ଜୟନାରାୟଣଙ୍କ ପାଇଁ ସମସ୍ୟା : ଖୋଲୁଛି ପୁରୁଣା କେସର ପେଡି

ଜୟନାରାୟଣଙ୍କ ପାଇଁ ସମସ୍ୟା : ଖୋଲୁଛି ପୁରୁଣା କେସର ପେଡି

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗୋଟେ ପରେ ଗୋଟେ ଅପରାଧ ମାମଲାରେ ଛନ୍ଦି ହୋଇପଡୁଛନ୍ତି । ନିଜ କ୍ରୋଧ ଏବଂ ପୁଲିସକୁ ବେଖାତିର କରିବାର ମନୋଭାବ ଜୟନାରାୟଣଙ୍କ ଲାଗି ବଡ ସମସ୍ୟା ସୃଷ୍ଟି କରିବାକୁ ଯାଉଛି । ଜୟନାରାୟଣଙ୍କ ନାଁରେ ଡଜନେରୁ ଅଧିକ ଅପରାଧୀ ମାମଲା ବିଭିନ୍ନ ପର୍ଯାୟରେ ବିଚାରାଧୀନ ରହିଛି । ଏହା ବିଜେପି ଲାଗି ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବିରୋଧୀଦଳ ନେତା ଭାବରେ ଜୟନାରାୟଣଙ୍କର ଭାବମୂର୍ତ୍ତି ବିଜେପି ଲାଗି ଏକ ପ୍ରକାର ବୋଝ ପାଲଟି ଯାଇଛି । ଜୟନାରାୟଣଙ୍କ ଅପରାଧମୂଳକ ରେକର୍ଡ କାରଣରୁ ତାଙ୍କୁ ୨୦୧୯ରେ ବିଜେପି ବିରୋଧୀଦଳ ନେତା କରିନଥିଲା । ଯଦିଓ ସେତେବେଳେ ଜୟନାରାୟଣ ଏହି ପଦବୀ ଲାଗି ଏକପ୍ରକାର ନିଜକୁ ପ୍ରସ୍ତୁତ କରି ସାରିଥିଲେ, ଶେଷ ମୁହୂର୍ତ୍ତରେ ତାଙ୍କ ବଦଳରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକଙ୍କୁ ବିଜେପି ବିରୋଧୀ ଦଳ ନେତା ପଦବୀରେ ବସାଇଥିଲା । ପରବର୍ତ୍ତୀ ସମୟରେ ସ୍ଵାସ୍ଥ୍ୟଗତ କାରଣରୁ ପ୍ରଦୀପ୍ତ ନାୟକ ଦୀର୍ଘଦିନ ଧରି ଡାକ୍ତରଖାନାରେ ରହିବାକୁ ପଡିବା ଫଳରେ ଜୟନାରାୟଣଙ୍କ ହାତକୁ ଏହି ପଦବୀ ଯାଇଥିଲା । ବିରୋଧୀ ଦଳ ନେତା ଭାବରେ ନିଜକୁ ସଠିକ ଢଙ୍ଗରେ ଉପସ୍ଥାପିତ କରିବାର ଶ୍ରୁଙ୍ଖଳା ଜୟନାରାୟଣଙ୍କ ପାଖରେ ନାହିଁ । ବିଧାନସଭାରେ ଏବଂ ବିଧାନସଭା ବାହାରେ ତାଙ୍କର ଆଚରଣ ଦଳକୁ ବଡ ଅସୁବିଧାରେ ପକାଉଛି । 

ଏବେ ଜୟନାରାୟଣଙ୍କର ପୁରୁଣା କେସ ଗୁଡିକର ବିଚାର ଆରମ୍ଭ ହୋଇଛି । ବହୁଚର୍ଚ୍ଚିତ ଦିଲେଶ୍ବର ସାହୁ ହତ୍ୟା ମାମଲାରେ ସେ ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ଅଦାଲତରେ ହାଜର ହୋଇ ଜାମିନରେ ଯାଇଥିବାବେଳେ ୨୦୧୬ରେ ବୁର୍ଲା ଥାନା ଅଧିକାରୀଙ୍କୁ ଆକ୍ରମଣ ଓ ଧମକଚମକ ମାମଲାରେ ଗତକାଲି ପୁଣିଥରେ ତାଙ୍କୁ ଏହି କୋର୍ଟରେ ହାଜର ହେବାକୁ ପଡ଼ିଛି। ଏହି ମାମଲାରେ ଅଦାଲତରେ ତାଙ୍କ ବିରୋଧରେ ଚାର୍ଜ ଫ୍ରେମ୍ ହୋଇଥିବାବେଳେ ବିଚାର ପ୍ରକ୍ରିୟା ତ୍ବରାନ୍ବିତ ‌ହୋଇଛି।  କେବଳ ସେତିକି ନୁହେଁ, ଏ‌ଣିକି ଏହି ମାମଲାର ଶୁଣାଣିବେଳେ ପ୍ରତ୍ୟେକ ତାରିଖରେ ବ୍ୟକ୍ତିଗତ ହାଜିରା ଲାଗି ସ୍ବତନ୍ତ୍ର ଅଦାଲତର ମାନ୍ୟବର ବିଚାରପତି ସସ୍ମିତା ପାଢ଼ୀ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୬ ମସିହା ଫେବୃୟାରୀ ୨ ତାରିଖରେ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ ଓଡ଼ିଶା ଗସ୍ତରେ ଆସିଥିଲେ। ସେଦିନ ସେ ବୁର୍ଲାଠାରେ ହୀରାକୁଦ ନଦୀବନ୍ଧ ଓ ପ୍ରଶାସନର ବିଭିନ୍ନ ଅଧିକାରୀଙ୍କ ସହ ବୈଠକ ଶେଷ କରି ଅଶୋକ ନିବାସରେ ରାତ୍ରିଯାପନ କରିଥଲେ। ତହିଁ ପରଦିନ ଅର୍ଥାତ ୩ ତାରିଖ ସକାଳେ କେନ୍ଦ୍ରମନ୍ତ୍ରୀ ଅଶୋକ ନିବାସରୁ ବାହାରି ହୀରାକୁଦ ବନ୍ଧ ରାସ୍ତାରେ ‌ଫେରିବାର କାର୍ଯ୍ୟକ୍ରମ ଥିବାରୁ ନଦୀବନ୍ଧର ଗେଟ୍‌ ପାଖରେ ତତ୍କାଳୀନ ବୁର୍ଲା ଥାନା ଅଧିକାରୀ ତୋଫାନ ବାଗ ସୁରକ୍ଷା ଡ୍ୟୁଟିରେ ମୁତୟନ ହୋଇଥିଲେ। ଉପରିସ୍ଥ ଅଧିକାରୀମାନଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ରମନ୍ତ୍ରୀଙ୍କ କାରକେଡ୍ ହୀରାକୁଦ ନଦୀବନ୍ଧର ଗେଟ୍‌ ଅତିକ୍ରମ କଲା ପରେ ସେ ଗେଟ୍‌ ବନ୍ଦ କରି ଦେଇଥିଲେ।

ସେହି ସମୟରେ  ଜୟନାରାୟଣ ମିଶ୍ର ତାଙ୍କର କେତେକ ସହଯୋଗୀଙ୍କ ସହ ଏକ ଗାଡ଼ିରେ ସେଠାରେ ପହଞ୍ଚି ପୁଲିସକୁ ଗେଟ୍‌ ଖୋଲିବା ପାଇଁ କହିବାରୁ ଶ୍ରୀ ବାଗ ଏଥିପାଇଁ ନିର୍ଦ୍ଦେଶ ନାହିଁ କହି ତାଙ୍କୁ ବାରଣ କରିଥିଲେ। ମାତ୍ର ଏଥିରେ କ୍ରୋଧିତ ହୋଇ ଶ୍ରୀ ମିଶ୍ର, ତାଙ୍କ ସହଯୋଗୀ ମାନସ ରଂଜନ ବକ୍ସି ଓ ପ୍ରିନ୍ସ ସୋନି ଆଇଆଇସି ଶ୍ରୀ ବାଗଙ୍କୁ ଆକ୍ରମଣ କରିବା ସହ ତାଙ୍କ ଜାତି ଉଠାଇ ଗାଳିଗୁଲଜ କରିଥିଲେ ଏବଂ  ଧମକଚମକ ଦେଇଥିଲେ। ଶ୍ରୀ ବାଗଙ୍କ ଅଭିଯୋଗ କ୍ରମେ ଏ ନେଇ ଶ୍ରୀ ମିଶ୍ର ଓ ଦୁଇ ଜଣ ସହଯୋଗୀଙ୍କ ବିରୋଧରେ ବୁର୍ଲା ଥାନାରେ ଆଇପିସିର ଧାରା ୩୪୧, ୨୯୪, ୩୨୩, ୩୫୩, ୪୨୭, ୪୪୭, ୫୦୬, ୩୪ ଓ ଏସ୍‌ସି/ଏସ୍‌ଟି ନିର୍ଯାତନା ନିରୋଧ ଆଇନର ଧାରା ୩(୧) (X) ରେ ଏକ ଅପରାଧିକ ମାମଲା ରୁଜୁ ହୋଇଥିଲା।   ତଦନ୍ତ ଅଧିକାରୀ ଅଭିଯୁକ୍ତମାନେ ପରେ ହାଇକୋର୍ଟରୁ ଜାମିନ ପାଇଥିବାବେଳେ ଡିଏସ୍‌ପି ଅବକାଶ ରାଉତରାୟ ଏହି ମାମଲାର ତନନ୍ତ କରି ୧୭/୧୦/୧୭ ତାରିଖରେ ଚାର୍ଜସିଟ୍‌ ଦାଖଲ କରିଥିଲେ।  

 ଗତକାଲି  ଭୁବନେଶ୍ବରର ସ୍ବତନ୍ତ୍ର କୋର୍ଟରେ ଏହି ମାମଲାର ଶୁଣାଣି ଲାଗି ଶ୍ରୀ ମିଶ୍ରଙ୍କ ସମେତ ତିନି ଅଭିଯୁକ୍ତଙ୍କୁ ହାଜର ହେବା ପାଇଁ ସମନ ଜାରି ହୋଇଥିଲା। କୋର୍ଟରେ ହାଜର ହେବା ପରେ ସରକାରୀ ଓକିଲ ରଶ୍ମିରଂଜନ ବ୍ରହ୍ମା ଆପାତପ୍ରମାଣଯୋଗ୍ୟ ତଥ୍ୟ ଉପସ୍ଥାପନ କରିବାରୁ ଶ୍ରୀ ମିଶ୍ର ଓ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ଚାର୍ଜ ଫ୍ରେମ୍ ହୋଇଥିଲା। କୋର୍ଟ ସେମାନଙ୍କୁ ପୂର୍ବ ସର୍ତ୍ତ ଅନୁସାରେ ଜାମିନ ପ୍ରଦାନ କରିବା ସହ ଆଉ କୌଣସି ଅପରାଧିକ ମାମଲାରେ ସଂଶ୍ଳିଷ୍ଟ ନ ହେବାକୁ ତାଗିଦ କରିଥିଲେ। ଏହାଛଡ଼ା ମାମଲାର ଶୁଣାଣି ପାଇଁ ପ୍ରତ୍ୟେକ ତାରିଖରେ ବ୍ୟକ୍ତିଗତ ହାଜର ପାଇଁ ମଧ୍ୟ କୋର୍ଟ ଶ୍ରୀ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। 

 ଉଲ୍ଲେଖଯୋଗ୍ୟ ‌ଯେ ବହୁଚର୍ଚ୍ଚିତ ଦିଲେଶ୍ବର ସାହୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀ ମିଶ୍ର ଅନ୍ୟ ୧୧ ଜଣ ଅଭିଯୁକ୍ତଙ୍କ ସହ ତିନି ଦିନ ତଳେ ସ୍ବତନ୍ତ୍ର କୋର୍ଟରେ ହାଜର ହୋଇ ଜାମିନରେ ଯାଇଥିଲେ।

ସ୍ଵତନ୍ତ୍ର ଅଦାଲତରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିବାରୁ ଯଦି ନିର୍ବାଚନ ପୂର୍ବରୁ ଶ୍ରୀ ମିଶ୍ର ଦୋଷୀ ସାବ୍ୟସ୍ତ ହୁଅନ୍ତି ତାହେଲେ ଏହା ତାଙ୍କ ପାଇଁ ବଡ ସଙ୍କଟ ସୃଷ୍ଟି କରିପାରେ । ଏହି ପ୍ରସଙ୍ଗରେ ସବୁଠୁ ଅକଳରେ ପଡିଛି ବିଜେପି । ଜୟନାରାୟଣ ବିଜେପି ପାଇଁ ମୁଣ୍ଡବିନ୍ଧା ପାଲଟିଥିଲେ ମଧ୍ୟ ଏବେ ତାଙ୍କୁ ବିରୋଧୀଦଳ ନେତା ପଦରୁ ବିଦା କରିବା ସମ୍ଭବପର ନୁହେଁ। ବିଜେପିର ପ୍ରାୟ ବିଧାୟକ ନୂଆ ଏବଂ ସେମାନଙ୍କ ପାଖରେ ବିଧାନସଭା ସମପରକୀଟ ଅନୁଭବ ଯଥେଷ୍ଟ କମ । ତେଣୁ ଜୟନାରାୟଣଙ୍କୁ ବିଜେପି ଅଗତ୍ୟା ବିରୋଧୀଦଳ ନେତା ପଦରେ ରଖିବାକୁ ବାଧ୍ୟ ହେଉଛି ।