁଣଗୁଣ୍ ତୋର ଥମେନା ।
ତୋ' ଭିତର ଭ୍ରମର... ଭ୍ରମର ଭିତର ଭ୍ରମର...
ତା' ଭିତର ଭ୍ରମର... ଭିତରତମ ଭ୍ରମର
ଭୋଗରେ ଭ୍ରମରେ ଜୀଇଁ ଅନୁକ୍ଷଣ
ଭୋଗରେ ଭ୍ରମରେ ମରି ଅନୁକ୍ଷଣ ― ମାରୁଥାଏ,
ବଂଚାଇ ରଖିଥାଏ ।।