ମଣିପୁର : ସତ ଆହୁରି ବାକି ଅଛି

ମଣିପୁର : ସତ ଆହୁରି ବାକି ଅଛି

ମଣିପୁର ଖବର ଧିରେ ଧିରେ ପଦାକୁ ଦିଶୁଛି । ସେସବୁ ଖବର ବହୁତ ଆଗରୁ ସାମ୍ନାକୁ ଆସିବା କଥା, କିନ୍ତୁ ମୂଖ୍ୟଧାରାର ଗୋଦି ମିଡିଆ ଓ ସରକାରଙ୍କ ଉଦ୍ଦେଶ୍ୟମୂଳକ ସତର୍କତା ପାଇଁ ପଦାକୁ ସହଜରେ ଆସିପାରିନଥିଲା । ସତ ହେଉଛି ମଞ୍ଜି ପରି ଚିଜ । ତମେ ତାକୁ ମାଟି ଖୋଳି ଯେତେ ଯେତେ ତଳେ ପୋତିବ, ସେ ସେତେ ସେତେ ତଳୁ ଗଜା ମାରି ଉପରକୁ ଉଠିବ ଓ ନିଜକୁ ଜାହିର କରିବ ।

ଏହା ଭିତରେ ମଣିପୁର ବିଷୟରେ ଅନେକ ତଥ୍ୟ ଓ ଖବର ସାମ୍ନାକୁ ଆସିଲାଣି । ଲୋକେ କୁକି, ନାଗା ଓ ମୈତେୟୀମାନଙ୍କ ବିଷୟରେ ଆଗରୁ ଯେତେ ଜାଣିନଥିଲେ ଏବେ ଅଧିକ ଜାଣିଲେଣି । ଅନେକ ତ ମଣିପୁର ଭାରତର ଗୋଟେ ରାଜ୍ୟ ବୋଲି ଜାଣିନଥିଲେ । ସେମାନେ ବି ଜାଣିଲେଣି ।

ଏବେ ଡ଼. ନମ୍ରତା ଦତ୍ତଙ୍କ ଏକ ଟୁଇଟ୍ ସାମ୍ନାକୁ ଆସିଲା । ଡ଼. ନମ୍ରତା  ଯାହା କହିବାକୁ ଚାହିଁଛନ୍ତି, କିଛି ଦିନ ହେଲାଣି ଠିକ୍ ସେଇ ଏକା କଥା ମୁଁ ବି ଭାବୁଥିଲି । ଭାବୁଥିଲି ଆମ ନୀୟମଗିରିରୁ ଡଙ୍ଗରିଆ କନ୍ଧଙ୍କୁ ହଟେଇବା ଚେଷ୍ଟା ପଛରେ ଯୋଉ ମାଟି ତଳ ଖଣିଜ ପଦାର୍ଥକୁ ହରିଲୁଟ କରିବାର କାରଣଟି ରହିଛି ମଣିପୁରରେ ସେଇ କାରଣ ଆଉ ନାହିଁ ତ? ଏବେ ଜାଣୁଛି ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ସର୍ଭେ ଅନୁସାରେ ମଣିପୁରର ମାଟି ତଳେ ଅଛି ପ୍ରଚୁର ପରିମାଣର ନିକେଲ୍, କପର ଓ ପ୍ଲାଟିନମ୍ ପରି ଦାମିକା ଧାତୁ । ଏ ସବୁ ଧାତୁ ଶହ ଶହ ବର୍ଷ ଧରି ରହିଆସୁଥିବା ଆଦିବାସୀ ବହୁଳ ଅଞ୍ଚଳର ପାହାଡ ଓ ଜଙ୍ଗଲର ମାଟି ତଳେ ଅଛି । ହିସାବ ଅନୁସାରେ ମଣିପୁରର ୮୯ ପ୍ରତିଶତ ଭୂମି ହେଉଛି ପାହାଡିଆ । ଆଉ ସେଇ ପାହାଡ ତଳେ ଗଚ୍ଛିତ ହେଇ ରହିଛି ଖଣିଜ ରତ୍ନ ।

ଅନେକ ଦିନ ହେଲାଣି କର୍ପୋରେଟ୍ ୱାର୍ଲଡର ଖଣି ମାଫିଆମାନଙ୍କର ଆଖି ସେ ଖଣିଜ ପଦାର୍ଥ ଉପରେ ହୁଏତ ଥିଲା । ରହିବା କଥା ବି । କାରଣ ସେମାନେ ପୃଥିବୀର ଅନ୍ତନାଡି ପର୍ଯ୍ୟନ୍ତ ସବୁ କିଛିକୁ ବାହାରକୁ ଆଣିଦେବାକୁ ଚାହାଁନ୍ତି । କିନ୍ତୁ ଅସୁବିଧା ହେଲା ନିୟମ ଅନୁସାରେ ସେଠାର ଆଦିବାସୀ ଜମିକୁ ଅନ୍ୟମାନେ କିଣି ପାରିବେନି । ତଳେଇ ଦେଖିଲେ ଆଜି ମଣିପୁରର ଏଇ ଅବସ୍ଥା ପଛରେ ଏଇ ଜମିଜମା କଥାହିଁ  ରକ୍ତପାତର ଅନ୍ୟତମ ମୂଖ୍ୟ କାରଣ ।

ହିନ୍ଦୁ ଓବିସି ମୈତେୟୀମାନେ ପାହାଡି ଅଞ୍ଚଳରେ ଜମି କିଣିପାରୁନାହଁନ୍ତି । ସେଉଠୁ ସେଠାର ମାନ୍ୟବର କୋର୍ଟର ଜଣେ ଦକ୍ଷିଣପନ୍ଥୀ ଜଜ୍ ମୈତେୟୀମାନଙ୍କୁ ଜନଜାତିର ମାନ୍ୟତା ଦେବା ପାଇଁ ଲାଗିଗଲେ । ଜନଜାତିର ମାନ୍ୟତା ମିଳିଗଲେ ତେଣିକି ଜଂଗଲ ଓ ପାହାଡି ଜମିକୁ ଅକ୍ତିଆର କରିବାରେ ଅସୁବିଧା ହେବନି । ତାପରେ ମୈତେୟୀମାନଙ୍କ ପାଖରୁ ଜମି ସବୁ କରପୋରେଟ ୱାର୍ଲଡର ଖଣି ମାଫିଆମାନଙ୍କୁ ଯିବାକୁ ସୁବିଧା ହେଇଯିବ ।
 
ଜନଜାତୀ ଭାବରେ କୁକି ମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ମୈତେୟୀମାନଙ୍କୁ ମଧ୍ୟ ମିଳୁ ବୋଲି କୁକି ମାନେ ପସନ୍ଦ କରୁନାହାଁନ୍ତି । ମଣିପୁର ଜନସଂଖ୍ୟାର ଅଧାରୁ ଅଧିକ ହେଲେ ମୈତେୟୀ । ୨୦୧୧ ଜନଗଣନା ଅନୁସାରେ ମଣିପୁରର ଜନସଂଖ୍ୟା ହେଲା ୨୮ ଲକ୍ଷ । ସେଥିରୁ ମୈତେୟୀ ହେଲେ ୧୫ ଲକ୍ଷ, କୁକି ୮ ଲକ୍ଷ ଓ ନାଗା ୬ ଲକ୍ଷ । ପୁରାତନ ଧାରଣା ଓ ଲୋକ ଚଳଣୀ ସହ ମୈତେୟୀମାନେ ଅନେକ ବର୍ଷ ତଳୁ ହିନ୍ଦୁ ଭାବରେ ନିଜକୁ ପରିଚିତ କରାଇସାରିଛନ୍ତି । ସେଥିରେ ଅବଶ୍ୟ ପ୍ରାୟ ୮ ପ୍ରତିଶତ ମୁସଲମାନ ମୈତେୟୀ ବି ଅଛନ୍ତି । ୧୯୯୩ରେ ମୈତେୟୀ ହିନ୍ଦୁ ଓ ମୈତେୟୀ ମୁସଲମାନଙ୍କ ଭିତରେ ସଂଘର୍ଷ ହେଇଥିଲା । ତେବେ ରାଜ୍ୟରେ କୁକି ଓ ନାଗାମାନଙ୍କ ଅପେକ୍ଷା ମୈତେୟୀମାନେ ବ୍ୟବସାୟ, ରାଜନୀତି, ଶିକ୍ଷା ଆଦି ଅନେକ କ୍ଷେତ୍ରରେ ବହୁତ ଆଗରେ ଓ ଆର୍ଥିକ ଦିଗରୁ ସ୍ୱଚ୍ଛଳ । କୁକି ଓ ନାଗାମାନେ ମୁଖ୍ୟତଃ ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ । କୁକିମାନଙ୍କ ବାସସ୍ଥାନ ମଣିପୁରୁରୁ ଆରମ୍ଭ ହେଇ ମିଆମାର ପର୍ଯ୍ୟନ୍ତ ପରିବ୍ୟାପ୍ତ । ଏମିତି ବି କୁହାଯାଏ କୁକିମାନେ ଅନେକ ବର୍ଷ ତଳେ କୁଆଡେ ମିଆମାରରୁ ଆସିଥିଲେ ଓ ତତ୍କାଳୀନ ମୈତେୟୀ ରାଜାମାନେ ସେମାନଙ୍କୁ ସେଠାର ଜଂଗଲରେ ବାସ କରିବାକୁ ଅନୁମତି ଦେଇଥିଲେ । ସ୍ୱତନ୍ତ୍ର ନାଗାରାଜ୍ୟ ଦାବି ବେଳେ ନାଗାମାନେ ଦାବି କଲେ କୁକି ରହିଥିବା ପୁରା ଅଞ୍ଚଳ ତାଙ୍କୁ ଦିଆଯାଉ । ୧୯୯୩ରେ ନାଗା ଓ କୁକିମାନଙ୍କ ଭିତରେ ଭୟଙ୍କର ସଂଘର୍ଷ ହେଇଥିଲା ଓ ଶହେରୁ ଅଧିକ କୁକିଙ୍କୁ ନାଗାମାନେ ହତ୍ୟା କରିଥିଲେ । ମଜା କଥା ହେଲା କୁକି ଓ ନାଗାମାନଙ୍କ ଭିତରେ ଆପୋଷ ଗଣ୍ଡଗୋଳ ଲାଗିରହୁଥିବା ବେଳେ ସେମାନେ କିନ୍ତୁ ମୈତେୟୀମାନଙ୍କ ବିରୁଦ୍ଧରେ ସବୁବେଳେ ଏକାଠି ହୁଅନ୍ତି । ଏଥର କିନ୍ତୁ ନାଗାମାନେ ଚୁପ୍ ଅଛନ୍ତି । କୁକି ନେତାଙ୍କ କହିବା କଥା ହେଲା, ମୈତେୟୀ ମାନେ କେବଳ କୁକିଙ୍କୁ ବିରୋଧ କରୁଛନ୍ତି। କାରଣ ନାଗା ଓ କୁକିଙ୍କ ଭିତରେ ବିଭେଦ ସୃଷ୍ଟି କରିବା ସେମାନଙ୍କ ଲକ୍ଷ୍ୟ ରହିଛି । ମୈତେୟୀମାନଙ୍କୁ ଏସ୍.ଟି ମାନ୍ୟତା ଦେବା କଥାକୁ ନାଗାମାନେ ବିରୋଧ କରନ୍ତି । କୁକି ଓ ନାଗାମାନଙ୍କ ଅଭିଯୋଗ ହେଲା ଇମ୍ଫାଲ ଭ୍ୟାଲିରେ ରହୁଥିବା ମୈତେୟୀମାନେ ସବୁ ପ୍ରକାର ସୁବିଧା ସୁଯୋଗ ଏକଚାଟିଆ ଉପଭୋଗ କରୁଛନ୍ତି । ଏମିତିକି ୬୦ଟି ଆସନ ଥିବା ରାଜ୍ୟ ବିଧାନସଭାରେ ମୈତେୟୀମାନଙ୍କର ଭାଗ ହେଲା ୪୦ । ସେମାନଙ୍କ ପ୍ରଶ୍ନ ହେଲା ମୈତେୟୀମାନେ ସମୁଦାୟ ଜନସଂଖ୍ୟାର ଅଧାରୁ ସାମାନ୍ୟ ଅଧିକା ଥିବା ବେଳେ ବିଧାନସଭାରେ ମୈତେୟୀମାନଙ୍କର ଆସନ କାହିଁକି  ୪୦? 

ରାଜ୍ୟ ହାଇକୋର୍ଟରେ ମୈତେୟୀମାନଙ୍କ ଏକ ପିଟିସନ୍ ଉପରେ ଶୁଣାଣି କରି ମାନ୍ୟବର କୋର୍ଟ ରାଜ୍ୟ ସରକାରଙ୍କୁ କହିଲେ ଯେ କେନ୍ଦ୍ର ସରକାରଙ୍କୁ ମୈତେୟୀମାନଙ୍କୁ ସିଡ୍ୟୁଲ ଟ୍ରାଇବ୍ ଭାବରେ ବିଚାର କରିବାକୁ ପ୍ରପୋଜାଲ ପଠାଯାଉ । ଏଇଠୁ ହିଁ ଆରମ୍ଭ ହେଇଛି ଗଣ୍ଡଗୋଳର ବିଷ ମଞ୍ଜି  । କଥାଟିକୁ ନାଗା ଓ କୁକିମାନେ ବିରୋଧ କଲେ । ସେମାନେ କହିଲେ ସହଜରେ ମୈତେୟୀ ଏମିତିତ  ଆଗରେ ଅଛନ୍ତି । ପୁଣି ସଂରକ୍ଷଣ ପାଇଲେ ନାଗା ଓ କୁକିମାନେ ରାଜ୍ୟରେ ସିଧାସଳଖ କଣ ଠେସା ହେଇଯିବେ । ସେପଟେ ମୈତେୟୀମାନଙ୍କର କହିବା କଥା ହେଲା ୧୯୪୮ରେ ମଣିପୁର ଭାରତ ସହ ମିଶିବା ଆଗରୁ ସେଠାର ସରକାର ମୈତେୟୀମାନଙ୍କୁ ଜନଜାତୀ ଭାବରେ ବିଚାର କରୁଥିଲେ । ମିଶ୍ରଣ ପରେ ଭାରତ ସରକାର କିନ୍ତୁ ମୈତେୟୀମାନଙ୍କୁ ଜେନେରାଲ କାଟେଗୋରୀରେ ରଖିଲେ । ମଣ୍ଡଳ କମିଶନ୍ ଲାଗୁ ହେଲାପରେ ସେମାନଙ୍କୁ ଓବିସି ଷ୍ଟାଟସ୍ ଦିଆଗଲା । ମୈତେୟୀମାନେ କିନ୍ତୁ ୨୦୧୨ ମସିହାରୁ ହାଇକୋର୍ଟରେ ସେମାନଙ୍କୁ ଏସ୍.ଟି ଭାବରେ ଷ୍ଟାଟସ୍ ମିଳୁ ବୋଲି ଦାବି କରି ଆସୁଥିଲେ ।
 
ଦୃଷ୍ଟିକୋଣ ବଦଳାଇ ଅନ୍ୟ ଦିଗରୁ ଦେଖିବାକୁ ଗଲେ ଏତେସବୁ କାଣ୍ଡ କାରଖାନା ପଛରେ ଲାଭଖୋର୍ କର୍ପୋରେଟ୍ ବ୍ୟବସାୟୀଙ୍କ ଲୋଭକୁ ଦେଖିହେବ । ଜଙ୍ଗଲିଆ ପାହାଡି ଅଞ୍ଚଳରୁ ନାଗା ଓ କୁକିମାନଙ୍କୁ ବିତାଡିତ କଲେ ସିନା ସେଠି ସହଜରେ ଖଣି ଖେଳାଯାଇ ପାରିବ । କିନ୍ତୁ ସେଥିରେ ସରକାରଙ୍କ ପ୍ରଚ୍ଛନ୍ନ ସହଯୋଗ ବିଡମ୍ବନାର କଥା । ଡାହାଣୀ ହେଇ ଲାଗିବା ଓ ଗୁଣିଆ ହେଇ ଛଡେଇବା ନୀତି ଆପଣାଇଥିବା ସରକାରଙ୍କ ଛଦ୍ମ ବେଶକୁ ସାଧାରଣ ଲୋକମାନେ କେବେବି ସହଜରେ ବୁଝିପାରିବେନି । ମିଛ ଖବରକୁ ସତ ମଣି ଭିଡ ହିଂସାରେ ସାମିଲ ହେଉଥିବା ଆଜିର ଯୁବକମାନଙ୍କର ବୁଝିବାର ଶକ୍ତି ଆଉ ନାହିଁ । ଧ..... . କହିଲେ ଧାଇଁ ଯିବା ଓ ମାର୍ କହିଲେ ମାରି ପକାଇବାକୁ ସେମାନେ ଦେଶ ପ୍ରେମ, ଜାତିପ୍ରେମ ଓ ମାଟି ପ୍ରେମ ବୋଲି ବୁଝୁଛନ୍ତି ।

କେବଳ ଭାରତ ନୁହେଁ ସାରା ବିଶ୍ୱରେ ସଭ୍ୟତାର ପ୍ରଗତି ପାଇଁ ଜନଜାତିମାନଙ୍କୁ ହିଁ ବିସ୍ଥାପିତ ହେବାକୁ ହୁଏ । ମଣିପୁରରେ ସେଇ ଏକା କଥାର ପୁନରାବୃତ୍ତି ପାଇଁ ନକ୍ସା ପ୍ରସ୍ତୁତି ହେଉଛି ମାତ୍ର । ଆମକୁ ଯାହା ଦିଶୁଛି ତାହା କେବଳ ଏକ ମାତ୍ର ସତ ନୁହେଁ । ପ୍ରକୃତରେ ଆମେ ହୁଏତ ଅସଲ ସତକୁ ଦେଖିପାରୁନେ । ବଣିକମାନଙ୍କର ଅସଲ ଉଦ୍ଦେଶ୍ୟ ବୁଝିପାରୁନେ । ଆମକୁ ଯାହା ଦେଖାଇଦିଆ ଯାଉଛି ତାକୁ ହିଁ  ଆମେ ଏକ ମାତ୍ର ସତ ବୋଲି ଧରିନେଉଛେ ।