କର୍ଣ୍ଣାଟକ ନିର୍ବାଚନ : ବିଜେପି ଲାଗି ବଜରଙ୍ଗବାଲି ଓ ବଜରଙ୍ଗଦଳ ହିଁ ଶେଷ ଆଶା !!

କର୍ଣ୍ଣାଟକ ନିର୍ବାଚନ : ବିଜେପି ଲାଗି ବଜରଙ୍ଗବାଲି ଓ ବଜରଙ୍ଗଦଳ ହିଁ ଶେଷ ଆଶା !!

କର୍ଣ୍ଣାଟକ ନିର୍ବାଚନର ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରଚାର କାର୍ଯ୍ୟକ୍ରମକୁ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱ ଦେଇ ସେଠାରେ ଚାରିବର୍ଷ ହେଲା କ୍ଷମତାରେ ଥିବା ବିଜେପି ସରକାରର ସଫଳତା ବିଷୟରେ କୌଣସି ମନ୍ତବ୍ୟ ନଦେଇ ଓ ବିଶେଷଭାବେ ୪୦ ପ୍ରତିଶତ କମିଶନ ସଂକ୍ରାନ୍ତରେ ନିରବ ରହି ଏବେ ଜନସାଧାରଣଙ୍କୁ ବଜରଙ୍ଗବାଲିଙ୍କୁ ସ୍ମରଣ କରି ଆସନ୍ତା ଭୋଟ ପ୍ରଦାନ କରିବା ପାଇଁ ନିବେଦନ କରୁଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ଗୋଟିଏ ପରେ ଗୋଟିଏ ନିର୍ବାଚନ ସଭାରେ ବଜରଙ୍ଗବାଲିଙ୍କୁ ସ୍ମରଣ କରି ଭୋଟ ଦେବାକୁ ଲୋକଙ୍କୁ ନିବେଦନ କରିବା ସଂପୂର୍ଣ୍ଣ ଭାବରେ ସମ୍ବିଧାନ ବିରୋଧୀ ଆଚରଣ ହେଉଥିଲେ ମଧ୍ୟ ନିର୍ବାଚନ କମିଶନ ଏଥିରେ ନିରବ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଓ ଧର୍ମ ବା ଦେବତାଙ୍କ ନାମରେ କେହି ବି ଭୋଟ ପାଇଁ ଲୋକମାନଙ୍କୁ ନିବେଦନ କରିପାରିବେ ନାହିଁ । କିନ୍ତୁ ଖୋଦ୍ ପ୍ରଧାନମନ୍ତ୍ରୀ ଏହି ଆଚରଣ କରୁଛନ୍ତି ।

ଯୁକ୍ତି କରାଯାଉଛି ଯେ କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ଯେଉଁ ତଥାକଥିତ ଧାର୍ମିକ ଅନୁଷ୍ଠାନଗୁଡ଼ିକ ସଂଖ୍ୟାବହୁଳ ଓ ସଂଖ୍ୟାଲଘୁ ସଂପ୍ରଦାୟ ଭିତରେ ସାମ୍ପ୍ରଦାୟିକତା ସୃଷ୍ଟି କରି ଘୃଣା ଓ ହିଂସାର ବାତାବରଣ ସୃଷ୍ଟି କରୁଛନ୍ତି ସେମାନଙ୍କୁ କଂଗ୍ରେସ କ୍ଷମତାକୁ ଆସିଲେ ନିଷେଧ କରାଯିବ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ସେଥିରେ ଯେଉଁ ଦୁଇଟି ସଂଗଠନର ନାମ ଉଲ୍ଲେଖ ରହିଛି ସେଗୁଡ଼ିକ ହେଉଛି ବଜରଙ୍ଗଦଳ ଓ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ) । କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ ଦେଶର ସମ୍ବିଧାନ ବିଷୟରେ ଉଲ୍ଲେଖ କରାଯାଇ ଏହି ପ୍ରତିଶ୍ରୁତି ଦିଆଯାଇଛି । କିନ୍ତୁ ବଜରଙ୍ଗଦଳର ନାମଟି ଉଲ୍ଲେଖ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ ବିରୋଧରେ ଆକ୍ରମଣ ପାଇଁ ଏକ ବଡ଼ ଖୋରାକ ଯୋଗାଇ ଦେଇଛି । ପ୍ରଧାନମନ୍ତ୍ରୀ ବଜରଙ୍ଗଦଳକୁ ବଜରଙ୍ଗବାଲି ଓ ହନୁମାନଙ୍କ ସହିତ ସିଧାସଳଖ ଯୋଡ଼ି କଂଗ୍ରେସ ତୁଷ୍ଟିକରଣ ରାଜନୀତିର ଏହା ଏକ ବଡ଼ ନମୁନା ବୋଲି ଦର୍ଶାଉଛନ୍ତି । ଯଦିଓ ବଜରଙ୍ଗଦଳ ଓ ବଜରଙ୍ଗବାଲି ବା ହନୁମାନ ଏକା କଥା ନୁହେଁ । ବଜରଙ୍ଗଦଳ ହେଉଛି ଆର୍‌ଏସ୍‌ଏସ୍‌ର ଏକ ଅନୁଷ୍ଠାନ ।

ବଜରଙ୍ଗବାଲି ବା ହନୁମାନଙ୍କୁ ହିନ୍ଦୁ ଲୋକମାନେ ଦେବତା ଭାବରେ ସମ୍ମାନ କରୁଛନ୍ତି । କିନ୍ତୁ ବଜରଙ୍ଗଦଳ ଏକ ସଂଗଠନ ଓ ଯାହାର ନୀତି ନିୟନ୍ତ୍ରକ ହେଉଛନ୍ତି ଆର୍‌ଏସ୍‌ଏସ୍ । ହନୁମାନଜୀଙ୍କ କର୍ଣ୍ଣାଟକରେ ଆଉ ଏକ ନାମ ହେଉଛି ଅଞ୍ଜନେୟ । କଂଗ୍ରେସର ଯୁକ୍ତି ହେଲା ଯେ ଦେବତାମାନଙ୍କ ସହିତ କୌଣସି ସଂଗଠନକୁ ଜଡ଼ିତ କରି ନିର୍ବାଚନୀ ଫାଇଦା ଉଠାଇବା ଆଦୌ ଗ୍ରହଣୀୟ ନୁହେଁ । କାରଣ ରାଜ୍ୟବାସୀ ଶାନ୍ତି ଚାହାନ୍ତି ଓ ଶାନ୍ତି ପ୍ରତିଷ୍ଠା ହେଲେ ବିକାଶ କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ ହେବ । ତେଣୁ ଯେଉଁମାନେ ବା ଯେଉଁ ସଂଗଠନମାନେ ଶାନ୍ତି ବ୍ୟାହତ କରୁଛନ୍ତି, ହିଂସା ଓ ଘୃଣାଭାବ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ନେଉଛନ୍ତି, ସେମାନଙ୍କୁ ନିୟନ୍ତ୍ରଣ କରାଯିବାରେ କେଉଁଠି ଅସୁବିଧା ହେଲା ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଉଛି । କିନ୍ତୁ ପ୍ରଧାନମନ୍ତ୍ରୀ ଗୋଟିଏ ପରେ ଗୋଟିଏ ସଭାରେ ବଜରଙ୍ଗଦଳକୁ ସିଧାସଳଖ ବଜରଙ୍ଗବାଲି ଓ ହନୁମାନଙ୍କ ସହିତ ଜଡ଼ିତ କରି ହନୁମାନଙ୍କ ନାମରେ ଆସନ୍ତା ନିର୍ବାଚନରେ କର୍ଣ୍ଣାଟକ ଜନସାଧାରଣ ଭୋଟ ଦେବାକୁ ନିବେଦନ କରୁଛନ୍ତି । ଏଠାରେ ସ୍ମରଣଯୋଗ୍ୟ ଯେ ୨୦୧୯ ନିର୍ବାଚନ ସମୟରେ ପୁଲୁୱାମା ଆତ୍ମଘାତି ବିସ୍ଫୋରଣ ମାମଲାରେ ଶହୀଦ ହୋଇଥିବା ଯବାନମାନଙ୍କ ପାଇଁ ଜନସାଧାରଣ ଭୋଟ ଦେବା ପାଇଁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ । ଜାତୀୟତା ଓ ରାଷ୍ଟ୍ରବାଦ ନାମରେ ଜନସାଧାରଣ ଅନେକ ପରିମାଣରେ ପ୍ରଧାନମନ୍ତ୍ରୀଙ୍କ ନିବେଦନରେ ପ୍ରଭାବିତ ହୋଇଥିଲେ ।

ଯଦିଓ ଏବେ ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍ ମଲିକଙ୍କ ବକ୍ତବ୍ୟ ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ସେତେବେଳେ ଯେଉଁ ୪୦ ଯବାନ ଶହୀଦ ହେଲେ ସେଥିପାଇଁ ମୁଖ୍ୟତଃ କେନ୍ଦ୍ର ସରକାର ହିଁ ଦାୟୀ ଥିଲେ । ଯଦି ସେତେବେଳେ ସିଆରପିଏଫ୍‌ର ଯବାନମାନଙ୍କୁ ବିମାନ ଯୋଗେ ଜାମ୍ମୁରୁ ଶ୍ରୀନଗର ନିଆଯାଇପାରିଥାନ୍ତା ଯେଉଁଥିପାଇଁ ସେମାନଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ନିବେଦନ କରାଯାଇଥିଲା, ତେବେ ୪୦ ଯବାନ ଶହୀଦ ହୋଇନଥାନ୍ତେ । ଏହି ସଂକ୍ରାନ୍ତରେ ସତ୍ୟପାଲ୍ ମଲିକଙ୍କ ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀ କିମ୍ବା ତତ୍କାଳୀନ ସ୍ୱରାଷ୍ଟ୍ରମନ୍ତ୍ରୀ କୌଣସି ମନ୍ତବ୍ୟ ପ୍ରଦାନ କରିନାହାନ୍ତି । କିନ୍ତୁ ସତ୍ୟପାଲ୍ ମଲିକ ସେତେବେଳେ ଏହି ପ୍ରଶ୍ନ ଯେପରି ପ୍ରଚାର ନକରନ୍ତି, ସେଥିପାଇଁ ତାଙ୍କୁ ଚୁପ୍ ରହିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏବେ ଠିକ୍ ସେହିଭଳି କୌଶଳ ବଜରଙ୍ଗଦଳକୁ ବଜରଙ୍ଗବାଲି ବା ହନୁମାନଙ୍କ ସହିତ ଜଡ଼ିତ କରି ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ନିର୍ବାଚନରେ ଫାଇଦା ନେଇପାରିବେ ବୋଲି ବିଚାର କରିଛନ୍ତି ।
ନିକଟରେ ଆମେରିକା କଂଗ୍ରେସର ଏକ ଆନ୍ତର୍ଜାତିକ ଧର୍ମ ସ୍ୱାଧୀନତା କମିଶନ ଭାରତକୁ ଏକ ବିଶେଷ ଧ୍ୟାନକାରୀ ଦେଶ (ସିପିସି) ଭାବେ ବର୍ଣ୍ଣନା କରି ସିଧାସଳଖ ଭାରତୀୟ ରାଷ୍ଟ୍ର ଧାର୍ମିକ ପାତରଅନ୍ତର ନୀତି ପାଳନ କରୁଥିବା ଦର୍ଶାଇଛନ୍ତି । ଯଦିଓ ଆମେରିକା କଂଗ୍ରେସ କମିଶନର ଏହି ମତକୁ ଭାରତ ସରକାର ଅଗ୍ରାହ୍ୟ କରିଦେଇଛନ୍ତି ଓ ଏହା ଉଦ୍ଦେଶ୍ୟମୂଳକ ବୋଲି ଆଖ୍ୟାୟିତ କରିଛନ୍ତି, ତଥାପି ଏହି କମିଶନର ଏହା ହେଉଛି ଚତୁର୍ଥ ବାର୍ଷିକ ରିପୋର୍ଟ ଯେଉଁଥିରେ ଭାରତକୁ ସିପିସି ଭାବରେ ଦର୍ଶାଯାଇଛି । ଏହି ରିପୋର୍ଟରେ ମୁସଲିମ୍‌, ଖ୍ରୀଷ୍ଟିଆନ୍‌, ଶିଖ୍‌, ଦଳିତ ଓ ଆଦିବାସୀମାନଙ୍କ ପ୍ରତି ସରକାରୀ ନୀତି ପାତରଅନ୍ତର ପୂର୍ଣ୍ଣ ବୋଲି ଦର୍ଶାଯାଇ ଧର୍ମ ପରିବର୍ତ୍ତନ, ଆନ୍ତଃଧର୍ମ ବିବାହ, ହିଜାବ ପିନ୍ଧିବା, ସିଏଏ, ଏନ୍‌ଆର୍‌ସି ଓ ସର୍ବୋପରି ଗୋ-ମାଂସ ନିଷେଧ ପ୍ରଭୃତି ଘଟଣାଗୁଡ଼ିକୁ ଉଲ୍ଲେଖ କରାଯାଇଛି । ଯଦିଓ ଭାରତ ଏକ ଗଣତାନ୍ତ୍ରିକ ଧର୍ମ ନିରପେକ୍ଷ ରାଷ୍ଟ୍ର ଓ ଯେଉଁ ଦେଶର ସମ୍ବିଧାନରେ ବିବିଧତାକୁ ସବୁ କ୍ଷେତ୍ରରେ ସ୍ୱୀକାର କରାଯାଇଛି, ସେହି ଦେଶରେ ସଂଖ୍ୟାଲଘୁମାନଙ୍କ ଧର୍ମ ସ୍ୱାଧୀନତା ନେଇ ଆମେରିକା କଂଗ୍ରେସର ବାରମ୍ବାର ମତକୁ କିପରି ଉଦ୍ଦେଶ୍ୟମୂଳକ ବୋଲି କୁହାଯାଇପାରିବ? କାରଣ ଏହି କମିଶନରେ ଉଭୟ ଡେମୋକ୍ରାଟିକ୍ ଓ ରିପ୍ଲବିକାନ୍ ପ୍ରତିନିଧିମାନେ ଅଛନ୍ତି ।

ବିଶ୍ୱ ରାଜନୀତିରେ ଭାରତର ଆମେରିକା ସହିତ ସଂପର୍କ ଏବେ ଅତ୍ୟନ୍ତ ଘନିଷ୍ଠ । ଚୀନ୍‌କୁ ମୁକାବିଲା କରିବା ପାଇଁ ପାଶ୍ଚାତ୍ୟ ରାଷ୍ଟ୍ର ଓ ବିଶେଷ ଭାବରେ ଆମେରିକା ବହୁମାତ୍ରାରେ ଭାରତ ଉପରେ ନିର୍ଭର କରୁଛି । ସାମରିକ ଦୃଷ୍ଟିରୁ ଭାରତ ଓ ଆମେରିକା ଭିତରେ ଏକ ନୂଆ ଦୃଢ଼ତା ସ୍ଥାପିତ ହୋଇଛି । ତଥାପି ସେହି ଦେଶରେ କଂଗ୍ରେସ କାହିଁକି ଭାରତରେ ସଂଖ୍ୟାଲଘୁମାନଙ୍କ ଧାର୍ମିକ ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଉଛନ୍ତି? ଏହା କଦାପି ଭାରତ ବିରୋଧରେ ଏକ ଷଡ଼ଯନ୍ତ୍ର ଭାବରେ ସହଜରେ କେହି ବିଶ୍ୱାସ କରିବେ ନାହିଁ । ସେହି ଦେଶର ଜନସାଧାରଣ ଯେତେବେଳେ ନିଜକୁ ଗଣତନ୍ତ୍ରର ଜନନୀ ବୋଲି ଦାବି କରୁଥିବା ଦେଶରେ ଖୋଦ୍ ପ୍ରଧାନମନ୍ତ୍ରୀ ଭୋଟରମାନଙ୍କୁ ହନୁମାନଙ୍କ ନାଁରେ ଭୋଟ ମାଗିବେ, ସେତେବେଳେ ଏହାକୁ କିପରି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର କୁହାଯିବ? କିପରି ସବୁ ଧର୍ମକୁ ଏଠାରେ ସମାନ ସୁବିଧା ସୁଯୋଗ ଦିଆଯାଉଛି ବୋଲି ବିଶ୍ୱବାସୀ ବିଶ୍ୱାସ କରିବେ?


ଦେଶରେ ପରିସ୍ଥିତି ଏପରି ହୋଇଛି ଯେ ଶେଷରେ ସୁପ୍ରିମକୋର୍ଟଙ୍କୁ ନିର୍ଦ୍ଦେଶ ଦେବାକୁ ପଡିଲା ଯେ ଘୃଣା ସୃଷ୍ଟିକାରୀ ଯେ କୌଣସି ମନ୍ତବ୍ୟ ବା ବକ୍ତବ୍ୟ ବିରୋଧରେ ପ୍ରତ୍ୟେକ ରାଜ୍ୟର ପୋଲିସ ନିଜଆଡୁ ମାମଲା ଦାଏର କରିବା ଦରକାର । ସେ ଯେ କୌଣସି ଧର୍ମର ବା ଦଳର ବ୍ୟକ୍ତି ହେଉନା କାହିଁକି । ସେହି ପରିପ୍ରେକ୍ଷୀରେ ଯଦି ଦେଖାଯାଏ, ବଜରଙ୍ଗଦଳ ଅନେକ ଘଟଣାରେ ଭିଡ଼ ହିଂସାର ପୁରୋଧା ଭାବରେ କାମ କରୁଛନ୍ତି । ବଜରଙ୍ଗଦଳ ନାଁରେ ସଂଖ୍ୟାଲଘୁମାନଙ୍କୁ ଆତଙ୍କିତ କରିବା ବା ଭୟ ସୃଷ୍ଟି କରିବା ସହିତ ତଥାକଥିତ ଗୋ-ମାଂସ ବା ଅନ୍ୟ ଘଟଣାକୁ ନେଇ ତୀବ୍ର ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଦିଗରେ ବଜରଙ୍ଗଦଳ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଏମାନଙ୍କର ଯୁକ୍ତି ହେଲା ଯେ ବଜରଙ୍ଗଦଳ ଏକ ଜାତୀୟବାଦୀ ସଂଗଠନ । ଅପରପକ୍ଷରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ଏକ ଜାତୀୟତା ବିରୋଧୀ ଓ ଆତଙ୍କବାଦୀ ସଂଗଠନ । କିନ୍ତୁ ଜଣେ ସଂଖ୍ୟାଲଘୁ ଶ୍ରେଣୀର ବ୍ୟକ୍ତି ପାଇଁ ବଜରଙ୍ଗଦଳ କଦାପି ଜାତୀୟବାଦୀ ବା ସ୍ୱଭାବିକ ସଂଗଠନ ନୁହେଁ । ଏହି ସଂଗଠନ ଗୋରକ୍ଷା ନାଁରେ ସଂଖ୍ୟାଲଘୁମାନଙ୍କ ଉପରେ ଅତ୍ୟାଚାର କରିବା, ହିନ୍ଦୁ-ମୁସଲିମ୍ ପୁଅଝିଅ ବିବାହକୁ ‘ଲଭ୍ ଜିହାଦ୍‌’ ଆଖ୍ୟା ଦେଇ ସେମାନଙ୍କୁ ହଇରାଣ କରିବା ଓ ହିନ୍ଦୁ କନ୍ୟାମାନଙ୍କୁ ପ୍ରଲୋଭିତ କରାଇ ଧର୍ମ ବଦଳାଇ ସେମାନଙ୍କୁ ଉଗ୍ର ଧର୍ମବାଦୀ କରିବା କାର୍ଯ୍ୟ କରୁଛନ୍ତି ବୋଲି ବଜରଙ୍ଗଦଳ ବରାବର କହିଆସୁଛି । ବଜରଙ୍ଗଦଳ ଦେଶରେ ଧାର୍ମିକ ହିଂସା ବାତାବରଣ ସୃଷ୍ଟି କରିବାରେ କେତେବେଳେ କେଉଁ ଭୂମିକା ନେଇଛି, ସେ ସଂକ୍ରାନ୍ତରେ ଏକ କମିଶନ ଗଠନ ହେଲେ ହିଁ ଅନେକ ସତ୍ୟ ପଦାକୁ ଆସିବ ।