ପିକଚର୍ ଅଭି ବାକି ହୈ ଦୋସ୍ତ -୨
ଏହା ପୁର୍ବରୁ ଆମେ ଆଦାନୀ କମ୍ପାନୀ ଓ ହିଣ୍ଡେନବର୍ଗ ରିପୋର୍ଟ ସମ୍ବନ୍ଧରେ ଆଲୋଚନା କରିଥିଲୁ । ବିଷୟର ଶୀର୍ଷକ ଥିଲା 'ପିକ୍ଚର୍ ଅଭି ବାକି ହୈ ଦୋସ୍ତ' । ଏହି ଲେଖାଟି ହେଉଛି ତାହାର ଦ୍ବିତୀୟ ଓ ଶେଷ ଭାଗ । କିନ୍ତୁ ତାହା ପରେ ଯେ ଏ ବିଷୟରେ ଆଉ ଲେଖିବାର କାରଣ ରହିବ ନାହିଁ, ସେ କଥା କହି ହେବ ନାହିଁ। କାରଣ ଏହାର କେତେକ ବିନ୍ଦୁ ଉପରେ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟ ଏକ ଛଅ ଜଣିଆ କମିଶନ ଗଠନ କରିବା ପରେ ଏହି କମିଶନର ସଦସ୍ୟ ଭାବେ ଯେଉଁ ମାନେ ନିଯୁକ୍ତ ପାଇଛନ୍ତି ସେମାନଙ୍କ ଅତୀତକୁ ଦେଖି ସେମାନଙ୍କ ନିସ୍ଫକ୍ଷତା ଉପରେ ମଧ୍ୟ ବିଭିନ୍ନ ଲୋକ ପ୍ରଶ୍ନ ଉଠାଉଛନ୍ତି। ତେବେ ସେ ବିଷୟ ପରେ ଆଲୋଚନା କରା ଯାଇପାରେ ।
ହିଣ୍ଡେନବର୍ଗ ରିପୋର୍ଟରେ କୁହାଯାଇଛି ଆଦାନୀ କରିଥିବା ଠକେଇ ହେଉଛି ଦୁନିଆର କମ୍ପାନୀ ଇତିହାସରେ ସର୍ବବୃହତ ଠକେଇ । ନଚେତ୍ ତିନି ବର୍ଷର ମଧ୍ୟରେ ଆଦାନୀର ସେୟାର ଦରରେ ଏମିତି ଅଚାନକ କେମିତି ବୃଦ୍ଧି ହେଲା ଯେ ତା'ର ସମ୍ପତ୍ତିରେ ୧୦୦ ବିଲିଅନ୍ ଡଲାର ବୃଦ୍ଧି ହେଲା ଓ କୋଭିଡ କାଳ ତା ପାଇଁ ଅମୃତ କାଳ ହୋଇଗଲା ? ଏନଡିଟିଭିକୁ କିଣିବା ଭଳି ଆଦାନୀ ହିଣ୍ଡେନବର୍ଗ ରିସର୍ଚ୍ଚ କମ୍ପାନୀକୁ କିଣିନେବାର ସମ୍ଭାବନା ତ ବିଲକୁଲ୍ ନାହିଁ। ଜବାବରେ ଆଦାନୀ ଏହାକୁ ଦେଶ ଉପରେ ଆକ୍ରମଣ କହି ଜାତୀୟ ପତାକାରେ ହାତ ପୋଛିଚି । କିନ୍ତୁ ଜାତୀୟ ପତାକା ଏମିତି ଗୋଟିଏ ଟାଉଲ୍ ନୁହେଁ ଯେଉଁଥିରେ କୈାଣସି ଭ୍ରଷ୍ଟାଚାରୀ ନେତା କିମ୍ବା କମ୍ପାନୀ ମାଲିକ ଆସି ହାତ ପୋଛିନେବ । ବର୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କେଉଁମାନଙ୍କ ଟଙ୍କା ବିଦେଶରେ ଥିବା ସେଲ୍ କମ୍ପାନୀ ଜରିଆରେ ଆସି ଆଦାନୀ କମ୍ପାନୀରେ ଲାଗିଛି ? ଆପ୍ ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଦିଲ୍ଲୀ ବିଧାନସଭାରେ ଦେଇଥିବା ତାଙ୍କ ଭାଷଣରେ ସନ୍ଦେହ ପ୍ରକାଶ କରି ପ୍ରଶ୍ନ ଉଠାଇଛନ୍ତି ଯେ ସେ ଟଙ୍କା ମୋଦୀଙ୍କର କିମ୍ବା ବିଜେପିର ନୁହେଁ ତ ? ଏହି ପ୍ରଶ୍ନ ଲୋକସଭାରେ ରାହୁଲ ଗାନ୍ଧୀ ପଚାରିବାରୁ ତାଙ୍କ ମାଇକ୍ ବନ୍ଦ କରି ଦିଆଗଲା ଓ ତାହାକୁ ରେକର୍ଡରୁ ବାହାର କରି ଦିଆଗଲା । ପରେ ଯେପରି ଭାବେ ତରବରରେ ତାଙ୍କୁ ଲୋକସଭା ସଭ୍ୟପଦରୁ ବଞ୍ଚିତ କରାଗଲା ତାହାକୁ ଲୋକସଭାରେ ସେ ପ୍ରଶ୍ନ କରିଥିବା ଘଟଣାରୁ ଅଲଗା କରି ଦେଖିବା କଷ୍ଟକର ଅଟେ। ପ୍ରଥମେ ଚାଲନ୍ତୁ ଦେଖିବା ଆଦାନୀର ବିଭିନ୍ନ କମ୍ପାନୀକୁ ବିଦେଶରୁ କେମିତି ଟଙ୍କା ଆସି ପଶିଲା, ଯାହା ହିଣ୍ଡେନବର୍ଗ ଦେଖି ପାରିଲା କିନ୍ତୁ ମୋଦୀ ସରକାରଙ୍କ ବିଭିନ୍ନ ଯାଞ୍ଚ ଏଜେନ୍ସି ଏପର୍ଯ୍ୟନ୍ତ ବି ଦେଖି ପାରୁ ନାହାନ୍ତି।
ଭାରତରେ ଥିବା କେତେକ ବ୍ୟକ୍ତି ଓ କମ୍ପାନୀ ବିଭିନ୍ନ ଠକେଇ ମାଧ୍ୟମରେ ବିଦେଶରେ ନିଜର ଟଙ୍କା ଗୁପ୍ତ ଭାବରେ ରଖିଥାନ୍ତି । ମନେ କରନ୍ତୁ ଗୋଟିଏ ଭାରତୀୟ କମ୍ପାନୀ ବିଦେଶରେ ଥିବା ଏକ କମ୍ପାନୀ ଠାରୁ ଏକ ନିର୍ଦ୍ଦିଷ୍ଟ ଦରରେ କଞ୍ଚାମାଲ କିଣିବ ବୋଲି ଗୁପ୍ତ ବୁଝାମଣା କଲା । କିନ୍ତୁ ସେ କମ୍ପାନୀ କଞ୍ଚାମାଲ ସହିତ ଯେଉଁ ବିଲ୍ ପଠାଇଲା ସେଥିରେ ଅଧିକ ଦର ରହିଲା । ଭାରତୀୟ କମ୍ପାନୀ ବିଲ୍ ଅନୁସାରେ ଟଙ୍କା ଦେଲା । ଏଣେ ବିଦେଶୀ କମ୍ପାନୀଟି ଆଗରୁ ହୋଇଥିବା ଗୁପ୍ତ ବୁଝାମଣା ଅନୁସାରେ ନିଜ ଟଙ୍କା ରଖି ବାକି ଟଙ୍କା ଭାରତୀୟ କମ୍ପାନୀର ବିଦେଶୀ ବ୍ୟାଙ୍କର ଏକ ଗୁପ୍ତ ଆକାଉଣ୍ଟରେ ରଖିଦେବ । ଏହି ପରି ଭାବେ ଗୋଟିଏ ଅନେକ ଭାରତୀୟ କମ୍ପାନୀ ଗୁପ୍ତ ଭାବରେ ନିଜର ଟଙ୍କା ବିଦେଶରେ ରଖନ୍ତି । ଅବଶ୍ୟ ବିଦେଶରେ କଳାଟଙ୍କା ରଖିବାର ଆହୁରି ଅନେକ ପ୍ରକାରର ଉପାୟ ଅଛି ।
ପରେ ସେହି କଳାଟଙ୍କା ମରିସସ୍, ସିଙ୍ଗାପୁର, କାରବିଆନ୍ ଦେଶ, ୟୁଏଇ ଭଳି ଦେଶରେ ଥିବା ସେଲ୍ କମ୍ପାନୀରେ ଲାଗେ । ଏହି ସବୁ ସେଲ୍ କମ୍ପାନୀଗୁଡିକର ନା କୈାଣସି ନିଜସ୍ଵ ବ୍ୟବସାୟ ଥାଏ, ନା କୈାଣସି କର୍ମଚାରୀ ଥାଆନ୍ତି ନା କୈାଣସି ଓ୍ବେବସାଇଟ୍ ଥାଏ । ସେହିସବୁ ସେଲ୍ କମ୍ପାନୀ ଗୁଡ଼ିକ ଭାରତରୁ ଯାଇଥିବା କଳାଟଙ୍କାରେ ଭାରତରେ ଥିବା କମ୍ପାନୀ ଗୁଡ଼ିକର ସେୟାର କିଣି ଥାନ୍ତି । ହିଣ୍ଡେନବର୍ଗ ରିପୋର୍ଟ ଅନୁସାରେ, ଆଦାନୀ ନିଜର ବିଦେଶରେ ଗଚ୍ଛିତ କଳାଧନକୁ ସେଲ୍ କମ୍ପାନୀ ଜରିଆରେ ନିଜ କମ୍ପାନୀର ସେୟାର କିଣିବାରେ ଲଗାଇଛି । ଏସବୁ ବହୁ ଦିନରୁ ଚାଲିଥିଲେ ମଧ୍ୟ, ଯେହେତୁ ତାଙ୍କ ବନ୍ଧୁ ପ୍ରଧାନମନ୍ତ୍ରୀ ଅଛନ୍ତି , ତେଣୁ ଇଡି, ସିବିଆଇ, ଡିଆରଆଇ, ସାଇଫୋ ଓ ଇନକମ୍ ଟ୍ୟାକ୍ସ ବିଭାଗ ଆଦି ସେସବୁରୁ ମୁହଁ ଫେରାଇ ଆଣୁଛନ୍ତି।
ମୋଦିଙ୍କ ବନ୍ଧୁତା କେବଳ ଗୈାତମ ଆଦାନୀ ପର୍ଯ୍ୟନ୍ତ ସୀମିତ ରହି ନାହିଁ। ଗୈାତମ ଆଦାନୀର ସମୁଦି ଜତୀନ ମେହେଟା ମଧ୍ୟ ଏହି ବନ୍ଧୁତ୍ବରୁ ଲାଭ କରିଛନ୍ତି । ବିଭିନ୍ନ ସରକାରୀ ବ୍ୟାଙ୍କରୁ ୭୦୦୦ କୋଟି ଟଙ୍କା ଲୁଟ କରି ଏ ଲୋକ ବିଦେଶରୁ ସୁନା ଆମଦାନୀ କରି ଦୁବାଇ ସ୍ଥିତ ୧୩ଟି କମ୍ପାନୀକୁ ଅଳଙ୍କାର ରପ୍ତାନି କରିଥିଲା । ଏହି ୧୩ଟି କମ୍ପାନୀ ଟଙ୍କା ଦେଲେ ନାହିଁ କହି ସେ ବ୍ୟାଙ୍କ ଋଣ ସୁଝିଲା ନାହିଁ। ଯେତେବେଳେ ଜଣା ପଡ଼ିଲା ସେହି ୧୩ଟି କମ୍ପାନୀର ମାଲିକ ଆଉ କେହି ନୁହେଁ, ନିଜେ ଜତୀନ ମେହେଟ୍ଟା, ସେତେବେଳେ ସେ ଦେଶ ଛାଡି ଅନ୍ୟ ଦେଶର ନାଗରିକ ହୋଇଗଲା। ସେଥିପାଇଁ ଭାରତ ସରକାରଙ୍କ ଠାରୁ ତାକୁ ଏନଓସି ମଧ୍ୟ ମିଳିଗଲା । ଘଟଣା ଜଣାପଡ଼ିବାର ତିନି ବର୍ଷ ପରେ ସିବିଆଇ ଦ୍ବାରା ଆରମ୍ଭ ହୋଇଥିବା ତଦନ୍ତ ଏବେ ଥଣ୍ଡା ବାକ୍ସରେ ପଡ଼ିଛି । ହିଣ୍ଡେନବର୍ଗ ରିପୋର୍ଟ ଅନୁସାରେ ମଣ୍ଟୋରେସା ନାମକ ଏକ କମ୍ପାନୀ ମରିସସ ସ୍ଥିତ ବିଭିନ୍ନ ସେଲ୍ କମ୍ପାନୀରେ ଟଙ୍କା ଲଗାଇଛନ୍ତି , ଯେଉଁମାନେ ଜତୀନ ମେହେଟ୍ଟାଙ୍କ ସମୁଦି ଅଦାନୀଙ୍କ ସେୟାର କିଣିଛନ୍ତି । ମଣ୍ଟୋରେସା କମ୍ପାନୀ ସହିତ ଜତୀନ ମେହେଟ୍ଟାଙ୍କର ବିଭିନ୍ନ ଅନ୍ତଃରାଷ୍ଟ୍ରୀୟ ଯୁଗ୍ମ ବ୍ୟବସାୟ ରହିଛି । ଏହାର ମୋଟାମୋଟି ଅର୍ଥ ହେଉଛି, ଭାରତୀୟ ସରକାରୀ ବ୍ୟାଙ୍କର ଟଙ୍କା ଜତୀନ ମେହେଟ୍ଟା, ଦୁବାଇରେ ଥିବା ଜତୀନ ମେହେଟ୍ଟାଙ୍କ କମ୍ପାନୀ, ମଣ୍ଟୋରେସା ଓ ମରିସସର ସେଲ୍ କମ୍ପାନୀ ଦେଇ ଅଦାନୀର ବିଭିନ୍ନ କମ୍ପାନୀରେ ପଶିଛି ।
ଏହି ସେଲ୍ କମ୍ପାନୀଗୁଡିକ ଆଦାନୀ କମ୍ପାନୀ ଗୁଡ଼ିକର ସେୟାର କିଣିବାର ଉଦ୍ଦେଶ୍ୟ ହେଉଛି ସେୟାରର ଚାହିଦା ବଢ଼ାଇବା । ଗୋଟିଏ ସେୟାରର ଚାହିଦା ବଢିବା ସଙ୍ଗେ ସଙ୍ଗେ ସେୟାରର ଦାମ୍ ମଧ୍ୟ ବଢିଯାଏ । ଏହି ପରି ଭାବେ ଆଦାନୀ ନିଜର କଳାଟଙ୍କାରେ ନିଜର ସେୟାର କିଣି ନିଜ ସେୟାରର ଦାମ ବଢ଼ାଇଛି । ଏହି ସେୟାରର ଦାମ ବଢୁଥିବାର ଦେଖି ସାଧାରଣ ଲୋକେ ମଧ୍ୟ ଅଧିକ ଲାଭ ଆଶାରେ ଏହାର ସେୟାର କିଣିଛନ୍ତି । ସେମାନଙ୍କର ଦୁର୍ଭାଗ୍ୟ ଯେ ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ସେମାନେ କିଣିଥିବା ସେୟାର ଦାମ ଖସିବାରେ ଲାଗିଲା ଓ ଏହା ଦ୍ବାରା ସେମାନେ କ୍ଷତିଗ୍ରସ୍ତ ହେଲେ ।
ହିଣ୍ଡେନବର୍ଗ ରିପୋର୍ଟ ଆସିବା ପୁର୍ବରୁ ମଧ୍ୟ ଆଦାନୀ କମ୍ପାନୀ ଗୁଡ଼ିକରେ ସେଲ୍ କମ୍ପାନୀ ମାଧ୍ୟମରେ କଳା ଟଙ୍କା ପଶୁଛି ବୋଲି ତାହା ସେବି ଦ୍ବାରା ତଦନ୍ତ ପରିସରକୁ ଆସିଥିଲା । ସେବି ର କାମ ମଧ୍ୟ ଏଇଆ । ସେମାନେ ସବୁବେଳେ ନଜର ରଖିଥାନ୍ତି କାଳେ କେଉଁ କମ୍ପାନୀ ଠକାମୀ ଓ କୁତ୍ରିମ ଉପାୟରେ ନିଜ ସେୟାରର ଦାମ ବଢାଉଥିବ । ତେବେ ତିନି ବର୍ଷ ପୁର୍ବରୁ ସେହି ତଦନ୍ତ ଆରମ୍ଭ ହୋଇଥିବା ସତ୍ତ୍ଵେ ଆଜି ପର୍ଯ୍ୟନ୍ତ ତାହା ସରୁ ନାହିଁ । ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ସୂଚନା ଅଧିକାର ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଜଣା ପଡ଼ିଛି । ହିଣ୍ଡେନବର୍ଗ ରିପୋର୍ଟ ପରେ ଏବେ ଯେତେବେଳେ ସମ୍ପୂର୍ଣ୍ଣ ମାମଲାଟି ସୁପ୍ରିମକୋର୍ଟକୁ ଗଲା କୋର୍ଟ ଏହି ଯାଞ୍ଚ ୨ ମାସ ମଧ୍ୟରେ ସାରିବାକୁ ସେବିକୁ ଆଦେଶ ଦେଇଥିଲେ। କିନ୍ତୁ ଚଳିତ ସପ୍ତାହରେ ସେବି ପୁଣିଥରେ ଏଥିପାଇଁ ଅଧିକ ୬ ମାସ ସମୟ ଦେବାକୁ ସୁପ୍ରିମକୋର୍ଟ ପାଖରେ ପ୍ରାର୍ଥନା କରିଛି ।
ହିଣ୍ଡେନବର୍ଗ ରିପୋର୍ଟରୁ ଆଉ ଏକ କଥା ଜଣା ପଡ଼ିଛି । ଆଦାନୀ କମ୍ପାନୀସମୁହ ମଧ୍ୟରୁ ୫ଟି କମ୍ପାନୀ ଅଛନ୍ତି ଯେଉଁଗୁଡିକ ଅତ୍ୟଧିକ ଋଣରେ ବୁଡି ରହିଛନ୍ତି । ଏହି ୠଣର ଅନୁପାତ ୧ ଠାରୁ ମଧ୍ୟ କମ୍ । ଅର୍ଥାତ୍ ଏଗୁଡ଼ିକ ଏତେ ଋଣ କରିଛନ୍ତି ଯେ ସେଗୁଡ଼ିକ ସୁଝିବାକୁ ସେମାନଙ୍କ ପାଖରେ ସେତିକି ସମ୍ପତ୍ତି ନାହିଁ । ଭାରତୀୟ ବ୍ୟାଙ୍କରୁଏହି ସବୁ ଋଣ ଆଣିବା ପାଇଁ ଆଦାନୀ ଠକେଇ ବା କୃତ୍ରିମ ଉପାୟରେ ଦାମ ବଢାଇଥିବା ନିଜର ସେୟାରକୁ ବନ୍ଧକ ରଖିଛି । ଅର୍ଥାତ୍ ବ୍ୟାଙ୍କ ବନ୍ଧକ ଭାବରେ ଯେତିକି ଟଙ୍କାର ସେୟାର ରଖିଛି ସେଗୁଡିକର ଦାମ ସେତିକି ନୁହେଁ। ଭାରତୀୟ ବ୍ୟାଙ୍କରୁ ଯାଇଥିବା ମୋଟ ଋଣର ପରିମାଣ ପ୍ରାୟ ୮୦ ହଜାର କୋଟି ଟଙ୍କା। ଯଦି ଆଦାନୀ ଏହି ଋଣ ସୁଝି ପାରିବ ନାହିଁ ବ୍ୟାଙ୍କଗୁଡ଼ିକର ଅବସ୍ଥା ମଧ୍ୟ ସଙ୍କଟରେ ପଡ଼ିଯିବ ।
ରିପୋର୍ଟରୁ ଆଉ ମଧ୍ୟ ଜଣା ପଡ଼ିଛି ଯେ ଆଦାନୀର ୭ଟି ପ୍ରମୁଖ କମ୍ପାନୀ ମଧ୍ୟରୁ ୪ଟି ଏପରି ଅଛନ୍ତି ଯେଉଁମାନଙ୍କ ନଗଦ ସ୍ରୋତ ନେଗେଟିଭ ହୋଇ ସାରିଛି । ଅର୍ଥାତ୍ ଯେତିକି ଆୟ ହେଉଛି ତାଠାରୁ ଅଧିକ ଖର୍ଚ୍ଚ ହେଉଛି ।
ଆଦାନୀ କମ୍ପାନୀସମୁହର ୨୦ ଜଣ ମୂଖ୍ୟ ମାଲିକ , ବା ଯେଉଁମାନେ ସବୁଠାରୁ ବେଶୀ ସେୟାରର ମାଲିକ । ସେଥିରୁ ୮ ଜଣ ହେଉଛନ୍ତି ଆଦାନୀ ପରିବାରର । ସେମାନଙ୍କ ପାଖରେ ସମୁଦାୟ ସେୟାରର ୭୩% ଅଛି । ବାକି ୨୭%ରୁ ୧୫% ସେୟାର ମରିସସର ସେଲ୍ କମ୍ପାନୀ କିଣିଛନ୍ତି ଯାହାକୁ ଆଦାନୀ ପରିବାର ଗୁପ୍ତ ଭାବରେ ନିୟନ୍ତ୍ରଣ କରୁଛନ୍ତି। ବାକି ୧୨% ସେୟାରରୁ ଅନେକ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଭାରତୀୟ ଜୀବନ ବୀମା ନିଗମ କିଣିଛନ୍ତି । ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଏସବୁ ସରକାରୀ ବ୍ୟାଙ୍କ ଗୁଡ଼ିକର ସେୟାର ଦାମ୍ ଖସି ଆସିଛି । ସାଧାରଣ ସେୟାର ଗ୍ରାହକଙ୍କ ପାଖରେ ମାତ୍ର ୩-୫% ସେୟାର ଅଛି। ନିଜ ପରିବାରର ହିତରେ କମ୍ପାନୀ ଗୁଡ଼ିକର ସବୁ ନିଷ୍ପତ୍ତି ନିଜେ ନେଉଛନ୍ତି । ଆଇନ୍ ଦୃଷ୍ଟିରୁ ଏହି କମ୍ପାନୀଗୁଡ଼ିକ ତାହା ସେୟାର ହୋଲ୍ଡରଙ୍କ ଜାଣିବା ନିମନ୍ତେ ଘୋଷଣା କରିବା କଥା । ମାତ୍ର ଏହି ତଥ୍ୟ ଲୁଚାଯାଇଛି ।
୨୦୦୫ ମସିହାରେ ଡାଇରେକ୍ଟରେଟ୍ ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ ଗୈାତମ ଆଦାନୀର ଛୋଟ ଭାଈ ରାଜେଶ ଆଦାନୀକୁ ହୀରା ବ୍ୟବସାୟରେ ଠକେଇ କରିଥିବା ଅଭିଯୋଗରେ ଦୁଇଥର ଗିରଫ କରିଥିଲା । ଏହି ମହାନ୍ କୃତ୍ତିତ୍ବ ପରେ ସେ ଆଦାନୀ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ହୋଇଗଲା।
ହିଣ୍ଡେନବର୍ଗ ମରିସସରେ ଥିବା ୩୮ଟି କମ୍ପାନୀକୁ ଚିହ୍ନଟ କରିଛି ଯେଉଁ ଗୁଡିକ ଗୈାତମ ଆଦାନୀର ବଡ଼ଭାଇ ବିନୋଦ ଆଦାନୀର ନିୟନ୍ତ୍ରଣରେ ଅଛି । ଏସବୁ କମ୍ପାନୀ ଗୁଡ଼ିକର ନା କୈାଣସି ପକ୍କା କାଗଜ ଅଛି, ନା ସେଗୁଡିକ କି ବ୍ୟବସାୟ କରୁଛନ୍ତି ଜଣାଅଛି ନା ସେଥିପାଇଁ ଟଙ୍କା କୁଆଡୁ ଆସିଲା ଜଣା ଅଛି । କିନ୍ତୁ ସେହି କମ୍ପାନୀଗୁଡିକ ଆଦାନୀ କମ୍ପାନୀସମୁହର ସେୟାର କିଣି ସେଥିରେ ବିଲିଅନ୍ ବିଲିଅନ୍ ଡଲାରର ପୁଞ୍ଜି ନିବେଶ କରି ଚାଲିଛନ୍ତି।
ହିଣ୍ଡେନବର୍ଗ ରିପୋର୍ଟ ଆଦାନୀ କମ୍ପାନୀର ଅଡିଟ୍ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି । କମ୍ପାନୀମାନେ ଅଡିଟ୍ ପାଇଁ ଚାର୍ଟାର୍ଡ ଆକାଉଣ୍ଟ ରଖିଥାନ୍ତି । ବଡ଼ କମ୍ପାନୀମାନେ ବଡ଼ ବଡ଼ ଓ ନାମକରା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଫାର୍ମ ରଖିଥାନ୍ତି ଯେଉଁମାନେ କମ୍ପାନୀ ଠାରୁ ଟଙ୍କା ନେଇ ସବୁକିଛି ଠିକ୍ ଓ ବଢିଆ ଅଛି ଦର୍ଶାଇ ଭୁଲ୍ ଅଡିଟ୍ ରିପୋର୍ଟ ଦିଅନ୍ତି ନାହିଁ ଓ ନିଜର ସୁନାମ ଖରାପ କରନ୍ତି ନାହିଁ । ମାତ୍ର ଆଦାନୀ ସମୂହର ଆକାର ଏତେ ବିଶାଳ ଥିବା ସତ୍ତ୍ବେ ଶାହ ଧନଦାରିଆ ନାମକ ସେମାନେ ଯେଉଁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଫାର୍ମ ନିଯୁକ୍ତ କରିଛନ୍ତି ତାହାର ଆକାର ବହୁତ ଛୋଟ । ଏହି ଫାର୍ମରେ ମାତ୍ର ୪ ଜଣ ପାର୍ଟିନର ଅଛନ୍ତି ଓ ଏଥିରେ କାମ କରୁଥିବା କର୍ମଚାରୀଙ୍କ ସଂଖ୍ୟା ହେଉଛି ମାତ୍ର ୧୧ । ତେଣୁ ନିଶ୍ଚିତ ଭାବରେ ସନ୍ଦେହ ହେବ ଯେ ଆଦାନୀ ଗୋଟିଏ ଛୋଟିଆ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଫାର୍ମ ଦ୍ବାରା ନିଜ କମ୍ପାନୀଗୁଡିକ ବିଷୟରେ ଏକ ଭୁଲ୍ ଓ ଗୋଲାପି ଚିତ୍ର ପ୍ରସ୍ତୁତ କରୁଥିଲା ଯାହା ସେୟାରଧାରକ ଓ ଋଣଦାତାମାନଙ୍କୁ ଆକୃଷ୍ଟ କରୁଥିଲା । ଏ ସନ୍ଦେହ ଆହୁରି ଘନିଭୂତ ହେଲା ଯେତେବେଳେ ଦେଖାଗଲା ଯେ ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଫାର୍ମର ଓ୍ବେବସାଇଟ୍ ବନ୍ଦ ହୋଇଗଲା ।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ସାଧାରଣ ଲୋକଙ୍କ ଠାରୁ ଟଙ୍କା ନେଉଥିବା ଏଲଆଇସି ଓ ଆଦାନୀ ମଧ୍ୟରେ ଥିବା ସମ୍ପର୍କକୁ କ'ଣ କୁହାଯିବ ? ସରକାରଙ୍କ କହିବାରେ ଏଲଆଇସି ଚାଲେ । ଯେତେଗୁଡିଏ ବୀମା କମ୍ପାନୀ ଆଦାନୀ କମ୍ପାନୀସମୁହର ସେୟାର କିଣିଛନ୍ତି ସେଥିରୁ ୯୮% କିଣିଛି କେବଳ ଏଲଆଇସି । ସେପ୍ଟେମ୍ବର ୨୦୨୦ରୁ ଏପର୍ଯ୍ୟନ୍ତ ଏଲଆଇସି ଆଦାନୀ କମ୍ପାନୀସମୁହରେ ଦଶଗୁଣ ଟଙ୍କା ଲଗାଇଛି । ୭୩୦୦ କୋଟି ଟଙ୍କାରୁ ଏହି ଟଙ୍କା ୭୨୦୦୦ କୋଟି ଟଙ୍କାରେ ଏହା ପହଞ୍ଚିଛି । ଅନ୍ୟ ମ୍ୟୁଚୁଆଲ୍ ଫଣ୍ଡ ଆଦାନୀ ଠାରୁ ଦୂରରେ ରହୁଥିବା ବେଳେ ଏଲଆଇସି କାହିଁକି ଏଥିରେ ଟଙ୍କା ଲଗାଉଛି ? ଏତେବଡ ହଙ୍ଗାମା ହେବା ପରେ ମଧ୍ୟ ଓ ଏଲଆଇସିର ୧୮୦୦୦ କୋଟି ଟଙ୍କା କ୍ଷତି ହେବା ପରେ ମଧ୍ୟ ଏଲଆଇସି ଆଦାନୀ କମ୍ପାନୀରେ ଟଙ୍କା ଲଗାଇ ଚାଲିଛି। କେବଳ ସେତିକି ନୁହେଁ, ସରକାରଙ୍କ ନିୟନ୍ତ୍ରଣରେ ଥିବା କର୍ମଚାରୀଙ୍କ ଭବିଷ୍ୟନିଧି ଟଙ୍କା ମଧ୍ୟ ଆଦାନୀ କମ୍ପାନୀରେ ଲାଗୁଛି ।
ପ୍ରଶ୍ନ ଉଠୁଛି ଯେ ଆଦାନୀ କମ୍ପାନୀର ଏତେସବୁ କେଳେଙ୍କାରୀ ଚାଲିଥିବା ବେଳେ ଯଦି ଗୋଟିଏ ବିଦେଶୀ କମ୍ପାନୀ ତାହାକୁ ଉଜାଗର କରି ପାରୁଛି ତେବେ ମୋଦୀଙ୍କ ନିୟନ୍ତ୍ରଣରେ ଥିବା ବିଭିନ୍ନ ଯାଞ୍ଚ ଏଜେନ୍ସି, ସେୟାର ମାର୍କେଟ ନିୟନ୍ତ୍ରକ ସେବି ଓ ଦେଶର ରିଜର୍ଭ ବ୍ୟାଙ୍କ କାହିଁକି ଏସବୁ ଧରି ପାରିଲେ ନାହିଁ ? ବିଦେଶୀ କମ୍ପାନୀ ଉଜାଗର କରିବା ପରେ ମଧ୍ୟ ଏସବୁ ଅନୁଷ୍ଠାନ କାହିଁକି ଥଣ୍ଡା ମନୋଭାବ ଦେଖାଉଛନ୍ତି ? ଏସବୁର କାରଣ ହେଉଛି ମୋଦୀ ଓ ଗୈାତମ ଆଦାନୀ ମଧ୍ୟରେ ବହୁ ଦିନରୁ ଚାଲି ଆସିଥିବା ନିବିଡ଼ ଦୋସ୍ତି ।
ମୋଦୀ ଶ୍ରୀଲଙ୍କା ଯାଇଥିଲେ । ସେଠିକାର ରାଷ୍ଟ୍ରପତି ରାଜପେକ୍ଷଙ୍କୁ ବାଧ୍ୟ କରି ସେଠିକାର ଉଇଣ୍ଡ ପ୍ରୋଜେକ୍ଟ ମୋଦି ଆଦାନୀକୁ ଦିଆଇଥିଲେ । ଶ୍ରୀଲଙ୍କାର ପାର୍ଲ୍ୟାମେଣ୍ଟ ଷ୍ଟାଣ୍ଡିଂ କମିଟି ଯେତେବେଳେ ବିଜୁଳି ବୋର୍ଡର ଚେୟାରମେନଙ୍କୁ ଡାକି ଏ ବିଷୟରେ ପଚାରିଥିଲେ ସେ ଏକଥା ମାନିଥିଲେ।
ମୋଦୀ ବଙ୍ଗଳାଦେଶ ଯାଇଥିଲେ । ସେତିକିବେଳେ ଗୈାତମ ଆଦାନୀ ବି ଯାଇଥିଲେ । ବଙ୍ଗଳାଦେଶ ୨୫ ବର୍ଷ ପାଇଁ ୧୫୦୦ ମେଗାୱାଟ ବିଦ୍ୟୁତ୍ ଆଦାନୀ ଠାରୁ କିଣିବ ବୋଲି ଚୁକ୍ତି ସ୍ବାକ୍ଷରିତ ହେଲା ।
ମୋଦୀ ଇସ୍ରାଏଲ ଯାଇଥିଲେ । ଇସ୍ରାଏଲ ସହିତ ଭାରତର ବହୁ ପ୍ରତିରକ୍ଷା ସଉଦା ରହିଛି। ଏହି ସମସ୍ତ ପ୍ରତିରକ୍ଷା ସଉଦା ପାଇଁ ଆଦାନୀ ପାର୍ଟନର ବନିଗଲା ।
ଦୁଇ ତିନି ବର୍ଷ ପୁର୍ବେ ଛଅଟି ସରକାରୀ ଏୟାରପୋର୍ଟ ନିଲାମି ହେଲା । ଏହି ନିଲାମିରେ ଗୋଟିଏ ସର୍ତ୍ତ ଥିଲା ଯେ ଏୟାରପୋର୍ଟ ବ୍ୟବସାୟରେ ଆଗରୁ ଅଭିଜ୍ଞତା ଥିବା କମ୍ପାନୀ ଏହି ନିଲାମିରେ ଭାଗ ନେଇ ପାରିବେ। ଆଦାନୀ କମ୍ପାନୀର ଏହି ଅଭିଜ୍ଞତା ନଥିଲା । ଶେଷ ମୁହୁର୍ତ୍ତରେ ଏହି ସର୍ତ୍ତକୁ ହଟାଇ ଦିଆଗଲା ଓ ସମସ୍ତ ୬ଟି ଯାକ ଏୟାରପୋର୍ଟ ଆଦାନୀକୁ ମିଳିଗଲା । ବର୍ତମାନ ଦେଶରେ ଯେତେ ଏୟାରପୋର୍ଟ ଅଛି ସେଥିରୁ ୩୦% ଏୟାରପୋର୍ଟର ମାଲିକ ହେଉଛି ମୋଦୀଙ୍କ ଦୋସ୍ତ ଆଦାନୀ ।
ଇଡି ଓ ସିବିଆଇ ଧମକ ଦେଇ ଆଦାନୀ ପାଇଁ ଅନ୍ୟଠାରୁ କମ୍ପାନୀ ଛଡେଇ ଅଣାଯିବାର ଘଟଣା ମଧ୍ୟ ଦେଖା ଯାଉଛି । ୨୦୧୮ ମସିହା ଅକ୍ଟୋବର ୧୦ ତାରିଖରେ ଘରୋଇ କ୍ରିଷ୍ଣାପଟନମ୍ ବନ୍ଦରରେ ଆୟକର ବିଭାଗର ଛାପା ପଡ଼ିଲା । ୨୦୨୦ ମସିହା ଏପ୍ରିଲ ୬ ତାରିଖରେ ସେହି ଏୟାରପୋର୍ଟକୁ ଆଦାନୀ କିଣି ନେଲା । ୨୦୨୦ ମସିହା ଡିସେମ୍ବର ୧୦ ତାରିଖରେ ଏସିସି ଓ ଅମ୍ବୁଜା ସିମେଣ୍ଟ କମ୍ପାନୀରେ ଛାପା ପଡ଼ିଲା । ୨୦୨୨ ମସିହା ଅକ୍ଟୋବର ୧୬ ତାରିଖରେ ଆଦାନୀ ସେହି ଦୁଇଟି କମ୍ପାନୀକୁ କିଣି ନେଲା । ୨୦୨୦ ଜୁଲାଇରେ ମୁମ୍ବାଇ ଏୟାରପୋର୍ଟ ମାଲିକ ଜିଭିକେ ଉପରେ ସିବିଆଇ ଓ ଇଡି ଛାପା ପଡ଼ିଲା। ତାହାର ଏକ ମାସ ପରେ ତାହା ଆଦାନୀ ପାଖକୁ ଚାଲିଗଲା।
ମୋଦୀ ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ସେମାନଙ୍କ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ପାଇଁ ଯେତିକି କୋଇଲା ଦରକାର ସେଥିରୁ ୧୦% ବିଦେଶରୁ ଆମଦାନୀ ହେଉଥିବା କୋଇଲା ହେବାକୁ ବାଧ୍ୟ। ବିଦେଶୀ କୋଇଲା ଭାରତକୁ କେବଳ ବିଦେଶରେ ଥିବା ଆଦାନୀ କମ୍ପାନୀ ରପ୍ତାନୀ କରୁଛି। ଆଦାନୀ କୋଇଲାର ଦାମ ଭାରତରେ ଅଭାବ ନଥିବା କୋଇଲା ଦାମ୍ ର ପ୍ରାୟ ୧୦ ଗୁଣ । ଯେମିତି ଗୁଜୁରାଟ ସରକାର ଏବେ ଆଠଗୁଣ ଅଧିକ ଦାମରେ ଆଦାନୀ ଠାରୁ ଆମଦାନୀ କୋଇଲା କିଣୁଛନ୍ତି ଅନ୍ୟ ରାଜ୍ୟ ମାନଙ୍କୁ ମଧ୍ୟ ତାହା କରିବାକୁ କୁହା ଯାଉଛି।
ଅପେକ୍ଷା କରାଯାଉଛି ସୁପ୍ରିମକୋର୍ଟରେ ଥିବା ମାମଲା କେଉଁ ଦିଗକୁ ଗତି କରୁଛି। କିନ୍ତୁ ମୋଦୀ ମନ୍ କୀ ବାତ୍ ଜରିଆରେ ଯେତେ ପଜିଟିଭିଟି ବାତାବରଣ ସୃଷ୍ଟି କରି ଲୋକଙ୍କୁ ତୁଲାଇବାକୁ ଚେଷ୍ଟା କଲେ ମଧ୍ୟ ଆଦାନୀ ଘୋଟାଲା ତାଙ୍କ ପିଛା ଛାଡ଼ିବ ନାହିଁ।