ପିକଚର୍ ଅଭି ବାକି ହୈ, ଦୋସ୍ତ - ୧
ଗତ ଜାନୁଆରୀ ୨୪ ତାରିଖରେ ଆଦାନୀ କମ୍ପାନୀ ବିଷୟରେ ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ଆସିବାର ତିନି ଦିନ ମଧ୍ୟରେ କମ୍ପାନୀର ସେୟାର ମୂଲ୍ୟରେ ୭୫ ବିଲିଅନ ଡଲାର କ୍ଷତି ହେଲା । ଏହା ଭାରତୀୟ ମୁଦ୍ରାରେ ୪ ଲକ୍ଷ କୋଟି ଟଙ୍କା ଠାରୁ ଅଧିକ । ଏବେ ମଧ୍ୟ ଆଦାନୀଙ୍କର ବିଭିନ୍ନ କମ୍ପାନୀର ସେୟାର ମୂଲ୍ୟ ଖସିବାରେ ଲାଗିଛି । ଉଦାହରଣ ସ୍ୱରୂପ ଗତ ଏପ୍ରିଲ ୭ ତାରିଖ ଶୁକ୍ରବାର ଦିନ ଏହାର ମୂଖ୍ୟ କମ୍ପାନୀ ଆଦାନୀ ରିସର୍ଚ୍ଚର ସେୟାର ମୂଲ୍ୟ ଥିଲା ୧୭୫୩ ଟଙ୍କା । ଏହା ହେଉଛି ଜାନୁଆରୀ ୨୪ ତାରିଖରେ ଥିବା ମୂଲ୍ୟର ଅର୍ଦ୍ଧେକ ।
ହିଣ୍ଡେନବର୍ଗର ନିଜ ରିପୋର୍ଟ ଉପରେ ଏତେ ଭରସା ଅଛି ଯେ ସେମାନେ ଆଦାନୀଙ୍କୁ ଆହ୍ବାନ ଦେଇ କହିଛନ୍ତି, ସାହସ ଅଛି ତ ଆମ ବିରୁଦ୍ଧରେ ମୋକଦ୍ଦମା କର । ପ୍ରକୃତରେ କିନ୍ତୁ ହିଣ୍ଡେନବର୍ଗ ରିପୋର୍ଟ ଯଦି ମିଛ ହୋଇଥିବ ତେବେ ଆଦାନୀକୁ ମୋକଦ୍ଦମା କରିବା ଦରକାର ନାହିଁ । କାରଣ ଏହା ହେଲେ ନିଜେ ହିଣ୍ଡେନବର୍ଗକୁ ବହୁତ କ୍ଷତି ସହିବାକୁ ପଡ଼ିବ । ହିଣ୍ଡେନବର୍ଗ ରିସର୍ଚ୍ଚର ଲାଭ, ତାହାର ରିପୋର୍ଟର ସଠିକ୍ ସୂଚନା ଉପରେ ନିର୍ଭର କରେ । ଯଦି ଗୋଟିଏ କମ୍ପାନୀର ଦୁର୍ନୀତି ଉଜାଗର ହେବା ପରେ, ତାହାର ସେୟାର ଧାରକମାନଙ୍କର ସେହି କମ୍ପାନୀ ଉପରେ ଆସ୍ଥା ତଥାପି ଅତୁଟ ରୁହେ, ଏଥି ଯୋଗୁଁ ସେମାନେ ସେୟାର ବିକ୍ରି ନକରନ୍ତି , କିମ୍ବା ହିଣ୍ଡେନବର୍ଗ ଉଜାଗର କରିଥିବା ତଥ୍ୟ ଭୁଲ ପ୍ରମାଣିତ ହୁଏ, ତାହେଲେ ସେହି କମ୍ପାନୀର ସେୟାର ମୂଲ୍ୟ ଖସିବ ନାହିଁ । ସେୟାର ମୂଲ୍ୟ କମିଲେ ଯାଇ ହିଣ୍ଡେନବର୍ଗର ଲାଭ ହେବ। ଅନ୍ୟ ପକ୍ଷରେ ଯଦି ସେୟାରର ମୂଲ୍ୟ କମିବା ପରିବର୍ତ୍ତେ ବଢିଯାଏ ତେବେ ଏହା ଦ୍ବାରା ହିଣ୍ଡେନବର୍ଗର ଅନେକ କ୍ଷତି ହେବ ।
ହିଣ୍ଡେନବର୍ଗ କରୁଥିବା କାମକୁ ସର୍ଟ ସେଲିଂ କୁହାଯାଏ । ହିଣ୍ଡେନବର୍ଗ ଚାହୁଁଛି ଆଦାନୀ କମ୍ପାନୀ ସମୂହର ସେୟାର ମୂଲ୍ୟ ତଳକୁ ଖସୁ, ଯାହା ଫଳରେ ସେମାନେ ଶସ୍ତା ମୂଲ୍ୟରେ ତାକୁ କିଣିବେ । ଏଥିପାଇଁ ସେମାନେ କମ୍ପାନୀର ଦୁର୍ନୀତି ଓ ଠକେଇର ପର୍ଦ୍ଦାଫାଶ କରୁଛନ୍ତି, ଯାହା ଭାରତୀୟ ତଦନ୍ତକାରୀ ସଂସ୍ଥାମାନେ କିମ୍ବା ନିୟନ୍ତ୍ରକମାନେ କରୁନାହାନ୍ତି। ଏଥିରେ ବହୁତ ରିସ୍କ ରହିଥିବାରୁ ସର୍ଟ ସେଲିଂ କରୁଥିବା ହିଣ୍ଡେନବର୍ଗ ରିସର୍ଚ୍ଚ ଭଳି ସଂସ୍ଥା ମାନେ ଅତି ସାବଧାନତାର ସହ ରିପୋର୍ଟ ଉଜାଗର କରିଥାନ୍ତି । ଏଥିରେ ଆଦାନୀ କମ୍ପାନୀର ବଦନାମ ଓ କ୍ଷତି ହେଉଥିବା ଯୋଗୁଁ ସେମାନେ ଯଦି ହିଣ୍ଡେନବର୍ଗ ବିରୁଦ୍ଧରେ ମୋକଦ୍ଦମା କରନ୍ତି, ସେଥିପାଇଁ ହିଣ୍ଡେନବର୍ଗ ଯେତିକି ଚିନ୍ତିତ ହେବ , ତାଠାରୁ ବେଶି ଚିନ୍ତିତ ହେବ ନିଜର ଭୁଲ ତଥ୍ୟ ଯୋଗୁଁ ହୋଇଥିବା ଆର୍ଥିକ କ୍ଷତି ପାଇଁ ।
ସାଧାରଣ ସେୟାର କିଣାବିକାରେ ଜଣେ ଲୋକ ପ୍ରଥମେ ସେୟାର କିଣେ ଓ ପରେ ବିକ୍ରି କରେ । ଯଦି ସେୟାର ମୂଲ୍ୟ ବଢ଼ିଥାଏ ତେବେ ସେତିକି ବେଳେ ବିକ୍ରି କଲେ ତାହାର ଲାଭ ହୁଏ । ମାତ୍ର ସର୍ଟ ସେଲିଂ ଯେଉଁମାନେ କରନ୍ତି ସେମାନେ ଆଗ ବିକ୍ରି କରନ୍ତି ଓ ପରେ କିଣନ୍ତି । ସ୍ବାଭାବିକ ଭାବେ ସେ ଆଶା ରଖିଥାଏ ଯେ ସେ ଯେଉଁ ଦରରେ ବିକ୍ରୀ କରିଛି ତାହା ଠାରୁ କମ୍ ମୂଲ୍ୟରେ କିଣିବ । କାରଣ ଲାଭ ସେତିକି ବେଳେ ହୁଏ ଯେତେବେଳେ ହୁଏ ଯେତେବେଳେ ବିକ୍ରି ମୂଲ୍ୟ ଠାରୁ କିଣା ମୂଲ୍ୟ କମ୍ ରୁହେ ।
ହିଣ୍ଡେନବର୍ଗର ରିପୋର୍ଟ ପରେ ୧୦୦୦ ଟଙ୍କାର ଗୋଟିଏ ସେୟାରର ମୂଲ୍ୟ କମି କମି ଶୂନ୍ୟ ହୋଇପାରେ । ତାହା ଠାରୁ ଆଉ ତଳକୁ ଯିବା ସମ୍ଭବ ନୁହେଁ। ଏହା ହେଲେ ହିଣ୍ଡେନବର୍ଗ ସର୍ବାଧିକ ୧୦୦୦ ଟଙ୍କା ଲାଭ କରିପାରିବ । ମାତ୍ର ସେହି ସେୟାରର ଦାମ କମିବା ପରିବର୍ତ୍ତେ ଯଦି ବଢ଼ି ବଢ଼ି ୧୦,୦୦୦ ଟଙ୍କା ହୋଇଯାଏ ତେବେ ହିଣ୍ଡେନବର୍ଗ ୯ ହଜାର ଟଙ୍କା କ୍ଷତି ସହିବ । ତେଣୁ ହିଣ୍ଡେନବର୍ଗ ରିସର୍ଚ୍ଚ ହେଉ କିମ୍ବା ଆଉ କେଉଁ ସର୍ଟ ସେଲିଂ କରୁଥିବା ସଂସ୍ଥା ହେଉ, ସେମାନେ ଭୁଲ୍ ରିପୋର୍ଟ ପ୍ରକାଶ କରିବାକୁ କେବେ ଚାହିଁବେ ନାହିଁ । କାରଣ ଏହା ଦ୍ବାରା ସେମାନଙ୍କର ନିଜର କ୍ଷତି ହେବାର ରିସ୍କ ଅଧିକ ଥାଏ । ହିଣ୍ଡେନବର୍ଗ ରିସର୍ଚ୍ଚ ଦ୍ବାରା ଅତୀତରେ ଏହିପରି ବିଭିନ୍ନ ଦେଶରେ ଥିବା ୧୬ଟି କମ୍ପାନୀର ପର୍ଦ୍ଦାଫାଶ କରାଯାଇଛି ଏବଂ ପ୍ରତିଥର ସେମାନେ ସଠିକ୍ ସାବ୍ୟସ୍ତ ହୋଇଛନ୍ତି।
ଏଠାରେ ଅନେକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିପାରେ । ସମସ୍ତେ ଜାଣନ୍ତି ଜଣେ ଲୋକ ଆଗ କିଣେ ଓ ପଛରେ ବିକ୍ରି କରେ । କିନ୍ତୁ ସର୍ଟ ସେଲିଂରେ ଜଣେ କେମିତି ଆଗ ବିକ୍ରି କରିବ ଓ ପରେ କିଣିବ ? ଏ ପ୍ରଶ୍ନ ଅନେକଙ୍କ ମନରେ ଉଠିପାରେ । ଏହା ଏକ ଜଟିଳ ବିଷୟ । କିନ୍ତୁ ଏଠାରେ ଏତିକି କହିଲେ ଯଥେଷ୍ଟ ହେବ ଯେ ଏଥିପାଇଁ କେତେକ ସର୍ତ୍ତ ଓ ପରିସ୍ଥିତି ସହିତ SEBI (Securities and Exchange Board of India) ବା ସେୟାର ମାର୍କେଟର ନିୟନ୍ତ୍ରକଙ୍କର ଅନୁମତି ଥାଏ । ତେବେ ମୋଟ ଉପରେ କହିବାକୁ ଗଲେ ହିଣ୍ଡେନବର୍ଗ ରିସର୍ଚ୍ଚର ନିଜ ସ୍ବାର୍ଥ ପାଇଁ ତାହା ଭୁଲ୍ ରିପୋର୍ଟ ଦେବନାହିଁ । ଏଥିରେ କୈାଣସି ରାଜନୈତିକ ଦିଗ କିମ୍ବା ଭାରତକୁ ବଦନାମ କରିବା ଭଳି ଉଦ୍ଦେଶ୍ୟ ନାହିଁ, ଯାହା ଆଦାନୀ କମ୍ପାନୀର ସମର୍ଥକମାନେ ବାରମ୍ବାର କହୁଥିଲେ ।
ଯେଉଁମାନେ ଆଦାନୀର ବିଭିନ୍ନ କମ୍ପାନୀର ସେୟାର ରଖିଥିଲେ, ସେମାନେ ହିଣ୍ଡେନବର୍ଗର ରିପୋର୍ଟକୁ ବିଶ୍ବାସ କଲେ ଏବଂ ଆଗକୁ ସେୟାର ଦାମ କମିବ ବୋଲି ଆତଙ୍କିତ ହୋଇ ଧଡାଧଡ ନିଜ ପାଖରେ ଥିବା ସେୟାର ବିକିବାରେ ଲାଗିଲେ । ଫଳରେ ଆଦାନୀ କମ୍ପାନୀ ଗୁଡ଼ିକର ମୋଟ ବଜାର ମୂଲ୍ୟ ତଳକୁ ଖସିଗଲା । ମଜାର କଥା ହେଲା ଇତି ମଧ୍ୟରେ ତିନି ମାସ ବିତି ଯାଇଥିଲେ ମଧ୍ୟ ଆଦାନୀ ତରଫରୁ ହିଣ୍ଡେନବର୍ଗ ବିରୁଦ୍ଧରେ କୈାଣସି ମୋକଦ୍ଦମା ହୋଇ ନାହିଁ ।
ହିଣ୍ଡେନବର୍ଗ ରିସର୍ଚ୍ଚର ସ୍ଥାପନା ହୋଇଥିଲା ୨୦୧୭ ମସିହାରେ। ଏମାନଙ୍କର କାମ ହେଉଛି ପୃଥିବୀର ବିଭିନ୍ନ କମ୍ପାନୀର ଆର୍ଥିକ ଗତିବିଧି ଉପରେ ଲକ୍ଷ ରଖି ବିଶ୍ଳେଷଣ କରିବା । ଏହି ବିଶ୍ଳେଷଣ ପାଇଁ ବିଭିନ୍ନ ଗୁପ୍ତ ସୂଚନା ସଂଗ୍ରହ କରିବା ନିମନ୍ତେ ଏମାନଙ୍କୁ ବହୁତ କଷ୍ଟ କରିବାକୁ ପଡେ । ଅସାଧୁ ଉପାୟରେ ଷ୍ଟକ୍ ବଜାରରେ ନିଜର ବଜାର ମୂଲ୍ୟ ବଢାଇ ଓ ଅଂଶଧାରକମାନଙ୍କୁ ଅନ୍ଧକାରରେ ରଖି ଯେଉଁ କମ୍ପାନୀମାନେ ଭବିଷ୍ୟତରେ ବିପର୍ଯ୍ୟୟ ଘଟାନ୍ତି ସେହି ମାନଙ୍କୁ ଧରା ପକାଇବା ହେଉଛି ହିଣ୍ଡେନବର୍ଗର କାମ ।
ଏବେ ଆସନ୍ତୁ ଗୈାତମ ଆଦାନୀଙ୍କ କମ୍ପାନୀ ଗୁଡ଼ିକ ବିଷୟରେ ଜାଣିବା । ତାଙ୍କର ୭ ଟି ମୂଖ୍ୟ କମ୍ପାନୀ ଅଛି । ସେଗୁଡିକ ହେଲା :- (୧) ଆଦାନୀ ଗ୍ରୀନ୍ ଏନର୍ଜି ଯିଏ ଅକ୍ଷୟ ଶକ୍ତି ବିକ୍ରି କରିଥାଏ ; (୨) ଆଦାନୀ ଏଣ୍ଟରପ୍ରାଇଜେସ୍ ଯିଏ କୋଇଲା ଖଣି ବ୍ୟବସାୟ କରିଥାଏ; (୩) ଆଦାନୀ ଟ୍ରାନ୍ହମିଶନ ଯିଏ ବିଦ୍ୟୁତ୍ ବିତରଣ ବ୍ୟବସାୟ କରିଥାଏ ; (୪) ଆଦାନୀ ଟୋଟାଲ ଗ୍ୟାସ ଯିଏ ଗ୍ୟାସ ବ୍ୟବସାୟ କରିଥାଏ ; (୫) ଆଦାନୀ ପାଓ୍ବାର ଯିଏ କୋଇଲାରୁ ବିଦ୍ୟୁତ୍ ଉତ୍ପାଦନ କରିଥାଏ ; (୬) ଆଦାନୀ ପୋର୍ଟ ଯିଏ ବନ୍ଦର ଚଳାଏ ଓ (୭) ଆଦାନୀ ଉଇଲମର୍ ଯାହାକି ସିଙ୍ଗାପୁରର ଉଇଲମର୍ ଇଣ୍ଟରନ୍ୟାସନାଲ ସହିତ ଏକ ମିଳିତଗତିରେ ବ୍ୟବସାୟ ଅଟେ ।
କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ ଆଦାନୀ ଗୃପର ବ୍ୟବସାୟ ଏତେ ବଡ଼ ଓ ବିସ୍ତୃତ ନଥିଲା । ଏହା ମୂଖ୍ୟତ ଗୁଜରାଟରେ ସୀମିତ ଥିଲା । କିନ୍ତୁ ପରେ ଏହା ଏତେ ଦ୍ରୁତ ବଢିଲା ଯେ ଗୋଟିଏ ସମୟରେ ଆଦାନୀ ଦୁନିଆର ତୃତୀୟ ବଡ ଧନୀ ବ୍ୟକ୍ତି ହୋଇଗଲା । ସେତେବେଳେ ତାଙ୍କ ଗୃପର ନେଟଓ୍ବର୍ଥ ୧୨୦ ବିଲିଅନ ଡଲାରରେ ପହଞ୍ଚି ଗଲା । ସେଥିରୁ ୧୦୦ ବିଲିଅନ ଡଲାର କେବଳ ଗତ ୩ ବର୍ଷରେ ବଢ଼ିଛି । ଏହି ଲେଖାଟି ପ୍ରସ୍ତୁତ ହେବା ସମୟରେ ତାଙ୍କ ଗୃପ୍ ୪୬ ବିଲିଅନ ଡଲାର ନେଟଓ୍ବର୍ଥ ସହିତ ୨୫ ତମ ସ୍ଥାନରେ ଅଛି।
ଚାଲନ୍ତୁ ଦେଖିବା ହିଣ୍ଡେନବର୍ଗ ରିସର୍ଚ୍ଚ ତାର ରିପୋର୍ଟରେ ଆଦାନୀ ଗୃପ୍ ବିଷୟରେ କ'ଣ କହିଛି । ରିପୋର୍ଟ କହିଛି ଯେ ବିଶ୍ବର କର୍ପୋରେଟ୍ ଇତିହାସରେ ଆଦାନୀ କରିଥିବା ଠକେଇ ହେଉଛି ବୃହତ୍ତମ। ରିପୋର୍ଟ ଅନୁଯାୟୀ ଆଦାନୀ କରିଥିବା ଠକେଇ ଗୁଡିକ ମଧ୍ୟରେ ଅଛି ମନି ଲଣ୍ଡରିଂ, ସେୟାରରେ କାରସାଦୀ, ହିସାବରେ ଗଡବଡି, ଦୁର୍ନୀତି, ଟିକସଦାତାଙ୍କ ପାଣ୍ଠି ଚୋରି ଓ ବିଦେଶରେ ସେଲ୍ କମ୍ପାନୀ ବନାଇବା। ଗୈାତମ ଆଦାନୀର ସାନଭାଇ ରାଜେଶ ଆଦାନୀ ୨୦୦୪ ମସିହାରେ ଟିକସ ହେରାଫେରି ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଦ୍ବାରା ଗିରଫ ହୋଇଥିଲା । ସେ ଦୁଇଥର ଗିରଫ ହୋଇ ସାରିଲାଣି । ପରେ ସେ ଆଦାନୀ ଗୃପର ମ୍ୟାନେଜିଂ ଡାଇରେକ୍ଟର ହୋଇଗଲା । ଗୈାତମ ଆଦାନୀର ଭିଣୋଇ ହେଉଛି ସମୀର ବୋରା । ସେ ହୀରା ବ୍ୟବସାୟ ଘୋଟାଲାର ମୂଖ୍ୟ ସର୍ଦ୍ଦାର ଥିଲା । ପରେ ସେ ଆଦାନୀ ଅଷ୍ଟ୍ରେଲିଆ ଡିଭିଜନର ଏକଜିକ୍ୟୁଟିଭ ଡାଇରେକ୍ଟର ହୋଇଗଲା। ବଡ଼ ଭାଇ ହେଉଛି ବିନୋଦ ଆଦାନୀ । ତା ଉପରେ ଅଭିଯୋଗ ଆସିଥିଲା ଯେ ସେ ବିଭିନ୍ନ ଦେଶରେ ଯାଇ ସେଲ୍ କମ୍ପାନୀ ବନେଇ ଥିଲା ।
ହିଣ୍ଡେନବର୍ଗ ରିପୋର୍ଟ କହିଛି ବିନୋଦ ଆଡାନୀ ୩୮ଟି ସେଲ୍ କମ୍ପାନୀ ପରିଚାଳନା କରୁଛି ଯାହା ଭାରତରୁ ଯାଇଥିବା ଆଦାନୀର କଳା ଧନ ଦ୍ବାରା ସୃଷ୍ଟି କରା ଯାଇଛି । ଏହି ସବୁ ସେଲ୍ କମ୍ପାନୀ ମରିସସ, କାରବିଆନ୍ ଦ୍ଵୀପପୁଞ୍ଜ ଓ ସିଙ୍ଗାପୁର ଆଦି ଦେଶମାନଙ୍କରେ ଗଢି ଉଠିଛି ଓ ଏଗୁଡ଼ିକର ଓ୍ବେବସାଇଟ୍ ଠିକଣା ମଧ୍ୟ ନାହିଁ । ଏସବୁ ହେଉଛନ୍ତି ଚୋରା କମ୍ପାନୀ, ଯାହାକୁ ସେଲ୍ କମ୍ପାନୀ ମଧ୍ୟ କୁହାଯାଉଛି। ଏମାନେ ବିଦେଶୀ ପୁଞ୍ଜି ନିବେଶ ନାଁରେ ଆଦାନୀର କମ୍ପାନୀର ସେୟାର କିଣନ୍ତି । ଏହା ଫଳରେ ଆଦାନୀ ସେୟାରର ଚାହିଦା ବଢିଯାଏ ଓ ସେଗୁଡିକର ଦାମ ବଢିଯାଏ ।
ସାଧାରଣତଃ ଗୋଟିଏ କମ୍ପାନୀ ଭଲ ଓ ଲାଭଜନକ ବ୍ୟବସାୟ କରୁଥିବାର ସୁନାମ ହେଲେ ତାହାର ସେୟାରର ଚାହିଦା ଓ ମୂଲ୍ୟ ବଢ଼ିଥାଏ । କିନ୍ତୁ ଏଠାରେ ଆଦାନୀର ନିଜ କଳାଧନରେ ସୃଷ୍ଟି ହୋଇଥିବା ସେଲ୍ କମ୍ପାନୀଗୁଡିକ, ଆଦାନୀ ଗୃପର ସେୟାର କିଣି ସେୟାରର ଚାହିଦା ଓ ମୂଲ୍ୟ ବଢାଇଛନ୍ତି । ହିଣ୍ଡେନବର୍ଗ ରିପୋର୍ଟ ଅନୁସାରେ ଏହି ଭଳି କୃତ୍ରିମ ଉପାୟରେ ଆଦାନୀ ଗୃପର ସେୟାର ମୂଲ୍ୟ ୮୫% ବଢା ଯାଇଛି। ସବୁଠାରୁ ସାଂଘାତିକ କଥା ହେଲା କୃତ୍ରିମ ଓ ଠକାମୀ ଉପାୟରେ ହୋଇଥିବା ଏହି ବର୍ଦ୍ଧିତ ମୂଲ୍ୟର ସେୟାରକୁ ବନ୍ଧା ରଖି ଆଦାନୀ ବ୍ୟାଙ୍କରୁ ଋଣ ନେଇଛି ।
୨୦୨୧ରେ ପାନାମା ପେପର୍ସ ନାମକ ଦୁର୍ନୀତିର ପର୍ଦ୍ଦାଫାଶରେ ମଧ୍ୟ ଏହି ସେଲ୍ କମ୍ପାନୀଗୁଡିକର ନାମ ଆସିଥିଲା । ଏହା ଛଡ଼ା ବିଦେଶରେ ଥିବା ଅନେକ ଠକ୍ କମ୍ପାନୀ ଆଦାନୀ ବ୍ୟବସାୟ ସାମ୍ରାଜ୍ୟରେ ଅର୍ଥ ବିନିଯୋଗ କରିଛନ୍ତି । ହିଣ୍ଡେନବର୍ଗ ଦ୍ବାରା ଆଦାନୀକୁ ୮୮ଟି ପ୍ରଶ୍ନ ପଚରାଯାଇଥିବା । ମାତ୍ର ଆଦାନୀ ଗୃପ୍ ଦ୍ବାରା ଦିଆଯାଇଥିବା ଉତ୍ତର କେବଳ ଅସ୍ବୀକାର କରିବା ଓ ଆଦାନୀ ଭାରତ ଉପରେ ଆକ୍ରମଣ କରୁଛି ବୋଲି ଅଭିଯୋଗ କରିବାରେ ସୀମିତ ରହିଛି । ଏପରିକି ବିଜେପିର ଅନେକ ନେତା ମଧ୍ୟ ହିଣ୍ଡେନବର୍ଗକୁ ଆକ୍ରମଣ କରି ଏହାକୁ ବିଦେଶୀ ଷଡ଼ଯନ୍ତ୍ର ବୋଲି କୁହନ୍ତି ।
ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ବିଶ୍ବର ଆହୁରି ଅନେକ ନାମକରା ସଂସ୍ଥା ଆଦାନୀର ଠକେଇ ବିଷୟରେ କହିଛନ୍ତି । ସେଗୁଡିକ ମଧ୍ୟରେ ଅଛନ୍ତି ଫୋର୍ବସ, କ୍ରେଡିଟ ସୁଇସ୍ ଓ ସିଟିଗୃପ୍ । ଏହାଛଡା ଉଇକିପିଡ଼ିଆ ମଧ୍ୟ ଅଭିଯୋଗ କରିଛି ଯେ ଆଦାନୀ ଗୃପ୍ ଦ୍ବାରା ତାହାର ପୃଷ୍ଠାରେ ଭୁଲ୍ ସୁଚନା ଦିଆ ଯାଇଛି।
ଦୁର୍ଭାଗ୍ୟର ବିଷୟ ଯେ କେତେକ ଲୋକ, ବିଶେଷ କରି, ମୋଦୀ ସମର୍ଥକମାନେ ସୋସିଆଲ ମିଡିଆରେ ଆଦାନୀ ସମର୍ଥନରେ ବାହାରିଛନ୍ତି । ସେମାନେ କହୁଛନ୍ତି ଭାରତର ବିକାଶ ଧାରାରେ ଆଦାନୀର ବହୁତ ଯୋଗଦାନ ରହିଛି ଏବଂ ଏହି କମ୍ପାନୀଗୁଡିକ ଅନେକ ଲୋକଙ୍କୁ ଚାକିରି ଦେଇଛନ୍ତି । କିନ୍ତୁ ଏକ ସମୟରେ ବିଶ୍ବର ତୃତୀୟ ବଡ଼ କମ୍ପାନୀ ହୋଇଥିବା ଆଦାନୀ ଗୃପରେ ମାତ୍ର ୨୩,୦୦୦ ଲୋକ ଚାକିରି କରନ୍ତି । ଏହା ଆଦାନୀ ଗୃପର ନିଜ ଓ୍ବେବସାଇଟରେ ଲେଖା ଯାଇଛି। ଭାରତରେ ସବୁଠାରୁ ଅଧିକ ଚାକିରି ଦେଉଥିବା ୨୫ଟି ସରକାରୀ ଓ ବେସରକାରୀ କମ୍ପାନୀ ଗୁଡ଼ିକ ମଧ୍ୟରେ ଆଦାନୀ ଗୃପର ନାମ ନାହିଁ। ଭାରତ ସରକାରଙ୍କୁ ସବୁଠାରୁ ବେଶୀ ଟ୍ୟାକ୍ସ୍ ଦେଉଥିବା ୧୦ଟି କମ୍ପାନୀ ଗୁଡ଼ିକ ମଧ୍ୟରେ ବି ଆଦାନୀ ଗୃପର ନାମ ନାହିଁ। ଆଦାନୀ ଗୃପର ଲାଭ ମଧ୍ୟ ବେଶି ହେଉଛି ବୋଲି ଦେଖିବାକୁ ମିଳେନାହିଁ । ତେଣୁ ଏହା ଏକ ଆଶ୍ଚର୍ଯ୍ୟଜନକ କଥା ନୁହେଁ କି, ବିଶ୍ବର ତୃତୀୟ ବୃହତ୍ତମ କମ୍ପାନୀର ଏସବୁ ଲକ୍ଷଣ ଏକ ବହୁତ ବଡ଼ ବିଡମ୍ବନା ସୃଷ୍ଟି କରୁଛି ?
ଏହା ପଛରେ କ'ଣ କାରଣ ରହିଛି ? ଖୁବ୍ କମ୍ ଦିନ ମଧ୍ୟରେ ଗୈାତମ ଆଦାନୀର ସମ୍ପତ୍ତିରେ ଅଚାନକ ଏତେ ବଡ଼ ବୃଦ୍ଧି କେମିତି ହେଲା ? କେଉଁଥି ପାଇଁ ମୋଦୀ ସରକାର ପାର୍ଲ୍ୟାମେଣ୍ଟରେ ଏସବୁ ପ୍ରଶ୍ନର ଉତ୍ତର ନଦେଇ ନିଜଆଡୁ ହଟ୍ଟଗୋଳ ସୃଷ୍ଟି କରି ତାହା ଚଳାଇ ଦେଲା ନାହିଁ ? ଯେଉଁ ସରକାର ସିବିଆଇ ଓ ଇଡିର ଦୁରୁପଯୋଗ କରି ବିପକ୍ଷ ଦଳର ନେତାମାନଙ୍କୁ ଜେଲରେ ଭର୍ତ୍ତି କରୁଛି, ସେହି ସରକାର ଆଦାନୀ ଘୋଟାଲା ବିଷୟରେ ଚୁପ୍ କାହିଁକି ? ଏସବୁ ପ୍ରଶ୍ନ ଏତେ ସହଜରେ ପ୍ରଧାନମନ୍ତ୍ରୀଙ୍କ ପିଛା ଛାଡ଼ିବ ନାହିଁ । ଯେତେ ଯେତେ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସିବ ଆଦାନୀ ପ୍ରଶ୍ନ ମୋଦୀଙ୍କୁ ସେତେ ଗୋଡାଇବ । ତେଣୁ ଜନବାଦୀର ଏ ସଂଖ୍ୟାରେ ଏହି ବିଷୟଟିକୁ ଏଇଠି ରଖିବା । ପରବର୍ତ୍ତୀ ସଂଖ୍ୟାରେ ଏହାର ଦ୍ବିତୀୟ ଭାଗ ପ୍ରକାଶ ପାଇବ । ପିକଚର୍ ଅଭି ବାକି ହୈ, ଦୋସ୍ତ । ଏହି ବିବାଦ ଆଗକୁ ଆହୁରି ବଡ ଆକାର ଧାରଣ କରିବ ।
(କ୍ରମଶଃ)