ରବିଶ୍ କୁମାରଙ୍କ "ମଣିପୁର"

ପ୍ରଖ୍ୟାତ ସାମ୍ବାଦିକ ରବିଶ କୁମାରଙ୍କ "ମଣିପୁର" ଲେଖାଟିରେ ଏମିତି କିଛି ପ୍ରସଙ୍ଗ ରହିଛି ଯାହାକି ପ୍ରତ୍ୟେକ ସଂବେଦନଶୀଳ ନାଗରିକର ବିବେକକୁ ପ୍ରକମ୍ପିତ କରିବାକୁ ବାଧ୍ୟ । ସେହି ଲେଖାର ଅନୁବାଦ ପ୍ରସ୍ତୁତ କରିଛନ୍ତି ପ୍ରଫେସର ନୀଳମଣି ସାହୁ ।

ରବିଶ୍ କୁମାରଙ୍କ "ମଣିପୁର"

ଆପଣମାନଙ୍କ ମଧ୍ୟରୁ ଅନେକ ସେହି ଭିଡିଓଟିକୁ — ଯେଉଁଥିରେ ବିପୁଳ ସଂଖ୍ୟାର ପୁରୁଷମାନଙ୍କ ଏକ ଭିଡ଼ କେତେକ ମହିଳାଙ୍କୁ ବିବସ୍ତ୍ର କରି ସେମାନଙ୍କ ବିଭିନ୍ନ ଅଙ୍ଗକୁ ଚିପାଚିପି କରୁଥିବା ଦୃଶ୍ୟ ରହିଛି, ତାକୁ — ସମ୍ଭବତଃ ଦେଖି ନଥିବେ । ପୁରୁଷମାନଙ୍କର ଏହି ଭିଡ଼ ବିବସ୍ତ୍ର କରାଯାଇଥିବା ନାରିମାନଙ୍କୁ ଧରି ନେଉଥିଲେ । ଭିଡ଼ ଭିତରେ ଥିବା ଘାତକମାନଙ୍କ ହାତ ମହିଳାମାନଙ୍କ ଦେହ ସହିତ ଖେଳୁଥିଲା । ଅସହାୟ ମହିଳାମାନେ କାନ୍ଦୁଥିଲେ । ଆଉ ପୁରୁଷମାନେ ଆନନ୍ଦ ଉପଭୋଗ କରୁଥିଲେ । ସମାଜର ଶାଳୀନତା ନିୟମ ଆଳରେ ସୋସିଆଲ୍ ମିଡିଆ ସାଇଟ୍‌ରେ ଏହି ଭିଡିଓକୁ ହୁଏତ ଅବିଳମ୍ବେ ବନ୍ଦ କରିଦେବେ, କିନ୍ତୁ ଘଟଣାଟି ତ ବାସ୍ତବ । ଯାହା ଲେଖିଛି ତାହା ହିଁ ତ ତାର ବର୍ଣ୍ଣନା । ଆଉ ଯାହା ଆମେ ଜାଣିନେ ତାହା ହେଲା — ଏହି ଭିଡିଓ ପରେ ସେହି ମହିଳାମାନଙ୍କ ସହିତ କିପରି ବ୍ୟବହାର କରାଯାଇଥିବ? ଏହି ପୁରୁଷମାନେ ସେମାନଙ୍କୁ କେଉଁଠୁ ଆଣିଥିଲେ କେଉଁଠିକି ନେଲେ, ତାହାର ଚିତ୍ର ନାହିଁ । ଭିଡିଓଟିରେ କେବଳ ମଝି ଟିକକ ଦର୍ଶା ଯାଇଛି, ଆରମ୍ଭ ନାହିଁ କି ଶେଷ ନାହିଁ । ତଥାପି କେହି ମୁହଁ ଫେରେଇ ପାରିବେନି । ଆଜି ଆପଣ ଚୁପ୍ ରହି ପାରିବେନି ।

ପୁରୁଷମାନଙ୍କ ଭିଡ଼ ଭିତରେ ନଙ୍ଗଳା କରାଯାଇଥିବା ସେହି ମହିଳାମାନଙ୍କ ପାଇଁ ଆଜି କହିବାକୁ ହେବ । ଆପଣମାନେ ଯେଉଁଠି ବି ଥାଆନ୍ତୁ, ସେମାନଙ୍କ ବିଷୟରେ କହନ୍ତୁ । ବଜାରେ ଥିଲେ ଦୋକାନୀଙ୍କୁ କହନ୍ତୁ । ରିକ୍ସାରେ ରିକ୍ସାବାଲାଙ୍କୁ କହନ୍ତୁ । ଓଲା-ଓବେରରେ ଡ୍ରାଇଭରଙ୍କୁ କହନ୍ତୁ । ବାପାଙ୍କୁ ଫୋନ୍ କଲେ ସର୍ବ ପ୍ରଥମେ ଏହି କଥା କହନ୍ତୁ । ପ୍ରେମିକାଙ୍କ ଆଡ଼ୁ ଫୋନ୍ ଆସିଲେ ସେମାନଙ୍କ କଥା ଆଗ କହନ୍ତୁ । କ୍ଲାସରୁମ୍‌ରେ ଥିଲେ ଠିଆ ହୋଇ ନିଜ ଶିକ୍ଷକଙ୍କ ସାମନାରେ କହନ୍ତୁ, କୌଣସି ରେସ୍ତୋରାଁରେ ସାଙ୍ଗସାଥୀମାନଙ୍କ ସହ ମଉଜ ମଜଲିସ୍ କରୁଛନ୍ତି ତ ଖାଇବାଟା ଟିକିଏ ବନ୍ଦ କରି ଏହି ମହିଳାମାନଙ୍କ ବିଷୟରେ କହନ୍ତୁ । ବସ୍‌ରେ, ଟ୍ରେନ୍‌ରେ, ବିମାନଘାଟିରେ ଅଛନ୍ତି ତ ସେଠି କହନ୍ତୁ ମଣିପୁରରୁ ଏପରି ଏକ ଭିଡିଓ ଭାଇରାଲ୍ ହୋଇଛି, ଯହିଁରେ ଦଳେ ପୁରୁଷ ନାରୀମାନଙ୍କୁ ଉଲଗ୍ନ କରି ସେମାନଙ୍କ ଦେହ ସହିତ ଖେଳୁଛନ୍ତି । ଏହି ଘଟଣା ସେପରି ଦେଶରେ ହୋଇଛି ଯେଉଁଠି ଏଭଳି ଏକ ମିଛ ପ୍ରତିଦିନ ଦୋହରା ଯାଉଛି ଯେ ଦେବୀ ସମାନ ନାରୀମାନଙ୍କୁ ପୂଜା କରାଯାଏ । ପୁଣି ନିଜର ହିଁ ଗାଡ଼ି ପଛରେ "ବେଟୀ ବଚାଓ' ଲେଖଉଛନ୍ତି । ଆଜି ଯଦି ଆପଣ ସେହି ଭିଡ଼ ବିରୁଦ୍ଧରେ କହିବେନି, ତେବେ ସେମାନଙ୍କ ଶରୀର, ସେମାନଙ୍କ ମନ କାଳକାଳକୁ ବିବସ୍ତ୍ର ହୋଇ ରହିଯିବ । ଆପଣଙ୍କ ନ କହିବା, ସେହି ଭିଡ଼ରେ ସାମୀଲ୍ ହେବା ସଙ୍ଗେ ସମାନ । ନାରୀମାନଙ୍କୁ ଲଙ୍ଗଳା କରି ସେମାନଙ୍କ ଦେହ ସହିତ ଖେଳୁଥିବା ଭିଡ଼ ଭିତରର ପଶୁଙ୍କ ଭଳି ଆପଣ ବି ହୋଇଯିବେ । ଏଣୁ ଫୋନ୍ ଉଠାନ୍ତୁ, କହନ୍ତୁ, ଲେଖନ୍ତୁ ଏବଂ ସମସ୍ତଙ୍କୁ କହନ୍ତୁ ଯେ ମଣିପୁରର ମହିଳାମାନଙ୍କ କ୍ଷେତ୍ରରେ ଏଭଳି ହୋଇଛି । ଆମେ ଏହାର ବିରୋଧ କରୁଛୁ । ଆମର ମୁଣ୍ଡ ଲାଜସରମରେ ନଇଁ ଯାଉଛି । ଆପଣମାନେ ନିଜନିଜର ମାନବିକତାକୁ ବଞ୍ଚାନ୍ତୁ । ମଣିପୁର ଘଟଣାର ବିରୋଧରେ କହନ୍ତୁ । କେହି ବି ଯଦି ନ ଶୁଣନ୍ତି, ତେବେ କବାଟ କୀଳି ଏକେଲାରେ ସେହି ନାରୀମାନଙ୍କ ପାଇଁ ଲୁହ ଗଡ଼ାନ୍ତୁ । ମୁଁ ଜାଣେ ମଣିପୁରର ସେହି ନାରୀମାନଙ୍କ ବିବଶତା ଆପଣମାନେ ଅନୁଭବ କରି ପାରିବେନି, ସେମାନଙ୍କର ଆର୍ତ୍ତନାଦ ଶୁଣି ପାରିବା ଭଳି ଅବସ୍ଥାରେ ଆଉ ଆପଣମାନେ ନାହାଁନ୍ତି । କାରଣ ଆପଣମାନେ ପଢ଼ୁଥିବା ଖବରକାଗଜ, ଆପଣମାନେ ଦେଖୁଥିବା ଟିଭି ଚାନେଲ ଆପଣମାନଙ୍କର ହୃଦୟର ମାନବିକତାକୁ ମାରି ଦେଇଛନ୍ତି । ଆପଣମାନଙ୍କ ଅନ୍ତରର ଭଲଗୁଣଗୁଡ଼ିକୁ ନଷ୍ଟ କରି ଦେଇଛନ୍ତି । ଗୋଦୀ ମିଡ଼ିଆରେ ସେହି ନାରୀମାନଙ୍କ ସ୍ୱର ଶୁଣା ଯିବ କି ନାହିଁ ମୋତେ ଜଣା ନାହିଁ, ଏହି ଦୃଶ୍ୟ ଦେଖି ପ୍ରଧାନମନ୍ତ୍ରୀ କାନ୍ଦବୋବାଳି ଛାଡ଼ିବେ କି ନାହିଁ ମୋତେ ଜଣା ନାହିଁ, ମହିଳା ବିକାଶ ମନ୍ତ୍ରୀ ସ୍ମୃତି ଈରାନୀ ଲୋକ ଦେଖାଣିଆ ହେଉ ପଛେ କାନ୍ଦିବେ କି ନାହିଁ ମୋତେ ଜଣା ନାହିଁ, କିନ୍ତୁ ମୁଁ ଜାଣିଛି ଏହି ଧରଣର ଭିଡ଼କୁ କିଏ ତିଆରି କରିଛି, କେଉଁ ଧରଣର ରାଜନୀତି ତିଆରି କରିଛି । ଏହି ରାଜନୀତି ଆପଣମାନଙ୍କୁ ପଶୁତୁଲ୍ୟ କରି ଦେଇଛି । ଗୋଦୀ ମିଡ଼ିଆ ନିଜର ଦର୍ଶକ ଓ ପାଠକମାନଙ୍କୁ ନରହନ୍ତା କରି ଦେଇଛି ।

ଜାତି, ଧର୍ମ, ଭାଷା, ଭୂଗୋଳ ନାଁ ରେ ପରିଚୟର ରାଜନୀତି ମଣିଷମାନଙ୍କୁ ହିଁ ନରହନ୍ତାରେ ପରିଣତ କରିଛି । ମଣିପୁରର ମହିଳାମାନଙ୍କୁ ଘେରି ନାଚ କରୁଥିବା ମରଦମାନଙ୍କ ଭିଡ଼ ଭଳିଆ ଭିଡ଼ ଆପଣମାନଙ୍କ ଆଖପାଖରେ ବି ଦେଖା ଦେଲାଣି । ହାଉସିଂ ସୋସାଇଟିର ଅଂକିଲମାନଙ୍କ ପ୍ରତି ସାବଧାନ ରହନ୍ତୁ । ନିଜ ଘରେ ବିଷ ଗୋଳୁଥିବା ବନ୍ଧୁବାନ୍ଧବଙ୍କ ପ୍ରତି ସାବଧାନ ରହନ୍ତୁ । ସେମାନଙ୍କୁ ଯାଇ କହନ୍ତୁ ଘୃଣା ଓ ପରିଚୟର ରାଜନୀତି ଜନତାଙ୍କୁ କି ଧରଣର ଭିଡ଼ରେ ପରିଣତ କଲାଣି । ସେ ମହିଳାମାନେ ମଣିପୁରର ନୁହଁନ୍ତି । ସେମାନେ କୁକୀ ନୁହଁନ୍ତି । ସେମାନେ ଆଉ କିଛି ନୁହଁନ୍ତି । — କେବଳ ନାରୀ । ଏହି ଘଟଣା ଦ୍ୱାରା ଯଦି ଆପଣମାନଙ୍କ ମନ ଆନ୍ଦୋଳିତ ହେଉନି, ଆପଣମାନଙ୍କ ଲୋମ ଟାଙ୍କୁରି ଉଠୁନି, ତେବେ ଆପଣମାନେ ନିଜନିଜର ମୃତ୍ୟୁ ଘୋଷଣା କରି ଦିଅନ୍ତୁ ।

ହେଲେ ଶେଷ ନିଶ୍ୱାସ ନେବା ପୂର୍ବରୁ ସେହି ମହିଳାମାନଙ୍କ ପାଇଁ କହି ଦିଅନ୍ତୁ । ଲେଖି ପକାନ୍ତୁ । କାହାକୁ ବି କହି ଦିଅନ୍ତୁ ଯେ ଏପରି ହେଲା । ଏହି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଢ଼େଇ ମାସ ହେଲାଣି ଶାନ୍ତି ପାଇଁ ଅପିଲ କରି ନାହାଁନ୍ତି । ସେଠାକୁ ଯାଇ ଘୃଣା ଓ ହିଂସା ବନ୍ଦ କରିବା ପାଇଁ ଅପିଲ କରି ନାହାଁନ୍ତି । ରାଜ୍ୟଟି ତା ନିଜ ଦାୟିତ୍ୱ ପାଳନ କଲାନି । ତାଙ୍କର ଯିବା ବା ଅପିଲ ଦ୍ୱାରା ଯେ ହିଂସା ବନ୍ଦ ହୋଇ ଯାଆନ୍ତା ତାର କୌଣସି ଗ୍ୟାରେଣ୍ଟୀ ନାହିଁ, ହେଲେ ଏ ମୌନତାର ମାନେ କଅଣ? ଏହି ମୌନତାକୁ କଅଣ ଠିକ୍ କୁହାଯାଇ ପାରିବ? ଛାଡ଼ନ୍ତୁ, ପ୍ରଧାନମନ୍ତ୍ରୀଙ୍କ ମୌନ କଥା, ଆପଣମାନେ ନିଜନିଜର ମୌନଭଙ୍ଗ କରନ୍ତୁ । କହନ୍ତୁ ।

ଆପଣମାନଙ୍କର,

ରବିଶ୍ କୁମାର