ଭାରତର ବିବିଧତାକୁ ନେଇ ଦ୍ୱନ୍ଦ୍ୱ
ଯେଉଁମାନେ ଏବେ ଭାରତକୁ ଗଣତନ୍ତ୍ରର ମା’ ବୋଲି ଦାବି କରୁଛନ୍ତି, ସେମାନେ ଭୁଲିଯାଇଛନ୍ତି ଯେ ପ୍ରକୃତରେ ବିବିଧତା ହେଉଛି ଭାରତୀୟ ସଂସ୍କୃତିର ମୂଳମନ୍ତ୍ର । ସ୍ୱାଧୀନତା ସଂଗ୍ରାମ ସମୟରେ ଓ ତା’ପୂର୍ବରୁ ଯେଉଁମାନେ ବ୍ରିଟିଶ ସରକାର ବିରୋଧରେ ଦେଶରେ ଜନମତ ସଂଗ୍ରହ କରୁଥିଲେ, ସେମାନେ ଭାରତର ବିବିଧତା ସଂସ୍କୃତି ବିଷୟରେ ବରାବର ଲୋକମାନଙ୍କୁ ସଚେତନ କରାଉଥିଲେ । ବାସ୍ତବରେ ଏହି ଆଦର୍ଶ ଭିତ୍ତିଭୂମି ଉପରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ପୃଷ୍ଠଭୂମି ତିଆରି ହୋଇଥିଲା । ବ୍ରିଟିଶ ସରକାର ପାଶ୍ଚାତ୍ୟର ଦେଶ ଗଠନର ସଂଜ୍ଞାକୁ ମନ ଭିତରେ ନେଇ ଭାରତ ବହୁ ଧର୍ମ, ଜାତି, ବର୍ଣ୍ଣ, ଭାଷା, ଅଞ୍ଚଳର ଦେଶ ଭାବରେ ଚିତ୍ରଣ କରି ଏମାନଙ୍କ ଭିତରେ ବରାବର ବିବାଦ ଲଗାଇ ରଖିବାକୁ ଉଦ୍ୟମ କରୁଥିଲେ । କିନ୍ତୁ ତତ୍କାଳୀନ ସଂଗ୍ରାମୀମାନେ ବ୍ରିଟେନ୍ର ଏହି ଦୃଷ୍ଟିଭଙ୍ଗୀକୁ ଚାଲେଞ୍ଜ କରି ସମୁଦାୟ ଭାରତବାସୀଙ୍କୁ ଗୋଟିଏ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନ ଭିତରକୁ ଆଣିପାରିଥିଲେ । ଅବଶ୍ୟ ଶେଷ ମୁହୂର୍ତ୍ତରେ ବ୍ରିଟେନ୍ ସେମାନଙ୍କର ଆଶା ପୂରଣ ପାଇଁ ଭାରତକୁ ଧର୍ମ ଭିତ୍ତିରେ ଦୁଇ ଭାଗରେ ବିଭକ୍ତ କରି ସ୍ୱାଧୀନତା ଦେଇଥିଲେ । କିନ୍ତୁ ମହାତ୍ମା ଗାନ୍ଧି, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଜବାହରଲାଲ ନେହରୁ, ଭୀମରାଓ ଆମ୍ବେଦକର, ମୌଲାନା ଅବଦୁଲ କାଲାମ ଆଜାଦ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ରାଜ ଗୋପାଳଚାରୀ ପ୍ରଭୃତି ଭାରତୀୟ ନେତାମାନେ ଭାରତର ନିଜସ୍ୱ ବିବିଧତା ସଂସ୍କୃତିକୁ ବଜାୟ ରଖିବା ପାଇଁ ନିଷ୍ଠାପର ଭାବରେ କାମ କରିଥିଲେ ।
ଭାରତର ସମ୍ବିଧାନ ତା’ର ଏକ ଜ୍ୱଳନ୍ତ ନମୁନା । ଦେଶର ନିଜସ୍ୱ ବିବିଧତାକୁ ସଂରକ୍ଷିତ ରଖିବା ପାଇଁ ସମ୍ବିଧାନରେ ବ୍ୟାପକ ବ୍ୟବସ୍ଥା କରାଯିବା ସହିତ ସେହି ଅନୁସାରେ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକର କ୍ରମବିକାଶ କରିବା ଦିଗରେ ଚେଷ୍ଟା କରିଆସିଥିଲେ । କିନ୍ତୁ ଗତ କିଛିବର୍ଷ ହେଲା ଗୋଟିଏ ଦେଶ, ଗୋଟିଏ ଭାଷା, ଗୋଟିଏ ନେତା, ଗୋଟିଏ ଧର୍ମ ପ୍ରଭୃତିର ଯେଉଁ ସ୍ଲୋଗାନ ଚାଲିଛି, ସେଥିରେ ଭାରତର ନିଜସ୍ୱ ବିବିଧତା ଦୁର୍ବଳ ହେବାରେ ଲାଗିଛି । ଯେଉଁ ପାଶ୍ଚାତ୍ୟ ରାଷ୍ଟ୍ରରେ ୧୬୦୦ ଶତାବ୍ଦୀ ଓ ୧୭୦୦ ଶତାବ୍ଦୀର ରାଷ୍ଟ୍ର ସଂଜ୍ଞାକୁ ନେଇ ବର୍ତ୍ତମାନର ଭାରତୀୟ ନେତାମାନେ ନୂଆ ଦେଶ ଗଢ଼ିବା ଆହ୍ୱାନ ଦେଉଛନ୍ତି, ସେମାନେ ଭୁଲିଯାଉଛନ୍ତି ଯେ ଭାରତର ନିଜସ୍ୱ ବିବିଧତା ସଂସ୍କୃତିକୁ ଏବେ ପାଶ୍ଚାତ୍ୟ ରାଷ୍ଟ୍ର ଗ୍ରହଣ କରିନେଇଛନ୍ତି । ଏବେ ନିକଟରେ ଭାରତୀୟ ବଂଶୋଦ୍ଭବ ଜଣେ ହିନ୍ଦୁ ରିଷି ସୁନାକ୍ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ହୋଇଥିବା ସମୟରେ ଜଣେ ପାକିସ୍ତାନ ବଂଶୋଦ୍ଭବ ମୁସଲିମ୍ ହୁମାଜା ୟୁସୁଫ ସ୍କଟ୍ଲାଣ୍ଡର ମୁଖ୍ୟ ହୋଇଛନ୍ତି । ଅର୍ଥାତ୍ ଗ୍ରେଟ୍ ବ୍ରିଟେନ୍ର ଭାଗ୍ୟ ଏବେ ଏହିମାନଙ୍କ ଉପରେ ନିର୍ଭର କରିବ । ଅଥଚ, ଭାରତକୁ ଗଣତନ୍ତ୍ରର ମା’ ବୋଲି ଦାବି କରାଯାଉଥିବା ସମୟରେ ଗଣତାନ୍ତ୍ରିକ ବିଭିନ୍ନ ସୂଚାଙ୍କରେ ଭାରତର ସ୍ଥାନ ପ୍ରତିବର୍ଷ ନିମ୍ନଗାମୀ ହେବାରେ ଲାଗିଛି । ଇତିହାସର ବିଡ଼ମ୍ବନା ଯେ ଯେଉଁ ଭାରତକୁ ବ୍ରିଟିଶ୍ମାନେ ଛାଡ଼ି ଚାଲିଯିବା ସମୟରେ ଧର୍ମ ଭିତ୍ତିରେ ଦେଶକୁ ଭାଗ ଭାଗ କରିଦେଇଥିଲେ, ସେହିମାନଙ୍କ ବଂଶୋଦ୍ଭବ ଏବେ ଗ୍ରେଟ୍ ବ୍ରିଟେନ୍ର ଭବିଷ୍ୟତ ନିର୍ଦ୍ଧାରଣ କରିବେ । ଏହାର ଅସଲ କାରଣ ହେଲା ଯେ ଭାରତ ନିଜସ୍ୱ ବିବିଧତା ସଂସ୍କୃତିକୁ ଛାଡ଼ିବାକୁ ବସିଥିବା ସମୟରେ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଏହାକୁ ଆଦର୍ଶ ଭାବରେ ଗ୍ରହଣ କରିଛନ୍ତି ।
ବ୍ରିଟେନ୍ କ୍ୟାବିନେଟ୍ରେ ସୁନାକ୍ ଏକମାତ୍ର ବିଦେଶୀ ବଂଶୋଦ୍ଭବ ନୁହନ୍ତି । ତାଙ୍କର ବୈଦେଶିକ ସଚିବ ଜେମ୍ସ କ୍ଲେଭରଲି ଜଣେ ସିଆରାଲିଓନି ବଂଶୋଦ୍ଭବ । ତାଙ୍କର ସ୍ୱରାଷ୍ଟ୍ର ମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନ୍ କେନିଆ ଓ ମରିସସ୍ ଜରିଆରେ ଜଣେ ଭାରତୀୟ ବଂଶୋଦ୍ଭବ । ସେହିପରି ବ୍ରିଟେନ୍ର ଲେବର ପାର୍ଟି ବିରୋଧୀ ଦଳରେ ଜଣେ ପ୍ରମୁଖ ନେତା ଭାବରେ ନିଶା ନନ୍ଦୀ ନାମକ ଜଣେ ଭାରତୀୟ ବଂଶୋଦ୍ଭବ ଅଛନ୍ତି । ଯିଏକି ପରବର୍ତ୍ତୀ ଅବସ୍ଥାରେ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ଅଥଚ ଭାରତରେ ନାଗରିକତା ଗ୍ରହଣ କରି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ପତ୍ନୀ ଭାବରେ ଅର୍ଦ୍ଧଶତାବ୍ଦୀ ହେଲା ରହି ଦେଶର ପ୍ରମୁଖ ରାଜନୈତିକ ଦଳ ଜାତୀୟ କଂଗ୍ରେସର ୨୦ବର୍ଷରୁ ଊର୍ଦ୍ଧ୍ୱ ସଭାପତି ହେଲା ପରେ ମଧ୍ୟ ତାଙ୍କୁ ଅପମାନିତ କଲା ପରି ଶବ୍ଦମାନ ଦେଶର ଶାସନ କ୍ଷମତାରେ ଥିବା ଦଳର ନେତାମାନେ ବାରମ୍ବାର ବ୍ୟବହାର କରୁଛନ୍ତି । ଏପରିକି ପାର୍ଲାମେଂଟରେ ଚାରିଥର ସାଂସଦ ହୋଇଥିବା ରାହୁଲ ଗାନ୍ଧି ଜଣେ ବିଦେଶୀ ମା’ଙ୍କର ସନ୍ତାନ ହୋଇଥିବାରୁ ଦେଶଭକ୍ତ ନୁହନ୍ତି ବୋଲି ଅଭିଯୋଗ କରାଯାଉଛି । କିନ୍ତୁ ସେମାନଙ୍କର ଏପରି ମନୋଭାବ ଦ୍ୱାରା ଭାରତର ନିଜସ୍ୱ ବିବିଧତା ସଂସ୍କୃତିକୁ ସେମାନେ କିପରି ଆଘାତ ଦେଉଛନ୍ତି, ତାହା ଭୁଲିଯାଇଛନ୍ତି । ଅବଶ୍ୟ ଯେଉଁ ଦଳ ଦୀର୍ଘ ୯ବର୍ଷ ହେଲା କେନ୍ଦ୍ରୀୟ କ୍ଷମତାରେ ଥିଲେ ମଧ୍ୟ ସେହିଦଳରୁ ମାତ୍ର ଜଣେ ହେଲେ ମୁସଲିମ୍ ସଦସ୍ୟ ଲୋକସଭାରେ ନାହାନ୍ତି, ଯଦିଓ ଭାରତରେ ମୁସଲମାନମାନଙ୍କ ସଂଖ୍ୟା ମୋଟ ଲୋକସଂଖ୍ୟାର ଶତକଡ଼ା ୧୪ ଭାଗ । ଅବସ୍ଥା ଏପରି ହୋଇଛି ଯେ ପାର୍ଲାମେଂଟରେ ମୁସଲିମ୍ମାନଙ୍କ ସଂଖ୍ୟା ଶତକଡ଼ା ୫କୁ କମି ଆସିଛି ।
ଏପରି ଅବସ୍ଥାରେ ଭାରତୀୟ ରାଷ୍ଟ୍ରରେ ଜଣେ ମୁସଲିମ୍ ପ୍ରଧାନମନ୍ତ୍ରୀ କଳ୍ପନା ମଧ୍ୟ କରାଯାଇନପାରେ । ଯେଉଁ ଏକମାତ୍ର ରାଜ୍ୟ ଜାମ୍ମୁ-କାଶ୍ମୀରରେ ମୁସଲିମ୍ ସଂଖ୍ୟାଗରିଷ୍ଠ ଥିଲେ, ତାହାକୁ ଭାଙ୍ଗି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି । ଏପରି ଅବସ୍ଥାରେ ଦେଶରେ ଅନ୍ୟ ସଂଖ୍ୟାଲଘୁମାନଙ୍କର ଅବସ୍ଥା କେଉଁ ଆଡ଼କୁ ଯିବ, ତାହା ସହଜରେ ଅନୁମେୟ । ଯଦିଓ ୟୁପିଏ ଶାସନ ସମୟରେ ଜଣେ ଶିଖ୍ ହିସାବରେ ମନମୋହନ ସିଂହ ୧୦ବର୍ଷ ପ୍ରଧାନମନ୍ତ୍ରୀ ରହିଥିଲେ । ଯେଉଁମାନେ ଜଣେ ଦଳିତଙ୍କୁ ଓ ଏବେ ଜଣେ ଆଦିବାସୀ ମହିଳାଙ୍କୁ ଦେଶର ରାଷ୍ଟ୍ରପତି କରିଛନ୍ତି ବୋଲି ଦର୍ଶାଇ ବିବିଧତା ସଂସ୍କୃତି ପ୍ରତି ସେମାନଙ୍କର ଅଙ୍ଗୀକାର ଥିବା ଦର୍ଶାଉଛନ୍ତି, ସେମାନେ ଏହି ଶ୍ରେଣୀର ଅନ୍ୟମାନଙ୍କୁ ସମାନ ଭାବରେ ସ୍ୱୀକାର କରୁଛନ୍ତି ଓ ସମ୍ମାନ ଦେଉଛନ୍ତି ବୋଲି ଦାବି କରିପାରିବେ ନାହିଁ । ତଥାପି ଏହି ପ୍ରତିନିଧିତ୍ୱରେ ମଧ୍ୟ ଦେଶର ନିଜସ୍ୱ ବିବିଧତା ପ୍ରତିଫଳିତ ହୋଇଛି ବୋଲି କଦାପି ଦାବି କରାଯାଇପାରିବ ନାହିଁ । ନଚେତ୍ କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ସେଠାରେ ମୁସଲିମ୍ମାନଙ୍କୁ ଦିଆଯାଇଥିବା ଶତକଡ଼ା ୪ଭାଗ ସଂରକ୍ଷଣକୁ ଉଠାଇ ଦିଆଯାଇ ରାଜ୍ୟରେ ପ୍ରଭାବଶାଳୀ ଲିଙ୍ଗାୟତ ଓ ଭୋକାଲିକା ସଂପ୍ରଦାୟଙ୍କୁ ଶତକଡ଼ା ୨ଭାଗ ଲେଖାଏଁ ସଂରକ୍ଷଣ ସୁବିଧା ପ୍ରଦାନ କରାଯାଇନଥାନ୍ତା । ଯଦିଓ କର୍ଣ୍ଣାଟକରେ ମୁସଲମାନମାନଙ୍କ ସଂଖ୍ୟା ଶତକଡ଼ା ୧୦ଭାଗରୁ ଊର୍ଦ୍ଧ୍ୱ ।
ଭାରତ ଗଣତନ୍ତ୍ରର ମା’ ବୋଲି ଦର୍ଶାଇ ନିଜସ୍ୱ ବିବିଧତାର ସଂସ୍କୃତିକୁ ନଷ୍ଟ କରାଯାଉଥିବା ଓ ଗଣତାନ୍ତ୍ରିକ ଅନୁଷ୍ଠାନକୁ ଦୁର୍ବଳ କରାଯାଉଥିବା ଅଭିଯୋଗକୁ ଏଡ଼ାଇ ଯିବାପାଇଁ ଭାରତର ପ୍ରଧାନମନ୍ତ୍ରୀ ବରାବର ଉଦ୍ୟମ କରୁଛନ୍ତି ।
କରୋନା ପରବର୍ତ୍ତୀ ବିଶ୍ୱ ମହାମାରୀ ପରେ ବିଶ୍ୱ ଅର୍ଥନୀତିରେ ଭାରତର ଆର୍ôଥକ ଅଭିବୃଦ୍ଧି ହାର ଅନ୍ୟମାନଙ୍କ ଠାରୁ ଉଚ୍ଚରେ ଥିବାରୁ ଏହା ଭାରତୀୟ ଗଣତନ୍ତ୍ର ଯୋଗୁ ସମ୍ଭବ ହୋଇଛି ବୋଲି ଦାବି କରିବା ଆଦୌ ବିଶ୍ୱାସଯୋଗ୍ୟ ହେଉନାହିଁ । ବିରୋଧୀମାନଙ୍କୁ ଦମନ କରିବା ଓ ଗଣମାଧ୍ୟମକୁ ନିୟନ୍ତ୍ରଣ କରି ଭାରତର ନିଜସ୍ୱ ବିବିଧତାର ସଂସ୍କୃତିକୁ ଦୁର୍ବଳ କରି ଏକକ ରାଷ୍ଟ୍ର ଗଠନ ଦ୍ୱାରା ଭାରତର ଗଣତନ୍ତ୍ର କଦାପି ଶକ୍ତିଶାଳୀ ହେବନାହିଁ । ରାହୁଲ ଗାନ୍ଧିଙ୍କୁ ଏକ ଭାଷଣ ପାଇଁ ନ୍ୟାୟାଳୟରେ ଦୋଷୀ ସାବ୍ୟସ୍ତ କରି ପାର୍ଲାମେଂଟରୁ ବହିଷ୍କାର କରିବା କାର୍ଯ୍ୟକୁ ବିଶ୍ୱ ଗଣତନ୍ତ୍ରର କୌଣସି ରାଷ୍ଟ୍ର ଓ ଚିନ୍ତାଶୀଳ ବ୍ୟକ୍ତି ସହଜରେ ଗ୍ରହଣ କରିପାରି ନାହାନ୍ତି । କାରଣ ରାହୁଲ ଗାନ୍ଧି ବର୍ତ୍ତମାନ ସରକାରଙ୍କ ଏକ ପ୍ରମୁଖ ସମାଲୋଚକ ଓ ଭାରତର ବିବିଧତା ସୁରକ୍ଷା ପାଇଁ କରାଯାଉଥିବା ଲଢ଼େଇର ଜଣେ ପ୍ରମୁଖ ସେନାପତି । ଭାରତର ଲୋକମାନଙ୍କୁ ନିଜସ୍ୱ ବିବିଧତାର ସଂସ୍କୃତି ରକ୍ଷା ପାଇଁ ସଂଗଠିତ ହେବା ନିମନ୍ତେ ରାହୁଲ ଗାନ୍ଧିଙ୍କ ପ୍ରକ୍ରିୟା ଏକ ସୁଯୋଗ ସୃଷ୍ଟି କରିଛି । ଦେଶବାସୀ ଏହି ଆହ୍ୱାନକୁ ଗ୍ରହଣ କରିବେ କି?
ମୋ-୮୦୧୮୦୯୪୪୫୫