ସଂସଦରେ ଗଣତନ୍ତ୍ରର ପ୍ରବଚନ, ସଂସଦ ବାହାରେ ଖେଳାଳୀଙ୍କୁ ପ୍ରହାର

ସଂସଦରେ ଗଣତନ୍ତ୍ରର ପ୍ରବଚନ, ସଂସଦ ବାହାରେ ଖେଳାଳୀଙ୍କୁ ପ୍ରହାର

ଯେତେବେଳେ ରାଜକୀୟ ଠାଣିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସଂସଦର ନୂତନ ଗୃହ ଉଦଘାଟନ କରି ଏହାକୁ ନୂଆ ଭାରତର ନୂଆ ସ୍ଵପ୍ନର ସଙ୍କେତ ବୋଲି କହୁଛନ୍ତି, ଠିକ ସେହି ସମୟରେ ଭାରତର ପ୍ରଖ୍ୟାତ ଅଲିମ୍ପିକ୍ସ ପଦକ ବିଜେତା ଖେଳାଳୀମାନଙ୍କୁ ମୋଦୀ ସରକାର ଅଧୀନରେ ଥିବା ଦିଲ୍ଲୀ ପୁଲିସ ବର୍ବର ଭାବରେ ମାଡ ମାରି ସେମାନଙ୍କୁ ଗିରଫ କରୁଛି । ଏ ଦେଶର ସବୁଠୁ ନାମଜାଦା ଖେଳାଳୀ, ଯେଉଁମାନଙ୍କୁ ପ୍ରଧାନମନ୍ତ୍ରୀ ଦିନେ ନିଜର ଝିଅ ବୋଲି କହୁଥିଲେ, ସେମାନେ ମାସାଧିକ କାଳ ଜଣେ ଯୌନ ଅପରାଧୀ ରାଜନେତା ବିରୋଧରେ ଆନ୍ଦୋଳନ କରିଆସୁଛନ୍ତି

ମହିଳା କୁସ୍ତି ଖେଳାଳୀଙ୍କୁ ନିୟମିତ ଯୌନ ନିର୍ଯାତନା ଦେଇ ଆସୁଥିବା ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ସଂଘର ସଭାପତି ବ୍ରିଜଭୂଷଣ ଶରଣ ସିଂ ବିରୋଧରେ ଅସଂଖ୍ୟ ମହିଳା ଖେଳାଳୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ସତ୍ତ୍ୱେ ନରେନ୍ଦ୍ର ମୋଦୀ ସରକାର ତାଙ୍କ ଦଳର ସାଂସଦଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି । ବ୍ରିଜଭୂଷଣଙ୍କୁ ଖାଲି ସୁରକ୍ଷା ଦିଆଯାଉନି, ବରଂ ତାଙ୍କୁ ଦେଶର ଅତ୍ୟନ୍ତ ସମ୍ମାନାସ୍ପଦ ଖେଳାଳୀଙ୍କ ବିରୋଧରେ ଅପପ୍ରଚାର କରିବାକୁ ପ୍ରୋତ୍ସାହିତ କରାଯାଉଛି

ନୂଆ ସଂସଦରେ ଗଣତନ୍ତ୍ର ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଯେ କେତେ ଅସାର ତାହା ସଂସଦ ଠୁ ମାତ୍ର ୫୦୦ ମିଟର ଦୂରରେ ପ୍ରମାଣିତ ହୋଇଯାଉଛି । ଦେଶର ବିଶିଷ୍ଟ ଖେଳାଳୀମାନଙ୍କ ପ୍ରତି ଦିଲ୍ଲୀ ପୁଲିସର ଅମାନୁଷିକ ବ୍ୟବହାର ଏବଂ ବଳ ପୂର୍ବକ ସେମାନଙ୍କ ଆନ୍ଦୋଳନକୁ ଭାଙ୍ଗିବାର ଉଦ୍ୟମ, ଏହି ସରକାରର ସ୍ଵେଚ୍ଛାଚାରୀ ମନୋବୃତ୍ତିକୁ ପଦାରେ ପକାଇ ଦେଇଛି