ରାହୁଲ ଗାନ୍ଧୀଙ୍କୁ ଏତେ ଭୟ କାହିଁକି?

ରାହୁଲ ଗାନ୍ଧୀଙ୍କୁ ଏତେ ଭୟ କାହିଁକି?

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ପ୍ରତି ବିଜେପି ନେତାମାନଙ୍କର ହେୟ ମନୋଭାବ ସବୁବେଳେ ରହିଆସିଛି । ରାହୁଲଙ୍କ ସମ୍ପର୍କରେ ବିଜେପିର ସାଧାରଣ ବକ୍ତବ୍ୟ ହେଉଛି –


୧. ରାହୁଲ ଗାନ୍ଧୀ ଜଣେ ପପ୍ପୁ।
୨. ରାହୁଲ ଗାନ୍ଧୀ ନିର୍ବୋଧ
୩. ରାହୁଲ ଗାନ୍ଧୀଙ୍କୁ କଥା କହି ଆସେନାହିଁ।
୪. ମୋଦୀଙ୍କ ଆଗରେ ରାହୁଲ ଗାନ୍ଧୀ ଗୋଟେ ସାନପିଲା।
୫. ରାହୁଲ ଗାନ୍ଧୀ କେବଳ ନିଜ ପରିବାରର ପ୍ରତିଷ୍ଠା ନେଇ ପ୍ରାସଙ୍ଗିକ, ନଚେତ୍ ତାଙ୍କର କୌଣସି ରାଜନୈତିକ ଯୋଗ୍ୟତା ନାହିଁ ।

୬. ରାହୁଲ ଗାନ୍ଧୀଙ୍କୁ କିଏ ପଚାରୁଛି ମ !

୭. ରାହୁଲ ଗାନ୍ଧୀ ଅପରିପକ୍ଵ, ବେରୋଜଗାର, ବୋକା, ମୂର୍ଖ, ଅପ୍ରାସଙ୍ଗିକ ଇତ୍ୟାଦି ଇତ୍ୟାଦି

ତେବେ ବିଜେପି ନେତା ଗୋଟେ ପକ୍ଷରେ ରାହୁଲ ଗାନ୍ଧୀଙ୍କୁ "ପପ୍ପୁ" ବୋଲି କହି ଗାଳିଗୁଲଜ କରୁଥିବା ବେଳେ ଅପରପକ୍ଷରେ ରାହୁଲଙ୍କ ପ୍ରତ୍ୟେକ ବକ୍ତବ୍ୟକୁ ସେମାନେ ଦିନରାତି ଖଣ୍ଡନ କରୁଥାନ୍ତି। ବିଜେପି ଆଇଟି ସେଲ୍ ର ମୁଖିଆ ଅମିତ ମାଲବ୍ୟ ଙ୍କ ପୁରା ଅସ୍ତିତ୍ବ ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ର କରି ଗଢିଉଠିଛି। ସେ ନିଜ ଦଳର ପ୍ରଧାନମନ୍ତ୍ରୀ ଓ ସର୍ବାଧିକ ପ୍ରଭାବଶାଳୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ଯେତିକି ଲେଖନ୍ତି, ତା'ଠୁ ଢେର୍ ଅଧିକ ରାହୁଲ ଙ୍କ ବିରୋଧରେ ଗପନ୍ତି। ରାହୁଲ ଗାନ୍ଧୀ ଯେଉଁଠି ଯାହା କହିଲେ ତାଙ୍କ କଥାକୁ ଖଣ୍ଡନ କରିବାକୁ ପୁରା ବିଜେପି ଏବଂ ମୋଦୀ ମନ୍ତ୍ରୀ ମଣ୍ଡଳ ଅଣ୍ଟା ଭିଡ଼ି ଲାଗି ପଡ଼ନ୍ତି। ବେଳେ ବେଳେ ଏମିତି ଲାଗୁଛି, ଯେମିତି ରାହୁଲ ଗାନ୍ଧୀ ଏ ଦେଶର ପ୍ରଧାନମନ୍ତ୍ରୀ ଓ ବିଜେପି ଆଜି ମଧ୍ୟ ବିରୋଧୀ ଦଳ ଆସନରେ ବସିଛି।

କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପିର ଯେଉଁ ହୀନ ଭାବନା ରହିଛି ତାର ଭଲ ଫଳ ଏବେ କଂଗ୍ରେସକୁ ମିଳିବା ଆରମ୍ଭ କରିଛି। ଲଗାତାର ୧୦ ବର୍ଷ କ୍ଷମତାରେ ରହିବା ପରେ ମଧ୍ୟ ନରେନ୍ଦ୍ର ମୋଦୀ ଆଜି ମଧ୍ୟ କଂଗ୍ରେସ ବିରୋଧୀ ଭାବନା ଆଧାରରେ ଭୋଟ ପାଇବେ ବୋଲି ଭାବୁଛନ୍ତି। କଂଗ୍ରେସ କିଛି କରିନାହିଁ ତେଣୁ ମୋତେ ଭୋଟ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଲା ବେଳେ ଏବେ ସାଧାରଣ ଜନତା ପ୍ରଶ୍ନ ପଚାରିବା ଆରମ୍ଭ କଲେଣି- ତମେ କଣ କରିଛ ଯେ ସେଥିପାଇଁ ତମକୁ ଭୋଟ ଦେବୁ!!

ରାହୁଲ ଗାନ୍ଧୀ ବିଜେପି ପାଇଁ ଏବେ ସବୁଠୁ ବଡ଼ ପ୍ରତିବନ୍ଧକ ସାଜିଛନ୍ତି। ଦେଶରେ ହେଉ କି ବିଦେଶରେ, ରାହୁଲ ଯେଉଁ ସାହସର ସହିତ ବିଜେପିର ମୁକାବିଲା କରୁଛନ୍ତି, ତାହା ତାଙ୍କର ଲୋକପ୍ରିୟତାକୁ ବ‌ହୁ ପରିମାଣରେ ବଢାଇ ଦେଇଛି। ଇଂଲଣ୍ଡ ଗସ୍ତ ସମୟରେ ରାହୁଲ ଭାରତୀୟ ଗଣତନ୍ତ୍ରର ଅବକ୍ଷୟ ବିଷୟରେ ଯାହା କହିଥିଲେ, ତାକୁ ନେଇ ବିଜେପି ସଂସଦ ଅଚଳ କରିଥିଲା। ପରବର୍ତ୍ତୀ ସମୟରେ ରାହୁଲ ଗାନ୍ଧୀଙ୍କ ସଂସଦ ସଭ୍ୟ ପଦ ରଦ୍ଦ କରି ତାଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ବିଜେପି ଉଦ୍ୟମ କରିଥିଲା। ସଂସଦ ରୁ ତାଙ୍କୁ ବହିସ୍କାର କରିବା ବିଜେପି ପାଇଁ ଆତ୍ମଘାତୀ ସାବ୍ୟସ୍ତ ହୋଇଛି। ସଂସଦ ରୁ ତାଙ୍କୁ ବହିସ୍କାର କରିବା ଅଗଣତାନ୍ତ୍ରିକ ବୋଲି ପ୍ରତ୍ୟେକ ଭାରତୀୟ ଙ୍କ ମନରେ ପଶିଯାଇଛି ଓ ଏହା ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତାକୁ ବହୁ ଭାବରେ ବଢାଇ ଦେଇଛି।

 ଏବେ ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଅଛନ୍ତି ସେ ସେଠି ଯାହା କହୁଛନ୍ତି, ତା ଉପରେ ଏଠି ପ୍ରତିଦିନ ମେଳା ଚାଲିଛି । ମୋଦୀ ସରକାରର ମନ୍ତ୍ରୀ, ବିଜେପିର ବିଭିନ୍ନ ରାଜ୍ୟମନ୍ତ୍ରୀ, ବିଜେପି କର୍ମକର୍ତ୍ତା, ବିଜେପିର ପ୍ରଚାରକ-ସାମ୍ବାଦିକ ଏବଂ ପୂରା ସଂଘ ପରିବାର ଦିନ ରାତି ରାହୁଲଙ୍କୁ ଗାଳି କରୁଛନ୍ତି । ରାହୁଲଙ୍କ ଉପରେ ଯେତେ ଗାଳି ବର୍ଷୁଛି, ତାଙ୍କର ଲୋକପ୍ରିୟତା ସେତେ ବଢୁଛି ଏବେ ଦେଖିବାକୁ ମିଳୁଛି, ବିଭିନ୍ନ ଜନମତ ସର୍ଭେରେ ରାହୁଲଙ୍କ ଲୋକପ୍ରିୟତାର ଗ୍ରାଫ ଉପରକୁ ଉଠୁଛି ।  ବିଜେପିର ଗାଳି ଏବେ କଂଗ୍ରେସ ପାଇଁ ବରଦାନ ପାଲଟିବା ଆରମ୍ଭ କରିଛି