କୁମାର ହାସନ, ରକ୍ତ ଓ ନିଆଁର କବି
“ମୋ ଘର ଆଗରେ କେଉଁଠି ଗୋଟେ ମଲ୍ଲୀଫୁଲ ଫୁଟିଛି । ତାର ସବୁତକ ବାସ୍ନା ତୋତେ ଦେଲି । ନେ’ ।
ନବେ ଦଶକରେ ହାସନ ଦାଦାର ଗୋଟେ ଚିଠିର ଧାଡି ଏମିତି ଥିଲା । ହାସନ ଦାଦା ପାଖରୁ ଚିଠି ପାଇବା ଆମ ସମୟର ପ୍ରାୟ କବିଙ୍କର ଗୋଟେ ପ୍ରକାର ପୁରସ୍କାର ଥିଲା । ଡେଙ୍ଗା, ଛାଟିଦେଲା ପରି , ଅତି ଚମତ୍କାର ହାସନ ଦାଦାଙ୍କର ଅକ୍ଷର । ଅନେକ ସମୟରେ ତାଙ୍କ ଅକ୍ଷରର ରଙ୍ଗ ସବୁଜ ନଚେତ ଲାଲ । ଜୀବନରେ ବି ସେମିତି- ସବୁଜ ଓ ନାଲି ରଙ୍ଗର ଗୋଟେ ବିଚିତ୍ର ଫେଣ୍ଟାଫେଣ୍ଟି କୁମାର ହାସନଙ୍କର ଜୀବନ । କବି ଭାବରେ ସେ ଯେତିକି ଭାବପ୍ରବଣ, ସାମାଜିକ କର୍ମୀ ଭାବରେ ସେତିକି ବାସ୍ତବବାଦୀ ଓ ନିଷ୍ଠାପର ।
ଆମ ସମୟର କବିତାରେ ସେ ଅନ୍ୟ ସବୁ କବିଙ୍କ ଠାରୁ ଅଲଗା । କାରଣ ସେ ଶତ ପ୍ରତିଶତ କବି । ପୁରସ୍କାର, ସ୍ଵୀକୃତି କି ପରିଚୟ ଲାଗି ସେ କବିତା ଲେଖୁଥିବା କବି ନଥିଲେ । ତାଙ୍କ କବିତା ରକ୍ତ ଓ ନିଆଁରୁ ଜନ୍ମ ନେଉଥିଲେ । ଭୋକ ଏବଂ ଅଭାବ ଭିତରୁ ଉତ୍ତୁରି ଆସୁଥିଲା ତାଙ୍କର କବିତା । ଆମ ସମୟର ଅନେକ କବି ହାସନ ଦାଦାଙ୍କ ପାଖରୁ ସେହି ନିଷ୍ଠୁର ପ୍ରଶ୍ନଟି ଶୁଣିଆସିଛୁ- “ଭୋକ ବିଷୟରେ କବିତା ଲେଖୁଛୁ ଯେ, ଭୋକ କଣ ଜାଣିଛୁ ?” ଆମ ସମୟର ସବୁ ନୂଆ କବି ତାଙ୍କ ପାଖକୁ ଯାଇଛନ୍ତି, ଭୋକ ଓ ଦୁଃଖର ଭାଷା ଶିଖିବାକୁ । ଜୀବନର କବି ଓ ପ୍ରତିବାଦର ଚିନ୍ତକ ଭାବରେ ସେ ନିଜେ ଥିଲେ ଓଡିଆ କବିତାର ଏକ ଅଣ ଆନୁଷ୍ଠାନିକ ଗୁରୁକୁଳ । ସେ ଆମ ସମସ୍ତଙ୍କର ବଡଭାଇ, ଆମର ପ୍ରିୟ ହାସନ ଦାଦା ।
କୁମାର ହାସନ କବି । କବିତାକୁ ସାରା ଜୀବନ ମଶାଲ କିମ୍ବା ଅସ୍ତ୍ର ଭାବରେ ବ୍ୟବହାର କରିବାକୁ ସେ ଲେଖିଛନ୍ତି । କବିତାରେ ତାଙ୍କର କ୍ରୋଧ, କ୍ଷୋଭ, ଅସନ୍ତୋଷ, ଅଭାବବୋଧ, ହତାଶା ଓ ଗୋଟେ ସମତାଭିତ୍ତିକ ସମାଜର ସ୍ଵପ୍ନ ଅତି ସରଳ ଭାବରେ ଫୁଟି ଉଠନ୍ତି । ତାଙ୍କ କବିତାର ନିଆଁ ଅନେକ ସମୟରେ ପାଠକକୁ ପୋଡି ଦେଇପାରେ । ତାଙ୍କ କ୍ରୋଧର ଭାଷା ବର୍ଚ୍ଛା ପରି । ସେ କବିତାରେ ଆଘାତ ଦେବାକୁ ଭଲପାଆନ୍ତି । ବେଳେ ବେଳେ ତାଙ୍କ କବିତାର ଚିତ୍ର ସବୁ ରୁକ୍ଷ, କର୍କଶ ଓ ରକ୍ତାକ୍ତ । ତାହା ହିଁ ଆମ ସମୟ ଓ ସମାଜର ବାସ୍ତବତା ।
କୁମାର ହାସନଙ୍କର ସାହିତ୍ୟିକ ଜୀବନ ବିପୁଳ । ହେଲେ ସେ ବିପୁଳ ଜୀବନରେ ଅଭାବର ସୀମା କିଛି କମ ନୁହେଁ । ଷାଠିଏରୁ ଅଧିକ ବହି ତାଙ୍କର ପ୍ରକାଶିତ, ହେଲେ ଖୋଜିଲା ବେଳେ ଖଣ୍ଡେ ବି ବହି ତାଙ୍କର ମିଳିବ ନାହିଁ । ହଜାର ହଜାର କବିତା ସେ ଲେଖିଛନ୍ତି, ହେଲେ ମୋ ଜାଣିବାରେ ତାଙ୍କ କବିତା ବହିର ସଂଖ୍ୟା ଦୁଇ କିମ୍ବା ତିନି । ନିଜ ଲେଖା ଓ ବହିକୁ ନେଇ ସେ ପ୍ରାୟତଃ ଉଦାସୀନ ।
ଆଶୀ ଦଶକରେ ନୂଆ ନୂଆ କବିତା ଲେଖୁଥିବା ବେଳେ “ସମାବେଶ” ପତ୍ରିକାରେ କୁମାର ହାସନଙ୍କର ତିନୋଟି କବିତା ମୁଁ ପଢିଥିଲି । ସେ କବିତା ଲେଖିବାର ସାହସ ଓ ଶକ୍ତି ଆଜି ବି ଆମ ପାଖରେ ନାହିଁ । “ଜନ୍ମରୁ ଠିଆ ଳଙ୍ଗଳା” ଓ “ପ୍ରତିନିଧି”- ଏ ଦୁଇଟି କବିତାର ଧାଡି ଆଜି ବି ମୋର ମନେଅଛି ।
“ପ୍ରତିନିଧି, ତମେ ସ୍ଵର୍ଗକୁ ଯାଅ କି ନର୍କକୁ ଯାଅ
ମୋ ଦେଲା ଭୋଟ ମୋତେ ଫେରେଇ ଦିଅ। “
ସେ କବିତାରେ ଏମିତି ଆହୁରି ଅନେକ ଧାଡି ଅଛି, ଯାହାକୁ ଆଜି ବି ଉଦ୍ଧାର କରିବାକୁ ମୋତେ ଡର ଲାଗୁଛି । ହାସନ ଦାଦା ପରମ ନିର୍ଭୀକତାର କବି । ତାଙ୍କ ପାଖରୁ କବିତାର ବୃହତ୍ତର ଜୀବନକୁ ଦେଖିବାର ସୁଯୋଗ ଆମେ ପାଇଥିଲୁ। ପ୍ରେମ ଅପେକ୍ଷା ପ୍ରତିବାଦର ଭାଷା ଯେ ଅଧିକ ଜୀବନ୍ତ, ସେକଥା ସେ ଆମକୁ ବୁଝିଆ ଚାଲିଥିଲେ । ସାହିତ୍ୟର ଏକମାତ୍ର ଧର୍ମ ହେଉଛି ନିଜ ଭିତରର ମଣିଷପଣିଆ ଓ ବିବେକକୁ ବଞ୍ଚାଇ ରଖିବା- ସେ ଧର୍ମକୁ ସେ ବଞ୍ଚିଥିଲେ ।
ଅସଂଖ୍ୟ ଅସଙ୍କଳିତ ଓ ଇତସ୍ତତଃ କୁମାର ହାସନଙ୍କ ଲେଖକୀୟ ପରମ୍ପରାକୁ ଗୋଟେଇ ରଖିବାର ଗୁରୁ ଦାୟିତ୍ଵ ଏବେ ନେବ କିଏ ?