ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା -୨
୨୬ ମାର୍ଚ୍ଚ, ୨୦୨୩ରେ "ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା-୧" ପ୍ରକାଶ ପାଇଥିଲା, ସେଥିରେ ଓଡ଼ିଶାର ଡିଫରେସଷ୍ଟେସନ୍ ବା ଜଙ୍ଗଲ କ୍ଷୟକୁ ନେଇ ଆଲୋଚନା କରିଥିଲି। ଏହାର ଦ୍ୱିତୀୟ ଭାଗ ଲେଖିବି ଲେଖିବି ବୋଲି ସୁଯୋଗ ଆସୁ ନଥିଲା। ହେଲେ ୨୭ ଜୁଲାଇ ୨୦୨୩, ସକାଳୁ Indian Expressର ପ୍ରଥମ ପୃଷ୍ଠାରେ Forest (Conservation) Amendment Bill 2023 ଲୋକସଭାରେ ପାସ୍ ହେବା ବିଷୟରେ ପଢିଲା ପରେ ଦ୍ୱିତୀୟ ଭାଗ ଲେଖା ଯିବା ଜରୁରୀ ବୋଲି ଲାଗିଲା। ଉକ୍ତ ଖବର ଅନୁସାରେ "The amendments give the Center blanket exemption to acquire forest land. The government will be able to take over forest land for tourism, zoo, roads, rail and defence infrastructure. Earlier, forest clearance from the designated authority was mandatory to acquire forest land." ଏହାର ଭୟାବହ, ଭୟଙ୍କର ପରିଣତିକୁ ନେଇ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକାଶ ପାଇଛି। ଏହି bill କୁ ବିରୋଧ କରି, ୨୦ଜୁଲାଇରେ ୧୦୦ଜଣରୁ ଅଧିକ ଅବସରପ୍ରାପ୍ତ ସିଭିଲ ସର୍ଭ୍ୟାଣ୍ଟ ମାନଙ୍କ ଗୋଟିଏ ଗ୍ରୁପ୍ ଆମ ସାସ°ଦ ମାନଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଗୋଟିଏ ଚିଠି ଲେଖିଥିଲେ (ଏହି ଚିଠିଟିକୁ Google Search ରୁ ଖୋଜି ପଢିବେ ନିଶ୍ଚୟ)। ପ୍ରଥମ ଭାଗ ଲେଖିଲାବେଳେ ଶେଷରେ କହିଥିଲି ଯେ "ଓଡ଼ିଶାର ଜଙ୍ଗଲ ଉପରେ ଏସବୁ ପଢିଲା ଏବଂ ଲେଖିଲା ବେଳକୁ ମୋର ବାରମ୍ବାର ଗତବର୍ଷ ମାଡାଗାସ୍କର୍ ଦ୍ବୀପ ଉପରେ ଦେଖିଥିବା ଗୋଟିଏ ଡକ୍ୟୁମେଣ୍ଟାରୀ ଭିଡିଓ ମନେ ପଡୁଥିଲା।" ଆଜି ପୁଣି ଏଇ Bill ବିଷୟରେ ପଢି ମଧ୍ୟ ମାଡାଗାସ୍କରର ଛବି ଆଖି ଆଗରେ ନାଚି ଯାଉଛି, ଥରେ ପଢି ଦେଖନ୍ତୁ, ଜଙ୍ଗଲ କ୍ଷୟ ହେବାର ପରିଣତି କେତେ ଭୟଙ୍କର ହୋଇପାରେ।
ପାଖାପାଖି ୮୮ ନିୟୁତ (୮୮୦, ୦୦୦୦୦) ବର୍ଷ ପୂର୍ବରୁ ଭାରତୀୟ ଉପମହାଦେଶରୁ ଗୋଟିଏ ଅ°ଶ ଅଲଗା ହୋଇ ପୂର୍ବ ଆଫ୍ରିକୀୟ ଉପକୂଳରେ, ଭାରତୀୟ ମହାସାଗରରେ ମାଡାଗାସ୍କର୍ ଦ୍ବୀପ ଆକାରରେ ଗଢିଉଠିଥିଲା। ଏହା ହେଉଛି ବିଶ୍ବର ଦ୍ୱିତୀୟ ବୃହତ୍ତମ ଦ୍ବୀପ (ଆଇଲ୍ୟାଣ୍ଡ କଣ୍ଟ୍ରି) ଦେଶ। ବିଶ୍ବରେ ମାଡାଗାସ୍କର୍ ବାୟୋଡାଇଭରସିଟିର ହଟସ୍ପଟ ହିସାବରେ ପ୍ରସିଦ୍ଧ। ଏଠି ୧୨୦୦ ପ୍ରଜାତିର ବୃକ୍ଷ, ୫୮୬ ପ୍ରଜାତିର ଫର୍ନ, ୧୯୪ ପ୍ରଜାତିର ଖଜୁରୀ ଓ ତାଳ ଜାତୀୟ ଗଛ, ୧୦୦୦ ପ୍ରଜାତିର ଅର୍କିଡ୍, ୩୮୯ ପ୍ରଜାତିର ସରୀସୃପ, ୨୭୮ପ୍ରଜାତିର ଆମ୍ଫିବିଆନ୍ (ବେଙ୍ଗ, ଏଣ୍ଡୁଅ ପରି ପ୍ରାଣୀ), ୨୮୨ପ୍ରଜାତିର ପକ୍ଷୀ, ୧୫୯ ପ୍ରଜାତିର ମାଛ, ୧୦୪ ପ୍ରଜାତି ଓ ଉପଜାତିର ଲେମୁର (ମାଙ୍କଡ଼ ପ୍ରଜାତିର), ୬୦ ପ୍ରଜାତିର ଉଡି ପାରୁ ନଥିବା ଛୋଟ ସ୍ତନ୍ୟପାୟୀ ପ୍ରାଣୀ, ୪୩ ପ୍ରଜାତିର ବାଦୁଡି ଏବଂ ୧୩ପ୍ରଜାତିର ମା°ସାସୀ ପ୍ରାଣୀ ଅଛନ୍ତି। ତଥା ଏହାର ୫୬୦୦ କିମି ବ୍ୟାପିଥିବା ଉପକୂଳରେ କୋରାଲ୍ ରିଫ୍, ମ୍ୟାଙ୍ଗ୍ରୁଭ ଫରେଷ୍ଟ, ୭୫୨ ପ୍ରକାରର କୋରାଲ ଫିସ୍ ଓ ୨୮ ପ୍ରକାରର ଅନ୍ୟାନ୍ୟ ସାମୁଦ୍ରିକ ଜୀବ ମିଳନ୍ତି। ଏଠି ଦେଖାଯାଉଥିବା ୯୦% ଗଛଲତା ଓ ବନ୍ୟପ୍ରାଣୀ endemic, ଅର୍ଥାତ ପୃଥିବୀର ଅନ୍ୟ କୌଣସି ଜାଗାରେ ମିଳନ୍ତି ନାହିଁ।
ଏସବୁ ତଥ୍ୟ ବିଷୟରେ ଜାଣିବା ପାଇଁ ଆଉ ଗୋଟିଏ ଖବରର ଶୀର୍ଷକ ମୋର ଦୃଷ୍ଟି ଆକର୍ଷଣ କରିଥିଲା ଯେ, ମାଡାଗାସ୍କର୍ ଧିରେଧିରେ ସବୁଜରୁ ଲାଲ୍ ବର୍ଣ୍ଣରେ ପରିଣତ ହୋଇଯାଉଛି। ଅର୍ଥାତ ସେଠି ଏବେ ଜଙ୍ଗଲ କମ୍ ଓ ଖାଲି ପଡିଆ ପଡିଥିବା ଭୂମିର ମାତ୍ରା ଅଧିକ। ଗତ ୪ ବର୍ଷ ହେଲା ମାଡାଗାସ୍କର୍ ବର୍ଷାଭାବରୁ ମରୁଡି ଭୋଗୁଛି ଓ ପାଖାପାଖି ୧ ନିୟୁତ ଲୋକ ଭୀଷଣ ଓ ଭୟାବହ କୁପୋଷଣରେ ଆକ୍ରାନ୍ତ। ଖାଦ୍ୟଶସ୍ୟ ଅଭାବରୁ ଲୋକେ ବିଭିନ୍ନ କନ୍ଦା ଖୋଳି ଖାଉଥିଲେ। କିନ୍ତୁ ଧିରେଧିରେ ସେ ବି ସରି ଆସିବାରୁ ପୋକ-ଝିଣ୍ଟିକା ଏକାଠି କରି ଖାଉଛନ୍ତି। ବଜାରରେ ଯାହା ବି କିଛିକିଛି ମିଳୁଛି ତାହା ତିନି-ଚାରି ଗୁଣ ଅଧିକ ଦରରେ। ଏମିତିକି ଗୋଟେଗୋଟେ ଗାଁର ଲୋକ ଏହି ପୋକ ପାଇଁ ବି ଅନ୍ୟ ଗାଁ ଉପରେ ଆକ୍ରମଣ, ଚୋରି-ଡକାୟତି ଆଉ ଲୁଟପାଟ୍ କରୁଛନ୍ତି। ବିଶେଷଜ୍ଞଙ୍କ ମତରେ ମାଡାଗାସ୍କରର ଏହି ମରୁଡ଼ି ଜଳବାୟୁ ପରିବର୍ତ୍ତନ, ଗ୍ଲୋବାଲ ଓ୍ବାରମିଙ୍ଗ କାରଣରୁ ଦେଖାଦେଇଛି ଓ ଏହା ମାନବକୃତ। ଏଠି ବସବାସ କରୁଥିବା ଲୋକ ମୁଖ୍ୟତଃ ଜଙ୍ଗଲ, ଚାଷ ଓ ପର୍ଯ୍ୟଟନ ଉପରେ ନିର୍ଭର କରନ୍ତି। କିନ୍ତୁ ଗତ କିଛି ବର୍ଷ ଭିତରେ ସେଠି ବସବାସ କରୁଥିବା ଲୋକ ଚାଷ ଓ ବାସଭୂମି ପାଇଁ ବିନା ଦ୍ବିଧା ଓ ବିଚାରରେ ଜଙ୍ଗଲ ସଫା କରିବାରେ ଲାଗିଛନ୍ତି। ଆଉ ଏହି ପ୍ରକ୍ରିୟାରେ ଦେଶର ୮୦% ପ୍ରାକୃତିକ ଜଙ୍ଗଲ ନଷ୍ଟ ହୋଇଗଲାଣି। ଏବେ ମାଡାଗାସ୍କରର ମୋଟ ୧୨% ଭୂମିରେ ଜଙ୍ଗଲ ମହଜୁଦ ଅଛି। ଅଧିକ ଲାଭ ଆଶାରେ ବିରଳ ତଥା endemic ଔଷଧୀୟ ବୃକ୍ଷ ଓ ବନ୍ୟପ୍ରାଣୀଙ୍କ ଚୋରା ଚାଲାଣ ମଧ୍ଯ ଏଥି ପାଇଁ ଦାୟୀ। ବିଚାରହୀନ ଭାବରେ ଜଙ୍ଗଲ ସଫା କରିବା ଏବଂ ବର୍ଷା ନହେବା ଦ୍ବାରା ମରୁଡି ପରିସ୍ଥିତି ଉପୁଜିଛି ଓ କୃତ୍ରିମ ଧୁଳିଆ-ଲାଲ୍ ମରୁଭୂମି ସୃଷ୍ଟି ହେଉଛି। ବିଶେଷଜ୍ଞଙ୍କ ମତରେ ମାଡାଗାସ୍କରରେ ମଣିଷ ବସବାସ କରିବା ପାଖାପାଖି ୨୦୦୦ ବର୍ଷ ହେବ। ଅର୍ଥାତ ୮୮୦,୦୦୦୦୦ ବର୍ଷର ପକୃତିର ସ°ସାଧନକୁ ମଣିଷକୁ ନଷ୍ଟ କରିବାକୁ ୨୦୦୦ ବର୍ଷରୁ ବି କମ୍ ସମୟ ଲାଗିଲା। କିନ୍ତୁ ଯଦି ମଣିଷ ସେଇ ଜଙ୍ଗଲ, ବନ୍ୟପ୍ରାଣୀ, ଖଣିଜ, ସମୁଦ୍ର ଓ ପ୍ରକୃତିର ସ°ସାଧନକୁ ଭାବିଚିନ୍ତି ଆବଶ୍ୟକତା ଅନୁସାରେ ବ୍ୟବହାର କରିଥାନ୍ତା ତାହେଲେ ଆଜି ଏ ମରୁଡି କିମ୍ବା କୁପୋଷଣର ପରିସ୍ଥିତି ଦେଖାଯାଇନଥାନ୍ତା।
ଗତ ଶତାବ୍ଦୀରେ ମଣିଷ ନିଜର ବିଚାରହୀନ କାର୍ଯ୍ୟକଳାପ ଦ୍ବାରା ପରିବେଶ ଓ ପ୍ରାକୃତିକ ସମ୍ବଳ ଉପରେ ଭୟଙ୍କର ଓ ଦୁର୍ଭାଗ୍ୟଜନକ ପ୍ରଭାବ ପକାଇଛି। ଦୃତ ଗତିରେ ବଢୁଥିବା ଉଦ୍ୟୋଗୀକରଣ ଓ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ପାଇଁ ମଣିଷ ଜଙ୍ଗଲ ପରେ ଜଙ୍ଗଲ ନିର୍ଦ୍ବନ୍ଦ୍ବରେ କାଟି ଚାଲିଛି ଯାହାର କୁପ୍ରଭାବରେ ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ ଅନେକ ଭୟାନକ ପରିସ୍ଥିତି ଉପୁଜୁଛି। ଏହାର କେବଳ ଗୋଟିଏ ଉଦାହରଣ ହେଉଛି ମାଡାଗାସ୍କରର ଭୀଷଣ ମରୁଡ଼ି। ମଣିଷ ଦ୍ଵାରା ପ୍ରାକୃତିକ ସ°ସାଧନର ଅତ୍ୟଧିକ ବ୍ୟବହାର ପାଇଁ ଆଜି ପୃଥିବୀର ପ୍ରାୟ ୧୦୦୦୦୦ ଉଦ୍ଭିଦ ଓ ପ୍ରାଣୀ ବିଲୁପ୍ତପ୍ରାୟ। WWF ର ୨୦୨୦ର ରିପୋର୍ଟ ଅନୁସାରେ ୧୯୭୦ରୁ ୨୦୧୬ ମଧ୍ୟରେ ସରୀସୃପ, ଆମ୍ଫିବିଆନ୍, ମାଛ, ସ୍ତନ୍ୟପାୟୀ ପ୍ରାଣୀ ଓ ପକ୍ଷୀଙ୍କ ସଂଖ୍ୟାରେ ବିଶ୍ବବ୍ୟାପି ୬୮% ପର୍ଯ୍ୟନ୍ତ ହ୍ରାସ ଘଟିଛି। ଆଉ ଏସବୁ ଦ୍ବାରା ସବୁଠାରୁ ଅଧିକ ଓ ସା°ଘାତିକ ଭାବରେ ପ୍ରଭାବିତ ହୋଇଛି ମଧୁର ଜଳର ଇକୋସିଷ୍ଟମ୍। ୧୯୭୦ରୁ ୨୦୧୮ ମଧ୍ୟରେ ମଧୁର ଜଳର ଜୀବଜନ୍ତୁଙ୍କ ସ°ଖ୍ୟାରେ ୮୪% ହ୍ରାସ ଘଟିଛି। ସରୀସୃପ, ଆମ୍ଫିବିଆନ୍ ଓ ଛୋଟଛୋଟ ସ୍ତନ୍ୟପାୟୀ ଜୀବଙ୍କ ସ°ଖ୍ୟା ହ୍ରାସ ପାଇବା ଫଳରେ ଇନଭାସିଭ୍ ପ୍ରଜାତି (ମଶା, ମାଛି, ମୂଷା) ଗୁଡିକର ସ°ଖ୍ୟା ବଢୁଛି। ଆଉ ଏହି ଇନଭାସିଭ୍ ପ୍ରାଣୀ ମାନଙ୍କ ପାଇଁ (zoonotic disease ବ୍ୟାପିବା ଓ ଫସଲ ନଷ୍ଟ ହେବା) ୟୁନାଇଟେଡ୍ କି°ଗଡମ୍, ୟୁନାଇଟେଡ୍ ଷ୍ଟେଟ୍ସ, ଭାରତ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଏବଂ ଅଷ୍ଟ୍ରେଲିଆ ମିଳିତ ଭାବରେ ବାର୍ଷିକ ୩୧୬ ବିଲିୟନ୍ ଡଲାରର କ୍ଷତି ସହନ୍ତି।
ତୀବ୍ର ଉଦ୍ୟୋଗୀକରଣ, ସହରୀକରଣ ଓ ଜଙ୍ଗଲ ନଷ୍ଟ ପାଇଁ ଆଜି କେବଳ ଜଙ୍ଗଲ କିମ୍ବା ଭୂମି ନୁହେଁ, ସହାସାଗର ଗୁଡିକର ଇକୋସିଷ୍ଟମ୍ ମଧ୍ୟ ବିଗିଡିବାରେ ଲାଗିଛି। ଗ୍ଲୋବାଲ୍ଓ୍ବାର୍ମି, ଅତ୍ୟଧିକ ଗରମ, କମ୍ ବର୍ଷା, ବାରମ୍ବାର ଲଘୁଚାପ ଓ ସାମୁଦ୍ରିକ ଝଡ଼, ଭୁସ୍ଖଳନ, ମରୁଡି, ସହର ଭିତରେ କୃତ୍ରିମ ବନ୍ୟା, ଓଜନ ଲେୟାରରେ ଛିଦ୍ର ଓ ବର୍ଦ୍ଧିଷ୍ଣୁ ୟୁଭି ଇଣ୍ଡକ୍ସ, କୃତ୍ରିମ ନୂତନ ମରୁଭୂମି ସୃଷ୍ଟି, ନଦୀ ଗୁଡିକ ନିଜର ଆକାର ହରାଇବା ତଥା ଶସ୍ୟଭଣ୍ଡାର କ୍ଷୟ, ଏସବୁ ହେଉଛି ମଣିଷର ନ ଭାବି ନ ଚିନ୍ତି ପୃଥିବୀ ପୃଷ୍ଠରେ ଉପଲବ୍ଧ ପ୍ରାକୃତିକ ସ°ସାଧନ ଗୁଡିକର ଅତ୍ୟଧିକ ମାତ୍ରାରେ ବ୍ୟବହାର କରିବାର ପରିଣାମ। ତେଣୁ ପ୍ରକୃତି ଓ ତା'ର ସ°ସାଧନ ଏବଂ ଶକ୍ତି ଉତ୍ସ ଗୁଡିକର ସ°ରକ୍ଷଣର ଆବଶ୍ୟକତା ରହିଛି। ସ°ରକ୍ଷଣ ମୂଳତଃ ଦୁଇ ପ୍ରକାରର ହୋଇଥାଏ- "ଇନ୍-ସିଟୁ", ଯେଉଁଥିରେ ପ୍ରାଣୀ ଓ ଉଦ୍ଭିଦ ଓ ଇକୋସିଷ୍ଟମର ଦେଖାରଖା ସେମାନଙ୍କ ପ୍ରାକୃତିକ ବାସସ୍ଥଳୀ ବା ପ୍ରାକୃତିକ ଉପାୟରେ ସେମାନେ ଯେଉଁଠି ଦେଖାଯାଆନ୍ତି ସେଇଠି ସେମାନଙ୍କୁ ସୁରକ୍ଷା ଦେବାକୁ ଓ ସ°ରକ୍ଷିତ କରିବାକୁ ଚେଷ୍ଟା କରିବା। ଏବଂ ଦ୍ୱିତୀୟ ଉପାୟଟି "ଏକ୍ସ-ସିଟୁ", ଅର୍ଥାତ ପ୍ରାଣୀ- ଉଦ୍ଭିଦ-ଇକୋସିଷ୍ଟମ୍ ପାଇଁ ଗୋଟିଏ ନୂତନ ବାସସ୍ଥଳୀ ବା ସ°ରକ୍ଷିତ ସ୍ଥାନ ସୃଷ୍ଟି କରି ସେମାନଙ୍କୁ ସୁରକ୍ଷିତ ରଖିବା, ଯେମିତି ପ୍ରାଣୀଉଦ୍ୟାନ/ ଚିଡିଆଖାନା, ଉଦ୍ଭିଦ ଉଦ୍ୟାନ/ବୋଟାନିକାଲ୍ ଗର୍ଡେନ୍ ଓ ସିଡ୍ ବ୍ୟାଙ୍କ୍। ପୃଥିବୀର ପ୍ରାକୃତିକ ସମ୍ପଦ ଭିତରେ ବନ୍ୟଜନ୍ତୁ, ଉଦ୍ଭିଦ ସହ ମୃତ୍ତିକା, ଜଳ, ବାୟୁ ଏବଂ ଖଣିଜ ପଦାର୍ଥ ମଧ୍ୟ ଅନ୍ତର୍ଭୁକ୍ତ। ସ°ରକ୍ଷଣର ଅର୍ଥ ହେଉଛି, ଏହି ଶକ୍ତି ଉତ୍ସ ଗୁଡିକର ଯତ୍ନନେଇ ଆଗାମୀ ପିଢ଼ି ଓ ଭବିଷ୍ୟତ ପାଇଁ ସୁରକ୍ଷିତ ଓ ଉପଯୋଗୀ ବନାଇ ରଖିବା। ଏହା ଛଡ଼ା ଇକୋସିଷ୍ଟମକୁ ସୁରକ୍ଷିତ ରଖି ଏହାର କାର୍ଯ୍ୟକ୍ଷମତାକୁ ବଜାୟ ରଖିବା। ଅନେକ ସମୟରେ ସମସ୍ତେ କନଜରଭେସନ୍ ଓ ପ୍ରିଜରଭେସନ୍ ମଧ୍ୟରେ ଦ୍ବନ୍ଦ୍ବରେ ପଡନ୍ତି। କନଜରଭେସନର ଅର୍ଥ, ପ୍ରାକୃତିକ ସ°ସାଧନ ଗୁଡିକର ବିଚାରବନ୍ତ ଭାବରେ ଦୀର୍ଘକାଳୀନ ବ୍ୟବହାର ପାଇଁ ମଣିଷ ନେଉଥିବା ପଦକ୍ଷେପ। କିନ୍ତୁ ପ୍ରିଜରଭେସନର ଅର୍ଥ, ମାନବ କାର୍ଯ୍ୟକଳାପ ନିଷିଦ୍ଧ ସ°ରକ୍ଷିତ ସ୍ଥାନ ବା ପଦକ୍ଷେପ। କେବଳ ମାଡାଗାସ୍କରର ଉଦାହରଣରୁ ଆମେ ବୁଝିପାରିବା ଯେ, ମଣିଷର ବଞ୍ଚିରହିବା ଏବଂ ତା'ର ଅସ୍ତିତ୍ୱ ବଜାୟ ରଖିବା ପାଇଁ ପ୍ରକୃତିର ସ°ରକ୍ଷଣ କେତେ ଆବଶ୍ୟକ। ଯଦି ଆପଣଙ୍କର ଛୋଟ ବେଳେ ପଢିଥିବା ଖାଦ୍ୟ ଶୃଙ୍ଖଳାର ଚିତ୍ର ମନେ ଥିବ ତେବେ ଏହା ବେଶ୍ ଭଲରେ ବୁଝିପାରିବେ। ତେଣୁ ମଣିଷ ତିଷ୍ଠି ରହିବା ପାଇଁ ପ୍ରକୃତିର ବିବିଧତା ବା ବାୟୋଡାଇଭରସିଟି ତଥା ପ୍ରକୃତି ବା ଇକୋସିଷ୍ଟମ୍ ସହ ତା'ର ସମନ୍ବୟ ରକ୍ଷା ମଧ୍ୟ ଅତି ଜରୁରୀ। ଯଦିଓ ବିଗତ କିଛି ବର୍ଷ ଭିତରେ ପ୍ରକୃତି ଓ ତା'ର ସ°ରକ୍ଷଣକୁ ନେଇ ସଚେତନତା ବଢିଛି, କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ (ଯେମିତିକି ଆମ ରାଜ୍ୟରେ ଏକ କୋଟି ପଞ୍ଛାଅଶି ଲକ୍ଷ ସାତଶହ ଅଠଚାଳିଶଟି କଟା ଯାଇଥିବା (ରେକର୍ଡ ଅନୁସାରେ, କେବଳ ସଡକ ନିର୍ମାଣ ପାଇଁ) ବୃକ୍ଷ ବଦଳରେ ଅଣତିରିଶ ଲକ୍ଷ ତେୟାଅଶୀ ହଜାର ପାଞ୍ଚଶହ ତେସ୍ତୋରୀଟି ଚାରା ରୋପଣ କରାଯାଇଛି) ପରି। ପ୍ରକୃତି ପ୍ରତି ଆମକୁ ଆହୁରି ସମ୍ବେଦନଶୀଳ ହେବାକୁ ପଡିବ। ନହେଲେ ତା'ର ପରିଣାମ ଆମ ସାମନାରେ ମାଡାଗାସ୍କର୍ ହିସାବରେ ଅଛି। ଯଦି ଆମେ ଏବେ ବି ସ°ରକ୍ଷଣ ଉପରେ ଜୋର୍ ଦେବାନି ତା' ହେଲେ କିଛି ବର୍ଷ ଭିତରେ ଆମ ପୃଥିବୀ ଗୋଟିଏ ଧୂସର, ଧୂଳିଆ, ଉତ୍ତପ୍ତ ମରୁଭୂମିରେ ପରିଣତ ହୋଇଯିବ। ଥରେ ଆମ ଜାତିର ପିତା ମହାତ୍ମାଗାନ୍ଧୀ କହିଥିଲେ, "ପ୍ରତ୍ୟେକ ମଣିଷର ଆବଶ୍ୟକତା ପାଇଁ ପୃଥିବୀ ବା ପ୍ରକୃତି ପାଖରେ ଭରପୂର ସ°ସାଧନ ଅଛି। ହେଲେ ମଣିଷର ଲୋଭକୁ ମେଣ୍ଟେଇ ପାରିବା ପାଇଁ ଏହା ବହୁତ କମ୍।"
ରାଜ୍ୟ ଉଦ୍ଭିଦ ଉଦ୍ୟାନ ଆଗରେ ଲଗା ଯାଇଥିବା ବୋର୍ଡର ଓ୍ବାନ୍ ଲାଇନର୍ ଲେଖିବା ଆଗରୁ ଦାୟିତ୍ବରେ ଥିବା ବ୍ୟକ୍ତି ଜଣକ ମାଡାଗାସ୍କର୍ ଉପରେ ଆଧାରିତ ଡକ୍ୟୁମେଣ୍ଟାରୀଟି ଦେଖିଥିଲେ କି ନାହିଁ ମୁଁ ଜାଣେନି, କିନ୍ତୁ ବିଶ୍ବର ବିଭିନ୍ନ କ୍ଷୟ ହୋଇଯାଇଥିବା ଜଙ୍ଗଲ ଏବଂ ସେଠିକାର ଅଧିବାସୀଙ୍କ ପରିସ୍ଥିତି ଦେଖିଲେ ସେହି ବାକ୍ୟଟି ଏକଦମ ଠିକ୍ ମନେ ହୁଏ। କିନ୍ତୁ ସବୁ ଦାୟିତ୍ୱ ଏବଂ ଦୋଷ ଯେ ସରକାର କିମ୍ବା ସରକାରୀ ବିଭାଗ ଉପରେ ଲଦିଦେଇ ବସିଗଲେ ଯେ ସମାଧାନ ହୋଇଯିବ ତାହା ମଧ୍ୟ ନୁହେଁ। ଚେଷ୍ଟା ପ୍ରଥମେ ନିଜ ସ୍ତରରୁ ହେବା ଆବଶ୍ୟକ। ଏବେ ଆମକୁ ବୁଝିବାକୁ ପଡିବ ଯେ " ଜଙ୍ଗଲ ବଞ୍ଚିଲେ, ଆମେ ବଞ୍ଚିବା"!
(ମାଡାଗାସ୍କରର ମରୁଡି ଓ ଅପରିସ୍ଥିତି ବିଷୟରେ documentary ଓ video ଖୋଜି ଦେଖିବା ଦାୟିତ୍ୱ ଆପଣଙ୍କର। ଖବରର ଖବର ରଖନ୍ତୁ, WhatsApp କିମ୍ବା YouTube videoକୁ ବିଶ୍ୱାସ କରିବା ଆଗରୁ ତଥ୍ୟ ଯାଞ୍ଚ କରନ୍ତୁ)