ସଂସଦ ଉଦଘାଟନ ନା ମୋଦୀଙ୍କ ରାଜ୍ୟାଭିଷେକ??

ସଂସଦ ଉଦଘାଟନ ନା ମୋଦୀଙ୍କ ରାଜ୍ୟାଭିଷେକ??

ପ୍ରଥମରୁ ଆମକୁ ମନେ ରଖିବାକୁ ହେବ ଯେ, ବିରୋଧୀଙ୍କ ବିନା ସଂସଦ ଏକ ସ୍ବେଚ୍ଛାଚାରୀ ଅନୁଷ୍ଠାନ

ସଂସଦ ଓ ସରକାର ଭିତରେ ଆମ ସମ୍ବିଧାନ ଏକ ସ୍ପଷ୍ଟ ସୀମାରେଖା ନିର୍ଦ୍ଧାରଣ କରିଛି। ଲୋକସଭାରେ ବହୁମତ ପାଇଥିବା ଦର ସରକାର ଗଠନ କରୁଥିବା ବେଳେ ସଂସଦରେ ସବୁ ଦଳ ଏକାଠି ବିତର୍କ କରନ୍ତି। ସରକାର ସଂଖ୍ୟାଗରିଷ୍ଠ ଦଳର ନୀତିକୁ ନେଇ ଆଇନ ବାଟରେ ଶାସନ କରନ୍ତି, କିନ୍ତୁ ସଂସଦ ସବୁ ଦଳର ମତ ଓ ନୀତି ପାଇଁ ଏକ ମୁକ୍ତ ଅନୁଷ୍ଠାନ। ସରକାର ସଂଖ୍ୟାଗରିଷ୍ଠ ଦଳର ହୋଇଥିବା ବେଳେ ସଂସଦ ସବୁ ଦଳର। ସଂସଦକୁ ସରକାରୀ ଅନୁଷ୍ଠାନରେ ପରିଣତ କରିବା ଏକ ଭୟଙ୍କର ପରମ୍ପରା ଓ ଦୁର୍ଭାଗ୍ୟ କ୍ରମେ ସେମିତି ଏକ ଅପ-ପରମ୍ପରାକୁ ବିଜେପି ସରକାର ଓ ଦେଶର ଗଣମାଧ୍ୟମ ପ୍ରୋତ୍ସାହନ ଦେଇ ଚାଲିଛନ୍ତି।

ଆଜି ଦେଶର ସଂସଦ ପାଇଁ ଏକ ନୂଆ ଗୃହ ଉନ୍ମୋଚିତ ହୋଇଛି। ଏହା ଏକ ସାଧାରଣ ଆବଶ୍ୟକତା। ଆବଶ୍ୟକତା ଅନୁଯାୟୀ ନୂଆ ଘର ତିଆରି ହୋଇଥାଏ। ତେବେ ଏ ଘର ସଂସଦ ପାଇଁ। ଏ ଘର ଉପରେ ସଂସଦକୁ ନିର୍ବାଚିତ ହୋଇଥିବା ପ୍ରତ୍ୟେକ ସଦସ୍ୟଙ୍କର ଅଧିକାର ରହିଛି। ସଖ୍ୟାବଳ ଦେଖାଇ ଏ ଘର ଉପରେ ଶାସକ ଦଳ ଏକାଧିପତ୍ୟ ଜାହିର କରିବା, ଦେଶର ସମ୍ବିଧାନ ଓ ଗଣତନ୍ତ୍ର ପ୍ରତି ଘୋର ଅପମାନ।

ସଂସଦ ଉଦଘାଟନ ଉତ୍ସବରେ ଦେଶର ୨୧ଟି ପ୍ରମୁଖ ବିରୋଧୀ ଦଳ ଯୋଗ ନଦେବା, ଶାସକ ଦଳର ଅହଂଭାବକୁ ସ୍ପଷ୍ଟ କରୁଛି। ସଂସଦର ନେତା ଭାବେ ଏହି ଉତ୍ସବରେ ସବୁ ଦଳଙ୍କୁ ସାମିଲ କରିବାର ଦାୟିତ୍ବ ପ୍ରଧାନମନ୍ତ୍ରୀଙ୍କର। ହେଲେ ପ୍ରଧାନମନ୍ତ୍ରୀ ଏତେ ପରିମାଣରେ ଆତ୍ମମୁଗ୍ଧ ଯେ ତାଙ୍କୁ ସଂସଦୀୟ ପରମ୍ପରା ଦେଖାଯାଉନାହିଁ। ସେ ସଂସଦର ନୂତନ ଗୃହ ଉଦଘାଟନକୁ ଏକ ପ୍ରକାର ରାଜ୍ୟ ଅଭିଷେକ ବୋଲି ଭାବୁଛନ୍ତି। ପ୍ରୋଟୋକଲ ଦୃଷ୍ଟିରୁ ରାଷ୍ଟ୍ରପତି ଏବଂ ଉପ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ଉପରେ ରହୁଥିବାରୁ ସେମାନଙ୍କୁ ଏହି ଉତ୍ସବକୁ ନିମନ୍ତ୍ରଣ କରାଯାଇ ନଥିଲା। ରାଜ୍ୟସଭା ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ସଂସଦ ଗୃହର ଉଦଘାଟନ କେବଳ ଅନୈତିକ ନୁହେଁ, ଏହା ସଂସଦୀୟ ପରମ୍ପରାର ବିରୋଧୀ। ସେହିପରି ରାଷ୍ଟ୍ରପତି ସଂସଦର ମୁଖିଆ। ତାଙ୍କ ଅନୁପସ୍ଥିତିରେ ସଂସଦ ଗୃହର ଉଦଘାଟନ ଏକ ଅଭାବନୀୟ ଘଟଣା।

ସଂସଦ ଗୃହର ପ୍ରତିଷ୍ଠା ସେତେବେଳ ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ଯେ ଯାଏଁ ଏଥିରେ ବିରୋଧୀ ଦଳ ସାମିଲ ହୋଇନାହାନ୍ତି। ସଂସଦ ଶାସକ ଓ ବିରୋଧୀଂକର ସହାବସ୍ଥାନ କ୍ଷେତ୍ର। ଆଜି ଯଦି ସଂସଦ ଗୃହ କୁ ଦେଶର ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବାଚସ୍ପତି ଏବଂ ବିରୋଧୀ ଦଳର ନେତା ଏକତ୍ର ଉଦଘାଟନ କରିଥାନ୍ତେ, ଏହାର ମର୍ଯ୍ୟାଦା ବଢିଥାନ୍ତା। ଏହା ଛଡ଼ା ଯଦି ଦେଶର ଜଣେ ସାଧାରଣ କୃଷକ, ସୈନିକ କିମ୍ବା ଶ୍ରମିକ ମଧ୍ୟ ଏହାର ଉଦଘାଟନ କରିବା ସୁନ୍ଦର ହୋଇଥାନ୍ତା।

ସଂସଦ ଗୃହର ଉଦଘାଟନ ପର୍ବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟାଭିଷେକ ଭଳି ଆୟୋଜନ କରିବା ଏବଂ ଏଥିରେ ମାତ୍ରାଧିକ ଧାର୍ମିକ କର୍ମକାଣ୍ଡ ରଖିବା, ଆମର ସଂସଦୀୟ ଓ ଗଣତାନ୍ତ୍ରିକ ପରମ୍ପରାକୁ ଅପମାନିତ କରିଛି।

ପ୍ରଧାନମନ୍ତ୍ରୀ ଓ ତାଙ୍କର ଭକ୍ତମାନେ ମନେ ରଖନ୍ତୁ, ସଂସଦ ପ୍ରଧାନମନ୍ତ୍ରୀଙ୍କ ସିଂହାସନ ନୁହେଁ।