ପ୍ରଶ୍ନପତ୍ର ଲିକ : ପରୀକ୍ଷା ବ୍ୟବସ୍ଥାର ବଜାରୀକରଣ

ପ୍ରଶ୍ନପତ୍ର ଲିକ : ପରୀକ୍ଷା ବ୍ୟବସ୍ଥାର ବଜାରୀକରଣ

ସ୍ୱାସ୍ଥ୍ୟ ଏକ ଅମୂଲ୍ୟ ସମ୍ପଦ, ଏହା ଶରୀର ବିଜ୍ଞାନରେ ଉଲ୍ଲେଖ ରହିଛି। ସ୍ୱାସ୍ଥ୍ୟ ଯେ ଏକ ଅତି ଦ୍ରୁତ ଅର୍ଥକାରୀ ଓ ରାଜନୈତିକ ସମ୍ପଦ, ଏଣିକି ଏହା ରାଜନୈତିକ ଅର୍ଥଶାସ୍ତ୍ରରେ ଉଲ୍ଲେଖ ରହିବ। ଭାରତୀୟ ଜନତା ପାର୍ଟି ନେତୃତ୍ଵାଧୀନ କେନ୍ଦ୍ର ସରକାର ଅତି ଧନୀ ବ୍ୟକ୍ତି ଓ ହିନ୍ଦୁ ଜାତୀୟତାବାଦୀଙ୍କୁ ସରକାରୀ ମେଡିକାଲ କଲେଜରେ ଯେଉଁଭଳି ସ୍ଥାନ ମିଳିବ ସେଥିଲାଗି ଡାକ୍ତରୀ ପରୀକ୍ଷାର ପ୍ରଶ୍ନପତ୍ର ଲିକ କରାଇଛନ୍ତି। ଗଲା ବାର ବର୍ଷ ମଧ୍ୟରେ ୭୦ ଥର ପେପର ଲିକ ହେବା ଅଥଚ କୌଣସି ପ୍ରତିକାର ନହେବାରୁ ଜଣାପଡୁଛି ଯେ ଉଭୟ ଧନୀ ଓ ହିନ୍ଦୁ ଜାତୀୟତାବାଦୀ ବିଚାରର ପ୍ରାର୍ଥୀଙ୍କୁ କନଷ୍ଟେବଳ ଠାରୁ ଡାକ୍ତର ଓ ଅଧ୍ୟାପକ ପର୍ଯ୍ୟନ୍ତ, ସମସ୍ତ ସରକାରୀ ଚାକିରୀରେ ନିଯୁକ୍ତି ଲାଗି ପ୍ରଶ୍ନ ପତ୍ରର ଲିକ ହେଉଛି। ଏହି ବର୍ଷର ମେଡିକାଲ ପେପର ଲିକ ଜଣାପଡିବା ପରେ ବାୟୁସେନା ମାଧ୍ୟମରେ ପ୍ରଶ୍ନପତ୍ର ପଠାଇବା ଧର୍ମକୁ ଆଖି ଠାର ବ୍ଯତୀତ ଅନ୍ୟ କିଛି ନୁହେଁ। 

ଅତୀତରେ ରାଜ୍ୟସରକାରମାନେ ଡାକ୍ତରୀ ପରୀକ୍ଷା ନିଜେ ଆୟୋଜନ କରୁଥିଲେ। ସେଥିରେ ଦୁର୍ନୀତି ହେଉଥିଲା। କିନ୍ତୁ ମଧ୍ୟ ପ୍ରଦେଶରେ ହୋଇଥିବା ‘ବ୍ୟାପମ’ ଦୁର୍ନୀତି (୨୦୧୩ ମସିହା) ପରେ କେନ୍ଦ୍ର ସରକାର ସିବିଏସଇ ଦ୍ଵାରା ଉକ୍ତ ମେଡିକାଲ ପରୀକ୍ଷା ପ୍ରଥମେ ୨୦୧୬ ମସିହାରେ କରାଇଥିଲେ। ସେହି ବ୍ୟାପମ ଦୁର୍ନୀତି ଏତେ ବ୍ୟାପକ ଥିଲା ଯେ ଏଥିରେ ଅନ୍ୟୁନ୍ୟ ୨୦୦୦ ଲୋକଙ୍କୁ ଗିରଫ କରାଯାଇଥିଲା। ସେ ମଧ୍ୟରୁ ବେଶ କେତେକଙ୍କର ସନ୍ଦେହଜନକ ମୃତ୍ୟୁ ମଧ୍ୟ ହୋଇଥିଲା। 

ଏହି ବାସ୍ତବତାକୁ ଅଣଦେଖା କରି କେନ୍ଦ୍ର ସରକାର ପୁଣି ଦୁର୍ନୀତି ଓ ନିଜ ପ୍ରାର୍ଥୀଙ୍କୁ ସରକାରୀ ପଦବୀରେ ବସାଇବାର ରାସ୍ତା ବାଛିଲେ। ଏହାର ପ୍ରଶ୍ନପତ୍ର ପ୍ରସ୍ତୁତି ଓ ପରିଚାଳନା ୨୦୧୯ ରୁ ପ୍ରାଇଭେଟ ସଂସ୍ଥା ଏନଟିଏ (ନ୍ୟାସିନାଲ ଟେଷ୍ଟିଙ୍ଗ ଏଜେନ୍ସି) ଦ୍ଵାରା କରାଗଲା। କୌଣସି ସରକାରୀ ନିର୍ଦ୍ଦେଶନାମା ନଥାଇ ମଧ୍ୟ ଏଭଳି ଏକ ପ୍ରାଇଭେଟ ସଂସ୍ଥାକୁ ମେଡିକାଲ ଭଳି ଏକ ଅତି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ସମସ୍ତ ଦାୟିତ୍ଵ ଦିଆଗଲା। ଯଦିଓ ବ୍ୟାପମ ଭଳି ଦୁର୍ନୀତି ତାଙ୍କରି ଦ୍ଵାରା ହୋଇଥିଲା ତଥାପି ଏଥିଲାଗି ସଂସଦର ମଧ୍ୟ କୌଣସି ଅନୁମୋଦନ ଆଣିବା ବିଜେପି ସରକାର ଆବଶ୍ୟକ ମନେକରିନଥିଲେ। 

ଏହା କେବଳ ମେଡିକାଲ ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରିଥିବା ସେହି ୨୨ ଲକ୍ଷ ୮୦ ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ପ୍ରଶ୍ନ ନୁହେଁ। ଏହା ସେହି ସମସ୍ତ ୫୯୪୧୬ ଡାକ୍ତରୀ ସିଟର ମଧ୍ୟ ପ୍ରସଙ୍ଗ ଯେ କେତେ ଯୋଗ୍ୟ ପ୍ରାର୍ଥୀ ସତରେ ସରକାରୀ ମେଡିକାଲ କଲେଜରେ ପଢିବାର ସୁଯୋଗ ପାଇଥାନ୍ତେ ଓ ଭବିଷ୍ୟତରେ ଡାକ୍ତର ହୋଇଥାନ୍ତେ। ସମୁଦାୟ ଡାକ୍ତରୀ ସିଟକୁ ଦେଖିଲେ ପ୍ରତି ଡାକ୍ତରୀ ସିଟ ଲାଗି ୩୮ ଜଣ ଆଶାୟୀ ପ୍ରାର୍ଥୀ ଥିଲେ ଓ ସମୁଦାୟ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦେଖିଲେ ସେ ମଧ୍ୟରୁ ମାତ୍ର ୨.୬ ପ୍ରତିଶତ ଯୋଗ୍ୟ ଛାତ୍ର ଛାତ୍ରୀ ଡାକ୍ତରୀ ସିଟ ପାଇବା ଲାଗି ଯୋଗ୍ୟ ହୋଇଥାନ୍ତେ। 

ଏନଟିଏ ଦ୍ଵାରା ହୋଇଥିବା ନିଟ ପେପର ସମେତ ଯୁଜିସି ପରୀକ୍ଷା ପ୍ରଶ୍ନ ଓ ଅନ୍ୟ କେତେକ ପରୀକ୍ଷାର ପ୍ରଶ୍ନ ମଧ୍ୟ ଲିକ ହୋଇଛି। ଧରିନିଆଯାଉ ଯେ ଏହି ସମସ୍ତ ପରୀକ୍ଷାର ପ୍ରଶ୍ନପତ୍ର ଲିକ ଜଣାପଡି ନଥାନ୍ତା । ତେବେ ଯେଉଁମାନେ ୧୦ ଲକ୍ଷ ଟଙ୍କାରୁ ଆରମ୍ଭ କରି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରଶ୍ନ ପତ୍ର କିଣିଥିଲେ ସେମାନେ ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, ଅଧ୍ୟାପକ ଇତ୍ୟାଦି ଲାଗି ଯୋଗ୍ୟ ବିବେଚିତ ହୋଇଥାନ୍ତେ। ସେମାନେ ଅନ୍ୟ ମେଧାବୀ ଛାତ୍ରଛାତ୍ରୀଙ୍କ ନ୍ୟାୟିକ ଅଧିକାରକୁ ଏହାଦ୍ବାରା ଛଡାଇନେଇଥାନ୍ତେ। ସେମାନେ ନିଜକୁ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ଥାନରେ ନିଜକୁ ବସାଇଥାନ୍ତେ ଯେଉଁଥି ପାଇଁ ସେମାନେ ଯୋଗ୍ୟ ନୁହନ୍ତି। 

ଯେଉଁମାନେ ସଂରକ୍ଷଣ ପ୍ରସଙ୍ଗରେ ସର୍ବଦା ମେଧାକୁ ଗୁରୁତ୍ଵ ଦେଇଆସୁଥିଲେ ଏବେ ସେମାନେ ଡାକ୍ତରୀ ପ୍ରଶ୍ନ ପତ୍ର ଲିକ ହେବା ପରେ ମେଧାବୀ ଛାତ୍ର ଓ ଛାତ୍ରୀଙ୍କ ଅଧିକାରର ସୁରକ୍ଷାର ପ୍ରସଙ୍ଗରେ ନୀରବ ରହିଛନ୍ତି। ସେମାନେ ଯୁକ୍ତି କରୁଥିଲେ ଯେ ଦେଶର ଅନେକ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ଅନୁସୂଚୀତ ଜାତି ଓ ଅନୁସୂଚୀତ ଉପଜାତିର ପ୍ରାର୍ଥୀମାନେ ମନୋନୀତ ହେବା ଦ୍ଵାରା ଦେଶର ପ୍ରଗତିରେ ବାଧା ଘଟୁଛି। କିନ୍ତୁ ଆଜି ଯେବେ ପ୍ରଶ୍ନ ପତ୍ର ଲିକ ଘଟଣା ସହିତ ସେହି ସିଟରେ ଅଣମେଧାବୀ ଛାତ୍ରଛାତ୍ରୀଙ୍କ ନିଯୁକ୍ତିର କଥା ଆସୁଛି ସେତେବେଳେ ସେହି ଗୋଷ୍ଠୀ କ୍ଷମତାର ଥାଇ ବି ନୀରବ ଅଛନ୍ତି। 

ପ୍ରଶ୍ନପତ୍ର ଲିକର ବିପଦଜ୍ଜନକ ରୂପ ହେଲା ଯେ ଏହା ଅନେକ ଅଯୋଗ୍ୟ ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, ଅଧ୍ୟାପକ ତିଆରି କରେ। ସେହି ଯୋଗ୍ୟ ଓ ମେଧାବୀ ଛାତ୍ରଛାତ୍ରୀଙ୍କର କୌଣସି ଦୋଷ ନଥାଇ ମଧ୍ୟ ସେମାନଙ୍କୁ ଏହାର ପରିଣାମକୁ ଭୋଗିବାକୁ ପଡେ। ସେମାନେ କେନ୍ଦ୍ର ସରକାରଙ୍କ ସିବିଏସଇ ଓ ଏନଟିଏର ଦୋଷ ଲାଗି ଦଣ୍ଡିତ ହେଉଛନ୍ତି। କୁହାଯାଉଛି ଯେ ପାଞ୍ଚଜଣ ପରୀକ୍ଷାର୍ଥୀ ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମହତ୍ୟା କରିସାରିଲେଣି। ଏ ବର୍ଷ ଯେଉଁ ଯୁବକମାନେ ଏନଟିଏ ଓ ସିବିଏସଇର କାର୍ଯ୍ୟ ସମ୍ବନ୍ଧରେ ସୂଚନା ଦେଲେ ଏବେ ସେମାନଙ୍କ ବିରୁଦ୍ଧରେ ଅନେକ ଅପପ୍ରଚାର କରାଯାଉଛି। ବାସ୍ତବ ହେଲା ଯେ ସେହିମାନେ ହିଁ ଏହି ପୁରା ଘଟଣାର ପ୍ରକୃତ ନାୟକ।
 
୨୦୨୪ ମସିହାରେ ସେହିଭଳି ଘଟଣାରେ ସୁପ୍ରିମ କୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା। ପରବର୍ତ୍ତୀ ସମୟରେ ଏନଟିଏ ସାଇ ଏଡୁକେୟାର ପ୍ରାଇଭେଟ ଲିମିଟେଡକୁ ପାଞ୍ଚ ବର୍ଷ ପାଇଁ କଳା ତାଲିକା ଭୁକ୍ତ କରିଛି। ହେଲେ କିଛି ଛାତ୍ରଙ୍କ ଅଭିଯୋଗ ଯେ ସେହି କମ୍ପାନୀ ସହିତ ସମ୍ପୃକ୍ତ ବ୍ୟକ୍ତି ନୂଆ କମ୍ପାନୀ ତିଆରି କରି ଏହି ବର୍ଷ ପରୀକ୍ଷା ପରିଚାଳନା କରିଛନ୍ତି। ସରକାରୀ ଭାବରେ ନା ଏହି ଅଭିଯୋଗକୁ ସ୍ଵୀକାର କରାଯାଇଛି ନା ଔପଚାରିକ ଭାବରେ ଖଣ୍ଡନ କରାଯାଇଛି। ବିଭାଗୀୟ ମନ୍ତ୍ରୀ ଏବେ ବି ନୀରବ ଅଛନ୍ତି। 

ଆବ୍ରାହମ ଲିଙ୍କନଙ୍କ ଏକ ପ୍ରସିଦ୍ଧ ଉକ୍ତି ଅଛି ଯେ ଯଦି ତୁମେ କୌଣସି ମଣିଷକୁ ପରୀକ୍ଷା କରିବାକୁ ଚାହୁଁଛ ତେବେ ତାହାକୁ କିଛି କ୍ଷମତା ଦେଇଦିଅ। ଏବେ ଆମେ ଜାଣିପାରୁଛେ ଯେ ଏହି ଉଗ୍ର ଜାତୀୟତାବାଦୀ ଶକ୍ତିର ଦେଶର ବିକାଶକୁ ନେଇ କେତେ ଆନ୍ତରିକତା ରହିଛି। କେବଳ ଅର୍ଥ ରୋଜଗାର ଓ ନିଜ ବିଚାରର ପରିବାର ସଦସ୍ୟଙ୍କୁ ସରକାରୀ ପଦବୀରେ ବସାଇବା ଏମାନଙ୍କ ପ୍ରଥମ ଉଦ୍ଦେଶ୍ୟ ରହିଛି। ଦେଶ ଆଜି ଏକ ବିରାଟ ସଙ୍କଟ ଦେଇ ଏଥି ଲାଗି ଯାଉଛି। 
ଖୁସିର କଥା ଯେ ୨୦୨୪ ର ପ୍ରଶ୍ନ ପତ୍ର ଲିକ ସମୟରେ ଏତେ ପ୍ରତିବାଦ ଦେଖାଯାଇନଥିଲା ଯାହା ଆଜି ଦେଖାଯାଉଛି। ଏହାକୁ ଅନେକ ମାର୍କସବାଦୀ, ପ୍ରଗତିଶୀଳ ଓ ମାନବିକ ଅଧିକାର ସଂଗଠନ ସମର୍ଥନ ଜଣାଉଛନ୍ତି। ସେମାନେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି। ଏହି ଦାବି ଯଥାର୍ଥ। ମାତ୍ର ଏହା ଅନ୍ତିମ ନହୋଇ ଆରମ୍ଭ ହେଉ। 

ଶ୍ରୀମନ୍ତ ମହାନ୍ତି
ଜ୍ଞାନ ରଞ୍ଜନ ନାୟକ